କର୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ୟେଦୁରାପ୍ପାଙ୍କ ଇସ୍ତଫା


କର୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ୟେଦୁରାପ୍ପାଙ୍କ ଇସ୍ତଫା
ଜୁଲାଇ ୨୬
ବେଙ୍ଗାଲୁରୁ
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି ଏସ ୟେଦୁରାପା । ଆଜି ସେ ଇସ୍ତଫା ଦେଇଥିବା ବେଳେ ଦୁଇ ତିନି ଦିନ ମଧ୍ୟରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜେପି ବିଧାୟକ ଦଳ ବୈଠକ ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେଥିରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେବେ ବୋଲି ଦଳ ସୂଚନା ଦେଇଛି । ଆଗାମୀ ଦିନରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ନିଜ ଭାବମୂର୍ତ୍ତି ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ମୁହଁ ପରିବର୍ତ୍ତନ କରୁଥିବା ଆଲୋଚନା ହେଉଛି । ୟେଦୁରେପା ହେଉଛନ୍ତି କର୍ଣ୍ଣାଟକରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ତାଙ୍କ ସରକାର ବିରୋଧରେ ବିଭିନ୍ନ ଦୁର୍ନୀତି ଅଭିଯୋଗ ଥିଲା । ରାଜ୍ୟବାସୀ ପରବର୍ତ୍ତୀ ନିର୍ବାଚନରେ ୟେଦୁରାପ୍ପା ଓ ବିଜେପିକୁ ଅଧିକ ଆସନରେ ନିର୍ବାଚିତ କରିଥିଲେ ମଧ୍ୟ ବିଧାନସଭାରେ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ନ ଦେବାରୁ ସେ ଜବରଦସ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବିଜେପି ସରକାର ପ୍ରତିଷ୍ଠା କରିବାକୁ ଉଦ୍ୟମ କରିଥିଲେ । ତେବେ, କଂଗ୍ରେସ- ଜେଡିଏସ ମେଣ୍ଟ ତାହାର ଦୃଢ଼ ବିରୋଧ କରିବାରୁ ୟେଦୁରାପ୍ପା ଅଦାଲତର ନିର୍ଦ୍ଦେଶକ୍ରମେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇଥିଲେ । ତେବେ, ଆସ୍ଥା ଭୋଟ ଦିନ ତାଙ୍କ ସରକାରର ସଂଖ୍ୟାଗରିଷ୍ଠତା ନଥିବାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ରାଜ୍ୟରେ ଜେଡ଼ିଏସ ନେତୃତ୍ୱରେ ଜେଡିଏସ – କଂଗ୍ରେସର ମିଳିତ ସରକାର ପ୍ରତିଷ୍ଠା ହୋଇଥିଲା ଏବଂ ଜେଡିଏସର ବିଧାୟକ ସଂଖ୍ୟା କଂଗ୍ରେସ ଠାରୁ କମ୍ ଥିଲେ ମଧ୍ୟ ଦଳର ନେତା ଏଚ.ଡି. କୁମାରସ୍ବାମୀ ମିଳିତ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ, ଦୁଇ ବର୍ଷର ସରକାରରେ କଂଗ୍ରେସ ଏବଂ ଜେଡିଏସରେ ଆଭ୍ୟନ୍ତରୀଣ ଅନ୍ତର୍ଦ୍ୱନ୍ଦ୍ୱର ସୁଯୋଗ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ଵ ଉଭୟ ଦଳର ବିଧାୟକଙ୍କୁ ପ୍ରଲୋଭିତ କରି ମିଳିତ ସରକାରଙ୍କୁ ସଂଖ୍ୟାଲଘୁ କରିବା ସହ ରାଜ୍ୟରେ ପୁଣି ଥରେ କ୍ଷମତା ଦାଖଲ କରିଥିଲା ଓ ୟେଦୁରାପ୍ପା ମୁଖ୍ୟମନ୍ତ୍ରୀ ହୋଇଥିଲେ । ୟେଦୁରାପ୍ପାଙ୍କ ଇସ୍ତଫାକୁ ‘ ଜଣେ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ‘ ବୋଲି କଂଗ୍ରେସ କହିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS