ବିରୋଧୀଙ୍କ ପ୍ରଚାରରେ କେନ୍ଦ୍ର ସରକାର ଘାଇଲା, ମୁକାବିଲାର ନୂଆ ରଣନୀତି !

ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୨୭
ଇସ୍ରାଏଲୀ ସ୍ପାଏୱେର୍ ‘ପେଗାସସ୍’ ମାଧ୍ୟମରେ ସରକାର ଦେଶରେ ଗୁଇନ୍ଦାଗିରି କରୁଛନ୍ତି । କେବଳ ବିରୋଧୀ ନୁହନ୍ତି, ବିଭିନ୍ନ ସାମ୍ବିଧାନିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଫୋନ୍ ହ୍ୟାକ୍ ହୋଇ ସେମାନଙ୍କ ଗୋପନୀୟ ତଥ୍ୟ ସଂଗ୍ରହ କରାଯଉଛି ଏବଂ ବାର୍ତ୍ତାଳାପ ଉପରେ ନଜର ରଖାଯାଉଛି । ଏହା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ବୋଲି ଅଭିଯୋଗ କରି ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ସଂସଦର ମୌସୁମୀ ଅଧିବେଶନକୁ ଆରମ୍ଭ ଦିନରୁ ଅଚଳ କରାଯାଇଛି । ବିରୋଧୀ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିବା ସହ ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ତଦନ୍ତ ହେବା ଚାହୁଁଛନ୍ତି । ଦେଶର ଅନ୍ୟ ରାଜ୍ୟମାନେ ଏକପ୍ରକାର ନିରବଦ୍ରଷ୍ଟା ଥିବା ବେଳେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଆଗକୁ ଆସି ‘ପେଗାସସ୍’ ମାଧ୍ୟମରେ ହୋଇଥିବା ଗୁଇନ୍ଦାଗିରିର ତଦନ୍ତ ପାଇଁ ଏକ ଦୁଇ ଜଣିଆ ତଦନ୍ତ କମିସନ ଗଠନ କରିଛନ୍ତି । କଲିକତା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟ ଓ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ମଦନ ଭୀମରାଓ ଲୋକୁରଙ୍କୁ ନେଇ ଗଠିତ ଏହି ତଦନ୍ତ କମିଶନ୍ ପଶ୍ଚିମ ବଂଗରେ ହୋଇଥିବା ରାଜନେତା, ପ୍ରଶାସନିକ ଅଧିକାରୀ ଓ ସାମ୍ବାଦିକଙ୍କ ଫୋନ୍ ହ୍ୟାକିଂର ତଦନ୍ତ କରିବେ ବୋଲି ସୋମବାର ଦିନ ଘୋଷଣା କରାଯାଇଛି । ଅପରପକ୍ଷରେ, ‘ପେଗାସସ୍’କୁ ନେଇ ବିରୋଧୀଙ୍କ ରଣନୀତିର ମୁକାବିଲା ପାଇଁ ବିଜେପି ମଧ୍ୟ ନୂଆ ରଣନୀତି ପ୍ରସ୍ତୁତ କରିଥିବା ଆଜି ବିଜେପି ସଂସଦୀୟ ବୈଠକରେ ହୋଇଥିବା ଆଲୋଚନାରୁ ସୂଚନା ମିଳିଛି ।
ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ ସାଂସଦଙ୍କୁ ଉଦବୋଧନ ଦେଇ ନୂତନ ରଣନୀତିର ଖୁଲାସା କରିଛନ୍ତି । ସଂସଦୀୟ ଦଳ ବୈଠକ ପରେ କେନ୍ଦ୍ର ପାର୍ଲାମେଂଟାରୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଗଣମାଧ୍ୟମକୁ ଦେଇଥିବା ସୂଚନାରୁ ତାହା ଜଣାପଡିଛି । ଚଳିତ ବର୍ଷ ଦେଶରେ ପାଳନ ହେବାକୁ ଥିବା ୭୫ତମ ସ୍ୱାଧୀନତା ଦିବସ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନ ରହି ଗ୍ରାମାଂଚଳ ଜନତାଙ୍କ ଯୋଗଦାନରେ ଏକ ଜନଆନ୍ଦୋଳନରେ ରୂପାନ୍ତରିତ କରିବାକୁ ପ୍ରଧାନମନ୍ତ୍ରୀ ଦଳୀୟ ସାଂସଦଙ୍କୁ କହିଥିବା ଜଣାପଡିଛି । ବିଜେପି ସାଂସଦମାନେ ୭୫ତମ ସ୍ୱାଧୀନତା ଦିବସ ଅବସରରେ ନିଜ ନିଜ ନିର୍ବାଚନମଣ୍ଡଳୀକୁ ଯାଇ ଗ୍ରାମାଂଚଳରେ ବିଭିନ୍ନ କାର୍ଯ୍ୟକ୍ରମ ସଂଗଠିତ କରିବେ । ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେମାନେ ଦୁଇ ଜଣ ଲେଖାଏଁ ବିଜେପି କର୍ମୀଙ୍କୁ ନେଇ ଗୋଟିଏ ଲେଖାଏଁ ଟିମ୍ ଗଠନ କରିବେ । ସଂପୃକ୍ତ ଦୁଇ ଜଣିଆ ଟିମ୍ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୫ଟି ଲେଖାଏଁ ଯାଇ ସେଠାକାର ଅଧିବାସୀଙ୍କ ସହ ୭୫ ଘଂଟା ଲେଖାଏଁ ବିତାଇବା ସହ ସ୍ୱାଧୀନତାର ଶତବର୍ଷ (୨୦୪୭) ପୂର୍ତ୍ତି ସମୟରେ ସେମାନେ ଦେଶକୁ କିଭଳି ଅବସ୍ଥାରେ ଦେଖିବାକୁ ଚାହୁଁଛନ୍ତି ତାହାର ସୂଚନା ସଂଗ୍ରହ କରିବେ ।
ସାଂସଦମାନେ ଆଂଚଳିକ କ୍ରୀଡ଼ା ଓ ସଫେଇ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଧୀନତା ଦିବସ ପାଳନ କରିବାକୁ କୁହାଯାଇଛି । ଏଥି ସହିତ ଗ୍ରାମ୍ୟ ଭାରତରେ ଡ଼ିଜିଟାଲ ସାକ୍ଷରତାର ପ୍ରସାରକୁ ପ୍ରାଧାନ୍ୟ ଦେବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି । ଡ଼ିଜିଟାଲ ସାକ୍ଷରତାର ପ୍ରସାର ଦ୍ୱାରା ହିଁ ଗ୍ରାମାଂଚଳ ଜନତା ସରକାରଙ୍କ ବିିଭିନ୍ନ କଲ୍ୟାଣକାରୀ ଯୋଜନାର ସର୍ବାଧିକ ସୁଫଳ ପାଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ କହିଛନ୍ତି । ‘ପେଗାସସ୍’କୁ ନେଇ ଚାଲିଥିବା ବିରୋଧୀଙ୍କ ହାଂଗାମା ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା ଚାହୁଁ ଥିଲେ ମଧ୍ୟ ବିରୋଧୀ ଚାହୁଁ ନାହାନ୍ତି । ହଟ୍ଟଗୋଳ କରି ସଂସଦରେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି । ତେଣୁ, ସଂସଦକୁ ଅଚଳ କରୁ ଥିବା ବିରୋଧୀଙ୍କ ମୁଖା ଖୋଲିବାକୁ ପଡିବ ବୋଲି ସେ କହିଥିବା ମେଘୱାଲ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖନୀୟ, ଜୁଲାଇ ୧୯ ତାରିଖ ସଂସଦର ଉଭୟ ଗୃହର ପୂର୍ଣ୍ଣାଂଗ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ୧୮ ତାରିଖ ରାତିରେ ‘ଦି ୱାୟାର’ ନାମକ ଏକ ୱେବ୍ ପୋର୍ଟାଲରେ ‘ପେଗାସସ୍’ ସ୍ପାଏୱେର୍ ମାଧ୍ୟମରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ୫୦ ହଜାରରୁ ଅଧିକ ଏବଂ ଭାରତର ୩୦୦ରୁ ଅଧିକ ରାଜନେତା, ସାମ୍ବିଧାନିକ ଅନୁଷ୍ଠାନ, ପ୍ରଶାସନିକ ଅଧିକାରୀ, କିଛି ମନ୍ତ୍ରୀ ଏବଂ ୪୦ ଜଣ ବରିଷ୍ଠ ସାମ୍ବାଦିକଙ୍କ ଫୋନ୍ ହ୍ୟାକିଂ ହୋଇଥିବା ଏବଂ ସେମାନଙ୍କ ଟେଲିଫୋନ କଲ୍, ଇ-ମେଲ୍, ଚ୍ୟାଟିଂ ପ୍ରଭୃତି ଉପରେ ନଜର ରଖା ଯାଇ ଥିବା ଅଭିଯୋଗ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫୋନ୍ ନମ୍ବର ମଧ୍ୟ ଏହି ତାଲିକାରେ ରହିଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡିଛି । କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କୁ ଏହା ଉତ୍କ୍ଷୀପ୍ତ କରିଛି । ଏହି ଗୁଇନ୍ଦାଗିରି ସହ ସରକାରଙ୍କ ସଂପୃକ୍ତ ନାହିଁ ବୋଲି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଫେଇ ରଖି ଥିଲେ ସୁଦ୍ଧା ବିରୋଧୀ ତାହା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ଜୁଲାଇ ୧୯ରୁ ସେମାନେ ସଂସଦରେ ଅଚଳାବସ୍ଥା ଜାରି ରଖିବା ସହ ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ପେଗାସସ୍’ ସ୍ପାଏୱେର୍ ମାଧ୍ୟମରେ ହୋଇଥିବା କଥିତ ଗୁଇନ୍ଦାଗିରିର ତଦନ୍ତ ଦାବିରେ ଅଟଳ ଅଛନ୍ତି ।
ଏହି ସ୍ପାଏୱେର୍ ର ନିର୍ମାତା ତଥା ବିଭିନ୍ନ ସରକାରୀ ଏଜେନ୍ସିଙ୍କୁ ତାହା ବ୍ୟବହାର କରିବାକୁ ଲାଇସେନ୍ସ ଦେଉଥିବା ଇସ୍ରାଏଲୀ ସଂସ୍ଥା ‘ଏନଏସଓ’ ବିଭିନ୍ନ ରାଷ୍ଟ୍ରଙ୍କୁ ଏହି ସ୍ପାଏୱେର୍ ବ୍ୟବହାର ପାଇଁ ଲାଇସେନ୍ସ ଦେଇଥିବା ମାନୁଥିଲେ ମଧ୍ୟ ଭାରତକୁ ବିକିଛି କି ନାହିଁ – ତାହା ସ୍ପଷ୍ଟ କରୁ ନାହିଁ । ‘ପୋଗାସସ୍’ ଗୁଇନ୍ଦାଗିରିକୁ ନେଇ ଭାରତରେ ହଟ୍ଟଗୋଳ ବ୍ୟାପକ ହେବା ପରେ ଇସ୍ରାଏଲ୍ ସରକାର ଏନଏସଓର ସ୍ପାଇେଓର୍ ଲାଇସେନ୍ସ୍ ପ୍ରଦାନ ନୀତିର ସମୀକ୍ଷା କରିବାକୁ କମିଟି ଗଠନ କଲେଣି । ତେବେ, ଭାରତ ସରକାର ତଦନ୍ତ ନିର୍ଦେଶ ନଦେଇ ନୀରବ ରହିବା ସରକାରଙ୍କ ମତିଗତିକୁ ନେଇ ଅଧିକ ସନ୍ଦେହ ସୃଷ୍ଟି କରିଛି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ସିଧାସଳଖ ଏଥିରେ ସଂପୃକ୍ତ ଥିବା ବିରୋଧୀ ଅଭିଯୋଗ କରିବା ସହ ଗୃହ ମନ୍ତ୍ରୀ ଶାହାଙ୍କୁ ଏଥିପାଇଁ ଟାର୍ଗେଟ୍ କରିଛନ୍ତି । ନୂଆ କରି କେନ୍ଦ୍ର ଆଇଟି ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହି ତାତିରୁ ବର୍ତ୍ତି ନାହାନ୍ତି । ନିକଟରେ ‘ପେଗାସସ୍’ ମାଧ୍ୟମରେ ଗୁଇନ୍ଦାଗିରି ଅଭିଯୋଗକୁ ନେଇ ରାଜ୍ୟସଭାରେ ସରକାରଙ୍କ ପକ୍ଷ ରଖିବାକୁ ଯାଇ ସେ ଜଣେ ଟିଏମସି ସାଂସଦଙ୍କ ଦ୍ୱାରା ଅପଦସ୍ତ ହୋଇଛନ୍ତି । ଟିଏମସି ସାଂସଦ ଜଣକ ମନ୍ତ୍ରୀଙ୍କ ହାତରୁ ଲିଖିତ ବିବୃତି ଛଡାଇ ନେଇ ତାହାକୁ ଚିରି ଟୁକୁଡା ଗୁଡ଼ିକୁ ଗୃହରେ ଫିଙ୍ଗି ଥିଲେ ।
ଏହି ଘଟଣାରେ ସଂପୃକ୍ତ ସାଂସଦଙ୍କୁ ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ ଗୃହରୁ ନିଲମ୍ବିତ କରାଯାଇଛି । ତବେ, ଟିଏମସି ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଘୋର ନିନ୍ଦା କରିବା ସହ ଏହି ଏକଛତ୍ରବାଦୀ ସରକାର ବିରୋଧରେ ଦେଶର ସମସ୍ତ ଅଣ-ବିଜେପି ବିରୋଧୀ ରାଜନୈତିକ ଦଳ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ଦେଶର ସମସ୍ତ ବିଜେପି-ବିରୋଧୀ ରାଜନୈତିକ ଦଳଙ୍କୁ ସଂଗଠିତ କରିବାକୁ ଅଭିଯାନ ଆରମ୍ଭ କରିବା ସହ ‘ପେଗାସସ୍’ ମାଧ୍ୟମରେ ହୋଇଥିବା କଥିତ ଗୁଇନ୍ଦାଗିରିର ତଦନ୍ତ ପାଇଁ କମିସନ୍-ଅଫ୍-ଇନକ୍ୱାରୀ ଆଇନରେ ଏକ ଦୁଇ ଜଣିଆ ତଦନ୍ତ କମିଶନ ଗଠନ କରି ଗତକାଲି ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ କରାଇ ନେଇଛନ୍ତି । କମିସନ୍- ଅଫ୍-ଇନକ୍ୱାରୀ ଆଇନ, ୧୯୫୨ର ଧାରା-୩ରେ ରାଜ୍ୟ ସରକାର କମିସନ୍ ଗଠନ ଅଧିକାର ରଖିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଦୁଇ ଜଣିଆ ତଦନ୍ତ କମିସନ୍ ‘ପେଗାସସ୍’ ମାଧ୍ୟମରେ ଗୁଇନ୍ଦାଗିରିର ସବିଶେଷ ତଦନ୍ତ କରିବେ ବୋଲି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ମମତା ଗତକାଲି କୋଲକାତାରେ ଗଣମାଧ୍ୟମକୁ କହିଛନ୍ତି ।
କମିସନ୍-ଅଫ୍-ଇନକ୍ୱାରୀ ଆଇନରେ କୌଣସି ନିର୍ଦ୍ଧିଷ୍ଟ ମାମଲାର ତଦନ୍ତ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତଦନ୍ତ କମିସନ୍ ଗଠନ କରିବାକୁ ଅଧିକାରପ୍ରାପ୍ତ । କୌଣସି ମାମଲାର ତଦନ୍ତ ପାଇଁ କେନ୍ଦ୍ର ସରକାର ଯଦି ନିଜ ଆଡୁ ଆଗୁଆ ତଦନ୍ତ କମିସନ୍ ଗଠନ କରିଥା’ନ୍ତି ତେବେ ରାଜ୍ୟ ସରକାର ସେହି ମାମଲାର ତଦନ୍ତ କରିବାକୁ ତଦନ୍ତ କମିସନ୍ ବସାଇବାକୁ ଚାହିଁଲେ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡିବ । ଆଉ, ରାଜ୍ୟ ସରକାର ଯଦି ଆଗୁଆ ତଦନ୍ତ କମିସନ୍ ଗଠନ କରିଛନ୍ତି ତେବେ ସେହି କମିସନ୍ ଙ୍କ କାର୍ଯ୍ୟକାଳ ନ ସରିବା ଯାଉଁ ଏକା ମାମଲାର ତଦନ୍ତ ପାଇଁ କେନ୍ଦ୍ର ସରକାର ତଦନ୍ତ କମିସନ୍ ଗଠନ କରି ପାରିବେ ନାହିଁ । କିନ୍ତୁ, ସଂପୃକ୍ତ ମାମଲାରେ ଅନ୍ୟ ଦୁଇଟି ବା ଅଧିକ ରାଜ୍ୟକୁ ସାମିଲ କରିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ଅନୁଭବ କଲେ ହସ୍ତକ୍ଷେପର ସୁଯୋଗ ରହିଛି ।
‘ପେଗାସସ୍’ ସ୍ପାଏୱେର ଦ୍ୱାରା ଗୁଇନ୍ଦାଗିରି ଘଟଣାରେ କେବଳ ପଶ୍ଚିମ ବଂଗ ପ୍ରଭାବିତ ନୁହେଁ, ଅନ୍ୟ ରାଜ୍ୟମାନେ ମଧ୍ୟ ପ୍ରଭାବିତ । ତେଣୁ, କେନ୍ଦ୍ର ସରକାର ନିଜ ଆଡୁ ତଦନ୍ତ କମିସନ୍ ଗଠନ କରିଥିଲେ ରାଜ୍ୟକୁ ଏହି ସୁଯୋଗ ମିଳି ନଥା’ନ୍ତା ।
କିନ୍ତୁ, କେନ୍ଦ୍ର ସରକାର ନିଜ ଆଡୁ ତଦନ୍ତ କମିସନ ଗଠନ କରି ନାହାନ୍ତି ବା ସୁପ୍ରିମ କୋର୍ଟଙ୍କ ତତ୍ତ୍ୱାବଧାନରେ ‘ପୋଗାସସ୍’ ଗୁଇନ୍ଦାଗିରିର ତଦନ୍ତ କରାଇଉ ନାହାନ୍ତି । ତେଣୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସୁଯୋଗକୁ ହାତଛଡା ନ କରି ପଶ୍ଚିମ ବଂଗ ପାଇଁ ଏକ ତଦନ୍ତ କମିସନ୍ ଗଠନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ମମତାଙ୍କ ଏହା ଏକ ସୁଚିନ୍ତିତ ଚାଲ୍ କହିବା ଅତ୍ୟୁକ୍ତି ହେବ ନାହିଁ । ମମତା ମଧ୍ୟ ଦିଲ୍ଲୀ ଯିବା ପୂର୍ବରୁ କରିଥିବା ସାମ୍ବାଦିକ ସମ୍ମିଳନୀରେ ସେଭଳି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ‘ପେଗାସସ୍’କୁ ନେଇ ଚୁପ୍ ବସି ଯିବାରୁ ତାଙ୍କ ସରକାର କମିସନ୍-ଅଫ୍-ଇନକ୍ୱାରୀ’ ବସାଇବାକୁ ବାଧ୍ୟ ହେଲେ ।
ଫୋନ୍ ହ୍ୟାକିଂ କେମିତି ହେଉଛି ଏବଂ କେଉଁମାନେ ଏଥିରେ ସଂପୃକ୍ତ ତାହା ଏହି ଦୁଇ ଜଣିଆ କମିସନ୍ ତଦନ୍ତ କରିବେ ତଦନ୍ତ କରିବେ ଏବଂ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ମମତା କହିବା ମାଧ୍ୟମରେ ମୋଦୀ ସରକାରଙ୍କ ପାଇଁ ଏକ ନୂଆ ଚ୍ୟାଲେଂଜ ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୧୫ ଓ ୭୫ତମ ସ୍ୱାଧୀନତା ଦିବସକୁ ନେଇ ବିଜେପିର ରଣନୀତି ପ୍ରସ୍ତୁତ କରିଥିବା ସ୍ପଷ୍ଟ ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS