‘ପେଗାସସ୍’କୁ ନେଇ ନବୀନ ସରକାର ଏତେ ଉଦାସୀନ କାହିଁକି ?
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୨୮
ଇସ୍ରାଏଲୀ ସ୍ପାଏୱେର୍ ‘ପେଗାସସ୍’ ମାଧ୍ୟମରେ ଦେଶରେ ବିଭିନ୍ନ ବିରୋଧୀ ରାଜନେତା, ସାମ୍ବାଦିକ, ବ୍ୟକ୍ତିବିଶେଷ ଏବଂ ସାମ୍ବିଧାନିକ ଅନୁଷ୍ଠାନର ଗୁଇନ୍ଦାଗିରି ହୋଇଥିବା ଖବରର ସତ୍ୟତା ଜାଣିବା ପାଇଁ ବିରୋଧୀ କମିସନ୍-ଅଫ୍-ଇନକ୍ୱାରୀ ଆଇନ ଅନୁଯାୟୀ ତଦନ୍ତ କମିଶନ ଗଠନ କରାଯିବାକୁ କିମ୍ବା ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ହେବାକୁ ଦାବି କରୁଛନ୍ତି । ଏହି ଦାବି ସପକ୍ଷରେ ସେମାନେ ସଂସଦର ମୌସୁମୀ ଅଧିବଶେନକୁ ଅଚଳ କରିଥିବା ବେଳେ କେନ୍ଦ୍ର ସରକାର ବିରୋଧୀଙ୍କ ଦାବିକୁ ଅଣଦେଖା କରି ଏହା ସରକାରଙ୍କୁ ନିନ୍ଦିତ କରିବାର ଉଦ୍ୟମ ବୋଲି ପାଲଟା ଅଭିଯୋଗ କରୁଛନ୍ତି । ଏହି ପରିସ୍ଥିତିରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟ ପାଇଁ ଏକ ତଦନ୍ତ କମିସନ୍ ଗଠନ କରି ଦୁଇ ଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି । ବିଚାରପତି ଦ୍ୱୟ ‘ପେଗାସିସ୍’ ଗୁଇନ୍ଦାଗିରିର ବାସ୍ତବ ସତ୍ୟ ଏବଂ ଏଥିରେ କେଉଁମାନଙ୍କ ସଂପୃକ୍ତି ରହିଛି, ତାହାର ତଦନ୍ତ କରିବେ ବୋଲି ମମତା ସରକାର କହିଛନ୍ତି ।
ମମତାଙ୍କ ପଦକ୍ଷେପକୁ ‘ସାହସିକତାର ପରିଚୟ’ ବୋଲି ସାବାସୀ ଦିଆଯାଉଥିବା ବେଳେ ‘ପେଗାସସ୍’ ଗୁଇନ୍ଦାଗିରିକୁ ନେଇ ଓଡ଼ିଶା ସରକାରଙ୍କ ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପଶ୍ଚିମ ବଂଗ କେବଳ ନୁହେଁ, ସମଗ୍ର ଦେଶ ଏହି ‘ସ୍ପାଏୱେର୍’ର ସର୍ଭେଲାନ୍ସରେ ରହିଥିବା ଆଶଙ୍କା କରାଯାଉଛି । ଦେଶରେ ୩୦୦ରୁ ଅଧିକ ବ୍ୟକ୍ତିବିଶେଷଙ୍କ ଫୋନ ହ୍ୟାକ୍ ହୋଇଥିବା ଏବଂ ସେମାନଙ୍କ ବ୍ୟକ୍ତିଗତ ବାର୍ତ୍ତାଳାପ, ଚାଟିଂ ଓ ଇ-ମେଲ୍ ଉପରେ ନଜର ରଖା ଯାଇଥିବା ନେଇ ଖବର ପ୍ରସାରିତ ହୋଇଥିବା ବେଳେ ସେଥିରେ ଓଡ଼ିଶାର ଜଣେ ରାଜ୍ୟସଭା ସାଂସଦଙ୍କ ନାମ ମଧ୍ୟ ରହିଛି । ଏହି ସାଂସଦ ହେଉଛନ୍ତି ନିକଟରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଅଶ୍ୱିନୀ ବୈଷ୍ଣବ । ତାଙ୍କ ଫୋନ୍ ମଧ୍ୟ ୨୦୧୭ରେ ସର୍ଭେଲାନ୍ସରେ ଥିଲା ବୋଲି ଚାଂଚଲ୍ୟକର ଖବର ପ୍ରସାରିତ ହେବା ପରେ ସତ୍ୟାସତ୍ୟ ଜାଣିବା ପାଇଁ ଓଡ଼ିଶା ସରକାର ଯେଭଳି ଉତ୍ସୁକତା ପ୍ରକାଶ କରିବା କଥା, ତାହା ଦେଖିବାକୁ ମିଳୁ ନାହିଁ । ଫଳରେ, ସମଗ୍ର ଘଟଣାକ୍ରମକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ ମନେ ହେଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର କେନ୍ଦ୍ର ସରକାରଙ୍କୁ ଅସନ୍ତୁଷ୍ଟ ନ କରିବାକୁ ନିରବତା ଅବଲମ୍ବନ କରୁଛନ୍ତି ନା ‘କାଦୁଅ ଭିତରେ ପଶିବା କାହିଁକି, ଗୋଡ ଧୋଇବା କାହିଁକି’ ନ୍ୟାୟରେ ନିଜକୁ ‘ପେଗାସସ୍’ ବିବାଦରୁ ଦୂରେଇ ରଖୁଛନ୍ତି (?) – ତାହା ଆଜି ଦିନରେ ନିୟୁତ ଡ଼ଲାରର ପ୍ରଶ୍ନ । କେବଳ ରାଜ୍ୟ ସରକାର ନୁହନ୍ତି, ଓଡ଼ିଶା ଭିତ୍ତିକ ମୁଖ୍ୟସ୍ରୋତ ମିଡ଼ିଆ ମଧ୍ୟ ‘ପେଗାସସ୍’ ପ୍ରସଙ୍ଗକୁ ନେଇ ସେତେଟା ମୁଖର ନୁହଁନ୍ତି । ସାମାଜିକ ଗଣମାଧ୍ୟମ ବା ୱେବ୍ ପୋର୍ଟାଲ ‘ଦି ୱାୟାର’ରେ ଜୁଲାଇ ୧୮ ତାରିଖ ରାତିରେ ଏହି ଅନୁସଂଧାନମୂଳକ ଖବର ପ୍ରସାରିତ ହେବା ପରେ ତାହାକୁ ଆଧାର କରି ଓଡ଼ିଶାର ମୁଖ୍ୟସ୍ରୋତ ଗଣମାଧ୍ୟମରେ ଖବର ଓ ସଂପାଦକୀୟ ପ୍ରକାଶ ପାଇଛି । ସଂସଦରେ ଲାଗି ରହିଥିବା ଅଚଳାବସ୍ଥାକୁ ନେଇ ମଧ୍ୟ ଖବର ନିୟମିତ ଭାବେ ପ୍ରସାରିତ ହେଉଛି । ତେବେ, ଓଡ଼ିଶାର ଜଣେ ରାଜ୍ୟସଭା ସାଂସଦ ତଥା ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ସାଧାରଣ ଜୀବନରେ ଥିବା ସମୟରେ ତାଙ୍କ ଫୋନ ହ୍ୟାକ୍ କରାଯାଇ ତାଙ୍କ ବ୍ୟକ୍ତଗତ ଜୀବନର ଗୁଇନ୍ଦଗିରି ଚାଲିଥିଲା ବୋଲି ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ବଢାଇବାକୁ କୌଣସି ମୁଖ୍ୟସ୍ରୋତ ମିଡ଼ିଆ ଆଗ୍ରହୀ ଥିବା ଭଳି ମନେ ହେଉ ନାହିଁ ।
ମୁଖ୍ୟସ୍ରୋତ ମିଡ଼ିଆ ଯଦି ଚାପ ସୃଷ୍ଟିି କରିଥା’ନ୍ତେ ତେବେ ରାଜ୍ୟ ସରକାର ବେଂଗଲ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଳି ଓଡ଼ିଶାରେ ମଧ୍ୟ ଏକ ତଦନ୍ତ କମିସନ୍ ଗଠନ କରିଥା’ନ୍ତେ ଅଥବା ତଦନ୍ତ କମଶନ ଗଠନ ପାଇଁ କେନ୍ଦ୍ର ଉପରେ ଚାପ ପକାଇ ଥା’ନ୍ତେ । ତେବେ, ଏହି ଲେଖା ପ୍ରସ୍ତୁତି ହେବା ସୁଦ୍ଧା ଓଡ଼ିଶାରେ ସେଭଳି କିଛି ହୋଇଥିବା ଖବର ନାହିଁ । ଓଡ଼ିଶାର ସଂଖ୍ୟାଧିକ ମୁଖ୍ୟସ୍ରୋତ ମିଡ଼ିଆ ଶାସକ ଦଳର ପ୍ରତ୍ୟକ୍ଷ ବା ପରୋକ୍ଷ ନିୟନ୍ତ୍ରଣରେ ଥିବାରୁ ସରକାରଙ୍କ ମତିଗତି ଦେଖି ମିଡ଼ିଆ ମଧ୍ୟ ‘ପେଗାସସ୍’ ବିବାଦରୁ ଦୂରେଇ ରହିବାକୁ ଚାହୁଁ ଥିବା ଏଥିରୁ ଅନୁମାନ କରାଯାଉଛି । ଓଡ଼ିଶା ସରକାରଙ୍କ ମତିଗତିକୁ ନେଇ କେହି କେହି ଯୁକ୍ତି ବାଢି ପାରନ୍ତି – ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ‘ପେଗାସସ୍’ ସ୍ପାଏୱେର୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାଙ୍କ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏବଂ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି)ର ଜାତୀୟ ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀଙ୍କ ଫୋନ୍ ହ୍ୟାକ୍ ହୋଇଥିଲା ଏବଂ ନିର୍ବାଚନ ସରିବା ପରେ ମମତାଙ୍କ ସହ କେନ୍ଦ୍ର ସରକାରଙ୍କ ସଂପର୍କ ତୀକ୍ତ ରହିଛି । ତେଣୁ, ଏହି ଗୁଇନ୍ଦାଗିରି ଅଭିଯୋଗର ତୃଣମୂଳରେ ପହଂଚିବା ପାଇଁ ମମତା ବାନାର୍ଜୀ ଦୁଇ ଜଣ ପୂର୍ବତନ ବିଚାରପତିଙ୍କୁ ନେଇ ଏକ କମଶନ ବସାଇଛନ୍ତି । ଓଡ଼ିଶାର ଯେଉଁ ରାଜ୍ୟସଭା ସାଂସଦଙ୍କ ଫୋନ ସର୍ଭେଲାନ୍ସ ତାଲିକାରେ ଥିଲା ବୋଲି କୁହାଯାଉଛି ସେ ହେଉଛନ୍ତି ବିଜେପିର ସାଂସଦ । ବର୍ତ୍ତମାନ କେନ୍ଦ୍ର ସରକାରରେ ସେ ଆଇଟି (ସୂଚନା ଓ ପ୍ରଯୁକ୍ତି) ମନ୍ତ୍ରୀ ଅଛନ୍ତି ଏବଂ ‘ପେଗାସସ୍’ ଗୁଇନ୍ଦାଗିରିକୁ ନେଇ ସଂସଦରେ ସରକାରଙ୍କ ଆଡୁ ବିବୃତି ରଖି ସାରିଛନ୍ତି । ସରକାର ସେଭଳି କୌଣସି ଗୁଇନ୍ଦା ‘ସ୍ପାଏୱେର୍’ ବ୍ୟବହାର କରି ନାହାନ୍ତି ବା ବିରୋଧୀଙ୍କ ଗୁଇନ୍ଦାଗିରି କରି ନାହାନ୍ତି ବୋଲି ନିଜେ ଆଇଟି ମନ୍ତ୍ରୀ କହିଛନ୍ତି । ଗଲା ସାତ ବର୍ଷ ଧରି ଦେଶରେ ଚାଲି ଥିବା ବିକାଶଧାରାକୁ ସହ୍ୟ କରି ନପାରି ବିରୋଧୀ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାରଙ୍କୁ ନିନ୍ଦିତ କରିବା ନିମନ୍ତେ ଏଭଳି ଅପପ୍ରଚାର ଚଳାଇଛନ୍ତି । ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦର ଉଭୟ ଗୃହରେ ଏହି ମର୍ମରେ ବିବୃତି ରଖି ଥିବା ବେଳେ ଓଡ଼ିଶା ସରକାର ଏହାର ତଦନ୍ତ ପାଇଁ କମିଶନ ଗଠନ କରିବାକୁ କାହିଁକି ଆଗ୍ରହ ପ୍ରକାଶ କରିବେ ?
ଏହାର ଉତ୍ତର ଅତ୍ୟନ୍ତ ସ୍ପଷ୍ଟ । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପୂର୍ବରୁ ୨୦୧୭ରେ ତାଙ୍କ ଫୋନ୍ ‘ପେଗାସସ୍’ ସ୍ପାଏୱେର୍ ସର୍ଭେଲାନ୍ସରେ ଥିବା ‘ଦି ୱାୟାର’ ରିପୋର୍ଟ କହୁଛି । ୨୦୧୭ ଓ ୨୦୧୮ ଘଟଣାବଳୀକୁ ସମୀକ୍ଷା କଲେ ସର୍ଭେଲାନ୍ସ୍ ଅଭିଯୋଗର ସତ୍ୟତା ନେଇ ସୁରାକ ମିଳୁଛି । ଅଶ୍ୱିନୀ ବୈଷ୍ଣବ ବିଜେଡ଼ିରୁ ରାଜ୍ୟସଭା ପ୍ରାର୍ଥୀ ହେଉଛନ୍ତି ବୋଲି ୨୦୧୮ ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଘୋଷଣା କରିଥିଲେ । ନାମ ଘୋଷଣାର କିଛି ଘଂଟା ମଧ୍ୟରେ ଅଶ୍ୱିନୀ ବାବୁ ବିଜେପି ଟିକଟ ଧରି ଓଡ଼ିଶାରେ ପହଂଚି ଥିଲେ । ଯାହାକି, ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ତାଙ୍କ ପ୍ରଥମ ବିବୃତି ପ୍ରତ୍ୟାହାର କରିବାକୁ ବାଧ୍ୟ କରିଥିଲା । ଅଶ୍ୱିନୀ ବିଜେଡ଼ରୁ ନୁହେଁ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ଏବଂ ବିଜେଡ଼ି ତାଙ୍କୁ ସମର୍ଥିତ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ । ବିଜେଡ଼ି-ବିଜେପିର ଏହି ରାଜ୍ୟସଭା ଖେଳ ସେହି ସମୟରେ ବିଭିନ୍ନ ମହଲରେ ଭୃକୁଂଚନ ସୃଷ୍ଟି କରିଥିଲା । କିନ୍ତୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅନୁରୋଧକ୍ରମେ ବିଜେଡ଼ି ସୁପ୍ରିମୋ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଇ ପରିସ୍ଥିତି ସମ୍ଭାଳି ନିଆଯାଇଥିଲା ।
ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ରାଜସ୍ଥାନ ବାସିନ୍ଦା । ଓଡ଼ିଶା କ୍ୟାଡ଼ର ଆଇଏଏସ ଭାବେ ସେ ରାଜ୍ୟ ସରକାରଙ୍କ ଅଧିନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶାସନିକ ଦାୟିତ୍ୱରେ ରହିଥିଲେ । ପରେ, ବୈଷ୍ଣବ କେନ୍ଦ୍ର ସରକାରଙ୍କ ଅଧିନକୁ ଯାଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ହୋଇଥିଲେ । ବାଜପେୟୀଜୀ ପ୍ରଧାନମନ୍ତ୍ରୀ ପଦରୁ ଅବ୍ୟାହତି ନେବା ପରେ ମଧ୍ୟ ବୈଷ୍ଣବ ତାଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିବାକୁ ପସନ୍ଦ କରିଥିଲେ । ଏହି ପ୍ରଶାସକ, ଟେକ୍ନୋକ୍ରାଟ୍ ତଥା ଉଦ୍ୟୋଗପତିରୁ ରାଜନେତା ହୋଇଥିବା ଭଦ୍ରବ୍ୟକ୍ତିଙ୍କ ଫୋନ ୨୦୧୭ ମସିହାରେ କେଉଁ ଉଦଦ୍ଦଶ୍ୟରେ ‘ପୋଗାସସ୍’ର ସର୍ଭେଲାନ୍ସରେ ଥିଲା, ତାହା କହିବା ମୁସ୍କିଲ । ତେବେ, ୨୦୧୭ରେ ତାଙ୍କ ଫୋନ୍ ‘ପେଗାସସ୍’ ସ୍ପାଏୱେର୍ ସର୍ଭେଲାନ୍ସରେ ରହିବା, ୨୦୧୮ରେ ବିଜେଡ଼ି ତାଙ୍କୁ ଓଡ଼ିଶାରୁ ରାଜ୍ୟସଭାକୁ ପଠାଇବାକୁ ମନସ୍ତ କରି ନାମ ଘୋଷଣା କରିବା ପରେ ବିଜେପି ତାଙ୍କୁ ଅପହରଣ କରିନେଇ ନିଜ ଆଡୁ ରାଜ୍ୟସଭା ପ୍ରାର୍ଥୀ କରିବା ପଛରେ ‘ପେଗାସସ୍’ ସର୍ଭେଲାନ୍ସର ଅଦୃଶ୍ୟ ଭୂମିକା ଥାଇ ପାରେ ବୋଲି ଅନୁମାନ କରାଯାଉଛି । ଏଥିରୁ ଆଉ ଗୋଟିଏ ପ୍ରଶ୍ନ ମଧ୍ୟ ଉଙ୍କି ମାରିଲାଣି । ତାହା ହେଉଛି, ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ‘ପେଗାସସ୍’ ସର୍ଭେଲାନ୍ସରେ ନାହାନ୍ତି ତ ?
ଅଶ୍ୱିନୀ ବୈଷ୍ଣବ ଏବେ କେନ୍ଦ୍ର ସରକାରଙ୍କ ରେଳବାଇ, ସୂଚନା ଏବଂ ପ୍ରଯୁକ୍ତି ମନ୍ତ୍ରୀ । ଏକଦା ତାଙ୍କ ଫୋନ୍ ‘ପେଗାସସ୍’ ସ୍ପାଏୱେର୍ ସର୍ଭେଲାନ୍ସରେ ଥିଲା – ଏକଥା ଜାଣି ମଧ୍ୟ ସେ ନାଚାର । କାରଣ, କେନ୍ଦ୍ର ମନ୍ତ୍ରୀ ଭାବେ ସେ ରାଜଧର୍ମ ପାଳନ କରିବାକୁ ବାଧ୍ୟ । ତେଣୁ, ସରକାରଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବାକୁ ଯାଇ ସେ କହିଛନ୍ତି, ସରକାରଙ୍କ ଆଡୁ ବିରୋଧୀଙ୍କ ବିରୋଧରେ କୌଣସି ସ୍ପାଏୱେର୍ ବ୍ୟବହାର ହୋଇ ନାହିଁ ବା ଗୁଇନ୍ଦାଗିରି ହୋଇ ନାହିଁ । ଏଠି ଆସୁଛି ଓଡ଼ିଶା ସରକାରଙ୍କ ଦାୟିତ୍ୱ । ବୈଷ୍ଣବ ଓଡ଼ିଶାରୁ ବିଜେଡ଼ି ସମର୍ଥନରେ ବିଜେପି ସାଂସଦ ଭାବେ ରାଜ୍ୟସଭାକୁ ଯାଇଛନ୍ତି ଓ ନିକଟରେ କେନ୍ଦ୍ର ସରକାରରେ ମନ୍ତ୍ରୀ ହୋଇଛନ୍ତି । ୨୦୧୭ରେ ତାଙ୍କ ଫୋନ୍ ହ୍ୟାକ୍ ହୋଇଥିଲା କି ନାହିଁ, ୨୦୧୮ରେ ବିଜେଡ଼ିରୁ ରାଜ୍ୟସଭା ପ୍ରାର୍ଥୀ ହେଉ ହେଉ କେମିତି ସେ ବିଜେପି ମୁହାଁ ହେଲେ, ଏହା ପଛରେ ‘ପେଗାସସ୍’ ସ୍ପାଏୱେର୍ ର କଣ ଭୂମିକା ରହିଛି (?), ଓଡ଼ିଶା ସରକାର ଏହି ସର୍ଭେଲାନ୍ସ ଜାଲରେ ନାହାନ୍ତି ତ (?) – ଏଭଳି ଅନେକ ପ୍ରଶ୍ନ ଏବେ ମନକୁ ଆସୁ ଥିବାରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଳମ୍ବରେ ହେଲେ ସୁଦ୍ଧା ବେଂଗଲ୍ ମୁଖ୍ୟମନ୍ତ୍ରୀ ମମତାଙ୍କ ଭଳି ଦୃଢମନା ହୁଅନ୍ତୁ ଏବଂ ତାଙ୍କ ପଦାଙ୍କ ଅନୁସରଣ କରନ୍ତୁ ବୋଲି ଓଡ଼ିଶାବାସୀ ଚାହୁଁଛନ୍ତି । ନହେଲେ ୨୦୨୪ ନିର୍ବାଚନରେ ପଶ୍ଚିମ ବଂଗ ଭଳି ଓଡ଼ିଶା ମଧ୍ୟ ବିଜେପିର ଖେଳ ଦେଖିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS