ରାକେଶ ଆସ୍ଥାନାଙ୍କ ନିଯୁକ୍ତିକୁ ବିରୋଧ କଲେ ଦିଲ୍ଲୀ ସରକାର
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୨୯
ସିବିଆଇର ପୂର୍ବତନ ସ୍ୱତନ୍ତ୍ର ନିର୍ଦେଶକ ଗୁଜରାଟ କ୍ୟାଡ଼ର ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନା ଜୁଲାଇ ୩୧ ତାରିଖ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ତାଙ୍କୁ ‘ଇଂଟର କ୍ୟାଡ଼ର ଡ଼େପୁଟେସନ୍’ରେ ଏଜିଏମୟୁଟିକୁ ଆଣି ଦିଲ୍ଲୀର ନୂଆ ପୁଲିସ କମିଶନର୍ ଭାବେ ନିଯୁକ୍ତି ଦେଇ ଥିବାରୁ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ନୂତନ ବିବାଦର ସୂତ୍ରପାତ ହୋଇଛି । ଦିଲ୍ଲୀର ‘ଆମ୍ ଆଦମୀ ପାର୍ଟି’ ସରକାର ଆସ୍ଥାନାଙ୍କ ନିଯୁକ୍ତିକୁ ବିରୋଧ କରି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି ଦାବିରେ ଆଜି ରାଜ୍ୟ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରାଇଥିବା ବେଳେ ଆସ୍ଥାନାଙ୍କ ନିଯୁକ୍ତି ସୁପ୍ରିମ କୋର୍ଟଙ୍କ ରୁଲିଂର ଜବରଦସ୍ତ ଉଲଂଘନ ବୋଲି କଂଗ୍ରେସ ଅଭିଯୋଗ କରିଛି । ସୁପ୍ରିମ କୋର୍ଟ ରୁଲିଂ ଅନୁଯାୟୀ, ଛଅ ମାସରୁ କମ୍ କାର୍ଯ୍ୟ ସମୟ ଥିବା ଜଣେ ପୁଲିସ ଅଧିକାରୀଙ୍କୁ ଡ଼ିଜି ପାହ୍ୟାରେ ନିଯୁକ୍ତି ଦିଆଯାଇ ପାରିବ ନାହିଁ । ଆସ୍ଥାନା ଦୁଇ ଦିନ ପରେ ଚାକିରୀରୁ ଅବସର ନେବାକୁ ଥିବା ବେଳେ କେନ୍ଦ୍ର ସରକାର ତାଙ୍କ କ୍ୟାଡ଼ର ବଦଳାଇ ଦିଲ୍ଲୀର ପୁଲିସ କମିଶନର୍ ଭାବେ ନିଯୁକ୍ତି ଦେଇଥିବା କୋର୍ଟ ଆଦେଶର ଜବରଦସ୍ତ ଉଲଂଘନ । କଂଗ୍ରେସର ବରିଷ୍ଠ ନେତା ପବନ ଖେଡା ଏହି ମର୍ମରେ ବିବୃତି ଦେଇ ଆସ୍ଥାନଙ୍କ ନିଯୁକ୍ତିର ବିରୋଧ କରିଛନ୍ତି ।
ଏଠାରେ ଏଲ୍ଲେଖନୀୟ ଯେ, ବରିଷ୍ଠ ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନା ଦୁଇ ମାସ ତଳେ ସିବିଆଇ ନିର୍ଦେଶକ ପଦ ଦୌଡ଼ରେ ଥିଲେ । ସିବିଆଇ ନିର୍ଦେଶକ ପଦରେ କାହାକୁ ନିଯୁକ୍ତି ଦିଆଯିବ ତାହା ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତରେ ଗଠିତ ଚୟନ କମିଟି ନିଷ୍ପତ୍ତି ନେଇଥାଏ । ନୂତନ ସିବିଆଇ ନିର୍ଦେଶକ ଚୟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଯେଉଁ ଚୟନ କମିଟି ବୈଠକ ହୋଇଥିଲା ସେଥିରେ ଅନ୍ୟତମ ସଦସ୍ୟ ଥିବା ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା ଛଅ ମାସରୁ କମ୍ କାର୍ଯ୍ୟକାଳ ଥିବା କୌଣସି ପୁଲିସ ଅଧିକାରୀଙ୍କୁ ଡ଼ିଜି ପାହ୍ୟାରେ ନିଯୁକ୍ତି କଥା ବିଚାରକୁ ନ ନେବାକୁ ଥିବା ସୁପ୍ରିମ କୋର୍ଟର ରୁଲିଂ ସଂପର୍କରେ ଉଲ୍ଲେଖ କରିଥିଲେ । ଫଳରେ, ଆସ୍ଥାନଙ୍କ ସମତେ ଅନ୍ୟ ଦୁଇ ଜଣଙ୍କ ନାମ ସିବିଆଇ ମୁଖ୍ୟ ପଦ ପାଇଁ ବିଚାରରୁ ବାଦ୍ ପଡି ଥିଲା । ଗତ ମଂଗଳବାର ଦିନ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆସ୍ଥାନାଙ୍କୁ ଦିଲ୍ଲୀ ପୁଲିସ କମିଶନର୍ ଭାବେ ନିଯୁକ୍ତି ଦେଇ ପୁନର୍ବାର ନିଜକୁ ବିବାଦ ଘେରକୁ ଟାଣିଛନ୍ତି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ନେଉ ବୋଲି ଦିଲ୍ଲୀ ସରକାର ଆଜି ବିଧାନସଭାରେ ପ୍ରସ୍ତାବ ଗୃହୀତ କରାଇ ଥିବା ବେଳେ ଆସ୍ଥାନାଙ୍କ କାର୍ଯ୍ୟକାଳ ଜୁଲାଇ ୩୧ରେ ସରୁଥିବାରୁ ତାଙ୍କୁ ଥଇଥାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ବ୍ୟଗ୍ରତା ବିଭିନ୍ନ ମହଲରେ ଭୃକଂଚନ ସୃଷ୍ଟି କରିଛି ।
କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପ୍ରାୟତଃ ଏଜିଏମୟୁଟିରୁ ଦିଲ୍ଲୀ ପୁଲିସ୍ ମୁଖ୍ୟଙ୍କୁ ଚୟନ କରିଥାଏ । ତେଣୁ, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆସ୍ଥାନା ଅବସର ଗ୍ରହଣ କରିବାର ଚାରି ଦିନ ପୂର୍ବରୁ ତାଙ୍କୁ ଗୁଜରାଟ କ୍ୟାଡରରୁ ଏଜିଏମୟୁଟିକୁ ‘ଇଂଟର କ୍ୟାଡର ଡ଼େପୁଟେସନ୍’ରେ ଅଣି ନୂତନ ନିଯୁକ୍ତି ଆଦେଶ ଦେଇଥିବା ଗୃହ ମନ୍ତ୍ରଣାଳୟ ନିର୍ଦେଶନାମାରୁ ଜଣାପଡିଛି । ଆସ୍ଥାନା ଅବସର ପରେ ପ୍ରଥମେ ବର୍ଷକ ପାଇଁ ଏହି ପଦରେ ରହିବେ ବୋଲି ମନ୍ତ୍ରଣାଳୟ କହିଛି । ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଭାବେ ଏହି ନିଯୁକ୍ତି ନିଷ୍ପତ୍ତି ହୋଇଥିବା ସରକାରୀ ଭାବେ କୁହାଯାଇଛି । ତେବେ, ଆଜି ଦିଲ୍ଲୀ ବିଧାନସଭାରେ ବରିଷ୍ଠ ‘ଆପ୍’ ନେତା ସତ୍ୟେନ୍ଦ୍ର ଜୈନଙ୍କ ପ୍ରଶ୍ନ ଥିଲା, ଗତ ସାତ ବର୍ଷ ମଧ୍ୟରେ ମୋଦୀ ସରକାର ଦିଲ୍ଲୀରେ ପୁଲିସ କମିଶନର୍ ଭାବେ ଯେଉଁମାନଙ୍କୁ ନିଯୁକ୍ତି ଦେଇଛନ୍ତି ସେମାନେ ସମସ୍ତେ କଣ ଅଯୋଗ୍ୟ ଥିଲେ ? ଆସ୍ଥାନା ହିଁ ଏକମାତ୍ର ଦକ୍ଷ ଅଫିସର, ଯାହାଙ୍କୁ ଦିଲ୍ଲୀ ପୁଲିସ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି ?? ଆସ୍ଥାନାଙ୍କ କାର୍ଯ୍ୟକାଳ ସରୁ ଥିବା ବେଳେ ତାଙ୍କୁ ଡ଼େପୁଟେସନ୍ ରେ ଆଣି ବର୍ଷକ ପାଇଁ ଦିଲ୍ଲୀ ପୁଲିସ କମିଶନର୍ ଭାବେ ନିଯୁକ୍ତି ଦିଆଯିବା ସୁପ୍ରିମ କୋର୍ଟ ରାୟର ଜବରଦସ୍ତ ଉଲଂଘନ ।
ଏହି ନିଯୁକ୍ତିରେ ‘ଇଂଟର କ୍ୟାଡ଼ର ଡ଼େପୁଟେସନ’ ଏକମାତ୍ର ପ୍ରସଙ୍ଗ ନୁହେଁ । ଏହି ନିଯୁକ୍ତି ମାଧ୍ୟମରେ ସରକାର ଦେଶର ଆଇନ ବ୍ୟବସ୍ଥାର ଜବରଦସ୍ତ ଉଲଂଘନ କରିବା ସହ ସୁପ୍ରିମ କୋର୍ଟଙ୍କ ରାୟର ଘୋର ଅବମାନନା କରିଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ପବନ ଖେଡ଼ା ମତ ରଖିଛନ୍ତି । ଏହି ନିଯୁକ୍ତି ନେଇ ଆଲୋଚନା ବେଳେ ୨୦୧୮ର ଏକ ଘଟଣା ସ୍ୱତଃ ମନେ ପଡୁଛି । ସେହି ସମୟରେ ବରିଷ୍ଠ ଆଇପିଏସ ଅଧିକାରୀ ଆଲୋକ ବର୍ମା ସିବିଆଇ ନିର୍ଦେଶକ ଥିଲେ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଗୁଜରାଟ କ୍ୟାଡ଼ର ଆଇପିଏସ୍ ଆସ୍ଥାନାଙ୍କୁ ଦିଲ୍ଲୀ ଆଣି ସିବିଆଇ କାର୍ଯ୍ୟକାରୀ ନିର୍ଦେଶକ ଭାବେ ଅବସ୍ଥାପିତ କରି ବିବାଦର ମଂଜି ବୁଣିଥିଲେ । ସେହି ସମୟରେ ହୋଇଥିବା ବଡ଼ ଧରଣର ଦୁର୍ନୀତି ଅଭିଯୋଗକୁ ନେଇ ଆଲୋକ ବର୍ମା ଓ ରାକେଶ ଆସ୍ଥାନା ମୁହାଁମୁହିଁ ହେବା ଫଳରେ ସିବିଆଇରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।
ସିବିଆଇ ନିର୍ଦେଶକ ଆଲୋକ ବର୍ମା ସ୍ୱତନ୍ତ୍ର ନିର୍ଦେଶକ ଆସ୍ଥାନାଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଥିବା ବେଳେ ଆସ୍ଥାନା ବର୍ମାଙ୍କ ବିରୋଧରେ ଏକାଭଳି ଅଭିଯୋଗ ଆଣି ସିବିଆଇକୁ କାଠଗଡ଼ାରେ ଠିଆ କରାଇ ଥିଲେ । ସିବିଆଇରେ ଅଚଳାବସ୍ଥା ଲାଗି ରହିବାରୁ କେନ୍ଦ୍ର ସରକାର ସିବିଆଇ ନିର୍ଦେଶକ ପଦରୁ ଆଲୋକ ବର୍ମାଙ୍କୁ ହଟାଇ ଆଇପିଏସ୍ ଅଧିକାରୀ ନାଗେଶ୍ୱର ରାଓଙ୍କୁ ସେହି ପଦରେ ବସାଇ ଥିଲେ । ମାମଲା ସୁପ୍ରିମ କୋର୍ଟରେ ପହଂଚି ଥିଲା । ସୁପ୍ରିମ କୋର୍ଟ ଆଲୋକ ବର୍ମାଙ୍କ ଆଡୁ ଦାଏର ପିଟିସନର ଶୁଣାଣୀ କରି ତାଙ୍କୁ ସିବିଆଇ ନିର୍ଦେଶକ ପଦରେ ପୁନଃ ଅବସ୍ଥାପିତ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ସରକାର ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଦେଇ ତୁରନ୍ତ ଏକ କମ୍ ଗୁରୁତ୍ୱ ଥିବା ବଦଳୀ କରିବାରୁ ବର୍ମା ଅପମାନିତ ହୋଇ ଆଗୁଆ ଅବସର ନେବାକୁ ବାଧ୍ୟ ହୋଇଥିଲେ । ଦିଲ୍ଲୀ ପୁଲିସ କମିଶନର୍ ଭାବେ ନିଯୁକ୍ତି ପାଇଥିବା ରାକେଶ ଆସ୍ଥାନାଙ୍କ ପ୍ରତି କେନ୍ଦ୍ର ସରକାର କେତେ ଦରଦୀ ତାହା ଏବେକା ନିଯୁକ୍ତିରୁ ସ୍ପଷ୍ଟ ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS