‘ପେଗାସସ୍’ ଭଳି ଟେକ୍ନୋଲୋଜି ପାଇଁ ବିଶ୍ୱବାସୀ ଶାନ୍ତିରେ ଶୋଇ ପାରୁଛନ୍ତି : ଏନଏସଓ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜୁଲାଇ ୨୪
ଇସ୍ରାଏଲୀ ସ୍ପାଏୱେର୍ ‘ପେଗାସସ୍’ ମାଧ୍ୟମରେ ବିଶ୍ୱର ୫୦ ହଜାରରୁ ଅଧିକ ଓ ଭାରତର ୩୦୦ରୁ ଅଧିକ ନାଗରିକଙ୍କ ଫୋନ ବାର୍ତ୍ତାଳାପ, ଚାଟିଂ ଓ ଇ-ମେଲ୍ ଉପରେ ସରକାର ନଜର ରଖିଥିବା ଏବଂ ଗୁଇନ୍ଦାଗିରି କରୁଥିବା ସଂପର୍କିତ ଏକ ଖବର ଗତ ରବିବାର ରାତିରେ ‘ଦି ୱାୟାର’ରେ ପ୍ରସାରିତ ହେବା ପରେ ଗଲା କିଛି ଦିନ ହେଲା ଦେଶରେ ଯେଉଁ ରାଜନୈତିକ ଝଡ଼ ଚାଲିଛି ତାହା ଦିନକୁ ଦିନ ତୀବ୍ରତର ହେଉଥିବା ବେଳେ ବିଶ୍ୱର ବିଭିନ୍ନ ରାଷ୍ଟ୍ରଙ୍କୁ ଏହି ‘ସ୍ପଏୱେର୍’ ଯୋଗାଉ ଥିବା ଇସ୍ରାଏଲୀ କଂପାନୀ ‘ଏନଏସଓ’ ନିଜ ଟେକ୍ନୋଲିଜି ସପକ୍ଷରେ ଦୃଢ ଯୁକ୍ତି ଉପସ୍ଥାପନ କରିଥିବା ଜେରୁଜେଲମରୁ ମିଳିଥିବା ଖବରରୁ ଜଣାପଡିଛି । ଏନଏସଓର ତାହାର ଗୁଇନ୍ଦା ସଫ୍ଟୱେର୍ ଲାଇସେନ୍ସ ଭାରତକୁ ଦେଇଛି କି ନାହିଁ ତାହା ସ୍ପଷ୍ଟ କରି ନାହିଁ । ତେବେ, ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଗୁଇନ୍ଦା ସଂସ୍ଥା ଓ ସୁରକ୍ଷା ଏଜେନ୍ସୀ ‘ପେଗାସସ୍’ ଭଳି ବୈଷୟିକ କୌଶଳର ଅଧିକାରୀ ଥିବାରୁ ହିଁ ନିୟୁତାଧିକ ଲୋକ ରାତିରେ ଶାନ୍ତିରେ ନିଦ୍ରା ଯାଉଛନ୍ତି ଏବଂ ରାସ୍ତାଘାଟରେ ଚଳପ୍ରଚଳ କରିପାରୁଛନ୍ତି ବୋଲି କଂପାନୀ ପକ୍ଷରୁ କୁହାଯାଇଛି । କଂପନୀ ନିଜେ ଏହି ଟେକ୍ନୋଲିଜିର ପରିଚାଳନା କରୁ ନାହିଁ କିମ୍ବା ସ୍ପାଏୱେର୍ ମାଧ୍ୟମରେ ସଂଗୃହୀତ ତଥ୍ୟ କଂପାନୀ ପାଖକୁ ଯାଉ ନାହିଁଁ ବୋଲି ଏନଏସଓ କହିଛି ।
କଂପାନୀ କହିଛି, ବିଶ୍ୱର ବିଭିନ୍ନ ଦେଶର ଗୁଇନ୍ଦା ସଂସ୍ଥା ଏବଂ ସୁରକ୍ଷା ଏଜେନ୍ସୀଙ୍କ ନିକଟରେ ‘ପେଗାସସ୍’ ଓ ସମାନ ଧରଣର ଟେକ୍ନୋଲୋଜି ଥିବାରୁ ହିଁ ସେମାନେ ଏଣ୍ଡ-ଟୁ-ଏଣ୍ଡ୍ ଇନ୍କ୍ରିପସନ୍ ଆପ୍ ମାଧ୍ୟମରେ ଗୁରୁତର ଅପରାଧ, ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଅନ୍ୟାନ୍ୟ ସଂଗଠିତ ଅପରାଧର ନିୟନ୍ତ୍ରଣ ଏବଂ ତାହାର ତଦନ୍ତ କରିପାରୁଛନ୍ତି । ଏନଏସଓ ସମେତ ବିଶ୍ୱର ଅନ୍ୟ ଅନେକ ସାଇବର୍ ଇଂଟେଲିଜେନ୍ସ କଂପାନୀ ଏଭଳି ସ୍ପାଏୱେର୍ ବିଭିନ୍ନ ଗୁଇନ୍ଦା ସଂସ୍ଥା ଓ ସୁରକ୍ଷା ଏଜେନ୍ସୀଙ୍କୁ ଏଇଥିପାଇଁ ଯୋଗାଇ ଦେଉଛନ୍ତି କି ସଂପୃକ୍ତ ସଂସ୍ଥାଙ୍କ ନିକଟରେ ଇନଷ୍ଟାଂଟ୍ ମେସେଜିଂ ଓ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରସାରିତ ହେଉଥିବା ସନ୍ଦିଗ୍ଧ ବାର୍ତ୍ତାକୁ ମନିଟରିଂ କରିବା ସକାଶେ ସେମାନଙ୍କ ନିକଟରେ କୌଣସି ଆଇନସିଦ୍ଧ ବ୍ୟବସ୍ଥା ନାହିଁ । ‘ଆମେ କେବଳ ଉନ୍ନତ ମାନର ସଫ୍ଟୱେର୍ ପ୍ରସ୍ତୁତ କରୁଛୁ ଓ ଯୋଗାଇ ଦେଉଛୁ । ଆମେ ତାହାର ପରିଚାଳନା କରୁ ନାହୁଁ ବା ତାହା ଦ୍ୱାରା ସଂଗୃହୀତ ତଥ୍ୟ ଆମ ପାଖକୁ ଆସୁ ନାହିଁ’ ବୋଲି ସଂସ୍ଥାର ଜଣେ ମୁଖପାତ୍ର କହିଛନ୍ତି ।
ଭାରତରେ ଏହି ସଫ୍ଟୱେର୍ ର ଦୁରୁପଯୋଗ ହେଉଥିବା ନେଇ ସଂସ୍ଥା ୨୦୧୯ରେ ପ୍ରଥମେ ଅଭିଯୋଗ ପାଇବା ପରେ ୨୦୧୯ ଅକ୍ଟୋବରରେ ଭାରତର ଏକ ଖବର ସରବରାହ ସଂସ୍ଥାକୁ ଲିଖିତ ଭାବେ ଏହି ସୂଚନା ଦେଇଥିଲା । ସଂସ୍ଥା ପକ୍ଷରୁ କୁହାଯାଇଥିଲା କି, ଗୁରୁତର ଅପରାଧ ଏବଂ ଆତଙ୍କବାଦକୁ ରୋକିବା ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ଏହି ସ୍ପାଏୱେର୍ ବ୍ୟବହାର ଚୁକ୍ତିନାମା ବିରୋଧୀ ଏବଂ ଦୁରୁପଯୋଗ ହେଉଥିବା ଜାଣିଲେ କଂପାନୀ ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଥାଏ । ବଂଚିବାର ଅଧିକାର, ସୁରକ୍ଷା ଏବଂ ବ୍ୟକ୍ତି ସୁରକ୍ଷା ଭଳି ମାନବାଧିକାରର ସୁରକ୍ଷା ‘ପେଗାସସ୍’ ଭଳି ସ୍ପାଏୱେର୍ ପ୍ରସ୍ତୁତିର ମୂଳ ଉଦେ୍ଦଶ୍ୟ । କଂପାନୀ ବ୍ୟବସାୟ ଓ ମାନବାଧିକାର ସୁରକ୍ଷା ପାଇଁ ଜାତିସଂଘ ଦ୍ୱାରା ପ୍ରଣୀତ ନୀତି ନିୟମକୁ ସମ୍ମାନ ଦେଇ କାର୍ଯ୍ୟ କରୁଛି । ସଂସ୍ଥା ତାହାର ସଫ୍ଟୱେର୍ ଭାରତକୁ ବିକିଛି କି ନାହିଁ ସ୍ପଷ୍ଟ କରି ନଥିବା ବେଳେ ବିଶ୍ୱରେ ଆତଂକରାଜ ଓ ଗୁରୁତର ଅପରାଧକୁ ରୋକିବା ପାଇଁ ତାହାର ଉତ୍ପାଦ ଲାଇସେନ୍ସ ସରକାରୀ ଗୁଇନ୍ଦା ସଂସ୍ଥା ଓ ସୁରକ୍ଷା ଏଜେନ୍ସୀଙ୍କୁ ଯୋଗାଉଛି ବୋଲି କହିଛି ।
ବ୍ୟବହାରକାରୀଙ୍କ ଜନ ସୁରକ୍ଷା ମିଶନ ସହ କଂପାନୀ ଅଂଗୀକାରବଦ୍ଧ ଥିବା ଦର୍ଶାଇ କେଉଁମାନେ ତାହାର କ୍ଲାଏଂଟ୍, କେଉଁମାନେ ନୁହନ୍ତି ଏବଂ କି ଉଦେ୍ଦଶ୍ୟରେ କଂପାନୀର ଟେକ୍ନୋଲୋଜି ବ୍ୟବହାର ହେଉଛି – ତାହା ଖୁଲାସା କରିବାକୁ ପ୍ରସ୍ତୁତ ନଥିବା କହିଥିବା ବେଳେ ଭାରତରେ ‘ପେଗାସସ୍’ ମାଧ୍ୟମରେ ସାଧାରଣ ନାଗରିକଙ୍କ ଗୋପନୀୟତାର ଗୁଇନ୍ଦଗିରି ଚାଲି ଥିବା ନେଇ ସଦ୍ୟ ଅଭିଯୋଗ ପରେ ଇସ୍ରାଏଲ୍ ସରକାରଙ୍କ ପ୍ରତିରକ୍ଷା ବିଭାଗ ଏନଏସଓର ଲାଇସେନ୍ସ ପ୍ରଦାନ ନୀତିର ସମୀକ୍ଷା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ସବୁ ଦିଗରୁ ସମୀକ୍ଷା କରାଯିବା ପରେ ତଦନ୍ତ ଫଳାଫଳ ଜଣାଇ ଦିଆଯିବ ବୋଲି ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ‘ମୋସାଦ’ର ଜଣେ ଅଧିକାରୀ କହିଛନ୍ତି । ଏନଏସଓ ମୁଖ୍ୟ କାର୍ଯ୍ୟନିର୍ବାହୀ ସାଲେଭ ହୁଲିଓ ଇସ୍ରାଏଲ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ମଧ୍ୟ ଇସ୍ରାଏଲର ସାଇବର୍ ଶିଳ୍ପକୁ ନିନ୍ଦିତ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS