୨୦୨୧ ଟୋକିଓ ଅଲଂପିକ୍ସ୍: ବ୍ୟାଡ଼ମିଂଟନ ତାରକା ପିଭି ସିନ୍ଧୁ ସେମି-ଫାଇନାଲରେ
ନୂଆଦିଲ୍ଲୀ
ଜୁଲାଇ ୩୦
ଜାପାନ ରାଜଧାନୀ ଟୋକିଓରେ ଚାଲିଥିବା ୨୦୨୧ଅଲଂପିକ୍ ଗେମ୍ସ୍ ପଡିଆରୁ ଆଜି ଭାରତ ପାଇଁ ଅନେକ ସୁଖଦ ଖବର ଆସିଛି । ହାଇଦ୍ରାବାଦୀ ଲଳନା ତଥା ବ୍ୟାଡ଼ମିଂଟନ ଚାଂପଅନ୍ ପି.ଭି.ସିନ୍ଧୁ ମହିଳା ସିଂଗିଲ୍ସରେ ୨୧-୧୩, ୨୨-୨୦ରେ ସେଟ୍ ରେ ଜାପାନର ତାରକା ଖେଳାଳୀ ଆକୋନେ ୟାମାଗୁଚ୍ଛିଙ୍କୁ ପରାଜିତ କରି ସେମି-ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ସେ ଫାଇନାଲରେ ପ୍ରବେଶ ପାଇଁ ଚୀନ ତାଇପେଇର ତାଇ ଝୁ-ୟିଙ୍ଗ୍ ଙ୍କୁ ସାମ୍ନା କରିବେ । ସେହିଭଳି, ବକ୍ସିଂ ୬୯ କେଜି ମହିଳା ବର୍ଗରେ ଭାରତର ଦେବୁତାଂତ ଲଭଲିନା ବୋର୍ଗୋହିଁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ବିଶ୍ୱ ଚାଂପିଅନ୍ ଚାଇନା ତାଇପେଇର ନେନ୍-ଚିନ ଚେନ୍ ଙ୍କୁ ପରାଜିତ କରି ସେମି-ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ୨୩ ବର୍ଷିୟା ଆସାମୀ ବକ୍ସର୍ ବୋର୍ଗୋହିଁଁ ବର୍ତ୍ତମାନ ବିଶ୍ୱ ଚାଂପିଅନ୍ ଥିବା ତୁର୍କୀର ବୁସେଂଜ୍ ସୁରମେନେଲିଙ୍କୁ ସାମ୍ନା କରିବେ । ଭାରତୀୟ ପୁରୁଷ ହକି ଦଳ ମଧ୍ୟ ଆଜି ଗୃପ୍-ଏ ପୁଲ୍ ରେ ଜାପାନକୁ ୫-୩ରେ ପରାଜିତ କରି କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି । ଅଷ୍ଟ୍ରେଲିଆ ଏହି ପୁଲରେ ୫ଟିରୁ ୪ଟି ମ୍ୟାଚରେ ଜିତି ଅଗ୍ରଣୀ ଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ, ଆଜିର ଦୁଃଖଦ ଖବର ହେଉଛି, ଭାରତୀୟ ମହିଳା ଆର୍ଚର୍ ଦୀପିକା କୁମାରୀ କ୍ୱାଟର ଫାଇନାଲ୍ ପ୍ରତିଯୋଗୀତାରେ କୋରିଆର ଆନ୍ ସାନଙ୍କ ନିକଟରୁ ପରାଜିତ ହୋଇଛନ୍ତି । ଟୋକିଓ ଅଲଂପିକ୍ସର ସପ୍ତମ ଦିବସରେ ଗତକାଲି ମହିଳା ବକ୍ସିଂ (୪୧ କେଜି ବର୍ଗ) ପ୍ରି-କ୍ୱାଟର ଫାଇନାଲରେ ଭାରତୀୟ ମହିଳା ବକ୍ସର୍ ମେରୀ-କୋମ୍ କଲଂବିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ନିକଟରୁ ପରାଜିତ ହେବାରେ ଦେଶରେ ଯେଉଁ ନୈରାଶ୍ୟ ଦେଖା ଦେଇଥିଲା ତାହା ଆଜିର ଫଳାଫଳରୁ କିଛିମାତ୍ରାରେ ଦୂର ହୋଇଥିବା ଦେଖିବାକୁ ମିଳୁଛି । ସିନ୍ଧୁ, ଲଭଲିନାଙ୍କ ସମେତ ଭାରତୀୟ ହକି ଦଳ ଅଲଂପିକ୍ ପଦକ ତାଲିକାକୁ ଉପର ମୁହାଁ କରିବେ ବୋଲି ସମସ୍ତଙ୍କ ଆଶା ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS