ମେରୀ-କୋମ୍ ଙ୍କ ଅଲିମ୍ପିକ୍ ଜୀବନ ଶେଷ … ତଥାପି ମନୋବଳ ଦୃଢ଼ ରହିଛି
ମେରୀ-କୋମ୍ ଙ୍କ ଅଲିମ୍ପିକ୍ ଜୀବନ ଶେଷ … ତଥାପି ମନୋବଳ ଦୃଢ଼ ରହିଛି
ପ୍ରସାଦ ରାଓ
ଜୁଲାଇ ୩୦
ଟୋକିଓରେ ଚାଲିଥିବା ଅଲମ୍ପିକରେ ୫୧ କେଜି ଓଜନ ବର୍ଗ ମହିଳା ବକ୍ସିଂ ପ୍ରତିଯୋଗିତାରେ ଭାଗ ନେଇଥିବା ଛଅ ଥର ବିଶ୍ଵ ବିଜୟିନୀ ଭାରତୀୟ ମହିଳା ବକ୍ସର ମେରୀ-କୋମ୍ ଗୁରୁବାର ଅନୁଷ୍ଠିତ ପ୍ରି – କ୍ୱାର୍ଟର ଫାଇନାଲରେ ୨୦୧୬ ରିଓ ଅଲମ୍ପିକ୍ସରେ କାଂସ ପଦକ ବିଜୟିନୀ କଲମ୍ବିଆର ଇନଗ୍ରୀଟ ଭାଲେନ୍ସିଆଙ୍କ ଠାରୁ ପରାଜିତ ହେବା ପରେ ତାଙ୍କ ଅଲିମ୍ପିକ୍ ଜୀବନରେ ପୂର୍ଣ୍ଣଛେଦ ପଡ଼ିଛି । ଏହି ୩୮ ବର୍ଷିଆ କିମ୍ବଦନ୍ତୀ ମଣିପୁରୀ ମହିଳା ବକ୍ସର କାଲି ୧୬ ରାଉଣ୍ଡ ବକ୍ସିଂ ଖେଳି କଲମ୍ବିଆର ଭାଲେନ୍ସିଆଙ୍କ ଠାରୁ ୨-୩ ମ୍ୟାଚରେ ପରାଜିତ ହୋଇଥିଲେ । ଏହି ପରାଜୟ ପାଇଁ ସେ ବିଚାରକ ମଣ୍ଡଳୀର ପକ୍ଷପାତିତାକୁ ଦାୟୀ କରିଛନ୍ତି । ଶେଷ ପର୍ଯ୍ୟନ୍ତ ସେ ବିଜୟୀ ତାଲିକାରେ ତାଙ୍କ ନାମ ଘୋଷଣା ହେବା ଅପେକ୍ଷାରେ ଥିଲେ । କିନ୍ତୁ, ତାଙ୍କ ନାମ ଘୋଷଣା ନ ହେବାରୁ ମେରୀ-କୋମ୍ ପରାଜୟ ସ୍ବୀକାର କରି ବିଜେତା ଭାଲେନ୍ସିଆଙ୍କୁ କୁଣ୍ଢେଇ ଧରି ବଧେଇ ଜଣାଇ ଥିଲେ । ଆନ୍ତର୍ଜାତିକ ମୁଷ୍ଠିଯୁଦ୍ଧ ସଂଘକୁ ଆନ୍ତର୍ଜାତିକ ଅଲିମ୍ପିକ ସଂଘ ନିଲମ୍ବିତ କରିବା ପରେ ବକ୍ସିଂ ଟାସ୍କ ଫୋର୍ସ ଖେଳ ପରିଚାଳନା କରୁଛି । ମେରୀ କୋମ୍ ନିଜେ ଟାସ୍କ ଫୋର୍ସ ସଦସ୍ୟା ଥାଇ ମଧ୍ୟ ତାଙ୍କ ପ୍ରତି ବିଚାରକମାନେ ପକ୍ଷପାତ କରିଥିବା ଅଭିଯୋଗ କରିଛନ୍ତି । ଆନ୍ତର୍ଜାତିକ ବକ୍ସିଂ ଆସୋସିଏସନ୍ ୪୦ ବର୍ଷରୁ ଅଧିକ ବୟସର ବକ୍ସରଙ୍କୁ ଅଲମ୍ପିକ୍ସରେ ଭାଗ ନେବାକୁ ସୁଯୋଗ ଦେଉ ନ ଥିବାରୁ ମେରୀ-କୋମ୍ ଙ୍କ ପାଇଁ ଥିଲା ଏହା ଶେଷ ସୁଯୋଗ । ମେରୀ-କୋମ୍ ବିପକ୍ଷରେ କଲମ୍ବିଆ ବକ୍ସର ଭଲେନ୍ସିଆଙ୍କ ଏହା ପ୍ରଥମ ବିଜୟ । ଟୋକିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜୟିନୀ ହେବା ଆଶା ରଖିଥିଲେ ମେରୀ…
# ମେରୀ-କୋମ୍ ଙ୍କ ସଫଳତା…
ଭରତୀୟ ମହିଳା ବକ୍ସର ମେରୀ-କୋମ୍ ଙ୍କ ସଫଳତା ମଧ୍ୟରେ ରହିଛି ବିଶ୍ବ ଚାମ୍ପିଅନସିପର ୮ ଟି ପଦକ । ସେ ୬ଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାନ୍ସ ପଦକ ଜିତିଛନ୍ତି ।
# ୨୦୧୨ ଲଣ୍ଡନ ଅଲମ୍ପିକ୍ସରେ ମେରୀ ଗୋଟିଏ କାନ୍ସ ପଦକ ବିଜେତା ହୋଇଥିଲେ ।
# ଏସୀୟ କ୍ରୀଡ଼ାରେ ଦୁଇଟି ପଦକ ଜିତିଛନ୍ତି । ୨୦୧୦ରେ ସେ ଗୁଆଙ୍ଗଝୁରେ ଗୋଟିଏ କାନ୍ସ ପଦକ ଓ ୨୦୧୪ରେ ଇଞ୍ଚିଅନ୍ ରେ ଗୋଟିଏ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲେ ।
# ଗୋଲ୍ଡ କୋଷ୍ଟ ରେ ଅନୁଷ୍ଠିତ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମେରୀ-କୋମ୍ ଗୋଟିଏ ସ୍ୱର୍ଣ୍ଣ ପଦକ ବିଜୟିନୀ ହୋଇଥିଲେ ।
# ବିଭିନ୍ନ ଆନ୍ତର୍ଜାତିକ ବକ୍ସିଂ ପ୍ରତିଯୋଗିତାରେ ମେରୀ ମୋଟ ୧୯ ଟି ପଦକ ଜିତିଛନ୍ତି ।
# ମେରୀ-କୋମ୍ ଙ୍କୁ ମିଳିଥିବା ବିଭିନ୍ନ ସମ୍ମାନ ମଧ୍ୟରେ ୨୦୦୩ରେ ମିଳି ଥିବା ଅର୍ଜୁନ ପୁରସ୍କାର, ୨୦୦୯ରେ ମିଳି ଥିବା ରାଜୀବ ଗାନ୍ଧୀ ଖେଲରତ୍ନ ପୁରସ୍କାର, ୨୦୧୩ରେ ମିଳି ଥିବା ପଦ୍ମ ଭୂଷଣ ଓ ୨୦୨୦ରେ ମିଳି ଥିବା ପଦ୍ମ ବିଭୂଷଣ ସମ୍ମାନ ଅନ୍ୟତମ ।
# ୨୦୧୬ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମେରୀ-କୋମ୍ ଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ ।
# ଟୋକିଓ ଅଲମ୍ପିକ୍ସରେ ୫୧ କେଜି ମହିଳା ବର୍ଗ ବକ୍ସିଂ ପ୍ରତିଯୋଗିତାର ପ୍ରି-କ୍ୱାର୍ଟର ଫାଇନାଲରେ ମେରୀ-କୋମ୍ ପରାଜିତ ହୋଇ ଅଲମ୍ପିକ୍ସରୁ ବିଦାୟ ନେଇଥିଲେ ମଧ୍ୟ ବକ୍ସିଂ ଛାଡ଼ିବେ ନାହିଁ, ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ସମସ୍ତ ପ୍ରତିଯୋଗୀତାରେ ଭାଗ ନେବେ ବୋଲି ଗୁରୁବାର ଦିନ ଘୋଷଣା କରିଛନ୍ତି ।
ମୁଖ୍ୟ ସମ୍ପାଦକ
Moanubhav.com
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS