ଅଗଷ୍ଟ୍ ଗାଇଡ଼ଲାଇନ୍ ଆସିଲା, ତିନିଟି ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ଜିଲ୍ଲରେ କଟକଣା କୋହଳ
ଭୁବନେଶ୍ୱର
ଜୁଲାଇ ୩୧
ରାଜ୍ୟରେ ଗତ ମେ’ ୫ ତାରିଖରୁ ଜାରି ଥିବା କୋଭିଡ଼ କଟକଣା ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ୩୦ଟି ଜିଲ୍ଲାରୁ ୨୭ଟି ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ସ୍ଥିତିରେ ଥିବା ବେଳେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସଂକ୍ରମଣ ଟିକିଏ ଅଧିକ ରହିଛି । ତେବେ, ତାହା ଉଦ୍ବେଗଜନକ ନୁହେଁ । ତେଣୁ, ରାଜ୍ୟ ସରକାର ଆଜି ଅଗଷ୍ଟ ମାସ ପାଇଁ ଜାରି କରିଥିବା କୋଭିଡ଼ ଗାଇଡ଼ଲାଇନ୍ ରେ ସଂକ୍ରମଣ ନଗଣ୍ୟ ଥିବା ୨୭ଟି ଜିଲ୍ଲାରେ କଟକଣାକୁ ବହୁମାତ୍ରାରେ କୋହଳ କରିଥିବା ବେଳେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ପାଇଁ ସାମାନ୍ୟ କଠୋର ରହିଛନ୍ତି । ସମଗ୍ର ରାଜ୍ୟରେ ଅଗଷ୍ଟ ପହିଲାରୁ ରାତି ୮ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରୀ କଫ୍ୟୁ ଜାରି ରହିବ । ସରକାର କୋଭିଡ଼ ସଂକ୍ରମଣ ନଗଣ୍ୟ ସ୍ଥିତିରେ ଥିବା ୨୭ ଜିଲ୍ଲାରେ ସପ୍ତାହାନ୍ତ ‘ସଟ୍ ଡ଼ାଉନ୍’ ହଟାଇ ନେଇଥିବା ବେଳେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସେପ୍ଟେମ୍ବର ୧ ତାରିଖ ସକାଳ ପର୍ଯ୍ୟନ୍ତ ଶନିବାର ଓ ରବିବାର ସଂପୂର୍ଣ୍ଣ ‘ସଟ୍ ଡାଉନ୍’ ବଳବତ୍ତର ରଖିଛନ୍ତି । ରାଜ୍ୟରେ ଦେଢ କୋଟି ଲୋକଙ୍କୁ ଟିକାକରଣ ସରିଛି । ଜୀବନ ଓ ଜୀବୀକା ମଧ୍ୟରେ ସମଦ୍ୱୟ ପାଇଁ ଧୀରେ ଧୀରେ ଅନଲକିଂ ପ୍ରୋସେସ୍ ଚାଲିଛି ବୋଲି ଆଜି ଅଗଷ୍ଟ ମାସର ଗାଇଡ଼ଲାଇନ୍ ଜାରି କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ୍ତ ଜେନା ସୂଚନା ଦେଇଛନ୍ତି ।
ଅଗଷ୍ଟ ମାସ ପାଇଁ ଘୋଷଣା ହୋଇଥିବା ସରକାରୀ ଗାଇଡ଼ଲାଇନ୍ ରେ ବିବାହ, ଶେଷକୃତ୍ୟ ନିମନ୍ତେ ଥିବା କଟକଣା ବଳବତ୍ତର ରହିଛି । ବିବାହ ଉତ୍ସବରେ ସର୍ବାଧିକ ୨୫ ଜଣ ଓ ଶେଷକୃତ୍ୟରେ ୨୦ ଜଣ ଯୋଗ ଦେବାର ଅନୁମତି ରହିଛି । ତେବେ, ବିବାହ ବା ଶୁଦ୍ଧକ୍ରୀୟା ଭୋଜି ପାଇଁ ଅନୁମତି ନାହିଁ । କର୍ତ୍ତା ଚାହିଁଲେ ନିମନ୍ତ୍ରିତ ବ୍ୟକ୍ତିଙ୍କୁ ଖାଦ୍ୟ ପୁଡିଆ ଦେଇ ଆପ୍ୟାୟତ କରିପାରିବ । ଅଗଷ୍ଟ ମାସରେ ମଧ୍ୟ ସମସ୍ତ ଧାର୍ମିକ, ସାମାଜିକ ଓ ରାଜନୈତିକ ସମାବେଶ, ପ୍ରଦର୍ଶନୀ, ବାଣିଜି୍ୟକ ମେଳା ଓ ମହୋତ୍ସବକୁ ଅନୁମତି ମିଳି ନାହିଁ । କିନ୍ତୁ, ଦୁଇ ମାସ ପରେ ସିନେମା ହଲ୍ ଓ ମଲ୍ ଖୋଲିବା ନିଷ୍ପତ୍ତି ହୋଇଛି । ତେବେ, ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଓ ଥିଏଟର ଚାଲି ପାରିବ । ରାଜ୍ୟର ସମସ୍ତ ମଲ୍ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ସୀମିତ ସଂଖ୍ୟକ ଗ୍ରାହକଙ୍କ ପ୍ରବେଶ ଅନୁମତି ଦେଇଛନ୍ତି । ସିନେମା ହଲ୍ ଓ ମଲ୍ କୁ ଯିବାକୁ ହେଲେ ପା୍ରପ୍ତବୟସ୍କଙ୍କୁ ଦୁଇଟି ଡ଼ୋଜ୍ ଟିକା ନେଇ ଥିବା ପ୍ରମାଣପତ୍ର ସାଂଗରେ ନେଇ ଯିବାକୁ ପଡିବ । ସିନେମା ହଲ୍, ଥିଏଟର୍ ଓ ମଲ୍ ପାଇଁ ଜାରି ନିର୍ଦେଶାବଳୀ କାର୍ଯ୍ୟକାରୀ କରିବା ଦାୟିତ୍ୱ ସଂପୃକ୍ତ ମାଲିକମାନଙ୍କର ବୋଲି ଏସଆରସି କହିଛନ୍ତି ।
ସରକାର ଅଗଷ୍ଟ ମାସ କୋଭିଡ଼ ନିର୍ଦେଶାବଳୀରେ ରେଷ୍ଟୁରାଂଟ ଓ ବାର୍ ଖୋଲିବା ଅନୁମତି ଦେଇଥିଲେ ମଧ୍ୟ ମୋଟ କ୍ଷମତାର ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ସେବା ଦେଇ ପାରିବେ । ଗ୍ରାହକମାନେ କୋଭିଡ଼ ନିୟମାବଳୀକୁ ମାନି ହୋଟେଲ, ରେଷ୍ଟୁରାଂଟରେ ବସି ଖାଇ ପାରିବେ । ରାସ୍ତା କଡ଼ର ଖାଦ୍ୟ ଷ୍ଟଲ୍ ଏବଂ ଜଳଖିଆ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଗ୍ରାହକମାନେ ସାମାଜିକ ଦୂରତା ରକ୍ଷା କରି ସେଠାରେ ଠିଆ ହୋଇ ଖାଇ ପାରିବେ । ତେବେ, ସମସ୍ତ ବ୍ୟବସାୟ, ବାଣିଜ୍ୟ ରାତି ୮ଟା ପର୍ଯ୍ୟନ୍ତ ହିଁ ଖୋଲା ରହିବ ବୋଲି ସରକାର କହିଛନ୍ତି । ରାଜ୍ୟ ସରକାର ପର୍ଯ୍ୟଟକଙ୍କ ପାଇଁ ସମୁଦ୍ର ବେଳାଭୂମି, ପାର୍କ, ୱାଟର ପାର୍କ, ନନ୍ଦନ କାନନ ଚିଡ଼ିଆଖାନା ପ୍ରଭୃତି ଖୋଲି ଦେଇଛନ୍ତି । ତେବେ, ପର୍ଯ୍ୟଟକମାନେ କୋଭିଡ଼ କଟକଣା ମାନି ସେସବୁ ସ୍ଥାନକୁ ଯାଇ ପାରିବେ ବୋଲି କହିଛନ୍ତି । ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ଖୋଲିବା ନିଷ୍ପତ୍ତି ସଂପୃକ୍ତ ପ୍ରଶାସନ ଓ ରାଜ୍ୟରେ ଥିବା ଧାର୍ମିକ ପୀଠ ଖୋଲିବା ନିଷ୍ପତ୍ତି ସଂପୃକ୍ତ ଜିଲ୍ଲାପାଳମାନେ ନେବେ ବୋଲି ନୂଆ ଗାଇଡ଼ଲାଇନ୍ ରେ କୁହାଯାଇଛି । ରାଜ୍ୟ ଭିତରେ ବସ୍ ଚଳାଚଳ ଚାଲୁ ରହିବ । ତେବେ, ସିଟିଂ କ୍ୟାପାସିଟିକୁ ନେଇ ବସ୍ ଚଳାଚଳ ହୋଇ ପାରିବ ବୋଲି ଏହି ଗାଇଡ଼ଲାଇନ୍ ରେ କୁହାଯାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS