ସୁପ୍ରିମ କୋର୍ଟରେ ଶୁଣାଣୀ ହେବ ‘ପେଗାସସ୍’ ମାମଲା !
ନୂଆଦିଲ୍ଲୀ
ଜୁଲାଇ ୩୧
ଇସ୍ରାଏଲୀ ସଂସ୍ଥା ‘ଏନଏସଓ’ ଦ୍ୱାରା ପ୍ରସ୍ତୁତ ମିଲିଟାରୀ ଗ୍ରେଡ୍ ସପ୍ଟୱେର୍ ‘ପେଗାସସ୍’ର ଦୁରୁପଯୋଗ କରି ଦେଶରେ ହୋଇଥିବା ଗୁଇନ୍ଦାଗିରି ସଂପର୍କିତ ଏକାଧିକ ଜନସ୍ୱାର୍ଥ ମାମଲାର ଶୁଣାଣୀ ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ରାଜି ହୋଇଛନ୍ତି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା ଓ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଶୁକ୍ରବାର ଦିନ ‘ପେଗାସସ୍’ ସଂପର୍କିତ ଏକ ଜନସ୍ୱାର୍ଥ ମାମଲା ବିଚାର ପାଇଁ ଗ୍ରହଣ କରି ଆସନ୍ତା ସପ୍ତାହରେ ଏହାକୁ ନେଇ ଆସିଥିବା ସମସ୍ତ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣୀ କରିବେ ବୋଲି କହିଛନ୍ତି ।
ପେଗାସସ୍ ସଫ୍ଟୱେର୍ ବ୍ୟବହାର ମାଧ୍ୟମରେ ୩୦୦ ରାଜନେତା, ସାମ୍ବାଦିକ, ଓକିଲ, ସାମାଜିକ କାର୍ଯ୍ୟକର୍ତ୍ତା ଓ ସାମ୍ବିଧାନିକ ସଂସ୍ଥାଙ୍କ ଅନୈତିକ ଭାବେ ଗୁଇନ୍ଦାଗିରି ହୋଇଥିବାରୁ ତାହାର ତଦନ୍ତ ଦାବି କରି ଦେଶର ପ୍ରାୟ ସମସ୍ତ ବିରୋଧୀ ରାଜନୈତିକ ଦଳ ଏକାଠି ହୋଇଛନ୍ତି ଏବଂ ଗତ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନକୁ ଅଚଳ କରିଛନ୍ତି । ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ପେଗାସସ୍’ ଗୁଇନ୍ଦାଗିରିର ତଦନ୍ତ କରାଯିବାକୁ ବା ଏକ କମିସନ୍ ବସାଯିବାକୁ ସେମାନେ ଦାବି କରୁଥିବା ବେଳେ ବରିଷ୍ଠ ସାମ୍ବାଦିକ ଏନ.ରାମ୍ ଓ ଶଶି କୁମାର ମଧ୍ୟ ମିଳିତ ଭାବେ ଏକ ଜନସ୍ୱାର୍ଥ ମାମଲା ଦାଏର ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗୁଇନ୍ଦାଗିରିର ତଦନ୍ତ କରାଯିବାକୁ ଆବେଦନ କରିଛନ୍ତି । ଅଦାଲତରେ ଜନସ୍ୱାର୍ଥ ମାମଲା ଦାଏର କରିବାରେ ସିଦ୍ଧହସ୍ତ ଆଇନଜୀବୀ ଏମ.ଏଲ.ଶର୍ମାଙ୍କ ପକ୍ଷରୁ ମଧ୍ୟ ‘ପେଗାସସ୍’ ଗୁଇନ୍ଦାଗିରିକୁ ନେଇ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି ।
ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ନେତୃତ୍ୱରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଗତକାଲି ବରିଷ୍ଠ ସାମ୍ବାଦିକ ଏନ.ରାମ ଓ ଶଶି କୁମାରଙ୍କ ପକ୍ଷ ଶୁଣି ଥିଲେ । ରାମ୍ ଓ ଶଶି କୁମାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ପକ୍ଷ ରଖି ଦେଶରେ ‘ପେଗାସସ୍’ ସଫ୍ଟୱେର୍ ଦୁରୁପଯୋଗ କରାଯାଇ ହୋଇଥିବା ଗୁଇନ୍ଦାଗିରିର କୁପ୍ରଭାବ ଏବଂ ତାହା ଦ୍ୱାରା ସାଧାରଣ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଉପରେ ହୋଇଥିବା କୁଠାରାଘାତ ସଂପର୍କରେ ଅଦାଲତଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରି ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାର ତଦନ୍ତ କରାଯିବାକୁ ନିବେଦନ କରିଥିଲେ । ଆଡ଼ଭୋକେଟ୍ ଏମ.ଏଲ.ଶର୍ମାଙ୍କ ପକ୍ଷରୁ ମଧ୍ୟ ଏକାଭଳି ଆଉ ଏକ ପିଆଇଏଲ୍ ଦାଏର ହୋଇଛି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ସିବ୍ବଲଙ୍କ ଯୁକ୍ତି ଶୁଣିବା ପରେ ‘ପେଗାସସ୍’କୁ ନେଇ ସୁପ୍ରିମ କୋର୍ଟରେ ବହୁ ସଂଖ୍ୟାରେ ଜନସ୍ୱାର୍ଥ ମାମଲା ଦାଏର ହୋଇଥିବାରୁ ଆସନ୍ତା ସପ୍ତାହରେ ଏହାର ଶୁଣାଣୀ କରିବାକୁ ରାଜି ହୋଇଥିବା ଜଣାପଡିଛି ।
କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏହି ମିଲିଟାରୀ ଗ୍ରେଡ୍ ଇସ୍ରାଏଲୀ ସଫ୍ଟୱେର୍ ବ୍ୟବହାର ମାଧ୍ୟମରେ ଦେଶରେ ବିରୋଧୀ ଓ ଭିନ୍ନମତବାଦୀଙ୍କ ଗୁଇନ୍ଦାଗିରି କରି ଥିବା ବିରୋଧୀ ଅଭିଯୋଗ କରିବା ସହ କମିସନ୍ ଅଫ୍ ଇନକ୍ୱାରୀ ଆଇନରେ ଏକ କମିସନ୍ ଗଠନ କରି ବା ସୁପ୍ରମି କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାହାର ତଦନ୍ତ କରାଇବାକୁ ଦାବି କରୁଥିଲେ । ଅପରପକ୍ଷରେ, ସରକାରଙ୍କ ଉତ୍ତର ଥିଲା, ସରକାର ‘ପେଗାସସ୍’ ସଫ୍ଟୱେର୍ କିଣା ନାହାନ୍ତି ବା ବିରୋଧୀଙ୍କ ବିରୋଧରେ ଗୋଇନ୍ଦାଗିରିରେ ବ୍ୟବହାର କରିନାହାନ୍ତି । ଦେଶରେ ଚାଲି ଥିବା ବିକାଶର ଧାରାକୁ ରୋକିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ବିଶ୍ୱରେ ନିନ୍ଦିତ କରିବା ପାଇଁ ଏହା ହେଉଛି ବିରୋଧୀଙ୍କ ଦ୍ୱାରା ପ୍ରୟୋଜିତ ଏକ ଷଡଯନ୍ତ୍ର । କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ର୍ମରେ ସଂସଦର ଉଭୟ ଗୃହରେ ସଫେଇ ଦେବା ପରେ ମଧ୍ୟ ପରିସ୍ଥିତି ସୁଧୁରି ନାହିଁ ।
‘ପେଗାସସ୍’ ସ୍ପାଏୱେରର ଦୁରୁପଯୋଗ ଏବଂ ଗୁଇନ୍ଦାଗିରି ନେଇ ବିରୋଧୀ ନିଜ ଦାବିରେ ଅଟଳ ଥିବା ବେଳେ କେନ୍ଦ୍ର ସରକାର ତାହାର ତଦନ୍ତ ପାଇଁ ଆଗ୍ରହ ଦେଖାଉ ନଥିବାରୁ ଜୁଲାଇ ୧୯ ତାରିଖରୁ ସଂସଦ ଅଧିବେଶନ ଅଚଳ ଥିବା ବେଳେ ସମଗ୍ର ଦେଶରେ ମଧ୍ୟ ଏହାକୁ ନେଇ ଏକ ସନ୍ଦେହର ବାତାବରଣ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହାକୁ ହୋଇଥିବା ସମସ୍ତ ଜନସ୍ୱାର୍ଥ ମାମଲାର ଶୁଣାଣୀ କରିବାକୁ ରାଜି ହୋଇ ଥିବାରୁ ବିରୋଧୀ ଦଳମାନେ ଆଶ୍ୱସ୍ତ ହୋଇଛନ୍ତି । ଜଣାପଡିଛି । ‘ପେଗାସସ୍’କୁ ନେଇ ଆଉ ଏକ ରୋଚକ ଖବର ଆସିଛି । ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶରେ ଏହି ଇସ୍ରାଏଲୀ ସର୍ଭେଲାନ୍ସ ସଫ୍ଟୱେରର ଦୁରୁପଯୋଗ ହୋଇଥିବା ଏବଂ କେବଳ ସାଧାରଣ ବ୍ୟକ୍ତିବିଶେଷ ନୁହନ୍ତି, ରାଜନେତା, ସାମ୍ବାଦିକ ଓ ରାଷ୍ଟ୍ରମୁଖ୍ୟଙ୍କ ମୋବାଇଲ୍ ଫୋନ ହ୍ୟାକ୍ ହୋଇ ସେମାନଙ୍କ ନମ୍ବରକୁ ସର୍ଭେଲାନ୍ସରେ ରଖା ଯାଇଥିବା ଅଭିଯୋଗ ଉପରେ ଇସ୍ରାଏଲ୍ ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ।
ଇସ୍ରାଏଲ ସରକାରଙ୍କ ବିଭିନ୍ନ ତଦନ୍ତକାରୀ ସଂସ୍ଥାମାନେ ବୁଧବାର ଦିନ ପେଗାସସ୍ ସଫ୍ଟୱେର ପ୍ରସ୍ତୁତ କାରୀ ‘ଏନଏସଓ ଗୃପ୍’ର ବିଭିନ୍ନ କାର୍ଯ୍ୟାଳୟରେ ଚଢାଉ କରିଥିବା ଜଣାପଡିଛି । ଫଳରେ, ଏସଏସଓ ଗୃପ୍ ମଧ୍ୟ ‘ପେଗାସସ୍’ ସଫ୍ଟୱେରର ସମ୍ଭାବ୍ୟ ଦୁରୁପଯୋଗ ହେଉଥିବା ସମ୍ଭାବନାକୁ ନଜରରେ ରଖି ବିଶ୍ୱର ବିଭିନ୍ନ ରାଷ୍ଟ୍ରର ସରକାରୀ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯାଇଥିବା ‘ପେଗାସସ୍’ ସ୍ପାଏୱେରକୁ ସାମୟିକ ଭାବେ ବ୍ଲକ୍ କରି ଦେଇଥିବା ୱାସିଂଟନ ଭିତ୍ତିକ ଅଣ-ଲାଭକାରୀ ମିଡ଼ିଆ ଆଉଟଲେଟ୍ ଏନପିଆର୍ ଖବରରୁ ଜଣାପଡିଛି । ‘ପେଗାସସ୍’ ସଫ୍ଟୱେର୍ ମାଧ୍ୟମରେ ବିଶ୍ୱର ୫୦ ହଜାରରୁ ଅଧିକ ଏବଂ ଭାରତରେ ୩୦୦ ବ୍ୟକ୍ତବିଶେଷଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ ହୋଇଥିବା ଏବଂ ସେସବୁ ଫୋନ ମାଧ୍ୟମରେ ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ, ଆଳାପ, ଚାଟିଂ ଏବଂ ଇମେଲ୍ କୁ ସଭେଲାନ୍ସରେ ରଖାଯାଇ ଗୁଇନ୍ଦାଗିରି ହୋଇଥିବା ଭାରତୀୟ ୱେବ୍ ପୋର୍ଟାଲ ‘ଦି ୱାୟାର’ ଜୁଲାଇ ୧୮ ତାରିଖ ରାତିରେ ପ୍ରଥମେ ଖବର ପ୍ରସାରିତ ହୋଇଥିଲା ।
ସର୍ଭେଲାନ୍ସରେ ଥିବା ଫୋନ ନମ୍ବରଗୁଡିକର ତାଲିକା ଲିକ୍ ହୋଇଯିବା ପରେ ଆମନେଷ୍ଟି ଇଂଟରନ୍ୟାସନାଲ୍, ‘ଦି ଫରବିଡେନ୍ ଷ୍ଟେରିସ୍’ ଓ ‘ଦି ୱାୟାର’ ସମେତ ମୋଟ ୧୬ଟି ଆନ୍ତର୍ଜାତିକ ମିଡ଼ିଆ ସଂସ୍ଥା ସମ୍ମିଳିତ ଭାବେ ତାହାର ଅନୁସଂଧାନ କରିଥିଲେ । ଆମନେଷ୍ଟି ଇଂଟରନ୍ୟାସନାଲର୍ ପକ୍ଷରୁ ତାହାର ଫୋରେନ୍ସିକ ଲ୍ୟାବ୍ ରେ ସଂପୃକ୍ତ ମୋବାଇଲ ଫୋନ ମଧ୍ୟରୁ କିଛିର ଫେରେନ୍ସକ୍ ଟେଷ୍ଟ୍ ମଧ୍ୟ କରାଯାଇଥିଲା । ସେସବୁ ଫେନରେ ‘ପେଗାସସ୍ ସ୍ପାଏୱେର’ର ଉପସ୍ଥିତି ଥିବା ଜଣାପଡିଛି ବୋଲି ଆମନେଷ୍ଟି ଇଂଟରନ୍ୟାସନାଲ୍ ଦାବି କରିଛି । ପେଗାସସ୍ ସଫ୍ଟୱେର ମାଧ୍ୟମରେ ଯେଉଁ ସବୁ ଫୋନ ନମ୍ବରର ଗୁଇନ୍ଦାଗିରି ହୋଇଥିଲା ସେଥିରେ ଅନେକ ଫରାସୀ ନାଗରିକଙ୍କ ନମ୍ବର ମଧ୍ୟ ଥିଲା । ଫ୍ରାନ୍ସ ସରକାର ତାଲିକାଭୁକ୍ତ କିଛି ମୋବାଇଲ୍ ଫୋନର ଫେରୋନ୍ସିକ ପରୀକ୍ଷା କରାଇ ସେଥିରେ ପେଗାସସ୍ ସ୍ପାଏୱେରର ଉପସ୍ଥିତି ଥିବା ଜାଣିବାକୁ ପାଇଛନ୍ତି ବୋଲି ଏନପିଆର୍ ପକ୍ଷରୁ କୁହାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS