‘ପେଗାସସ୍’ ଗୁଇନ୍ଦାଗିରି: ‘ଅଭିଯୋଗରେ ଯଦି ସତ୍ୟତା ଥାଏ ତେବେ ସାଂଘାତିକ’ – ସୁପ୍ରିମ କୋର୍ଟ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୦୫
ଇସ୍ରାଏଲୀ ସ୍ପାଏୱେର ‘ପେଗାସିସ୍’କୁ ନେଇ ହାଂଗାମା ଜାରି ରହିଛି । ଏହି ସ୍ପାଏୱେର୍ ବା ମାଲୱେରର ମାଧ୍ୟମରେ ଦେଶର ବିରୋଧୀ ଦଳ ନେତା, ସାମ୍ବାଦିକ, ସାମାଜିକ କର୍ମୀ, କେନ୍ଦ୍ର ମନ୍ତ୍ରୀ, ଓକିଲ, ଅବସରପ୍ରାପ୍ତ ବିଚାରପତି, ବିଭିନ୍ନ ସାମ୍ବିଧାନିକ ଅନୁଷ୍ଠାନର ଅଧିକାରୀ ଏବଂ ଅନ୍ୟମାନଙ୍କ ଗୁଇନ୍ଦିଗିରି ହୋଇଥିବା ଅଭିଯୋଗ ନେଇ ବିରୋଧୀ ଦଳମାନେ ଗତ ୧୯ ତାରିଖରୁ ସଂସଦର ଉଭୟ ସଦନକୁ ଅଚଳ କରିଥିବା ବେଳେ ପ୍ରକାଶିତ ସମ୍ବାଦପତ୍ର ରିପୋର୍ଟଗୁଡିକରେ ଯଦି ସତ୍ୟତା ଥାଏ ତେବେ ତାହା ‘ସାଂଘାତିକ’ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ କହିଛନ୍ତି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଆଜି କଥିତ ଗୁଇନ୍ଦାଗିରିର ଏସଆଇଟି ତଦନ୍ତ ବା ସ୍ୱତନ୍ତ୍ର ତଦନ୍ତ ପାଇଁ ହୋଇଥିବା ଆବେଦନଗୁଡିକର ଶୁଣାଣୀ କରି ସବୁ ପିଟିସନକାରୀ ସେମାନଙ୍କ ଅଭିଯୋଗପତ୍ରର ନକଲ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ନିର୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣୀ ମଙ୍ଗଳବାରକୁ ଧାର୍ଯ୍ୟ କରିଛନ୍ତି ।
ସିଜେଆଇ ଜଷ୍ଟିସ ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ ସୂର୍ଯ୍ୟ କାନ୍ତ ଅନ୍ୟତମ ସଦସ୍ୟ ରହିଛନ୍ତି । ଖଣ୍ଡପୀଠ କହିଛନ୍ତି, ଆବେଦନ ଗୁଡିକ ଉପରେ ଶୁଣାଣୀ ସମୟରେ ଅଦାଲତରେ କେନ୍ଦ୍ର ସରକାରଙ୍କ ଉପସ୍ଥିତି ଆବଶ୍ୟକ । ତେଣୁ, ମଙ୍ଗଳବାର ପରବର୍ତ୍ତୀ ଶୁଣାଣୀ ହେବ । ଏଠାରେ ଉଲ୍ଲେଖନୀୟ ଯେ, ପେଗାସସ୍ ଗୁଇନ୍ଦାଗିରିକୁ ନେଇ ଦୁଇ ଦିନ ତଳେ ‘ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ’ ପକ୍ଷରୁ ସୁପ୍ରିମ କୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇ ଏହି ‘ସ୍ପାଏୱେର୍’ କଂଟ୍ରାକ୍ଟ୍ ଏବଂ କେଉଁମାନେ କଥିତ ଗୁଇନ୍ଦାଗିରିର ଟାର୍ଗେଟ୍ ଥିଲେ ତାହାର ବିସ୍ତୃତ ତାଲିକା କେନ୍ଦ୍ର ସରକାରଙ୍କୁ ମଗା ଯିବାକୁ ଅଦାଲତଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ସିପିଏମ୍ ଏମପି ଜନ୍ ବ୍ରିଟାସ୍ ଓ ଆଡ଼ଭୋକେଟ୍ ଏମ.ଏଲ. ଶର୍ମାଙ୍କ ପକ୍ଷରୁ ମଧ୍ୟ ସୁପ୍ରିମ କୋର୍ଟରେ ପେଗାସସ୍ ସ୍ପାଏୱେର ମାଧ୍ୟମରେ ଗୁଇନ୍ଦାଗିରିକୁ ନେଇ ଭିନ୍ନ ଭିନ୍ନ ପିଟିସନ୍ ଦାଖଲ ହୋଇଛି । ବରିଷ୍ଠ ସାମ୍ବାଦିକ ଏନ.ରାମ ଓ ଶଶି କୁମାରଙ୍କ ପକ୍ଷରୁ ମଧ୍ୟ ସୁପ୍ରିମ କୋର୍ଟରେ ଭିନ୍ନ ଏକ ପିଟିସନ୍ ଦାଖଲ କରାଯାଇ ପେଗାସିସ୍ ଗୁଇନ୍ଦାଗିରର ଏସଆଇଟି ତଦନ୍ତ ପାଇଁ ଆବେଦନ କରାଯାଇଛି ।
ଜଣେ ସିଟିଂ ବା ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏହି ତଦନ୍ତ କରାଯିବାକୁ ସାମ୍ବାଦିକ ଏନ.ରାମ ଓ ଶଶି କୁମାରଙ୍କ ଓକିଲ ବରିଷ୍ଠ ଆଇନଜୀବୀ କପିଲ ସିବ୍ବଲ ଆଜି ସୁପ୍ରିମ କୋର୍ଟଙ୍କୁ ିବେଦନ କରିଛନ୍ତି । କେନ୍ଦ୍ର ସରକାର କେମିତି ଏହି କଂଟ୍ରାକ୍ଟ କରିଛନ୍ତି ଏବଂ କାହାକୁ ଏଥି ପାଇଁ ଟଙ୍କା ଦିଆଯାଇଛି ତାହା ସରକାର ଜଣାଇବା ଆବଶ୍ୟକ ବୋଲି ଆଡ଼ଭୋକେଟ୍ ସିବ୍ବଲ ସୁପ୍ରମି କୋର୍ଟ ଖଣ୍ଡପୀଠଙ୍କୁ କହିଥିବା ବେଳେ ୨୦୧୯ରୁ ଏହି ଗୁଇନ୍ଦାଗିରି ବିଷୟ ଚର୍ଚ୍ଚାକୁ ଆସି ଥିବା ବେଳେ ଦୁଇ ବର୍ଷ ପରେ ଆପଣମାନେ ଅଦାଲତକୁ ଆସିଲେ କାହିଁକି (?) ବୋଲି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ପ୍ରଶ୍ନ କରିଥିଲେ । ପୋଟେନସିଆଲ୍ ସ୍ନୁପିଂ ବା ଗୁଇନ୍ଦାଗିରି ତାଲିକାରେ ସୁପ୍ରିମ କୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କ ପୁରୁଣା ଫୋନ ନମ୍ବର ଓ ସୁପ୍ରିମ କୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର ଦୁଇ ଅଧିକାରୀଙ୍କ ଫୋନ ତାଲିକାରେ ଥିବା ନେଇ ସଦ୍ୟ ପ୍ରକାଶିତ ଖବର ସଂପର୍କରେ ସିବ୍ବଲ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ‘କାହା କାହା ନମ୍ବର କଥିତ ଗୁଇନ୍ଦାଗିରି ତାଲିକାରେ ଥିଲା ଆମେ ଜାଣିନୁ, ସତ୍ୟ ସାମ୍ନାକୁ ଆସିବା ଦରକାର’ ସୁପ୍ରିମ କୋର୍ଟ ଖଣ୍ଡପୀଠ କହିଥିବା ସୂଚନା ମିଳିଛି । ଆତଙ୍କବାଦୀଙ୍କୁ ଦମନ ପାଇଁ ଫୋନ୍ ଟ୍ୟାପିଂ ଓ ଗୁଇନ୍ଦା ସ୍ପାଏୱେର୍ ବ୍ୟବହାର ହେବା ଜଣାଶୁଣା କଥା । କିନ୍ତୁ, ଏଠି ସରକାର ବିରୋଧୀ ମତ ପୋଷଣ କରୁଥିବା ସାଧାରଣ ନାଗରିକଙ୍କ ଗୁଇନ୍ଦାଗିରି ହୋଇଥିବା ‘ଅସାମ୍ବିଧାନିକ ଓ ଅପରାଧମୂଳକ’ ବୋଲି ସାମ୍ବାଦିକ ଏସଏନଏମ ଆବ୍ଦି ଓ ପ୍ରେମ ଶଙ୍କର ଝାଙ୍କ ଓକିଲ ଆଜି ସୁପ୍ରମି କୋର୍ଟ ଖଣ୍ଡପୀଠରେ ଯୁକ୍ତି ଉପସ୍ଥାପନ କରିଥିବା ଜଣାପଡିଛି ।
ଇତିମଧ୍ୟରେ, ପେଗାସସ୍ ଗୁଇନ୍ଦାଗିରିର ତଦନ୍ତ କରାଯିବାକୁ ଦେଶର ବିରୋଧୀ ଦଳମାନଙ୍କ ଦାବିକୁ କେନ୍ଦ୍ର ସରକାରୀ ଅଗ୍ରାହ୍ୟ କରୁଥିବା ଦେଖି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ଏହାର ତଦନ୍ତ କରାଇବା ସକାଶେ ଏକ ଦୁଇ ଜଣିଆ ବିଚାର ବିଭାଗୀୟ କମିସନ୍ ଗଠନ କଲେଣି । କୋଲକାତା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜ୍ୟୋତିର୍ମୟ ଭଟ୍ଟାଚାର୍ଯ୍ୟ ଓ ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ବିଚାରପତି ମଦନ ବି. ଲୋକୁରଙ୍କୁ ନେଇ ଗଠିତ କମିସନ୍ ପେଗାସସ୍ ଗୁଇନ୍ଦାଗିରିର ବାସ୍ତବତା ଓ କେଉଁମାନେ ଏଥିରେ ସଂପୃକ୍ତ, ତାହା ତଦନ୍ତ କରିବେ । ଏହି ଗୁଇନ୍ଦା ସ୍ପାଏୱେର୍ ପ୍ରସ୍ତୁତ କରୁଥିବା ଓ ବିଭିନ୍ନ ରାଷ୍ଟ୍ରଙ୍କୁ ତାହାର ଲାଇସେନ୍ସ ପ୍ରଦାନ କରୁଥିବା ଇସ୍ରାଏଲୀ ସଂସ୍ଥା ‘ଏନଏସଓ’ ସ୍ପଷ୍ଟ କରିଛି ଯେ ଆତଙ୍କବାଦର ବିଲୋପ ଏବଂ ସଂଗଠିତ ଅପରାଧକୁ ରୋକିବା ପାଇଁ ସଂସ୍ଥା ଏହି ମିଲିଟାରୀ ଗ୍ରେଡ୍ ସ୍ପାଏୱେର୍ ବା ମାଲୱେର୍ ପ୍ରସ୍ତୁତ କରିଛି ଏବଂ ବିଭିନ୍ନ ରାଷ୍ଟ୍ରର ସରକାରୀ ତଦନ୍ତକାରୀ ସଂସ୍ଥାକୁ ତାହା ବିକ୍ରି କରୁଛି ବା ଲାଇସେନ୍ସ ପ୍ରଦାନ କରୁଛି । ତେଣୁ, ଭାରତରେ କେଉଁ ସରକାରୀ ତଦନ୍ତକାରୀ ସଂସ୍ଥାକୁ ଏହି ସ୍ପାଏୱେର୍ ଉପଲବ୍ଧ କରାଯାଇଛି ଏବଂ ଏବାବଦରେ କେତେ ଖର୍ଚ୍ଚ ହୋଇଛି ତାହା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିବାକୁ ବିରୋଧୀଙ୍କ ପକ୍ଷରୁ ଦାବି ହେଉଛି ।
ଏହି ସ୍ପାଏୱେର୍ ମାଧ୍ୟମରେ ବିଶ୍ୱର ୫୦ ହଜାରରୁ ଅଧିକ ଏବଂ ଭାରତର ୩୦୦ ନାଗରିକଙ୍କ ଫୋନ ହ୍ୟାକିଂ ହୋଇ ସମ୍ଭାବ୍ୟ ଗୁଇନ୍ଦାଗିରି ବା ଗୁଇନ୍ଦାଗିରି ଉଦ୍ୟମ ହୋଇଥିବା ନେଇ ଜୁଲାଇ ୧୮ ତାରିଖ ରାତିରେ ପ୍ରଥମେ ‘ଦି ୱୟାର’ ନାମକ ଏକ ୱେବ୍ ପୋର୍ଟାଲରେ ଅନୁସଂଧାନମୂଳକ ରିପୋର୍ଟ ପ୍ରସାରିତ ହୋଇଥିଲା । ସ୍ପାଏୱେର୍ ବ୍ୟବହାର ହୋଇଥିବା ନେଇ ଏକ ପୋନ୍ ନମ୍ବର ତାଲିକା ଲିକ୍ ହେବା ପରେ ‘ଦି ୱାୟାର’ ସମେତ ବିଶ୍ୱର ୧୬ ଟି ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା, ଆମେନେଷ୍ଟି ଇଂଟରନ୍ୟାସନାଲ ଓ ଦି ଫରବିଡେନ୍ ଷ୍ଟୋରିଜ୍’ ପକ୍ଷରୁ ତାହାର ଗୋପନୀୟ ତଦନ୍ତ କରାଯାଇଥିଲା । ତାଲିକାରେ ଥିବା କିଛି ଫୋନକୁ ଆମନେଷ୍ଟି ଇଂଟରନ୍ୟାସନାଲ୍ ଫୋରେନ୍ସିକ୍ ଲ୍ୟାବ୍ ଓ ଅନ୍ୟ ଆନ୍ତର୍ଜାତିକସ୍ତର ଲ୍ୟାବ୍ରେ ଫୋରେନ୍ସିକ୍ ପରୀକ୍ଷଣ କରାଯିବା ପରେ ‘ଦି ୱାୟାର’ ୧୮ ଜୁଲାଇରେ ପେଗାସସ୍ ଗୁଇନ୍ଦାଗିରି ସଂପର୍କିତ ରିପୋର୍ଟର ପ୍ରସାରଣ କରିଥିଲା ।
ପେଗାସସ୍ ଗୁଇନ୍ଦାଗିରିକୁ ନେଇ ଗଲା ୧୮ ଦିନ ହେଲା ସଂସଦର ମୌସୁମୀ ଅଧିବେଶନ ବିରୋଧୀଙ୍କ ହାଂଗାମା ଯୋଗୁଁ ଅଶାନ୍ତ ଥିବା ବେଳେ ଏହା ବିରୋଧୀ ଏକତା ପାଇଁ ବାଟ ଖୋଲିଛି । ଗତକାଲି ଦେଶର ୧୪ଟି ବିରୋଧୀ ଦଳର ୧୮ ଜଣ ନେତା କେନ୍ଦ୍ର ସରକାରଙ୍କୁ ମିଳିତ ସ୍ୱାକ୍ଷରରେ ଏକ ଚିଠି ପଠାଇ ପେଗାସସ୍ ଗୁଇନ୍ଦାଗିରି ଓ ସରକାରଙ୍କ ତିନି ନୂଆ କୃଷି ଆଇନଉପରେ ସଂସଦରେ ଆଲୋଚନା କରାଯିବାକୁ ଓ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ ପାଇଁ ସରକାର ଏକ ବିଚାର ବିଭାଗୀୟ କମିସନ୍ ଗଠନ କରିବାକୁ ଦାବି କରିଛନ୍ତି । ଏହି ଦାବି ଉପସ୍ଥାପନ କରି ସଂସଦର ମଧ୍ୟ ଭାଗକୁ ଯାଇ ହୋହାଲ୍ଲା କରୁଥିବା ବିରୋଧୀଙ୍କୁ ଗୃହରୁ ନଲମ୍ବିତ କରାଯିବା ଭଳି କାର୍ଯ୍ୟାନୁଷ୍ଠାନ ସମ୍ଭାବ୍ୟ ବିରୋଧୀ ମେଂଟକୁ ଅଧିକ ବଳ ଦେଉଥିବା ଚର୍ଚ୍ଚା ହେଉଛି ।
ଗତକାଲି ରାଜ୍ୟସଭାରେ ୬ ଜଣ ଟିଏମସି ସାଂସଦଙ୍କୁ ଅଧ୍ୟକ୍ଷ ଗୃହରୁ ନିଲମ୍ବନ କରିଛନ୍ତି । ଏହା ସତ୍ତ୍ୱେ ସଂସଦରେ ଅଚଳାବସ୍ଥା ଦୂର ହେବା ନାଁ ନେଉ ନାହିଁ । ବିରୋଧୀ ପେଗାସସ୍ ଗୁଇନ୍ଦାଗିରିକୁ ନେଇ ସରକାରଙ୍କୁ ଚାପରେ ରଖି ଥିବା ବେଳେ ସୁପ୍ରିମ କୋର୍ଟ ଏହି ଗୁଇନ୍ଦାଗିରିକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ଓ ଆବେଦନ ଉପରେ ଶୁଣାଣୀ ଆରମ୍ଭ କରି ପରବର୍ତ୍ତୀ ଶୁଣାଣୀ ମଙ୍ଗଳବାରକୁ ଧାର୍ଯ୍ୟ କରିଥିବାରୁ ଦେଶବାସୀଙ୍କ ମନରେ ଆଶାର ସଂଚାର କରିଛି । ସମ୍ବାଦପତ୍ରରେ ପ୍ରକାଶ ପାଉଥିବା ରିପୋର୍ଟରେ ଯଦି ସତ୍ୟତା ଥାଏ ତେବେ ତାହା ସାଂଘାତିକ ବୋଲି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣାଙ୍କ ଖଣ୍ଡପୀଠ ମନ୍ତବ୍ୟ ଦେବା ସର୍ବୋଚ୍ଚ ନ୍ୟାୟାଳୟ ଉପରେ ଦେଶବାସୀଙ୍କ ଭରସା ବଢାଇଛି । ଏବେ, ସମସ୍ତଙ୍କ ନଜର ସରକାରଙ୍କ ଉପରୁ ହଟି ସୁପ୍ରିମ କୋର୍ଟଙ୍କ ମଙ୍ଗଳବାର ହେବାକୁ ଥିବା ଶୁଣାଣୀ ଉପରେ ନିବିଦ୍ଧ ଥିବା ଦେଖିବାକୁ ମିଳୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS