ସିଜେଆଇଙ୍କ କ୍ଷେଦୋକ୍ତି ପରେ ସିବିଆଇ ତତ୍ପର !
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୦୮
ଜୁଲାଇ ୨୮ ତାରିଖ ପ୍ରାତଃକାଳରେ ଝାଡ଼ଖଣ୍ଡ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦ (୪୯)ଙ୍କୁ ଅଟୋ ଚକା ତଳେ ଦଳି ହତ୍ୟା କରାଯିବା ଘଟଣାରେ ସିବିଆଇ ତଦନ୍ତରେ ଅଗ୍ରଗତି ଘଟୁ ନଥିବା ଦେଖି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା ଯେଉଁ କ୍ଷେଦୋକ୍ତି ପ୍ରକାଶ କରିଛନ୍ତି ତାହା ଦେଶର ସାଂପ୍ରତିକ ପରିସ୍ଥିତିର ସୂଚନା ଦେଉଛି । ଜଷ୍ଟିସ ରମଣା ନିଜେ କହିଛନ୍ତି, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାରେ ପ୍ରତିକୂଳ ରାୟ ଦେଉଥିବା ବିଚାରପତିଙ୍କୁ ଧମକ ଦିଆଯିବା ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ସେମାନଙ୍କ ବିରୋଧରେ ସମ୍ମାନହାନୀ ହେଲା ଭଳି ପୋଷ୍ଟ୍ କରାଯାଉଛି । ବିଚାରପତି ଓ ବିଚାର ବିଭାଗ ଅସାମାଜିକଙ୍କ ଟାର୍ଗେଟ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସିବିଆଇ ଓ ଆଇବି (କେନ୍ଦ୍ରୀୟ ଗୋଇନ୍ଦା ବ୍ୟୁରୋ) ଭଳି ତଦନ୍ତକାରୀ ସଂସ୍ଥାମାନେ ବଚାରପତିଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବା ସହାୟତା କରୁ ନାହାନ୍ତି । ସିବିଆଇର ଆଚରଣରେ ପରିବର୍ତ୍ତନ ଆଣିବା ସକାଶେ କିଛି ଗୋଟାଏ ପଦକ୍ଷେପ ନିଆଯିବା ଜରୁରୀ ।
ସିଜେଆଇ ଜଷ୍ଟିସ ରମଣା ଶୁକ୍ରବାର ଦିନ ସୁପ୍ରିମ କୋର୍ଟରେ ଏଭଳି ମନ୍ତବ୍ୟ ରଖି ବିଚାରପତିଙ୍କ ସୁରକ୍ଷା ସଂପର୍କିତ ଏକ ଆବେଦନ ଉପରେ ଏକ ସପ୍ତାହ ମଧ୍ୟରେ ମତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେବା ପରେ ଶନିବାର ସିବିଆଇ ଚଳଚଂଚଳ ହୋଇ ଆନ୍ଧ୍ର ପଦେଶରେ ଗଲା ନଭେମ୍ବର ମାସରେ ହୋଇଥିବା ଏକ ମାମଲାରେ କାର୍ଯ୍ୟାନୁଷ୍ଟାନ ତ୍ୱରାନ୍ୱିତ କରିଛି । ଝାଡ଼ଖଣ୍ଡ ଜିଲ୍ଲା ଜଜ୍ ଉତ୍ତମ ଆନନ୍ଦଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତରେ ଶିଥିଳତାକୁ ନେଇ ସୁପ୍ରିମ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ଶୁକ୍ରବାର ଦିନ ଏଭଳି କ୍ଷେଦୋକ୍ତି ପ୍ରକାଶ କରିଛନ୍ତି । ଜଷ୍ଟିସ ରମଣା କହିଛନ୍ତି, ‘ଦେଶରେ ଏବେ ଏକ ନୂଆ ଧାରା ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । କୌଣସି ଗୁରୁତ୍ୱପୂର୍ଣ୍ଣ ମମଲାରେ ବିଚାରପତିମାନେ ପ୍ରତିକୂଳ ରାୟ ଦେଲେ ଧମକ ଓ ସମାଲୋଚନାର ଶରବ୍ୟ ହେଉଛନ୍ତି । ସିବିଆଇ, ଆଇବି ଭଳି ତଦନ୍ତକାରୀ ସଂସ୍ଥାମାନଙ୍କରେ ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବା ସେମାନଙ୍କ ସହାୟତା ମିଳୁ ନାହିିଁ । ସିବିଆଇ ଆଚରଣ ପରିବତ୍ତନ ହେବା ଆମେ ଆଶା କରୁଥିଲୁ । କିନ୍ତୁ, କିଛି ହେଲେ ପରିବର୍ତ୍ତନ ହୋଇ ନାହିଁ । ଆମେ ଦୁଃଖର ସହିତ ଏହା କହିବାକୁ ବାଧ୍ୟ ହେଉଛୁ ।’
ସିଜେଆଇଙ୍କ ମନ୍ତବ୍ୟ ପରେ ହଠାତ୍ ସିବିଆଇ ସଚେତନ ହୋଇ ଗତ ବର୍ଷ ନଭେମ୍ବର ମାସରେ ହୋଇଥିବା ଏକ ମାମଲାରେ ଗିରଫଦାରୀକୁ ତ୍ୱରାନ୍ୱିତ କରିଛି । ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ବିଚାରପତିଙ୍କ ଆଡୁ ଏହି ମାମଲା ହୋଇଥିଲା । କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସେମାନେ ପ୍ରତିକୂଳ ରାୟ ଦେଇଥିବା ଯୋଗୁଁ ସେମାନଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ମାନହାନୀସୂଚକ ପୋଷ୍ଟ୍ ହୋଇଥିବା ବିଚାରପତିଙ୍କ ଆଡୁ ଏତଲା ହୋଇଥିଲା । ଏହି ଏତଲା ଉପରେ ସିବିଆଇ ଶନିବାର ଦିନ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଫଳରେ, ମାମଲାରେ ଗିରଫ ସଂଖ୍ୟା ୫ରେ ପହଂଚିଛି । ଜୁଲାଇ ୯ ତାରିଖରେ ସିବିଆଇ ଆଡୁ ପ୍ରଥମ ଗିରଫଦାରୀ ହୋଇଥିଲା । ଅଗଷ୍ଟ ୭ରେ ପରବର୍ତ୍ତୀ ଗିରଫଦାରୀ ହୋଇଛି । ପ୍ରତିକୂଳ ରାୟ ଦେଇଥିବା ବିଚାରପତି ଓ ବିଚାର ବିଭାଗକୁ ଅଭିଯୁକ୍ତମାନ ଟାର୍ଗେଟ କରି ମାନହାନୀସୂଚକ ପୋଷ୍ଟ୍ କରୁଥିବା ଏବଂ ଜାଣିଶୁଣି ବିଚାରପତି ଓ ବିଚାର ବ୍ୟବସ୍ଥାକୁ ଟାର୍ଗେଟ କରୁଥିବା ଏତଲାରେ ଅଭିଯୋଗ ହୋଇଥିଲା ।
ସିବିଆଇ ଏହି ଏତଲା ଭିତ୍ତିରେ ବିଭିନ୍ନ ଡ଼ିଜିଟାଲ ପ୍ଲାଟଫର୍ମ ବିରୋଧରେ ମାମଲା ରୁଜୁ କରି ଏତଲାରେ ନାମ ଥିବା ୧୬ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କୁ ଖୋଜି ବାହାର କରିଥିଲା । ଅନ୍ୟ ୩ ଜଣ ବିଦେଶ ପଳାଇ ଥିବା କୁହାଯାଉଛି । ଚିହ୍ନଟ ୧୩ ଅଭିଯୁକ୍ତଙ୍କ ମଧ୍ୟରୁ ସିବିଆଇ ୧୧ ଜଣଙ୍କୁ ଜେରା କରିବା ପରେ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଖାନତଲାସ କରାଯାଇ ବହୁ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିବା ଜଣାପଡିଛି । ଗତ ନଭେମ୍ବର ମାସରେ ହୋଇଥିବା ଏତଲାକୁ ନେଇ ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଅନ୍ୟାନ୍ୟଦଫା ସହ ୫୦୬ ଦଫା ଓ ଆଇଟି ଆଇନର ୬୭ ଧାରାରେ ମାମଲା ରୁଜୁ କରିଥିଲେ ମଧ୍ୟ ତଦନ୍ତରେ ଶିଥିଳତା ଦେଖାଉ ଥିଲା । ସେହିଭଳି, ଝାଡ଼ଖଣ୍ଡ ଜିଲ୍ଲା ଜଜ୍ ଆନନ୍ଦଙ୍କ ହତ୍ୟା ମାମଲାରେ ମଧ୍ୟ ତଦନ୍ତରେ କୌଣସି ଅଗ୍ରଗତି ଘଟୁ ନଥିବା ଦେଖି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି କ୍ଷୋଭ ପ୍ରକାଶ କରିଛନ୍ତି ।
ଜିଲ୍ଲା ଜଜ୍ ଆନନ୍ଦ ଜୁଲାଇ ୨୮ ତାରିଖ ଭୋର୍ ସମୟରେ ଘର ନିକଟରେ ଜଗିଂ କରୁଥିବା ବେଳେ ରାସ୍ତା ଶୂନଶାନ ଥିବା ସୁଯୋଗ ନେଇ ଗୋଟିଏ ଅଟୋ ତାଙ୍କୁ ଧକ୍କା ଦେବା ସହ ଦଳି ଦେଇ ଫେରାର ହୋଇଯାଇଥିଲା । ପ୍ରଥମେ ଏହା ଏକ ଦୁର୍ଘଟଣା ବୋଲି ବିଚାର କରାଯାଉଥିଲା । ତେବେ, ବିଚାରପତି ଅନନ୍ଦ ରାସ୍ତା କଡରେ ଜଗିଂ କରୁଥିବା ବେଳେ ଅଟୋ ଚାଳକ ଜାଣିଶୁଣି ତାଙ୍କ ଆଡକୁ ମାଡି ଯାଇ ଏହି ବର୍ବରକାଣ୍ଡ ଘଟାଇ ଥିବା ମିଳିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି । ଜିଲ୍ଲା ଜଜ୍ ଆନନ୍ଦଙ୍କ ଅଦାଲତରେ ଧାନବାଦର ବିଭିନ୍ନ ମାଫିଆ ଡନ୍ ଙ୍କ ବହୁ ଅପରାଧ ମାମଲାର ବିଚାର ଚାଲି ଥିଲା । ଦୁଇ ଜଣ ଗ୍ୟାଙ୍ଗଷ୍ଟରଙ୍କ ଜାମିନ ଆବେଦନକୁ ଜିଲ୍ଲା ଜଜ୍ ଖାରଜ କରି ଥିଲେ । ତେଣୁ, ବିଚାର ବିଭାଗ ଓ ବିଚାରପତିଙ୍କ ଭୟଭୀତ କରିବା ଉଦେ୍ଦଶ୍ୟରେ ଏଭଳି ନିର୍ମମ ହତ୍ୟା ହୋଇଥିବା ସୁପ୍ରିମ କୋର୍ଟ ହୃଦବୋଧ କରିବା ପରେ ନିଜ ଆଡୁ ଏହି ମାମଲାର ବିଚାରଣା ହାତକୁ ନେଇ ତଦନ୍ତ ପାଇଁ ସିବିଆଇକୁ ନର୍ଦେଶ ଦେଇଥିଲେ ।
ମାମଲାର ତଦନ୍ତରେ କୌଣସି ଅଗ୍ରଗତି ନହେବା ଦେଖି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ଶୁକ୍ରବାର ଦିନ କ୍ଷୋଭ ପ୍ରକାଶ କରିବା ସହ ସିବିଆଇର ମନୋଭାବକୁ ନେଇ ଚିନ୍ତା ପ୍ରକାଟ କରିଛନ୍ତି । ବିଚାରପତିଙ୍କୁ ଧମକ ଦିଆଯିବା ଘଟଣାରେ ସେମାନେ ସିବିଆଇ ଓ ଆଇବି ନିକଟରେ ଅଭିଯୋଗ କଲେ ସୁଦ୍ଧା ତାହା କିଛି କାର୍ଯ୍ୟାନୁଷ୍ଠାନ ହେଉନି ବା ସଂପୃକ୍ତ ବିଚାରପତିଙ୍କୁ ସହାୟତା ମିଳୁ ନାହିଁ । ସେ ସଂପୂର୍ଣ୍ଣ ସଚେତ ରହି ଓ ଦାୟିତ୍ୱସଂପନ୍ନ ହୋଇ ଏହା କହୁଛନ୍ତି ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ରମଣା କହିଛନ୍ତି । ଦେଶର ମୁଖ୍ୟ ବିଚାରପତି ଓ ବିଚାରପତିମାନେ ଯେଉଁଠି ଅସହାୟ ସେଠି ସାଧାରଣ ନାଗରିକ କେତେଦୂର ଅସହାୟ, ତାହା ସିଜେଆଇଙ୍କ କ୍ଷୋଭୋକ୍ତିରୁ ଯେକେହି ଅନୁମାନ କରିପାରିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS