ହିନ୍ଦୁସ୍ତାନରେ ରହିବାକୁ ହେଲେ ‘ଜୟ ଶ୍ରୀରାମ’ କହିବାକୁ ପଡିବ !
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୦୯
ଦେଶରେ ସାଂପ୍ରଦାୟିକତାର ସ୍ୱର କେତେଦୂର ତୀକ୍ଷ୍ଣ ହେଲାଣି ତାହା ରବିବାର ଦିଲ୍ଲୀରେ ଅନୁଷ୍ଠିତ ଏକ ର୍ୟାଲିରୁ ସ୍ପଷ୍ଟ ହୋଉଛି । ରାଜଧାନୀର ହୃଦସ୍ଥଳ ‘ଯନ୍ତର ମନ୍ତର’ ଠାରେ ଏହି ରାଲି ହୋଇଥିଲା । ରାଲିରେ ଯୋଗ ଦେଇଥିବା କିଛି ଲୋକ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କଲା ଭଳି ଆପତ୍ତିଜନକ ସ୍ଲୋଗାନ ଦେଉଥିବା ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହେବା ପରେ ରାଜନୀତି ସରଗରମ ହୋଇଛି । ସୁପ୍ରିମ କୋର୍ଟ ଆଇନଜୀବୀ ତଥା ଦିଲ୍ଲୀ ବିଜେପିର ପୂର୍ବତନ ମୁଖପାତ୍ର ଅଶ୍ୱିନୀ ଉପାଧ୍ୟାୟ ଏହି ପ୍ରଦର୍ଶନର କର୍ତ୍ତା ଥିଲେ । ପ୍ରଦର୍ଶନ ସ୍ଥଳରେ ‘ହିନ୍ଦୁସ୍ତାନ ମେଁ ରେହନା ହୋଗା, ଜୟ ଶ୍ରୀରାମ କେହେନା ହେଗା’ ବୋଲି ସ୍ଲୋଗାନ ଦିଆଯାଉଥିଲା ବୋଲି ଭିଡ଼ିଓରୁ ଜଣାପଡିଛି । ଭିଡ଼ିଓ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସ କହିଛନ୍ତି, ପୁଲିସର ଅନୁମତି ନଥାଇ ରାଲି ଆୟୋଜନ ହୋଇଥିଲା । କରୋନା କଟକଣା ଦୃଷ୍ଟିରୁ ପୁଲିସ ରାଲି ପାଇଁ ଅନୁମତି ଦେଇ ନାହାନ୍ତି । ରାଲିରେ ଏକାଠି ହୋଇଥିବା ବିକ୍ଷୋଭକାରୀଙ୍କ ନିକଟରେ ମଧ୍ୟ ଅନୁମତିପତ୍ର ନଥିଲା । ଆୟୋଜକ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି, ଭିଡ଼ିଓ ସଂପର୍କରେ ସେ କିଛି ଜାଣି ନାହାନ୍ତି । ତେବେ, ରାଲିରେ ଭାଗ ନେଇ ଥିବା ମାତ୍ର ୫ରୁ ୬ ଜଣ ସ୍ଲୋଗାନ ଦେଉଥିଲେ । ଯାହାକି ଉଚିତ ନଥିଲା । ସଂପୃକ୍ତ ଭିଡ଼ିଓଟି ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହେବା ପରେ କଥା ପାର୍ଲାମେଂଟରେ ପହଂଚିଛି । ଦେଶର ସଂସଦ ଓ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ଥିବା ଏକ ସ୍ପର୍ଶକାତର ସ୍ଥଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଆପତ୍ତିଜନକ ସ୍ଲୋଗାନ ଦିଆଯାଇଥିବା ବେଳେ ଦିଲ୍ଲୀ ପୁଲିସ ନୀରବଦ୍ରଷ୍ଟା ରହିବା କ୍ଷୋଭର ବିଷୟ ବୋଲି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ୍ ନେତା ଓସାଉଦ୍ଦିନ ଓୱେସି ଆଜି ଲୋକସଭାରେ କହିଛନ୍ତି । ଦିଲ୍ଲୀ ପୁଲିସ ଏସଂପର୍କରେ ଏକ ମାମଲା ରୁଜୁ କରି ଭିଡ଼ିଓରେ ଥିବା ଲୋକମାନଙ୍କୁ ଚିହ୍ନଟ କରୁଥିବା କହିଛନ୍ତି । ଦେଶରେ ପ୍ରଚଳିତ ପୁରୁଣାକାଳିଆ ବ୍ରିଟିଶ ଆଇନ ସବୁ ବଦଳାଇବା ଦାବିରେ ‘କଲୋନିଆଲ୍ ଲ’ସ୍ ଏଣ୍ଡ୍ ମେକ୍ ୟୁନିଫର୍ମ ଲ’ସ୍’ ନାମରେ ଗତକାଲିର ରାଲି ଆୟୋଜନ ହୋଇଥିଲା । ରାଲିରେ କିଛି ଲୋକ ଆପତ୍ତିଜନକ ସ୍ଲୋଗାନ ଦେଉଥିବା ଭିଡ଼ିଓ ପୁଲିସର ହସ୍ତଗତ ହୋଇଛି । ତାହା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ ଦୀପକ ଯାଦବ କହିଥିବା ବେଳେ ଏଆଇଏମଆଇଏମ୍ ନେତା ତଥା ହାଇଦ୍ରାବାଦ ସାଂସଦ ଓୱେସି ଲୋକସଭାରେ ଏହି ପ୍ରସଙ୍ଗ ଉତ୍ଥାପନ କରି ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । ଓୱେସି କହିଛନ୍ତି, ବକ୍ଷୋଭକାରୀ ସିଧାସଳଖ ମୁସଲମାନଙ୍କୁ ଟାର୍ଗେଟ୍ କରି ‘ବିଭାଜନକାରୀ’ ସ୍ଲୋଗାନ ଦେଉଥିବା ବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନୀରବଦ୍ରଷ୍ଟା ଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନଠାରୁ ମାତ୍ର ୨୦ ମିନିଟି ଦୂରତାରେ ‘ଯନ୍ତର ମନ୍ତର’ରେ ଏଭଳି ସ୍ଲୋଗାନ ଦେଉଥିବା ଲୋକଙ୍କ ସାହାସ ବଢିବା ପଛରେ କାରଣ କଣ (?) ବୋଲି ସେ ପ୍ରଶ୍ନ କରିଛନ୍ତି । ସ୍ଲୋଗାନ ଦେଉଥିବା ଲୋକମାନେ ଭଲ ଭାବେ ଜାଣନ୍ତି ସେମାନଙ୍କ ପଛରେ ମୋଦୀ ସରକାର ଅଛନ୍ତି । ତେଣୁ, ସାଂପ୍ରଦାୟକ ଉତ୍ତେଜନା ସୃଷ୍ଟି କଲା ଭଳି ସ୍ଲୋଗାନ ଦେବାକୁ ସାହାସ ଦେଖାଇଛନ୍ତି । ରବିବାର ଦିଲ୍ଲୀ ଉପାନ୍ତ ଦ୍ୱରିକାରେ ଏକ ହଜ୍ ହାଉସ୍ ନିର୍ମାଣକୁ ବିରୋଧ କରି ମହାପଂଚାୟତ କରାଯିବା ଏବଂ ସେଠାରେ ବିକ୍ଷୋଭକାରୀମାନେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କଲା ଭଳି ମନ୍ତବ୍ୟ ଦେବା ସହ ହିଂସାର ଧମକ ଦେବା ଭିଡ଼ିଓ ମଧ୍ୟ ବହୁଳ ପ୍ରସାରିତ ହୋଇଛି । କେନ୍ଦ୍ର ସରକାର ଗତ ଜୁଲାଇ ୨୪ ତାରିଖ ଦିନ ଯେକୌଣସି ବ୍ୟକ୍ତିଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଅଟକ ରଖିବାର ବିଶେଷ ଅଧିକାର ଦିଲ୍ଲୀ ପୁଲିସ ହାତରେ ନ୍ୟସ୍ତ କରିଥିବା ବେଳେ ପୁଲିସ ସ୍ଲୋଗାନ ସ୍ଥଳରେ ନୀରବଦ୍ରଷ୍ଟା ରହିବାର ରହସ୍ୟ କଣ ବୋଲି ଓୱେସି ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଗୁଜରାଟ କ୍ୟାଡ଼ର ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନାଙ୍କୁ ଅବସର ଗ୍ରହଣ କରିବାର ମାତ୍ର ଦୁଇ ଦିନ ପୂର୍ବରୁ ଦିଲ୍ଲୀର ପୁଲିସ କମିସନର ଭାବେ ନିଯୁକ୍ତି ଦେବା ଘଟଣାକୁ ଦଲ୍ଲୀ ସରକାର ବିରୋଧ କରି ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ କୌଣସି ପ୍ରଭାବ ପଡି ନଥିଲା । ଆସ୍ଥାନାଙ୍କ ଯୋଗଦାନ ପରେ ରବିବାର ‘ଯନ୍ତର ମନ୍ତର’ରେ ବିକ୍ଷୋଭ ପ୍ରଦର୍ଶନ ଆଳରେ ସାଂପ୍ରଦାୟିକ ସ୍ଲୋଗାନ ଦିଆଯିବା ଏବଂ ଘଟଣାସ୍ଥଳରେ ପୁଲିସ ନୀରବଦ୍ରଷ୍ଟା ରହି ଭିଡ଼ିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଅନେକ କଥା କହୁଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS