‘ପେଗାସସ୍’ ଗୁଇନ୍ଦାଗିରି ନେଇ ପିଆଇଏଲ: ଅଗଷ୍ଟ ୧୬ରେ ହେବ ଶୁଣାଣୀ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୧୦
ଇସ୍ରାଏଲୀ ସଂସ୍ଥା ‘ଏନଏସଓ’ ଦ୍ୱାରା ପ୍ରସ୍ତୁତ ମିଲିଟାରୀ ଗ୍ରେଡ୍ ସ୍ପାଏୱେର ‘ପେଗାସସ୍’ର ବ୍ୟବହାର କରାଯାଇ ଦେଶର ୩୦୦ ରାଜନେତା, ସାମାଜିକ କାର୍ଯ୍ୟକର୍ତ୍ତା, ବିଭିନ୍ନ ସାମ୍ବିଧାନିକ ଅନୁଷ୍ଠାନର ଅଧିକାରୀ, ସାମ୍ବାଦିକ ଏବଂ ପ୍ରମୁଖ ବ୍ୟକ୍ତବିଶେଷଙ୍କ ଗୁଇନ୍ଦାଗିରି ହୋଇଥିବା ଅଭିଯୋଗର ସୁପ୍ରିମ କୋର୍ଟ ତତ୍ତ୍ୱାବଧାନରେ ତଦନ୍ତ ପାଇଁ ହୋଇଥିବା ଏକାଧିକ ଜନସ୍ୱାର୍ଥ ମାମଲା (ପିଆଇଏଲ)ର ଶୁଣାଣୀ ଆଜି ହେବାର ଥିଲା । ତେବେ, ଏହି ଆବେଦନଗୁଡିକ ଉପରେ କେନ୍ଦ୍ର ସରକାର ପକ୍ଷ ରଖିବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଶୁକ୍ରବାର ପର୍ଯ୍ୟନ୍ତ ସମୟ ମାଗିବାରୁ ଅଗଷ୍ଟ ୧୬ ତାରିଖରେ ଏହି ସବୁ ପିଆଇଏଲର ଶୁଣାଣୀ ହେବ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି ।
ଶୁକ୍ରବାର ଦିନ ନିଜର ବ୍ୟକ୍ତିଗତ ସମସ୍ୟା ଥିବା ଯୋଗୁଁ ମାମଲାର ଶୁଣାଣୀ କରି ପାରିବେ ନାହିଁ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା କହିବା ପରେ ଶୁଣାଣୀ ସୋମବାରକୁ ପୋଷ୍ଟିଂ ହୋଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ରମଣାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଭିନିତ ଶରଣ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଅଗଷ୍ଟ ୧୬ରେ ପିଆଇଏଲଗୁଡିକର ଶୁଣାଣୀ କରିବେ ବୋଲି ଧାର୍ଯ୍ୟ କରିବା ସହ ଅବେଦନକାରୀ ଗୋଟିଏ ପଟେ ଅଦାଲତରେ ପିଆଇଏଲ୍ ଦେଇ ଅନ୍ୟ ପଟେ ସାମାଜିକ ଗଣମାଧ୍ୟମରେ ସମାନ୍ତରାଳ ଭାବେ ସେହି ପ୍ରସଙ୍ଗକୁ ନେଇ ବିତର୍କରେ ନ ମାତିବାକୁ ପରାମର୍ଶ ଦେଇଛନ୍ତି । ବରିଷ୍ଠ ସାମ୍ବାଦିକ ଏନ.ରାମ, ଶଶି କୁମାର ଓ ପରାଂଜୟ ଗୁହା ଠାକୁର୍ତ୍ତା, ରାଜନେତା ଜନ୍ ବ୍ରାଟ୍ସ୍ ଓ ଯଶୱନ୍ତ ସିହ୍ନା ଏବଂ ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ସମେତ ମୋଟ ୧୦ ଜଣ ପିଟିସନକାରୀଙ୍କୁ ସୁପ୍ରିମ କୋର୍ଟ ଖଣ୍ଡପୀଠ ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି । ଆଜି ବରିଷ୍ଠ ସାମ୍ବାଦିକ ଏନ.ରାମ ଓ ଶଶି କୁମାରଙ୍କ ଓକିଲ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ କପିଳ ସିବ୍ବଲ ପକ୍ଷ ରଖି ସୁପ୍ରିମ କୋଟରେ ଗତ ଥର ହୋଇଥିବା ଶୁଣାଣୀ ପରେ ତାଙ୍କ ମହକିଲ ଏନ.ରାମଙ୍କୁ କାଲିଫର୍ନିଆର ପୋଗାସିସ୍ କୋର୍ଟ ପ୍ରୋସିଡିଂକୁ ନେଇ ସାମାଜିକ ଗଣମାଧ୍ୟମରେ ‘ଟ୍ରୋଲ୍’ କରାଯାଉଥିବା ଅଭିଯୋଗ କରିଥିଲେ ।ଖଣ୍ଡପୀଠ କହିଛନ୍ତି – ‘ତାହା ହିଁ ଆମେ କହୁଛୁ । ଶୁଣାଣୀ ସମୟରେ ଉଭୟ ପକ୍ଷଙ୍କୁ ଆମେ ପ୍ରଶ୍ନ କରିବୁ ଓ ଉଭୟ ପକ୍ଷ ଜେରାର ସାମ୍ନା କରିବେ । ଯାହା ତର୍କବିତର୍କ ଅଦାଲତରେ ହେବା ଆବଶ୍ୟକ, ସାମାଜିକ ଗଣମାଧ୍ୟମ ବା ୱେବ୍ ସାଇଟରେ ନୁହେଁ । ଉଭୟ ପକ୍ଷ ବ୍ୟବସ୍ଥା ଉପରେ ଭରସା ରଖିବା ଉଚିତ ।’
‘ପେଗାସସ୍’ ଗୁଇନ୍ଦାଗିରିର ତଦନ୍ତ କରାଇବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ବା ନିଜର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ କରାନ୍ତୁ ବୋଲି ବହୁ ସାମ୍ବାଦିକ, ବ୍ୟକ୍ତି ବିଶେଷ, ବିଭିନ୍ନ ଅନୁଷ୍ଠାନ ସମେତ ‘ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ’ ସୁପ୍ରିମ କୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ସିଜେଆଇ ଜଷ୍ଟିସ ରମଣାଙ୍କ ଖଣ୍ଡପୀଠ ଅଗଷ୍ଟ ୫ ତାରିଖ ଦିନ ମାମଲାର ଶୁଣାଣୀ କରି ‘ପେଗାସସ୍’ ମାଧ୍ୟମରେ ଗୁଇନ୍ଦାଗିରିକୁ ନେଇ ଯେଉଁ ଅଭିଯୋଗ ହେଉଛି ତାହା ଅତ୍ୟନ୍ତ ମାରାତ୍ମକ, ସମ୍ବାଦପତ୍ରରେ ପ୍ରକାଶ ପାଉଥିବା ରିପୋର୍ଟ ସବୁରେ ଯଦି ସତ୍ୟତା ଥାଏ, ତେବେ ସାଂଘାତିକ ବୋଲି ମନ୍ତବ୍ୟ ରଖି ଥିଲେ ।
୧୦ତାରିଖ ଦିନ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି, ‘ଆପଣମାନେ ଯାହା କହିବାକୁ ଚାହୁଁଛନ୍ତି ସତ୍ୟପାଠ ମାଧ୍ୟମରେ କୁହନ୍ତୁ । ଆମେ ସମସ୍ତଙ୍କୁ ଏଥିପାଇଁ ଅନୁମତି ଦେଇଛୁ । ଯାହା କିଛି ତଥ୍ୟ ଆସୁଛି ସେସବୁ ରେକର୍ଡରେ ରହୁ । ଆମେ ପ୍ରତ୍ୟେକ ସତ୍ୟପାଠକୁ ତନ୍ନତନ୍ନ କରି ଦେଖିବୁ, ସେଥିରେ ଦର୍ଶାଯାଇଥିବା ତଥ୍ୟକୁ ପରଖିବୁ । କିନ୍ତୁ, ଅଦାଲତ କୋଠରୀରେ ବିତର୍କ ହେବା ବଦଳରେ ସାମାଜିକ ଗଣମାଧ୍ୟମରେ ସମାନ୍ତରାଳ ବିତର୍କ ହେବା ଆମେ ପସନ୍ଦ କରୁନାହୁଁ । ଆପଣ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି, ଯାହା ଆମେ ଅଦାଲତ ପ୍ରକୋଷ୍ଠରେ ଆଲୋଚନା କରୁଛେ, ତାହା ସାମାଜିକ ଗଣମାଧ୍ୟମରେ ପବ୍ଲିକ ଡ଼ିବେଟ ନହେଉ’।
ସୁପ୍ରିମ କୋଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ଖଣ୍ଡପୀଠର ଅନ୍ୟ ଦୁଇ ସଦସ୍ୟ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଭିନିତ ଶରଣଙ୍କ ପକ୍ଷରୁ କହିଛନ୍ତି, ‘ଆମ ତିନି ଜଣଙ୍କ ମତ ହେଉଛି, ପେଗାସସ୍ ପ୍ରସଙ୍ଗରେ ଯେକୌଣସି ପିଟିସନର୍ ବା ଆଗ୍ରହୀ ବ୍ୟକ୍ତି ଅଦାଲତରେ ସତ୍ୟପାଠ ମାଧ୍ୟମରେ ଯାହା କିଛି କହିବେ ଆମେ ଆଶା କରୁଛୁ ସେମାନେ ଆମ ପ୍ରଶ୍ନର ମଧ୍ୟ ଉତ୍ତର ଦେବେ । ଏହାଦ୍ୱାରା, ଅଦାଲତ ପ୍ରକୋଷ୍ଠରେ ଭଲ ବିତର୍କ ହୋଇ ପାରିବ, ବାହାରେ ନୁହେଁ’ ।
୨୦୧୯ ସାଧାରଣ ନିର୍ବାଚନ ସମୟରେ ପ୍ରଥମେ ‘ପେଗାସସ୍’ ମାଧ୍ୟମରେ ଗୁଇନ୍ଦାଗିରି ପ୍ରସଙ୍ଗ ଦେଶରେ ଚର୍ଚ୍ଚାକୁ ଆସିଥିଲା । ତେବେ, ସେତେବେଳେ କୌଣସି କାରଣରୁ ସେହି ପ୍ରସଙ୍ଗ ଚପି ଯାଇଥିଲା । ୨୦୨୧ ଜୁଲାଇ ୧୮ ତାରିଖ ବଳମ୍ବିତ ସନ୍ଧ୍ୟାରେ ‘ଦି ୱାୟାର’ ନାମକ ୱେବ୍ ପୋର୍ଟାଲରେ ‘ପୋଗାସସ୍’ ଗୁଇନ୍ଦାଗିରି ସଂପର୍କିତ ଖବର ପ୍ରସାରିତ ହେବା ପରେ ଏହାର ତଦନ୍ତ ଦାବିରେ ଏକାଧିକ ଜନସ୍ୱାର୍ଥ ମାମଲା ସୁପ୍ରମି କୋର୍ଟରେ ଦାଖଲ ହୋଇଛି । ୨୦୧୯ରେ ଯେତେବେଳେ ଏହି ଗୁଇନ୍ଦାଗିରି ପ୍ରସଙ୍ଗ ଉଠିଲା ସେତେବେଳେ ତୁରନ୍ତ ଆପରାଧିକ ମାମଲା ରୁଜୁ ନକରି ଆଜି ପର୍ଯ୍ୟନ୍ତ ‘ଆପଣମାନେ କାହିଁକି ଅପେକ୍ଷା କରିଥିଲେ’ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ଗତ ଅଗଷ୍ଟ ୫ ତାରିଖ ଦିନ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ ଏବଂ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ପିଟିସନ୍ ସବୁର ନକଲ କେନ୍ଦ୍ର ସରକାରଙ୍କୁ ଦେବାକୁ ପିଟିସନକାରୀଙ୍କୁ ନିର୍ଦେଶ ଦେଇଥିଲେ । ପରବର୍ତ୍ତୀ ଶୁଣାଣୀ ଅଗଷ୍ଟ ୧୦କୁ ଧାର୍ଯ୍ୟ ହୋଇଥିଲା । କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜିର ଶୁଣାଣୀରେ ଉପସ୍ଥିତ ରହି ଅଦାଲତଙ୍କ ନୋଟିସ ଗ୍ରହଣ କରିବା ସହ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି ଉତ୍ତର ରଖିବାକୁ ଶୁକ୍ରବାର ପର୍ଯ୍ୟନ୍ତ ସମୟ ନେଇଛନ୍ତି ।
ଜୁଲାଇ ୧୮ରେ ‘ଦି ୱାୟାର’ରେ ପ୍ରସାରିତ ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସ୍ପାଏୱେର୍ ‘ପେଗାସସ୍’ ମାଧ୍ୟମରେ ବିଶ୍ୱରେ ୫୦ ହଜାରରୁ ଅଧିକ ଫୋନ ହ୍ୟାକ୍ ହୋଇ ସଂପୃକ୍ତ ଫୋନ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ, ଆଳାପ, ଆଲୋଚନା ଓ ବାର୍ତ୍ତା ବିନିମୟର ଗୁଇନ୍ଦାଗିରି ହୋଇଛି । ସେଥିରେ ଭାରତର ୩୦୦ ରାଜନେତା, ସାମ୍ବାଦିକ, ସାମାଜିକ କାର୍ଯ୍ୟକତ୍ତା, ପ୍ରଶାସନିକ ଅଧିକାରୀ, ସାମ୍ବିଧାନିକ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ଫୋନ ନମ୍ବର ରହିଛି । ସର୍ଭେଲାନ୍ସ ହୋଇଥିବା ଫୋନ ନମ୍ବରଗୁଡିକର ତାଲିକା ଗୋପନୀୟ ସୂତ୍ରରୁ ପାଇବା ପରେ ଆମନେଷ୍ଟି ଇଂଟରନ୍ୟାସନାଲ ସମେତ ୧୬ଟି ଆନ୍ତର୍ଜାତିକ ମିଡ଼ିଆ ସଂସ୍ଥାଙ୍କୁ ନେଇ ଗଠିତ ଏକ କନସୋର୍ଟିର୍ୟମ୍ ଏହାର ତଦନ୍ତ କରିଥିଲେ । ତାଲିକାରେ ଥିବା କିଛି ମୋବାଇଲ ଫୋନ୍ କୁ ଫୋରେନ୍ସିକ୍ ପରୀକ୍ଷା ପାଇଁ ପଠା ଯାଇ ଥିଲା । ଫୋରେନ୍ସିକ ପରୀକ୍ଷାରୁ କିଛି ନମ୍ବରରେ ଗୁଇନ୍ଦା ସ୍ପାଏୱେର୍ ବ୍ୟବହାର ହୋଇଥିବା ପ୍ରମାଣ ମିଳିବା ପରେ ଭାରତୀୟ ସାମାଜିକ ଗଣମାଧ୍ୟମ ‘ଦି ୱାୟାର’ରେ ଖବର ପ୍ରସାରିତ ହୋଇଥିଲା । ଫଳରେ, ୧୯ ତାରିଖରୁ ଆରମ୍ଭ ସଂସଦର ପୂର୍ଣ୍ଣକାଳୀନ ମୌସୁମୀ ଅଧିବେଶନକୁ ଅଚଳ କରିବାରେ ବିରୋଧୀ ସଫଳ ହୋଇଛନ୍ତି । ମୌସୁମୀ ଅଧିବେଶନ ଶେଷ ଚରଣରେ ପହଂଚି ଥିଲେ ସୁଦ୍ଧା ପୋଗାସସ୍ ଗୁଇନ୍ଦାଗିରିକୁ ନେଇ ତାତି କମି ନାହିଁ ।
ଏହି ଗୁଇନ୍ଦାଗିରିରେ ସରକାରଙ୍କ ଗୃହ ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ସଂପୃକ୍ତ ଥିବା ବିରୋଧୀ ଅଭିଯୋଗ କରିବା ସହ ପ୍ରଧାନମନ୍ତ୍ରୀ ସଂସଦରେ ଉପସ୍ଥିତ ରହି ଏହାର ଉତ୍ତର ରଖିବାକୁ ଦାବି କରୁଛନ୍ତି । ଅପରପକ୍ଷରେ, ସରକାର ଗୁଇନ୍ଦାଗିରି ଅଭିଯୋଗକୁ ଅସତ୍ୟ ଓ ଗୁରୁତ୍ୱହୀନ କହି ଟାଳି ଚାଲିଛନ୍ତି । ଏହି ଗୁଇନ୍ଦାଗିରିର ତଦନ୍ତ ଦାବିରେ ବିରୋଧୀ ଅଟଳ ଥିବା ବେଳେ ସରକାର ତାହାକୁ ଏଡାଇ ଯାଇ ନିଜ ଜିଦ୍ ରେ ଅଟଳ ଥିବାରୁ ଅଚଳାବସ୍ଥା ଜାରି ରହିଛି । ସନ୍ଦିଗ୍ଧ ଗୁଇନ୍ଦାଗିରିରେ ଯେଉଁ ସବୁ ଟେଲିଫୋନ୍ ନମ୍ବର ଟାର୍ଗେଟ ହୋଇଥିଲା ସେଥିରେ ଏଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ କେତେକ ପୂର୍ବତନ ବିଚାରପତି, ବରିଷ୍ଠ ଓକିଲ, ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର୍ ଓ ସାମ୍ବିଧାନିକ ଅଧିକାରୀ, ସାମ୍ବାଦିକ ଓ ବ୍ୟକ୍ତିବିଶେଷଙ୍କ ନମ୍ବର ଥିଲା । ‘ଦି ୱାୟାର’ ଏହାର ଖୁଲାସା କରି ସରକାରଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି । ଏଭଳି ସ୍ଥିତିରେ କମିସନ୍ ଗଠନ ମାଧ୍ୟମରେ ହେଉ ବା ସୁପ୍ରିମ କୋର୍ଟ ନିଜ ତତ୍ତ୍ୱାବଧାନରେ ହେଉ, ପେଗାସସ୍ ଗୁଇନ୍ଦାଗିରିର ତଦନ୍ତ କରାନ୍ତୁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳରେ ଆବେଦନ ହୋଇଛି । ଅଗଷ୍ଟ ୧୬ ତାରିଖ ଦିନ ସୁପ୍ରିମ କୋର୍ଟ ଏହି ସବୁ ଆବେଦନ ଉପରେ କି ନିର୍ଦେଶ ଦେବେ, ତାହା ଉପରେ ସମଗ୍ର ଦେଶର ନଜର ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS