ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ ମାଡ଼ ମାମଲାରୁ କେଜରିୱାଲ, ସିସୋଦିଆ ଖଲାସ


ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୧୧
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ୨୦୧୮ ଫେବୃୟାରୀ ୧୯ ଓ ୨୦ ତାରିଖ ମଧ୍ୟରାତ୍ରୀରେ ତତ୍କାଳୀନ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ଡକାଇ ତାଙ୍କ ବାସଭବନରେ ନିଜ ସମର୍ଥକ ବିଧାୟକଙ୍କ ସହ ମିଶି ତାଙ୍କୁ ମାଡ ମାରି ଥିଲେ ବୋଲି ଯେଉଁ ମାମଲା ହୋଇଥିଲା ଦିଲ୍ଲୀର ଏକ ଅଦାଲତ ଆଜି ଏହି ମାମଲାରୁ ମୁଖ୍ୟମନ୍ତ୍ରୀ କେଜରୀୱାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହ ଅନ୍ୟ ନଅ ଜଣଙ୍କୁ ଖଲାସ କରିଛନ୍ତି । ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ପରାମର୍ଶଦାତା ଭି.କେ.ଜୈନ ଅଂଶୁ ପ୍ରକାଶ ମାମଲାରେ ଦିଲ୍ଲୀ ପୁଲିସକୁ ସେହି ସମୟରେ ଦେଇଥିବା ବୟାନକୁ ବିଚାରକୁ ନିଆଯାଇ ମୁଖ୍ୟମନ୍ତ୍ରୀ କେଜରୀୱାଲ, ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ଓ ‘ଆମ୍ ଆଦମୀ ପାର୍ଟି’ ବିଧାୟକମାନଙ୍କୁ ଖଲାସ କରାଯାଇଥିବା ଜଣାପଡିଛି ।
ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମାଡ ହୋଇଥିବା ଅଭିଯୋଗ କରି ଦିଲ୍ଲୀ ପୁଲିସ ୨୦୧୮ରେ ମୁଖ୍ୟମନ୍ତ୍ରୀ କେଜରୀୱାଲ, ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ଓ ଅନ୍ୟ ୧୧ ଜଣ ଏଏପି ବିଧାୟକଙ୍କ ବିରୋଧରେ ମାମଲା ରାଜୁ କରିଥିଲେ । ସେହି ସମୟରେ ଦିଲ୍ଲୀ ଲ୍ୟୁଟିନାଂଟ ଗଭର୍ଣ୍ଣର ଥିବା ଅନୀଲ ବୈଜାଲଙ୍କ ସହ ମୁଖ୍ୟମନ୍ତ୍ରୀ କେଜରୀୱାଲ ସରକାରଙ୍କ ସଂପର୍କ ତୀକ୍ତ ଥିଲା । ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଥିବା ଅଂଶୁ ପ୍ରକାଶଙ୍କୁ ବୈଠକ ଆଳରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଡକାଯାଇ ମାଡ ମରା ଯାଇଥିବା ଅଭିଯୋଗ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଥିବା ଭି.କେ.ଜୈନ ୨୦୧୮ ଫେବୃୟାରୀ ୨୧ ତାରିଖରେ ଦିଲ୍ଲୀ ପୁଲିସକୁ ବୟାନ ଦେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଡକା ଯାଇଥିବା ବୈଠକରେ ସେ ନିଜେ ଉପସ୍ଥିତ ଥିଲେ, ତେବେ ସେଠାରେ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ ହୋଇଥିବା ଦେଖି ନାହାନ୍ତି ବୋଲି କହିଥିଲେ । ଜୈନଙ୍କ ଏହି ବୟାନକୁ ଗୁରୁତ୍ୱ ନଦେଇ ଦିଲ୍ଲୀ ପୁଲିସ ମୁଖ୍ୟମନ୍ତ୍ରୀଙ୍କ ବାସଭବରେ ଲାଗି ଥିବା ସିସିଟିଭି ଫୁଟେଜ୍ ହାସଲ ପାଇଁ ଫେବୃୟାରୀ ୨୩ ତାରିଖ ତାଙ୍କ ବାସଭବନରେ ଚଢାଉ କରିଥିଲେ ।
ଅଂଶୁ ପ୍ରକାଶଙ୍କୁ ମାଡ ଘଟଣାର ପ୍ରତିବାଦ କରି ୨୦୧୮ ଜୁଲାଇରେ ଦିଲ୍ଲୀର ସମସ୍ତ ଆଇଏଏସ ଅଧିକାରୀ ମୁଖ୍ୟମନ୍ତ୍ରୀ କେଜରୀୱଲ ଓ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ କ୍ଷମା ମାଗନ୍ତୁ ବୋଲି ଦାବିରେ କଳାବ୍ୟାଜ ପରିଧାନ କରିବା ସହ ଦିଲ୍ଲୀ ଦିଲ୍ଲୀର ଲ୍ୟୁଟିନାଂଟ ଗଭର୍ଣ୍ଣର ବୈଜଲଙ୍କ ଅଫିସରେ ୯ ଦିନ ପ୍ରତିବାଦସୂଚକ ଧାରଣାରେ ବସିଥିଲେ । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନରେ ଥିବା ଦିଲ୍ଲୀ ପୁଲିିିସ ୨୦୧୮ ଅଗଷ୍ଟ ୧୩ ତାରିଖରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରି ସେଥିରେ ମୁଖ୍ୟମନ୍ତ୍ରୀ କେଜରୀୱାଲ, ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ଓ ଅନ୍ୟ ୧୧ ଜଣ ‘ଆମ୍ ଆଦମୀ ପାର୍ଟି’ ବିଧାୟକଙ୍କୁ ଅଭିଯୁକ୍ତ ଦର୍ଶାଇ ଥିଲେ । ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦିଲ୍ଲୀ ସରକାରଙ୍କ ଉପରେ ରାଗ ଶୁଝାଇବା ପାଇଁ ଦିଲ୍ଲୀ ପୁଲିସକୁ ଅସ୍ତ୍ର କରିଛନ୍ତି ବୋଲି ସେତେବେଳେ ଶାସକ ଏଏପି ପକ୍ଷରୁ ଅଭିଯୋଗ କରାଯାଇଥିଲା ।
ଦିଲ୍ଲୀର ଏକ ଅଦାଲତ ୨୦୧୮ ଅକ୍ଟୋବର ୨୫ ତାରିଖରେ ମୁଖ୍ୟମନ୍ତ୍ରୀ କେଜରୀୱାଲ, ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ଏବଂ ୧୧ ଆପ୍ ବିଧାୟକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ବ୍ୟକ୍ତିଗତ ବେଲ୍ ବଣ୍ଡ୍ ଓ ସେହି ପରିମାଣର ସ୍ୟୁରିଟି ବଦଳରେ ଜାମିନ ପ୍ରଦାନ କରିଥିଲେ । ୨୦୧୮ ନଭେମ୍ବରରେ ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ଟ୍ରାଏଲ କୋର୍ଟର ଆଦେଶକୁ ଚ୍ୟାଲେଂଜ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବାରୁ ୨୦୨୦ ଅକ୍ଟୋବରରେ ଦିଲ୍ଲୀ ହାଇକୋର୍ଟ ତଦନ୍ତକାରୀ ସଂସ୍ଥା ତଦନ୍ତ ବେଳେ ଯାହା ସବୁ ତଥ୍ୟ, ପ୍ରମାଣ ପାଇଛନ୍ତି ସେଥିରୁ କିଛି ଦବାଇ ନଦେଇ ସବୁ ତଥ୍ୟ ଓ ପ୍ରମାଣ ଅଦାଲତରେ ଉପସ୍ଥାପନ କରିବାକୁ ଦିଲ୍ଲୀ ପୁଲିସକୁ କହିଥିଲେ । ତଦନ୍ତର ପ୍ରାଥମିକ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭି.କେ.ଜୈନ ଦେଇଥିବା ବୟାନକୁ ବିଚାକୁ ନେବାକୁ ହାଇକୋର୍ଟ ଟ୍ରାଏଲ କୋର୍ଟକୁ ନିର୍ଦେଶ ଦେଇଥିଲେ ।
ତେବେ, ଦିଲ୍ଲୀ ପୁଲିସ ହାଇକୋର୍ଟ ଦେଇଥିବା ନିର୍ଦେଶକୁ ସୁପ୍ରିମ କୋଟରେ ଚ୍ୟାଲେଂଜ କରି ଅଂଶୁ ପ୍ରକାଶ ମାମଲାରେ ସାକ୍ଷ୍ୟମାନେ ଦେଇଥିବା ବୟାନର ନକଲ ଅଭିଯୁକ୍ତ କେଜରୀୱାଲ ଓ ସିସୋଦିଆଙ୍କ ଦେଇ ହେବ ନାହିଁ ବୋଲି ଯୁକ୍ତି ଦର୍ଶାଇ ଥିଲେ ମଧ୍ୟ ସୁପ୍ରମି କୋର୍ଟ ତାହା ଗ୍ରହଣ କରି ନଥିଲେ । ୨୦୨୧ ଜୁଲାଇ ୧ ତାରିଖରେ ସୁପ୍ରିମ କୋର୍ଟ ଦିଲ୍ଲୀ ପୁଲିସର ଆବେଦନକୁ ଖାରଜ କରି ମାମଲାକୁ ଅଧିକ ଦିନ ଗଡାଇବାର କିିଛି ଅର୍ଥ ନାହିଁ, ସାକ୍ଷ୍ୟମାନଙ୍କ ବୟାନର ନକଲ ଅଭିଯୁକ୍ତମାନଙ୍କୁ ଦେବାକୁ ନିର୍ଦେଶ ଦେଇ ଦିଲ୍ଲୀ ହାଇକୋର୍ଟ ବ୍ୟକ୍ତି ସ୍ୱାଧୀନତାକୁ ସୁରକ୍ଷିତ ରଖିଛନ୍ତି ବୋଲି କହିଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଆମେ ସମର୍ଥନ କରୁଛୁ ବୋଲି ସୁପ୍ରିମ କୋର୍ଟ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ ଓ ଏମ.ଆର.ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିବା ପରେ ଟ୍ରାଏଲ କୋର୍ଟ ମାମଲାର ସବିଶେଷ ବିଚାରଣା କରି ଆଜି ରାୟ ଦେଇଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଅଂଶୁ ପ୍ରକାଶ ମାମଲାରେ ଖଲାସ ହେବାରେ ଭି.କେ.ଜୈନଙ୍କ ବୟାନ ସହାୟକ ହୋଇଛି । ‘ପେଗାସସ୍’ ଗୁଇନ୍ଦାଗିରି ତାଲିକାରେ ଯେଉଁ ସବୁ ଫୋନ ନମ୍ବର ଥିଲା ସେଥିରେ ଭି.କେ.ଜୈନଙ୍କ ନମ୍ବର ମଧ୍ୟ ଥିଲା ବୋଲି ଜୁଲାଇ ୨୬ରେ ‘ଦି ୱାୟାର’ ଖୁଲାସା କରିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS