ବ୍ୟବସ୍ଥାକୁ ତର୍ଜମା କରିବା ସମୟ ଆସିଛି… !
ପ୍ରସାଦ ରାଓ
ଅଗଷ୍ଟ ୧୪
ଆସନ୍ତା କାଲି ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଦେଶ ବ୍ରିଟିଶ ଶାସକଙ୍କ ହାତରୁ ମୁକ୍ତିପାଇ ସଗର୍ବେ ନିଜର ତ୍ରିରଙ୍ଗା ଉଡାଇ ଥିଲା । ବ୍ରିଟିଶ ରାଜତ୍ୱରୁ ଦେଶକୁ ମୁକ୍ତ କରିବା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ସେହି ଦିନ ସାକାର ହୋଇଥିଲା । ସ୍ୱାଧୀନତାର ସାତ ଦଶକରୁ ଅଧିକ ସମୟ ବିତି ଗଲାଣି । ଏହି ସାତ ଦଶକ ମଧ୍ୟରେ ଦେଶ ସର୍ବାଧିକ ସମୟ ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ଶାସିତ ହୋଇଥିଲେ ମଧ୍ୟ ଅନ୍ୟ ରାଜନୈତିକ ଦଳ ଓ ନେତା କ୍ଷମତାର ଡ଼ୋର ଧରି ଦେଶକୁ ଶାସନ କରିଛନ୍ତି ଏବଂ ଦେଶକୁ ସର୍ବାଙ୍ଗୀନ ବିକାଶର ସ୍ୱପ୍ନ ଦେଖାଇଛନ୍ତି । ଦେଶର ସମ୍ବିଧାନ ପ୍ରତି ସେମାନେ ସମ୍ବେଦନଶୀଳ/ଅଂଗୀକାରବଦ୍ଧ ଥିବା ଦର୍ଶାଇ ନିଜ ଇଚ୍ଛା ଅନୁସାରେ ଦେଶକୁ ପରିଚାଳନା କରିଛନ୍ତି । ଦେଶର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ଆମେ କେତେ ସ୍ୱାଧୀନ ଓ ଆମ ନେତାମାନେ ସମ୍ବିଧାନକୁ ନେଇ କେତେଦୂର ଅଂଗୀକାରବଦ୍ଧ, ତାହା ତର୍ଜମା କରିବା ସମୟ ଆସିଛି ।
୧୯୭୫-୭୬ ଥିଲା ଦେଶର ଗଣତନ୍ତ୍ର ପାଇଁ ଏକ କଳା ଅଧ୍ୟାୟ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି ଜାରି କରି ସମଗ୍ର ଦେଶକୁ ଏକ ଭୟର ବାତାବରଣରେ ରଖି ଥିଲେ । ଭିନ୍ନମତ ପ୍ରକାଶ କରୁଥିବା ବିରୋଧୀ ଦଳ ନେତାଙ୍କଠାରୁ ଆରମ୍ଭ କରି ସାମ୍ବାଦିକ ପର୍ଯ୍ୟନ୍ତ କେହି ସେହି ସମୟର ଶାସନ ଓ ପ୍ରଶାସନର ଅହଂକାରରୁ ବର୍ତ୍ତି ନଥିଲେ । ଅଧିକାଂଶ ବିରୋଧୀ ଦଳ ନେତା ଓ ଭିନ୍ନମତବାଦୀ ସାମ୍ବାଦିକଙ୍କୁ ବିନା କାରଣରେ ‘ମିଶା’ ଆଇନରେ ବର୍ଷାଧିକ କାଳ ଜେଲରେ ବିତାଇବାକୁ ପଡିଥିଲା । ସେହି କଳା ସମୟ ଅତିବାହିତ ହେବା ପରେ ଦେଶବାସୀ ଇନ୍ଦିରାଙ୍କୁ କ୍ଷମତାଚ୍ୟୁତ କରି ଉଚିତ ଜବାବ ଦେଇଥିଲେ ମଧ୍ୟ ବିଭିନ୍ନ ବିରୋଧୀ ଦଳ ମିଳିତ ହୋଇ ଯେଉଁ ବିକଳ୍ପ ମେଂଟ ଗଠନ କରି ଶାସନକୁ ଆସି ଥିଲେ ସେମାନଙ୍କ ମହତ୍ୱାକାଂକ୍ଷା ଯୋଗୁଁ ତାହା ଅଧିକ ଦିନ ତିଷ୍ଠିଲା ନାହିଁ । ବିରୋଧୀ ମେଂଟ ଦେଶବାସୀଙ୍କ ବିଶ୍ୱାସ ହରାଇବା ସହ ଟୁକୁଡା ଟୁକୁଡା ହୋଇ ପୁନର୍ବାର କଂଗ୍ରେସ ପାଇଁ କ୍ଷମତାକୁ ଫେରିବା ପଥ ପରିଷ୍କାର କରିଥିଲେ ।
ଆମେ ଯଦି ଆଲୋଚନା କରିବା ଦେଶର ସଂସଦ ଓ ରାଜ୍ୟ ବିଧାନସଭାଗୁଡିକ କଥା, ଆଜି ଦିନରେ ଏହି ସବୁ ସାମ୍ବିଧାନିକ ସଂସ୍ଥା ଆଉ ଜନସାଧାରଣଙ୍କ ଆସ୍ଥାର କେନ୍ଦ୍ର ରହି ନାହିଁ । ପୂର୍ବରୁ ଯେତେବେଳେ ସଂସଦ ବା ବିଧାନସଭା ଅଧିବେଶନ ବସୁ ଥିଲା ଶାସକ ଓ ବିରୋଧୀ ଗୃହରେ ଭିନ୍ନମତ ରଖୁଥିଲେ ମଧ୍ୟ ହାତାହାତି ହେବାର ଦୃଷ୍ଟାନ୍ତ ନଥିଲା । ଜନସାଧାରଣ ଅପେକ୍ଷା କରୁଥିଲେ ସଂସଦ ବା ବିଧାନସଭା ଅଧିବେଶନକୁ । କାରଣ, ଅଧିବେଶନ ବସିଲେ ଦେଶ ବା ରାଜ୍ୟର ବିଭିନ୍ନ ସମସ୍ୟା ଆଲୋଚନାକୁ ଆସିବ ଏବଂ ଜନପ୍ରତିନିଧିମାନେ ଆଲୋଚନା ମାଧ୍ୟମରେ ନୀତି ନିର୍ଦ୍ଧାରଣ କରିବେ । ବିରୋଧୀ ସଦନରେ କି କି ସମସ୍ୟା ଉତ୍ଥାପନ କଲେ ଏବଂ ତାହା ଉପରେ ଆଲୋଚନା ହୋଇ ସରକାରଙ୍କ ନିଷ୍ପତ୍ତି କଣ ହେଲା (?), ତାହା ଜାଣିବାକୁ ଜନସାଧାରଣରେ ଆଗ୍ରହ ଥିଲା । ତେବେ, ଆଜି ଦିନରେ ସଂସଦ ବା ବିଧାନସଭା ଅଧିବେଶନକୁ ନେଇ ଜନସାଧାରଣରେ ସେଭଳି ଆଗ୍ରହ ଥିବା ପରିଲକ୍ଷିତ ହେଉ ନାହିଁ । ସରକାର ଓ ବିରୋଧୀ ନିଜ ନିଜ ଆଜେଣ୍ଡାକୁ ନେଇ ବ୍ୟସ୍ତ ଏବଂ ତାହା ଜନସାଧାରଣଙ୍କ ଉପରେ ଥୋପିବାକୁ ବ୍ୟଗ୍ର । ରାଜନୀତି ପ୍ରତି ରୁଚି ରଖୁ ନଥିବା ବ୍ୟକ୍ତିବିଶେଷ ସଂସଦ ବା ବିଧାନସଭାରେ ହେଉଥିବା ଚର୍ଚ୍ଚା, ନଷ୍ପତ୍ତି, ଘଟଣା ଏବଂ ଦୁର୍ଘଟଣାକୁ ନେଇ ଜାଣିବାକୁ ଆଗ୍ରହୀ ନୁହଁନ୍ତି ।
ଏହାର କାରଣ ହେଲା, ସଂସଦ ବା ବିଧାନସଭାରେ ଆଉ ସକାରାତ୍ମକ ଆଲୋଚନା ହେଉ ନାହିଁ । ଦେଶ ବା ରାଜ୍ୟର ସମସ୍ୟା ପ୍ରତି ଉଭୟ ଶାସକ ଓ ବିରୋଧୀ ଉଦାସୀନ । ସାମ୍ବିଧାନିକ ଅନୁଷ୍ଠାନ ସବୁ ଆଉ ଆଲୋଚନା, ପର୍ଯ୍ୟାଲୋଚନାର କ୍ଷେତ୍ର ରହି ନାହିଁ । ସରକାରଙ୍କ ଅଡ଼ିଅଳ ପଣ ଏବଂ ବିରୋଧୀଙ୍କ ହତାଶା ସଂସଦ ଓ ବିଧାନସଭାରେ ନକାରାତ୍ମକ ବାତାବରଣ ସୃଷ୍ଟି କରୁଛି । ସରକାରଙ୍କ ଉଚ୍ଛା ଅନୁସାରେ ସଂସଦ ଓ ବିଧାନସଭା ଅଧିବେଶନମାନ ବସୁଛି । କାର୍ଯ୍ୟ ଦିବସ ଓ ଆଲୋଚନା ହେବାକୁ ଥିବା ପ୍ରସଙ୍ଗ ଘୋଷିତ ହେଉଛି । ଦେଶର ଗୁୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ସଂସଦରେ ଏବଂ ରାଜ୍ୟର ସମସ୍ୟାକୁ ନେଇ ବିଧାନସଭାରେ ଆଲୋଚନା ହେବା ଆଶା କରାଯାଉଛି । ତେବେ, ଅପ୍ରସଙ୍ଗ ସବୁ ପ୍ରସଙ୍ଗ ହୋଇ ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହାତାହାତି, ଭଂଗାରୁଜା ପରିସ୍ଥିତି ସୃଷ୍ଟି ହେଉଛି । ଅକାଳନରେ ଅଧିବେଶନରେ ପୂର୍ଣ୍ଣଛେଦ ପଡୁଛି । ସଂସଦ ଓ ବିଧାନସଭାର କାର୍ଯ୍ୟ ଦିବସ ନଷ୍ଟ ହେବା ଦ୍ୱାରା କ୍ଷତି ହେଉଛି ଦେଶବାସୀଙ୍କ । ନିର୍ବାଚିତ ପ୍ରତିନିଧି ନିଜକୁ ଆଉ ଭୋଟଦାତାଙ୍କ ନିକଟରେ ଉତ୍ତରଦାୟୀ ମନେ କରୁ ନାହାନ୍ତି । କାରଣ, ନିର୍ବାଚନ ଆସିଲେ ଭୋଟରଙ୍କ ପ୍ରଲୋଭିତ କରି ଭୋଟ ନେଇ ହେବ, ତାହା ସେମାନେ ଭଲ ଭାବେ ଜାଣିଲେଣି ।
ଆଜି ଦିନରେ ଆମ ସଂସଦ କେମିତି ଚାଲିଛି, ତାହାର ଉଦାହରଣ ଭାବେ ଗତ ବୁଧବାର (ଅଗଷ୍ଟ ୧୧ ତାରିଖ) ସରି ଥିବା ସଂସଦର ମୌସୁମୀ ଅଧିବେଶନକୁ ନିଆଯାଇପାରେ । ୧୩ ତାରିଖ ପର୍ଯ୍ୟନ୍ତ ସଂସଦର ଏହି ପୂର୍ଣ୍ଣାଙ୍ଗ ଅଧିବେଶନ ଚାଲିବ ବୋଲି ନିଧାର୍ଯ୍ୟ ଥିଲେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସରକାରଙ୍କ ଆଡୁ ଆଲୋଚନା ଦାବି କରି ବିରୋଧୀ ଜୁଲାଇ ୧୯ରୁ (ସଂସଦ ଅଧିବେଶନ ଆରମ୍ଭରୁ) ଉଭୟ ଗୃହକୁ ଅଚଳ ରଖିବାରୁ ଏବଂ ରାଜ୍ୟସଭାରେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାରୁ ସରକାର ବୁଧବାର ଦିନ ‘ସାଇନ୍ ଡାଏ’ ଘୋଷଣା କଲେ । ରାଜ୍ୟସଭାରେ ବିରୋଧୀ ଦଳର କିଛି ସାଂସଦଙ୍କ ସହ ଗୃହର ମାର୍ଶାଲଙ୍କ ଧସ୍ତାଧସ୍ତି ଚାଲି ଥିବା ଚିତ୍ର ଲୋକସଭା ଟିଭିରେ ଲଗାତର ପ୍ରସାରିତ ହେଲା । ସଂସଦ ଅଧିବେଶନକୁ ଅଧାପନ୍ତୁରିଆ ଭାବେ ସ୍ଥଗିତ ରଖାବାର ଏହା ଏକ ପ୍ରମୁଖ କାରଣ ବୋଲି ସରକାରଙ୍କ ଆଡୁ ଦାବି ହୋଇ କାର୍ଯ୍ୟ ଦିବସ ଓ ଆଲୋଚନାର ସମୟ ନଷ୍ଟ ପାଇଁ ବିରୋଧୀଙ୍କୁ ଦାୟୀ କରଯାଉଛି ।
ବିରୋଧୀଙ୍କ ଯୁକ୍ତି ହେଉଛି, ସଂସଦର ଉଭୟ ଗୃହରେ ‘ପେଗାସସ୍’ ଗୁଇନ୍ଦାଗିରି, ସରକାରଙ୍କ ତିନି ନୂଆ କୃଷି ଆଇନ, ଦେଶର ଚିନ୍ତାଜନକ ଅର୍ଥନୀତି ଏବଂ ଆକାଶଛୁଆ ଦରଦାମ ଉପରେ ସେମାନେ ଆଲୋଚନା ଚାହୁଁ ଥିଲେ ମଧ୍ୟ ସରକାର ତାହା ହେବାକୁ ଦେଲେ ନାହିଁ । ପ୍ରଧାନମନ୍ତ୍ରୀ ନିଜେ ସଂସଦ ଅଧିବେଶନରେ ଅନୁପସ୍ଥିତ ରହି ଆଲୋଚନାକୁ ଏଡାଇଲେ । ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ବୋଲି ଯାହା କହି ଥିଲେ ତାହା ରକ୍ଷା ନ କରିବାକୁ ଅଚଳାବସ୍ଥା ସୃଷ୍ଟି ହେଲା । ବିରୋଧୀ ଅନନ୍ୟୋପାୟ ହୋଇ ଗୃହକୁ ଅଚଳ କଲେ । ଏହାର ସୁଯୋଗ ନେଇ ସରକାର ମନମୁଖୀ ଭାବେ ବିଭିନ୍ନ ବିଲ୍ ପାସ୍ କରାଇ ନେଲେ । ଜାଣିଶୁଣି ସରକାର ଏଭଳି ଅଚଳାବସ୍ଥା ସୃଷ୍ଟି କରିଥିଲେ ବୋଲି ବିରୋଧୀ ପାଲଟା ଅଭିଯୋଗ କରିଛନ୍ତି ।
ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗ ହେଉଛି ଏହିଭଳି । ଜୁଲାଇ ୧୯ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ୧୮ ତାରିଖ ‘ଦି ୱାୟାର’ ନାମକ ୱେବ୍ ନ୍ୟୁଜ ପୋର୍ଟାଲରେ ଖବରଟିଏ ପ୍ରସାରିତ ହେଲା – ବିଶ୍ୱରେ ୫୦ ହଜାରରୁ ଅଧିକ ଏବଂ ଭାରତରେ ୩୦୦ ବିରୋଧୀ ରାଜନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ସାମ୍ବାଦିକ, ସାମ୍ବିଧାନିକ ଅଧିକାରୀ, ଓକିଲ, ପୂର୍ବତନ ବିଚାରପତି ପ୍ରମୁଖଙ୍କ ଫୋନ ହ୍ୟାକ୍ ହୋଇ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଏବଂ ଦୈନନ୍ଦିନ ବାର୍ତ୍ତା ବିନିମୟର ସର୍ଭେଲାନ୍ସ୍ କରାଯାଇଛି । ଖବରଟି ସଂସଦରେ ସରକାରଙ୍କୁ ଟାର୍ଗେଟ୍ କରିବା ପାଇଁ ବିରୋଧୀଙ୍କୁ ଯଥେଷ୍ଟ ପରିମାଣର ବାରୁଦ ଯୋଗାଇଲା । ସଂସଦ ଅଧିବେଶନ ଆରମ୍ଭ ଦିନରୁ ଗୃହରେ ତାହାର ତାତି ଅନୁଭବ ହେଲା । ‘ପେଗାସସ୍’ ପ୍ରସଙ୍ଗରେ ଭାରତୀୟ ସଂସଦରେ ହଟ୍ଟଗୋଳ ଚାଲିଥିବା ବେଳେ ଏହି ସ୍ପାଏୱେର ପ୍ରସ୍ତୁତକାରୀ ତଥା ଲାଇସେନ୍ସ ପ୍ରଦାନକାରୀ ସଂସ୍ଥା ‘ଏନଏସଓ’ ବିବାଦ ଘୋରକୁ ଆସି ‘ଆମେ କେବଳ ସରକାରୀ ଏଜେନ୍ସିଙ୍କୁ ଏହି ସ୍ପାଏୱେର୍ ବିକୁଛୁ, ଯଦି ତାହାର ଦୁରୁପଯୋଗ ହେବାର ଅଭିଯୋଗ ମିଳୁଛି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ’ ବୋଲି ସଫେଇ ଦେଇଛି ।
ଆଉ, ସରକାରଙ୍କ ତିନି ନୂଆ କୃଷି ଆଇନ୍…? କୋଭିଡ଼ ପରିସ୍ଥିତିରେ କେନ୍ଦ୍ର ସରକାର ବାସ୍ତବ ହିତାଧିକାରୀଙ୍କ ସହ ଆଲୋଚନା ନ କରି ଏହି ତିନି କୃଷି ଆଇନ ସଂସଦରେ ଗୃହୀତ କରାଇ ନେଲେ । ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ତାହା ଆଇନରେ ପରିଣତ ହେଲା । ଏହି ତିନି ନୂଆ କୃଷି ଆଇନ ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ, ସରକାରଙ୍କ ଚହେତା କର୍ପୋରେଟ୍ ଜଗତର ସ୍ୱାର୍ଥକୁ ସୁରକ୍ଷିତ କରୁଛି ବୋଲି ଦେଶର ଚାଷୀ ଓ ବିରୋଧୀ ଅଭିଯୋଗ କରୁଛନ୍ତି । ତିନିଟି ଯାକ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୯ ମାସ ହେଲା ଆନ୍ଦୋଳନ ଚାଲିଛି । ସରକାର ନମନୀୟ ହେବା ବଦଳରେ ଆନ୍ଦୋଳନ ପ୍ରତି ରୁକ୍ଷଭାବ ପ୍ରଦର୍ଶନ କରିବା ସହ ଆନ୍ଦୋଳନକାରୀ ଚାଷୀ ଓ ସେମାନଙ୍କୁ ସମର୍ଥନଙ୍କୁ (ବିରୋଧୀଙ୍କୁ) ଦେଶଦ୍ରୋହୀ କହି ସଂଗଠିତ ଆନ୍ଦୋଳନ ପାଇଁ ବାଧ୍ୟ କରିଛନ୍ତି । ସରକାରଙ୍କ ପ୍ରଚାର ହେଉଛି – ତିନି ନୂଆ କୃଷି ଆଇନ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର ହେଉ ବୋଲି ଯେଉଁମାନେ ଦାବି କରୁଛନ୍ତି ସେମାନେ ଚାଷୀ ନୁହନ୍ତି, ବର୍ଷ ବର୍ଷ ଧରି ଚାଷୀଙ୍କୁ ଶୋଷଣ କରି ଆସୁଥିବା ମଧ୍ୟସ୍ଥି ବା ଦଲାଲ୍ ।
ନୂଆ କୃଷି ଆଇନ ପ୍ରତ୍ୟାହାର ହେବ ନାହିଁ ବୋଲି ସରକାର ନିଜ ଯିଦରେ ଅଟଳ । ଏମଏସପି (କୃଷି ଉତ୍ପାଦନର ସର୍ବନିମ୍ନ ଲାଭଜନକ ଦର)କୁ ଆଇନଗତ ମାନ୍ୟତା ଦେବାକୁ ହେଉଥିବା ଦାବିକୁ ମଧ୍ୟ ସରକାର ଏଡାଇ ଚାଲିଛନ୍ତି । ଫଳରେ, ପରିସ୍ଥିତି ଜଟିଳ ହୋଇଛି । ଦେଶର ୪୦ଟି ଚାଷୀ ସଂଗଠନ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖି ଥିବା ବେଳେ ସେମାନଙ୍କୁ ‘ଦେଶ ବିରୋଧୀ’ ଶକ୍ତି କହି ସରକାର ୨୦୨୧ ଜାନୁୟାରୀ ପରଠାରୁ ଆଲୋଚନାକୁ ଡାକୁ ନାହାନ୍ତି । ଚାଷୀ ସଂଗଠନଙ୍କ ଗୋଟିଏ ଫୋନ କଲ୍ ଦୂରତାରେ ସରକାର ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଥିବା ବେଳେ ତିନି କୃଷି ଆଇନ ପ୍ରତ୍ୟାହାର ଦାବି ବ୍ୟତୀତ ଆଇନରେ କିଛିଟା ପରିବର୍ତ୍ତନ ବା ସଂଶୋଧନ ଦାବିରେ ଚାୀ ସଂଗଠନ ସୀମିତ ରହିଲେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହୁଛନ୍ତି । ଚାଷୀ ସଂଗଠନଙ୍କୁ ଆଲୋଚନା ଟେବୁଲକୁ ଡକା ଯାଉ ନାହିଁ । ବିରୋଧୀ ଚାଷୀଙ୍କ ଦାବି ପ୍ରତି ସହାନୁଭୂତିଶୀଳ ଥିବା ଦର୍ଶାଇ ତାହା ଉପରେ ସଂସଦରେ ଆଲୋଚନା ପ୍ରସ୍ତାବ ରଖି ଥିଲେ ।
ପେଗାସସ୍ ମାଧ୍ୟମରେ ଦେଶରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବ୍ୟକତି ଓ ସଂସ୍ଥାଙ୍କ ଫୋନ ହ୍ୟାକ୍ କରାଯାଇ ସର୍ଭେଲାନ୍ସ ରଖା ଯାଇଥିବା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅଭିଯୋଗ ହୋଇ ଆସୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବିଭିନ୍ନ ବିରୋଧୀ ରାଜନେତା ଓ ବ୍ୟକ୍ତିବିଶେଷ ଏହି ସର୍ଭେଲାନ୍ସର ଟାର୍ଗେଟ୍ ହୋଇଥିବା ‘ଦି ୱାୟାର’ ରିପୋର୍ଟରେ ଦାବି କରାଯିବା ପରେ ବିରୋଧୀ ପେଗାସସ୍ ଗୁଇନ୍ଦାଗିରିର ତଦନ୍ତ ଦାବି କରୁଛନ୍ତି । ତିନି କୃଷି ଆଇନ ପ୍ରତ୍ୟାହାର କରାଯିବାକୁ ଚାଷୀ ଦାବି କରୁଥିବାରୁ ବିରୋଧୀ ସେହି ପ୍ରସଙ୍ଗରେ ସଂସଦ ଅଚଳ କରିଥିଲେ । ବୁଧବାର ସଂସଦ ‘ସାଇନ ଡେ’ ଘୋଷିତ ହେବା ପରେ ୧୪ ବିରୋଧୀ ଦଳର ନେତା ସଂଗଠିତ ଭାବେ ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ପ୍ରତିବାଦ ଶୋଭାଯାତ୍ରା କରି ସେମାନେ ସଂଗଠିତ ଭାବେ ସରକାରଙ୍କୁ ମୁକାବିଲା କରିବାକୁ ପ୍ରସ୍ତୁତି ଥିବା ବାର୍ତ୍ତା ଦେଇଛନ୍ତି । ଯାହାକି ଶାସକ ବିଜେପି ପାଇ ଚ୍ୟାଲେଂଜ ସଦୃଶ ହୋଇଛି । ୨୦୨୧ ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ବିଜେପିର ସବୁ ପ୍ରକାର ଚାପ ସତ୍ତ୍ୱେ ମୁଖମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟିର ବିପୁଳ ବିଜୟ ବିରୋଧୀଙ୍କୁ ବିଜେପି ବିରୋଧରେ ସଂଗଠିତ ହେବାରେ ବାଟ ଦେଖାଇଛି । ବିକଳ୍ପ ମେଂଟ ଗଠନ ମାଧ୍ୟମରେ ସେମାନେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିକୁ କ୍ଷମତାଚ୍ୟୁତ କରି ପାରିବେ ବୋଲି ଶାସକ ଦଳକୁ ବାର୍ତ୍ତା ଦେଇଥିବା ବେଳେ ବିରୋଧୀ ଏକାଠି ହେଲେ ମଧ୍ୟ ସେମାନଙ୍କ ନେତୃତ୍ୱ କିଏ ନେବ ବୋଲି ପ୍ରଶ୍ନ ଉଠାଇ ବିଜେପି ଭୋଟରଙ୍କୁ ଭ୍ରମିତ କରିବା ଉଦ୍ୟମ ଆରମ୍ଭ କରିଛି ।
ଶାସକ ବିଜେପିର ପ୍ରଶ୍ନ ହେଉଛି, ସମ୍ଭାବ୍ୟ ବିରୋଧୀ ମେଂଟର ନେତା କିଏ ? ରାହୁଲ ଗାନ୍ଧୀ ନା ଏନସିପି ନେତା ଶରଦ ପାୱାର ନା ଟିଏମସି ନେତ୍ରୀ ମମତା ବାନାର୍ଜୀ ?? ବିଜେପି ଜାତୀୟ ମୁଖପାତ୍ରମାନେ ଲଗାତର ଟେଲିଭିଜନ ବିତର୍କରେ ଏହି ପ୍ରଶ୍ନ ଉଠାଉଛନ୍ତି । ଶାସକ ଦଳର କହିବା ଅନୁଯାୟୀ, କେନ୍ଦ୍ରରେ ବିଜେପି ସରକାରର ନେତୃତ୍ୱ ନେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‘ମୋଦୀ’ । ସେ ହେଉଛନ୍ତି ଏକମାତ୍ର ନେତା ଯାହା ଉପରେ ବିଜେପି ଓ ଏନଡିଏ ମେଂଟ ନିର୍ଭରଶୀଳ । ସମ୍ଭାବ୍ୟ ବିରୋଧୀ ମେଂଟର ନେତୃତ୍ୱ କିଏ ନେବ ? ଏଭଳି ପ୍ରଶ୍ନ ଉଠାଇ ସମ୍ଭାବ୍ୟ ବିରୋଧୀ ମେଂଟକୁ ହତୋତ୍ସାହିତ କରିବା କାରଣ ହେଉଛି, ମେଂଟରେ ସାମିଲ ହେଉଥିବା ରାଜନୈତିକ ଦଳରେ ମହତ୍ୱାକାଂକ୍ଷୀ ନେତାଙ୍କ ଅଭାବ ନାହିଁ । ପ୍ରଧାନମନ୍ତ୍ରୀ ଚୌକି ଉପରେ ସବୁ ଦଳର ଓ ନେତାଙ୍କ ନଜର ରହିଛି । ତେବେ, ବିରୋଧୀ ମଧ୍ୟ ସାଂପ୍ରତିକ ରାଜନୈତିକ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଚୌକି ଲଢେଇକୁ ଏଡାଇ ପାଣି ଭିତରେ ଛକି ରହି ଥିବା କୁମ୍ଭୀରକୁ ମାତ୍ ଦେବା ସକାଶେ ରଣନୀତି ପ୍ରସ୍ତୁତ କରିଛନ୍ତି । ରାହୁଲ, ମମତା ବା ପାୱାର ନୁହନ୍ତି, ମେଂଟ ବହୁମତ ପାଇ କ୍ଷମତାକୁ ଆସିଲେ ଯେଉଁ ଦଳର ସାଂସଦ ସଂଖ୍ୟା ଅଧିକ ରହିବ ସେହି ଦଳ ହିଁ ନେତୃତ୍ୱର ଦାବିଦାର ହେବ ବୋଲି ଏବେ ସେମାନେ କହିଲେଣି ।
ବୁଧବାର ଅଧାପନ୍ତୁରିଆ ସରିଥିବା ସଂସଦ ଅଧିବେଶନର କିଛି କିଛି ବିଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି । ପେଗାସସ୍ ଗୁଇନ୍ଦାଗିରିର ତଦନ୍ତ ଏବଂ ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ବିରୋଧୀ ଦଳ ସାଂସଦମାନେ ସଂସଦରେ ଅଚଳାବସ୍ଥା ସୃଷ୍ଟି କରିଥିଲେ ମଧ୍ୟ ଗୃହରେ ୧୨୭ତମ ସଂବିଧାନ ସଂଶୋଧନ ବିଲ୍ ପାରିତ କରାଇବାରେ ସରକାରଙ୍କୁ ସୁନାପୁଅ ଭଳି ସମର୍ଥନ ଦେଇଛନ୍ତି । ଅଗଷ୍ଟ ୧୦ ତାରିଖ ଲୋକସଭାରେ ଏବଂ ୧୧ ତାରିଖ ରାଜ୍ୟସଭାରେ ଏହି ବିଲ୍ ନିର୍ବିରୋଧରେ ପାରିତ ହୋଇଛି । ୧୨୭ତମ ସଂବିଧାନ ସଂଶୋଧନ ବିଲ୍ ପାରିତ କରାଇବାରେ ସରକାରଙ୍କୁ ସହଯୋଗ କଲେ ‘ପୋଗାସସ୍’ ଓ ତିନି ନୂଆ କୃଷି ଆଇନ ଉପରେ ଆଲୋଚନା ପାଇଁ ସରକାର ସହଯୋଗ କରିବେ ବୋଲି ଆଶା ରଖି ବିରୋଧୀ ସମର୍ଥନ ଦେଇଥିବା ଦାବି କରୁଥିଲେ ମଧ୍ୟ ଏହା ପଛରେ ଥିବା ରାଜନୈତିକ ଉଦେ୍ଦଶ୍ୟ କାହାରିକୁ ଅଛପା ନାହିଁ ।
ଦେଶରେ ଆଦିବାସୀ, ହରିଜନ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସ୍ଥାନ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମ କୋର୍ଟଙ୍କ ରାୟକୁ ଅକାମୀ କରିବା ନିମନ୍ତେ ସମ୍ବିଧାନରେ ସଂଶୋଧନ ହେବା ଉଭୟ ଶାସକ ଓ ବିରୋଧୀ ଚାହୁଁଥିଲେ । ତେଣୁ, ସମ୍ବିଧାନର ୧୨୭ତମ ସଂଶୋଧନ ବିଲ୍ ପାରିତ କରାଇବାରେ ପରସ୍ପରକୁ ସହଯୋଗ କଲେ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍ ଆଇନରେ ପରିଣତ ହେବ । ରାଜ୍ୟମାନେ ନିଜ ନିଜ ଓବିସି ତାଲିକା ପ୍ରସ୍ତୁତି କରିବେ । ଏଥି ପୂର୍ବରୁ, ଓବିସି ତାଲିକାରେ କାହାକୁ ନିଆଯିବ, କାହାକୁ ନାହିଁଁ – ତାହା କେନ୍ଦ୍ର ସରକାର ହିଁ ନିଷ୍ପତ୍ତି ନେଇ ପାରିବେ ବୋଲି ସୁପ୍ରିମ କୋର୍ଟଙ୍କ ରାୟ ଥିଲା । ସମ୍ବିଧାନ ସଂଶୋଧନ ଫଳରେ ତାହା ମଧ୍ୟ ଅକାମୀ ହୋଇଛି । ଆଦିବାସୀ, ହରିଜନଙ୍କ ପାଇଁ ସଂରକ୍ଷଣ ପ୍ରାରମ୍ଭରୁ ପ୍ରଚଳିତ ରହିଛି । ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ସଂଖ୍ୟା ୪୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ତାହା ହେଉଛି ୫୨ ପ୍ରତିଶତ । ତେଣୁ, ଓବିସିଙ୍କୁ ଅସନ୍ତୁଷ୍ଟ କରିବାକୁ କିଏବା ଚାହିଁବ ? ବିରୋଧୀ ପେଗାସସ୍, ତିନି କୃଷି ଆଇନ, ଦରଦାମ ବୃଦ୍ଧି ଭଳି ଜନସ୍ୱାର୍ଥ ସମ୍ବଳିତ ଇସ୍ୟୁକୁ ଦିନକ ପାଇଁ ବିରାମ ଦେଇ ସମ୍ବିଧାନରେ ସରକାରଙ୍କୁ ସହଯୋଗ କରିବା ପଛରେ ଏହି ତୁଷ୍ଟିକରଣ ରାଜନୀତି ହିଁ ରହିଛି ।
ସାଂପ୍ରତିକ ପରିସ୍ଥିତିରେ ଏହା ହେଉଛି ଆମ ରାଜନୈତିକ ଚରିତ୍ର । ଯେଉଁ ବିରୋଧୀ ଦଳ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇ ତିନି ସପ୍ତାହ ଧରି ସଂସଦରେ ହାଂଗାମା କଲେ, ଲୋକସଭା ଓ ରାଜ୍ୟସଭାକୁ ଅଚଳ କଲେ, ସେହିମାନେ ଗୋଟିଏ ଦିନ ସରକାରଙ୍କୁ ସହଯୋଗ ଦେବା ଆଳରେ ନିଜ ସ୍ୱାର୍ଥ ସମ୍ବଳିତ ବିଲ୍ ପାସ୍ କରାଇ ନେଲେ । ସରକାର ମଧ୍ୟ ବିରୋଧୀଙ୍କ ଯୋଗୁଁ ଗୃହ ଅଚଳ ହୋଇଥିବା କହୁଥିବା ବେଳେ ସନ୍ତର୍ପଣରେ ୨୦ଟି ବିଲ୍ ପାରିତ କରାଇ ନେଲେ । କୌଣସି ବିଲ୍ ଉପରେ ଗୃହରେ ବିତର୍କ ହୋଇ ନାହିଁ । ବିଲ୍ ସବୁରେ କି କି ବ୍ୟବସ୍ଥା ରହିଛି ତାହା ଜନସାଧାରଣ ଜାଣିବା ଉପାୟ ମଧ୍ୟ ନାହିଁ । ଅପରପକ୍ଷରେ, ପିଆରଏସ ଲେଜିସ୍ଲେଟିଭ୍ ରିସର୍ଚ୍ଚ ଡାଟା ଅନୁଯାୟୀ, ସଂସଦରେ ବିଭିନ୍ନ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା ତାହାର ଏକ ତୃତୀୟାଂଶରୁ କମ୍ ସମୟ ସମସ୍ୟା ଉପରେ ଆଲୋଚନାରେ ଉପଯୋଗ ହୋଇଛି । ବିରୋଧୀଙ୍କ ହାଂଗାମା ମଧ୍ୟରେ ଲୋକସଭାରେ ହାରାହାରି ୩୪ ମିନିଟିରେ ଗୋଟିଏ ବିଲ୍ ପାସ୍ ହୋଇଥିବା ବେଳେ ରାଜ୍ୟସଭାରେ ୪୬ ମିନିଟରେ ଗୋଟିଏ ବିଲ୍ ପାସ୍ ହୋଇଛି । ଏହା ହେଉଛି ୭୫ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆମର ଉପଲବ୍ଧୀ । ଏଥିରେ ଆମେ ଖୁସି ମନାଇବା ନା ଦୁଃଖି ହେବା (?) – ତାହା ନିର୍ଣ୍ଣୟ କରିବା ସମୟ ଆସିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS