ପେଗାସସ୍ ମାମଲା: ବିସ୍ତୃତ ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ


ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୧୬
ଦେଶରେ ବ୍ୟକ୍ତିବିଶେଷଙ୍କ ଗୁଇନ୍ଦାଗିରି ପାଇଁ ଇସ୍ରାଏଲୀ ସ୍ପାଏୱେର୍ ‘ପେଗାସସ୍’ର ବ୍ୟବହାର ହୋଇଛି କି ନାହିଁ, ସରକାର ଏକ ବିସ୍ତୃତ ସତ୍ୟପାଠ ମାଧ୍ୟମରେ ସୁପ୍ରିମ କୋର୍ଟରେ ତାହାର ଉତ୍ତର ରଖିବାକୁ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ପେଗାସସ୍ ସର୍ଭେଲାନ୍ସକୁ ନେଇ ହୋଇଥିବା ଅଭିଯୋଗଗୁଡିକୁ ପରୀକ୍ଷା କରି ଦେଖିବା ପାଇଁ ସରକାର ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଥିବା ଅଦାଲତଙ୍କୁ ଜଣାଇବା ସତ୍ତ୍ୱେ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ଏଭଳି ନିର୍ଦେଶ ଦେଇଥିବା ଜଣାପଡିଛି । ପେଗାସସ୍ ସ୍ପାଏୱେର୍ ମାଧ୍ୟମରେ ଦେଶରେ ହୋଇଥିବା ଗୁଇନ୍ଦାଗିରିର ତଦନ୍ତ ପାଇଁ ସୁପ୍ରିମ କୋର୍ଟରେ ଏକାଧିକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ସବୁ ଜନସ୍ୱାର୍ଥ ମାମଲା ଉପରେ ଶୁଣାଣୀ ଆରମ୍ଭ କରି ମୁଖ୍ୟ ବିଚାରପତି ରମଣା କହିଛନ୍ତି, ଆବେଦନକାରୀ ଜାଣିବାକୁ ଚାହିଁଛନ୍ତି ସରକାର ପେଗାସସ୍ ସ୍ପାଏୱେର୍ କିଣିଛନ୍ତି ବା ବ୍ୟବହାର କରିଛନ୍ତି କି ନାହିଁ । ସରକାର ଯଦି ତାହା କିଣି ନାହାନ୍ତି ବା ବ୍ୟବହାର କରି ନାହାନ୍ତି ତେବେ ଦେଶରେ ବେଆଇନ ଭାବରେ ଏହି ସ୍ପାଏୱେର୍ ମାଧ୍ୟମରେ କେମିତି ଗୁଇନ୍ଦାଗିରି ହେଲା ତାହାର ତଦନ୍ତ କରାଇବା ଦିଗରେ କି ପଦକ୍ଷେପ ନେଇଛନ୍ତି ? ସତ୍ୟପାଠ ମାଧ୍ୟମରେ ଅଦାଲତକୁ ତାହା ଜଣାନ୍ତୁ । ଅଦାଲତରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖି ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସେ ଏହି ନିର୍ଦେଶ ଦେଇଛନ୍ତି । ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ଚାହିଁଲେ ଅଧିକ ସମୟ ନିଅନ୍ତୁ । ତେବେ, ସତ୍ୟପାଠ ଦାଖଲ କରନ୍ତୁ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ସଲିସିଟର ଜେନେରାଲ ମେହେଟ୍ଟାଙ୍କୁ କହିଛନ୍ତି । ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଦୁଇ ପୃଷ୍ଠାର ଏକ ସତ୍ୟପାଠ ଦାଖଲ ହୋଇଛି । ସେଥିରେ ପେଗାସସ୍ ଗୁଇନ୍ଦାଗିରି ଅଭିଯୋଗ ଏକ ମନଗଢା କାହାଣୀ ଏବଂ ମିଡ଼ିଆ ରିପୋର୍ଟ ଉପରେ ଅଧାରିତ । ତାହାର ସତ୍ୟତା ସଂପର୍କରେ କୌଣସି ପ୍ରମାଣିକ ତଥ୍ୟ ନାହିଁ ବୋଲି କୁହାଯାଇଛି । ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ମେହେଟ୍ଟା ଯୁକ୍ତ ରଖିଛନ୍ତି ଯେ, ପେଗାସସ୍ ଗୁଇନ୍ଦାଗିରି ଅଭିଯୋଗ ଏକ ସ୍ପର୍ଶକାତର ପ୍ରସଙ୍ଗ । ଏହାକୁ ଅଧିକ ଆଂଚଲ୍ୟକର ଢଂଗରେ ପରିବେଷଣ କରାଯାଉଛି । ଜାତୀୟ ନିରାପତ୍ତା ଉପରେ ଏହାର ଗଭୀର ପ୍ରଭାବ ରହିଛି । ‘ପେଗାସସ୍’ ଗୁଇନ୍ଦାଗିରି ନେଇ ସରକାରଙ୍କ ପକ୍ଷରୁ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବରୁ ସଂସଦକୁ ସ୍ପଷ୍ଟ କରି ସାରିଛନ୍ତି । ସରକାର ଏଥିରେ ଲୁଚାଇବାର କିଛି ନାହିଁ । ଏହା ଉନ୍ନତ ବୈଷୟିକ ଜ୍ଞାନକୌଶଳ ସମ୍ବଳିତ ପ୍ରସଙ୍ଗ ହୋଇଥିବାରୁ ସରକାର ଅଭିଯୋଗ ସବୁକୁ ପରୀକ୍ଷା କରି ଦେଖବା ପାଇଁ ଏକ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରିବାକୁ ସ୍ଥିର କରିଛନ୍ତି । ସାମ୍ବାଦିକ ଏନ.ରାମ ଓ ଶଶି କୁମାରଙ୍କ ପକ୍ଷରୁ ଅଦାଲତରେ ଉପସ୍ଥିତ ଥିବା ଓକିଲ କପିଲ ସିବଲ୍ କିନ୍ତୁ ସରକାରଙ୍କ ବିଶେଷଜ୍ଞ କମିଟି ଗଠନ ନିଷ୍ପତ୍ତିକୁ ଗ୍ରହଣ କରି ନାହାନ୍ତି । ସରକାର ବା ସରକାରଙ୍କ କୌଣସି ଏଜେନ୍ସି ଏହି ସ୍ପାଏୱେର୍ ବ୍ୟବହାର କରିଛନ୍ତି କି ନାହିଁ ତାହା ସରକାର ସତ୍ୟପାଠରେ ଦର୍ଶାଇ ନାହାନ୍ତି ବୋଲି ସେ ପାଲଟା ଯୁକ୍ତି ରଖିଛନ୍ତି । ସରକାର ବା ସରକାରୀ ଏଜେନ୍ସି, ଯିଏ ବି ଏହି ସ୍ପାଏୱେର ବ୍ୟବହାର କରିଛନ୍ତି ସେମାନେ ନିଜେ ନିଜର ତଦନ୍ତ ପାଇଁ କେମିତି ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ସିବଲ୍ ପ୍ରଶ୍ନ କରିଛନ୍ତି । ବିଶେଷଜ୍ଞ କମିଟି ଗଠନ ନେଇ ସରକାରଙ୍କ ପ୍ରସ୍ତାବ ଉପରେ ସୁପ୍ରିମ କୋର୍ଟ କହିଛନ୍ତି, ବିଶେଷଜ୍ଞ କମିଟି ଗଠନ ହେଲେ ମଧ୍ୟ ତାହାର ତଦନ୍ତ ପରିଧୀ ସୀମିତ ରହିବ । ସ୍ପାଏୱେର୍ ମାଧ୍ୟମରେ ସର୍ଭେଲାନ୍ସ ହୋଇଛି କି ନାହିଁ ତାହା ସିନା ବିଶେଷଜ୍ଞ କମିଟି ତଦନ୍ତ କରି ଜାଣିପାରିବ ସିନା କିଏ ଏହି ସ୍ପାଏୱେର କିଣିଛି ବା କେଉଁ ଉଦେ୍ଦଶ୍ୟରେ ତାହାର ବ୍ୟବହାର ହୋଇଛି, ତାହା ଉନ୍ମୋଚନ ହୋଇପାରିବ ନାହିଁ । ତେଣୁ, ସରକାର ଏକ ବିସ୍ତୃତ ସତ୍ୟପାଠ ଦାଖଲ ମାଧ୍ୟମରେ ଅଦାଲତରେ ସବିଶେଷ ତଥ୍ୟ ରଖନ୍ତୁ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ନିର୍ଦେଶ ଦେଇଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS