ପେଗାସସ୍ ମାମଲାରେ ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ, ଦଶ ଦିନ ପରେ ଶୁଣାଣୀ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୧୭
‘ପେଗାସସ୍’ ଗୁଇନ୍ଦାଗିରିର ସ୍ୱାଧୀନ ତଦନ୍ତ ନିର୍ଦେଶ ଦିଆଯିବା ଦାବିରେ ସୁପ୍ରିମ କୋର୍ଟରେ ଆଗତ ଏକାଧିକ ଜନସ୍ୱାର୍ଥ ମାମଲା ଉପରେ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କଲା ଭଳି କିଛି ବିଷୟବସ୍ତୁ ଥିଲେ ସରକାର ସତ୍ୟପାଠରେ ତାହା ପ୍ରଘଟ କରିବା ଆମେ ଚାହୁଁ ନାହୁଁ ବୋଲି ଖଣ୍ଡପୀଠ ଆଜି ସ୍ପଷ୍ଟ କରିଛନ୍ତି । ଆବେଦନକାରୀଙ୍କ ଅଭିଯୋଗ ଉପରେ ସରକାର ପକ୍ଷ ରଖନ୍ତୁ । ୧୦ ଦିନ ପରେ ଅଦାଲତ ମାମଲା ଉପରେ ବିଚାର କରି କି ପଦକ୍ଷେପ ନେବେ ନିର୍ଣ୍ଣୟ କରିବ ବୋଲି ଖଣ୍ଡପୀଠ କହିଛନ୍ତି । ଖଣ୍ଡପୀଠରେ ମୁଖ୍ୟ ବିଚାରପତି ଜଷ୍ଟିସ ରମଣାଙ୍କ ସହ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଅନିରୁଦ୍ଧ ବୋଷ ଅଛନ୍ତି । ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି ଖଣ୍ଡପୀଠରେ ଯୁକ୍ତି ଉପସ୍ଥାପନ କରି ଆବେଦନକାରୀଙ୍କ ଦାବି ମୁତାବକ ସତ୍ୟପାଠ ଦାଖଲ ହେଲେ ସେଥିରେ ଜାତୀୟ ନିରାପତ୍ତା ବିପନ୍ନ ହେବା ଆଶଙ୍କାରହିଛି ବୋଲି ଖଣ୍ଡପୀଠଙ୍କୁ ଜଣାଇ ଥିଲେ । ତାହାକୁ ବିଚାରକୁ ନେଇ ଖଣ୍ଡପୀଠ କହିଛନ୍ତି, ଜାତୀୟ ନିରାପତ୍ତାକୁ ବିପନ୍ନ କଲା ଭଳି ଯଦି କିଛି ତଥ୍ୟ ରହିଛି ତାହା ସରକାର ଖୁଲାସା କରନ୍ତୁ ବୋଲି ଆମେ ଚାହୁଁ ନାହୁଁ ।
ପେଗାସସ୍ ସ୍ପାଏୱେର୍ ମାଧ୍ୟମରେ ଦେଶରେ ହୋଇଥିବା କଥିତ ଗୁଇନ୍ଦାଗିରିର ସ୍ୱାଧୀନ ଭାବେ ତଦନ୍ତ କରାଯିବାକୁ ଦାବି ରଖି ଦାଏର ହୋଇଥିବା ଏକାଧିକ ଜନସ୍ୱାର୍ଥ ମାମଲା ଉପରେ ଖଣ୍ଡପୀଠରେ ଶୁଣାଣୀ ଆରମ୍ଭ ହୋଇଛି । ସରକାର ନିଜେ ପେଗାସସ୍ ସ୍ପାଏୱେର୍ କିଣିଛନ୍ତି ବା ବ୍ୟବହାର କରିଛନ୍ତି କି ନାହିଁ ଏବଂ ଯଦି ତାହା କିଣି ନାହାନ୍ତି ବା ବ୍ୟବହାର କରି ନାହାନ୍ତି ତେବେ ବେଆଇନ ଭାବରେ ଏହି ସ୍ପାଏୱେର୍ ମାଧ୍ୟମରେ ଗୁଇନ୍ଦାଗିରି ହେଲା କେମିତି ବୋଲି ଗତକାଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ପ୍ରଶ୍ନ କରିବା ସହ ଏହାର ତଦନ୍ତ ଦିଗରେ ସରକାର କି ପଦକ୍ଷେପ ନେଇଛନ୍ତି ଜଣାଇବାକୁ କହିଥିଲେ । ସଲିସିଟର ଜେନେରାଲ ମେହେଟ୍ଟାଙ୍କୁ ଅଧିକ ସମୟ ନେଇ ସରକାରଙ୍କ ପକ୍ଷରୁ ଏହା ଉପରେ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ । ସରକାର ସୁପ୍ରିମ କୋର୍ଟରେ ପୂର୍ବରୁ ଏକ ଦୁଇ ପୃଷ୍ଠିଆ ସତ୍ୟପାଠ ଦାଖଲ କରି ପେଗାସସ୍ ଗୁଇନ୍ଦାଗିରି ଅଭିଯୋଗରେ କୌଣସି ସତ୍ୟତା ନଥିବା ଏବଂ ଏହା ମିଡ଼ିଆର ଏକ ଅତିରଂଜନ ବୋଲି ସଫେଇ ଦେଇସାରିଛନ୍ତି । ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ଏବଂ ଜାତୀୟ ନିରାପତ୍ତା ଉପରେ ଏହାର ପ୍ରଭାବ ରହିଛି ବୋଲି ଦର୍ଶାଇ ସରକାର ଏକ ବିଶେଷଜ୍ଞ କମିଟି ଗଠନ ମାଧ୍ୟମରେ ଅଭିଯୋଗଗୁଡିକର ଯାଂଚ କରାଇବେ ବୋଲି ନିଷ୍ପତ୍ତି ନେଇଥିବା ଖଣ୍ଡପୀଠଙ୍କୁ ଜଣାଇ ଥିଲେ । ଆଜି ସୁପ୍ରିମ କୋର୍ଟଙ୍କ ପକ୍ଷରୁ ବିଧିବଦ୍ଧ ନୋଟିସ ଜାରି ହୋଇଛି । ସୁପ୍ରିମ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପେଗାସସ୍ ଗୁଇନ୍ଦାଗିରିର ତଦନ୍ତ କରାଯାଉ ବୋଲି ସୁପ୍ରିମ କୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିବା ଆବେଦନକାରୀଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ସାମ୍ବାଦିକ ଏନ.ରାମ୍, ଶଶି କୁମା, ‘ଏଡ଼ିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ’, ଅନ୍ୟ କିଛି ସାମ୍ବାଦିକ, ଆଇନଜୀବୀ ଓ ବ୍ୟକ୍ତିବିଶେଷ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS