ଆଫଗାନିସ୍ଥାନ ଛାଡି ପଳାଇଲେ ସେଂଟ୍ରାଲ ବ୍ୟାଙ୍କ ମୁଖ୍ୟ, ପରିସ୍ଥିତି ପାଇଁ ଦାୟି କଲେ ରାଷ୍ଟ୍ରପତିଙ୍କୁ
ପ୍ରସାଦ ରାଓ
ଅଗଷ୍ଟ ୧୭
ଆଫଗାନିସ୍ଥାନ ରାଜଧାନୀ କାବୁଲ ରବିବାର ଦିନ ତାଲିବାନୀ ଚରମପନ୍ଥୀଙ୍କ କବ୍ଜାକୁ ଯିବା ପୂର୍ବରୁ ରାଷ୍ଟ୍ରପତି ଅସରଫ୍ ଘନି ଦେଶ ଛାଡି ପଳାଇ ଥିଲେ । ସିଂଗାପୁରରୁ ମିଳିଥିବା ଏକ ଖବର ଅନୁଯାୟୀ ଆଫଗାନିସ୍ଥାନ ସେଂଟ୍ରାଲ ବ୍ୟାଙ୍କର ଆକ୍ଟିଂ ଗଭର୍ଣ୍ଣର ଅଜମଲ୍ ଅହମ୍ମଦୀ ମଧ୍ୟ ପରିସ୍ଥିତି ଦେଖି କାବୁଲ ଛାଡି ପଳାଇଛନ୍ତି । ଦେଶର ସୁରକ୍ଷା ବାହିନୀ ପକ୍ଷରୁ କୌଣସି ପ୍ରକାର ପ୍ରତିରୋଧ ନହୋଇ ଆଫଗାନିସ୍ଥାନକୁ ତାଲିବାନୀଙ୍କ ହାତରେ ସମର୍ପିର୍ ଦିଆଯିବା ପଛରେ ବଡ଼ ଷଡଯନ୍ତ୍ର ରହିଛି ବୋଲି ଅଜମଲ୍ ଅହମ୍ମଦୀ ଦେଶ ଛାଡିବା ପରେ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି । ଏଭଳି ଏକ ବିଶୃଙ୍ଖଳ ପରିସ୍ଥିତି ପାଇଁ ସେ ଆଫଗାନିସ୍ଥାନ ସୁରକ୍ଷା ବାହିନୀ, ପଳାତକ ରାଷ୍ଟ୍ରପତି ଅସରଫ୍ ଘନି ଏବଂ ତାଙ୍କ ଅନଭିଜ୍ଞ ପରାମର୍ଶଦାତାମାନଙ୍କୁ ଦାୟି କରିଛନ୍ତି । ଅଜମଲ୍ ଅହମ୍ମଦୀ ସୋମବାର ଦିନ ଯେଉଁ ଟ୍ୱିଟର୍ ହ୍ୟାଣ୍ଡଲରେ ନିଜ ପ୍ରତିକ୍ରିୟା ରଖିଛନ୍ତି ତାହା ତାଙ୍କର ଭେରିଫାଇଡ୍ ଆକାଉଂଟ୍ ଥିବା ବିଶ୍ୱ ବ୍ୟାଙ୍କ୍ ସୂତ୍ରରୁ ସୂଚନା ମିଳିଛି । ଏହି ଆକାଉଂଟ ମାଧ୍ୟମରେ ବିଶ୍ୱବ୍ୟାଙ୍କ ଅଧିକାରୀମାନେ ତାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି କୁହାଯାଉଛି । ଅହମ୍ମଦୀ ତାଙ୍କ ଟ୍ୱିଟର୍ ହ୍ୟାଣ୍ଡେଲରେ କହିଛନ୍ତି, ରବିବାର ସକାଳ ସାରା ସେ ବ୍ୟାଙ୍କରେ କାର୍ଯ୍ୟବ୍ୟସ୍ତ ଥିଲେ । ତେବେ, ଦିନ ସାରା ଯାହା ତାଲିବାନୀଙ୍କୁ ନେଇ ଯାହା ସବୁ ଖବର ଆସୁଥିଲା ସେସବୁ ଅତ୍ୟନ୍ତ ଚିନ୍ତାଜନକ ଥିଲା । ଆଫଗାନିସ୍ଥାନର ଜାତୀୟ ନିରାପତ୍ତା ବାହିନୀ ତାଲିବାନୀ ଚରମପନ୍ଥୀଙ୍କ ପ୍ରତିରୋଧ ନ କରି କିଭଳି ନିଜ ପୋଷ୍ଟ ସବୁ ଖାଲି କରି ପଳାଇଲେ, ତାହା ହିଁ ଚିନ୍ତା ଓ ଶଙ୍କାର କାରଣ ଥିଲା । ସେମାନେ କାବୁଲ ସହର ନିକଟତର ହେଲା ବେଳକୁ ଦେଶରେ ଆମେରିକୀୟ ଡ଼ଲାର ଯୋଗାଣରେ ଅସ୍ଥିରତା ଦେଖା ଦେଇ ୨୩ ପ୍ରତିଶତ ହ୍ରାସ ଘଟି ସାରି ଥିଲା । ସେ ଅତ୍ୟନ୍ତ ବିବ୍ରତ ଥିଲେ ଏବଂ ତଳିଆ ଅଧିକାରୀମାନଙ୍କୁ ବ୍ୟାଙ୍କ ଦାୟିତ୍ୱ ଦେଇ ଏକ ସାମରିକ ବିମାନରେ ଦେଶ ଛାଡି ଥିଲେ । ସହଯୋଗୀଙ୍କୁ ଛାଡି ଚାଲି ଆସିବା ଠିକ୍ ହେଲା ନାହିଁ ବୋଲି ସେ ଅନୁଭବ କରୁଥିବା କହିଛନ୍ତି । ତେବେ, ତାଲିବାନୀଙ୍କୁ ମୁକାବିଲା କରିବା ପାଇଁ ଦେଶର ନେତୃତ୍ୱ ନିକଟରେ ଉପଯୁକ୍ତ ଯୋଜନାର ନଥିବା ଦେଖି ବ୍ୟତିବ୍ୟସ୍ତ ହୋଇ ଦେଶ ଛାଡି ଥିବା ଅହମ୍ମଦୀ କହିଛନ୍ତି । ବିମାନ ବନ୍ଦରରେ ସେ ଆଫଗାନ୍ ନେତାମାନଙ୍କୁ ଦେଖି ଥିଲେ । କାହାକୁ ସୂଚିତ ନ କରି ସେମାନେ ପଳାୟନ କରୁଥିଲେ । ଆଫଗାନିସ୍ଥାନ ଜାତୀୟ ସୁରକ୍ଷା ବାହିନୀ ନିର୍ବିରୋଧରେ ତାଲିବାନୀଙ୍କୁ କାବୁଲ ସମର୍ପି ଦେବା ପଛରେ କିଛି ଗୋଟାଏ ଷଡଯନ୍ତ୍ର ଥିବା ସେ ସନ୍ଦେହ କରୁଛନ୍ତି ବୋଲି ୪୩ ବର୍ଷ ବୟସ୍କ ଅଜମଲ୍ ଅହମ୍ମଦୀ କହିଛନ୍ତି । ଅହମ୍ମଦୀ ଆଫଗାନ ସେଂଟ୍ରାଲ ବ୍ୟାଙ୍କର ମୁଖ୍ୟ ନିଯୁକ୍ତ ହେବା ପୂର୍ବରୁ ଆମେରିକୀୟ ଟ୍ରେଜେରୀ, ବିଶ୍ୱ ବ୍ୟାଙ୍କ ଏବଂ ଅନ୍ୟ ଘରୋଇ ଇକ୍ୱିଟି ସଂସ୍ଥାରେ କାର୍ଯ୍ୟ କରୁଥିଲେ । ବର୍ଷେ ତଳେ ସେ ଆଫଗାନ ସେଂଟ୍ରାଲ ବ୍ୟାଙ୍କ କାର୍ଯ୍ୟକାରୀ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ । ଅହମ୍ମଦୀ କହିଛନ୍ତି, ସେ ବ୍ୟବସାୟିକ ବିମାନରେ ଯାତ୍ରା ପାଇଁ ବୁକିଂ କରି ଥିଲେ ମଧ୍ୟ ସେଥିରେ ପୋକ ମାଛି ଭଳି ଯାତ୍ରୀଙ୍କ ଭିଡ଼ ଦେଖି ଏକ ସାମରିକ ବିମାନରେ ଚଢି ଥିଲେ । ସେଥିରେ ମଧ୍ୟ ପ୍ରବଳ ଭିଡ଼ ଥିଲା । ତେବେ, ତାଙ୍କ ସହଯୋଗୀମାନେ ପଛରୁ ଠେଲି ତାଙ୍କୁ ବିମାନରେ ପ୍ରବେଶ କରାଇବାରେ ସହଯୋଗ କରିଥିଲେ । ସେ କୁଆଡେ ଯାଉଛନ୍ତି କାହାକୁ କିଛି ଜଣାଇ ନଥିଲେ ବୋଲି ଅହମ୍ମଦୀ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS