ଦେଶରେ ଜାତି ଭିତ୍ତିରେ ଜନଗଣନା ଦାବି ତେଜୁଛି
ପ୍ରସାଦ ରାଓ
ଭୁବନେଶ୍ୱର
ଅଗଷ୍ଟ ୨୪
କେନ୍ଦ୍ର ସରକାର ସମ୍ବିଧାନର ୧୨୭ତମ ସଂଶୋଧନ କରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ନିଜ ନିଜ ଓବିସି ତାଲିକା ପ୍ରସ୍ତୁତି ପାଇଁ କ୍ଷମତା ପ୍ରଦାନ କରିବା ପରେ ଏବେ ଜାତି ଭିତ୍ତିକ ଜନଗଣନା କରାଯିବା ନେଇ କେନ୍ଦ୍ର ଉପରେ ଚାପ ବଢିବାରେ ଲାଗିଛି । ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡ଼ି) ପ୍ରଥମେ ଜାତି ଭିତ୍ତିରେ ଜନଗଣନା ପାଇଁ ଦାବି ଉଠାଇଛି । ଅଗଷ୍ଟ ୧୧ ତାରିଖ ଦିନ ବିଜେଡ଼ିର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ମିଳିତ ଭାବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଜାତି ଭିତ୍ତିରେ ଜନଗଣନା ଦାବି ଉପସ୍ଥାପନ କରି ଥିଲେ । ଗତକାଲି (ଅଗଷ୍ଟ ୨୩ ତାରିଖ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଦଶଟି ଦଳର ପ୍ରତିନିଧି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୋଟି ସମାନ ଦାବି ଉପସ୍ଥାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ କଥା ଶୁଣିଛନ୍ତି, ନିଷ୍ପତ୍ତି ତାଙ୍କ ଉପରେ ଛଡା ଯାଇଛି ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି ।
୧୯୩୧ ପରେ ଦେଶରେ ଆଉ ଜାତି ଭିତ୍ତିରେ ଜନଗଣନା ହୋଇ ନାହିଁ । ଫଳରେ, ଦେଶର ମୋଟ ଜନସଂଖ୍ୟାରେ କେଉଁ ଜାତିର ସଂଖ୍ୟା କେତେ ରହିଛି ତାହାର ସଠିକ ଚିତ୍ର କେନ୍ଦ୍ର ବା ରାଜ୍ୟ ସରକାରଙ୍କ ନିକଟରେ ନାହିଁ । ରାଜ୍ୟମାନେ ନିଜ ନିଜ ବାଟରେ ସର୍ଭେ କରାଉ ଥିଲେ ମଧ୍ୟ ସାମଗ୍ରିକ ଭାବେ ତଥ୍ୟର ଅଭାବରୁ ବଭିନ୍ନ ଉନ୍ନୟନ କାର୍ଯ୍ୟର ସୁଫଳ ଟାର୍ଗେଟ୍ ଗୃପ୍ ନିକଟରେ ପହଂଚି ପାରୁ ନାହିଁ ବୋଲି ରାଜ୍ୟମାନେ କହୁଛନ୍ତି । କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କ ଏକ ରାୟକୁ ଅକାମୀ କରିବା ସକାଶେ ସମ୍ବିଧାନରେ ୧୨୭ତମ ସଂଶୋଧନ କରିଛନ୍ତି ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ନିଜ ନିଜ ଓବିସି ତାଲିକା ପ୍ରସ୍ତୁତି ପାଇଁ କ୍ଷମତାଶଳୀ କରିଛନ୍ତି । ସେହିଭଳି ସରକାର ଜାତି ଭିତ୍ତିକ ଜନଗଣନା କରାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ସୁଫଳ ଠିକ୍ ଲୋକଙ୍କ ନିକଟରେ ପହଂଚିବା ବାଟ କରିବାକୁ ଓଡ଼ିଶା ଓ ବିହାର ସରକାରଙ୍କ ଆଡୁ ଦାବି ହୋଇଛି ।
ପେଗାସସ୍ ଗୁଇନ୍ଦାଗିରି ଉପରେ ତଦନ୍ତ ଦାବି କରି ସମସ୍ତ ବିରୋଧୀ ଦଳ ସଂସଦର ଗତ ପୂର୍ଣ୍ଣକାଳୀନ ମୌସୁମୀ ଅଧିବେଶନକୁ ଅଚଳ କରି ରଖି ଥିଲେ ମଧ୍ୟ ଓବିସିଙ୍କ ସ୍ଥାନ ସଂରକ୍ଷଣ ପ୍ରସଂଗରେ ସର୍ବସମ୍ମତ ଭାବେ ସରକାରଙ୍କୁ ସହଯୋଗ ଦେଇ ଲୋକସଭା ଓ ରାଜ୍ୟସଭାରେ ସମ୍ବିଧାନର ୧୨୭ତମ ସଂଶୋଧନ ବିଲ୍ ଗୃହୀତ କରାଇ ଥିଲେ । ଅଗଷ୍ଟ ୧୦ ତାରିଖ ଦିନ ଲୋକସଭାରେ ଓ ୧୧ ତାରିଖ ଦିନ ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି । ସରକାର ସଂସଦରେ ଓବିସି ବିଲ୍ ପାରିତ କରାଇ ଥିଲେ ମଧ୍ୟ ଶିକ୍ଷା, ନିଯୁକ୍ତି ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣର ସର୍ବାଧିକ ସୀମା ୫୦ ପ୍ରତିଶତକୁ ବଢାଇ ନାହାନ୍ତି । ଜାତି ଭିତ୍ତିକ ଜନଗଣନା ଦାବିକୁ ମଧ୍ୟ କେନ୍ଦ୍ର ସରକାର ଏଡାଇ ଯାଇଛନ୍ତି । ଫଳରେ, ରାଜ୍ୟମାନେ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ବୃଦ୍ଧି କରାଯିବା ଏବଂ ଜାତି ଭିତ୍ତିରେ ଜନଗଣନା କରାଯିବା ଦାବିକୁ ଦୋହରାଉଛନ୍ତି ।
ଦେଶରେ ସଂଖ୍ୟାଲଘୁ ଜାତି, ଜନଜାତି ଏବଂ ଓବିସି ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିଲେ ମଧ୍ୟ ତାହାର ସର୍ବାଧିକ ୫୦ ପ୍ରତିଶତରୁ ଅଧିକ ହୋଇ ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟଙ୍କ ରୁଲିଂ ରହିଛି । ତଥାପି, କିଛି ରାଜ୍ୟ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କରିଥିବା ଦେଖିବାକୁ ମିଳୁଛି । ମରାଠିମାନେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆ ଦର୍ଶାଇ ମହାରାଷ୍ଟ୍ର ସରକାର ସେମାନଙ୍କ ପାଇଁ ଯେଉଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ତାହା ୫୦ ପ୍ରତିଶତ ସୀମା ଟପି ଯାଉଥିବା ଦେଖି ସୁପ୍ରିମ କୋର୍ଟ ମହାରାଷ୍ଟ୍ର ସରକାରଙ୍କ ଘୋଷଣାକୁ ରଦ୍ଦ କରିଥିଲେ । ମରାଠିମାନେ ଶିକ୍ଷା ଓ ସାମାଜିକ ଦୃଷ୍ଟିରୁ ପଛୁଆ ନୁହନ୍ତି ବୋଲି କୋର୍ଟ ମନ୍ତବ୍ୟ ରଖିଛନ୍ତି ।
ସୁପ୍ରିମ କୋର୍ଟଙ୍କ ରୁଲିଂ ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାର ସଂରକ୍ଷଣ ସୀମାକୁ ୫୦ ପ୍ରତିଶତ ମଧ୍ୟରେ ରଖିବାକୁ ବାଧ୍ୟ ହେଉ ଥିବାରୁ ଏହି ରୁଲିଂକୁ ଅକାମୀ କରି ସ୍ଥାନ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ କରାଯିବାକୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ କେନ୍ଦ୍ର ନିକଟରେ ଦାବି କଲେଣି । ଆଜି ଓଡ଼ିଶା ବିଜୁ ଜନତା ଦଳର ଦୁଇ ଜଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ବିଜେଡ଼ି କାର୍ଯ୍ୟାଳୟରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଜାତି ଭିତ୍ତିକ ଜନଗଣନା ଏବଂ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ କରାଯିବା ନେଇ ଦଳର ଦାବିକୁ ଦୋହରାଇଛନ୍ତି । ଆଗକୁ ପଂଚାୟତ ଓ ସହରାଂଚଳ ନିର୍ବାଚନ ହେବାକୁ ଥିବାରୁ ଓଡ଼ିଶା ସରକାର ଏଭଳି ଦାବି ଉଠାଇ ଥିବା ବେଳେ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି ବିରୋଧୀ କହୁଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS