ସର୍ବଦଳୀୟ ବୈଠକରେ ସରକାର ଜଣାଇଲେ, ଅଗ୍ରାଧିକାର ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୨୬
କେନ୍ଦ୍ର ସରକାରଙ୍କ ଆହ୍ୱାନକ୍ରମେ ଆଜି ନୂଆଦିଲ୍ଲୀରେ ଆଫଗାନିସ୍ଥାନ୍ ପରିସ୍ଥିତିକୁ ନେଇ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ୩୧ଟି ବିରୋଧୀ ଦଳ ଭାଗ ନେଇଥିଲେ । ତାଲିବାନୀ ଚରମପନ୍ଥୀମାନେ ଅଗଷ୍ଟ ୧୫ ତାରିଖ ଦିନ କାବୁଲ ଦଖଲ କରି ନେବା ପରେ ସେଠାରେ ଯେଉଁ ଚରମ ଅରାଜକ ଚାଲିଛି ତାହା ଉପରେ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ବିରୋଧୀ ଦଳଙ୍କୁ ଅବଗତ କରାଇଛନ୍ତି । ଆଫଗାନିସ୍ଥାନରେ ଫସି ରହି ଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରିବା ସହ ତାଲିବାନୀ ଚରମପନ୍ଥୀଙ୍କ ନିର୍ଯ୍ୟାତନା ଭୟରେ ଯେଉଁମାନେ ଦେଶ ଛାଡି ପଳାଇବାକୁ ବ୍ୟାକୁଳ ହେଉଛନ୍ତି ସମସ୍ତଙ୍କୁ ମଧ୍ୟ ଉଦ୍ଧାର କରିବା ଭାରତର ପ୍ରାଥମିକତା ରହିଛି ବୋଲି ସଂସଦ ଭବନରେ ଆୟୋଜିତ ସର୍ବଦଳୀୟ ବୈଠକରେ ସରକାର ସୂଚନା ଦେଇଛନ୍ତି ।
ଆଫଗାନିସ୍ଥାନ ପରିସ୍ଥିତି ଉପରେ ଆଲୋଚନା ପାଇଁ ଏହି ସର୍ବଦଳୀୟ ବୈଠକ ଡାକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଦେଶିକ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଥିଲେ । ତାଲିବାନୀ ଚରମପନ୍ଥୀ ଗୋଷ୍ଠୀ ଆଫଗାନିସ୍ଥାନ୍ ଦଖଲ କରି ନେବା ପରେ ସେଠାରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ତାହା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଆଜି ବିରୋଧୀ ଦଳଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି । ସରକାରଙ୍କ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ପିୟୂଷ ଗୋୟେଲ ଓ କେନ୍ଦ୍ର ପାର୍ଲାମେଂଟାରୀ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବୈଠକରେ ଉପସ୍ଥିତ ଥିଲେ । ପ୍ରାୟ ୧୫ ହଜାର ଲୋକ ଆଫଗାନିସ୍ଥାନ୍ ଛାଡି ପଳାଇବାକୁ ସହାୟତା ମାଗି ଥିବା ବେଳେ ଭାରତ, ଆମେରିକା, ଚୀନ, ରୁଷିଆ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଦୃତ ଗତିରେ ଚାଲିଛି ।
ସମସ୍ତ ଭାରତୀୟଙ୍କୁ ନହେଲେ ମଧ୍ୟ ଅଧିକାଂଶଙ୍କୁ ଉଦ୍ଧାର କରାଗଲାଣି । କିଛି ଭାରତୀୟ ଗତକାଲି କାବୁଲରୁ ବାହାରି ଥିବା ବିମାନରେ ସ୍ଥାନ ପାଇ ନଥିଲେ । ତେବେ, ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ବୋଲି ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବିରୋଧୀ ଦଳଙ୍କୁ ଆଶ୍ୱସ୍ତ କରିଛନ୍ତି । କେନ୍ଦ୍ର ସରକାର ଏଥିସକାଶେ ଇ-ଭିସା ନୀତି ପ୍ରଚଳନ କରିଛନ୍ତି ବୋଲି କହିବା ସହ ଯଥାଶୀଘ୍ର ସମ୍ଭବ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ସରକାର ଅଂଗୀକାରବଦ୍ଧ ଥିବା କହିଛନ୍ତି ।
ଆଜିର ବୈଠକରେ କଂଗ୍ରେସ ପକ୍ଷରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ମଲ୍ଲିକାର୍ଜୁନ ଖାରଗେ, ଲୋକସଭାରେ ବିରୋଧୀ ଦଳ ନେତା ଥିବା ଅଧି ରଂଜନ ଚୌଧୁରୀଙ୍କ ସମେତ ଏନସିପି ମୁଖ୍ୟ ଶରଦ ପାୱାର, ଡ଼ିଏମକେ ନେତା ଟି.ଆର.ବାଲୁ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ (ଧର୍ମନିରପେକ୍ଷ) ନେତା ଏଚ.ଡି.ଦେବଗୌଡା, ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଜୟଶଙ୍କର ପ୍ରତିଶ୍ରୁତି ଦେଇଥିଲେ ଯେ, ଆଫଗାନିସ୍ଥାନରୁ ଯେତେ ଅଧିକ ସଂଖ୍ୟାରେ ଲୋକଙ୍କୁ ଉଦ୍ଧାର କରିବା ସମ୍ଭବ ହେବ, ତାହା କରାଯିବ । ତେବେ, ଫସି ରହି ଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଦେଶର ପ୍ରାଥମିକତା ରହିଛି । ଉଦ୍ଧାର କାର୍ଯ୍ୟକୁ ସୁସଂଯୋଜିତ କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୪୮ ଘଂଟା ମଧ୍ୟରେ ଜର୍ମାନ ଚାନସେଲର୍ ଆଂଜେଲା ମାର୍କେଲ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଏଦିଗରେ ଅନେକ କିଛି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି ।
ଆଫଗାନିସ୍ଥାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ଦେଶ ପାଇଁ ପ୍ରାଥମିକା ଥିଲେ ମଧ୍ୟ ଆଫଗାନବାସୀଙ୍କ ସହ ପରସ୍ପର ସ୍ୱାର୍ଥ ଜଡିତ ବିଷୟରେ ଦୀର୍ଘ ସ୍ଥାୟୀ ବନ୍ଧୁତ୍ୱ ସଂପର୍କର ପ୍ରତିଷ୍ଠା ମଧ୍ୟ ଆମର ଲକ୍ଷ୍ୟ ବୋଲି ଜୟଶଙ୍କର କହିବା ସହ ତାଲିବାନୀ ଗୋଷ୍ଠୀ କାବୁଲ ଦଖଲ ପରେ ଦୋହା ବୈଠକରେ ଆମେରିକାକୁ ଦେଇଥିବା ପ୍ରତିଶ୍ରୁତିର ଖିଲାଫ କରି ଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଛି ବୋଲି ବିରୋଧୀ ଦଳଙ୍କୁ ଅବଗତ କରାଇଛନ୍ତି । ରାଷ୍ଟ୍ରପତି ଅସରଫ ଘନିଙ୍କ ଇସ୍ତଫା ଏବଂ ଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରତିଷ୍ଠା ପାଇଁ ଆଲୋଚନା ଭିତରେ ଦୁଇ ସପ୍ତାହ ପାଇଁ ଯୁଦ୍ଧ ବିରତି ହେବ ବୋଲି ତାଲିବାନୀ ଗୋଷ୍ଠୀ ଆମେରିକାକୁ ଦୋହା ବୈଠକରେ ପ୍ରତିଶ୍ରୁତି ଦେଇଥିଲେ । ତେବେ, ଅଗଷ୍ଟ ୧୫ ତାରିଖ କାବୁଲ ଦଖଲ ପରେ ତାଲିବାନୀ ଚରମପନ୍ଥୀଙ୍କ ଆଡୁ କାବୁଲ ବିମାନ ବନ୍ଦରରେ ଯେଭଳି ଅରାଜକତା ସୃଷ୍ଟି ହୋଇଛି ତାହା ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଜଣାପଡିଛି ।
କାବୁଲରୁ ଭାରତକୁ ଦୈନିକ ମାତ୍ର ଦୁଇଟି ବିମାନ ଉଡାଣ ପାଇଁ ଅନୁମତି ମିଳିଛି । ରବିବାର ସୁଦ୍ଧା ୩୦୦ ଭାରତୀୟ ଓ ସମାନ ସଂଖ୍ୟାରେ ବିଦେଶୀଙ୍କୁ ଭାରତ ଉଦ୍ଧାର କରିଛି । ରବିବାର ଦିନ ଭାରତୀୟ ବିମାନ ବାହିନୀର ଏକ ସ୍ୱତନ୍ତ୍ର ବିମାନ ସମେତ ଅନ୍ୟ କେତେକ ବିମାନରେ ୧୦୭ ଜଣ ଭାରତୀୟଙ୍କୁ ମିଶାଇ ମୋଟ ୧୬୮ ଜଣଙ୍କୁ ଭାରତ ଅଣା ଯାଇଛି । ଏୟାର ଇଂଡ଼ିଆ, ଇଂଡ଼ିଗୋ ଏବଂ ଭିସ୍ତାରାର ବିମାନଗୁଡିକୁ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ତାଜକିସ୍ଥାନ ଓ କ୍ୱାତାର ଦେଇ ବିମାନଗୁଡିକ ଭାରତ ଫେରୁଛି । ତେବେ, କାବୁଲ ବିମାନ ବନ୍ଦର ଉଭୟ ତାଲିବାନୀ ଚରମପନ୍ଥୀ ଓ ଆମେରିକା ସୈନ୍ୟଙ୍କ ସମାନ୍ତରାଳ ଦଖଲରେ ଥିବାରୁ ଏବଂ କାବୁଲ ବିମାନ ବନ୍ଦର ଭିତରେ ଓ ବାହାରେ ଘୋର ଅରାଜକତା ଲାଗି ରହି ଥିବାରୁ ଉଦ୍ଧାର କାର୍ଯ୍ୟ ମନ୍ଥର ଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ, ଅଗଷ୍ଟ ୧୫ ତାରିଖ ଦିନ ତାଲିବାନ ଚରମପନ୍ଥୀ ନିର୍ବିରୋଧରେ କାବୁଲ ଦଖଲ କରିବା ଏବଂ ରାଷ୍ଟ୍ରପତି ଅସରଫ ଘନି ତାଲିବାନୀଙ୍କୁ ନିର୍ଯ୍ୟାତନାରୁ ବର୍ତ୍ତିବା ପାଇଁ ଦେଶ ଛାଡି ପଳାଇବା ପରେ ସମଗ୍ର ଆଫଗାନିସ୍ଥାନରେ ଅରାଜକତା ଲାଗି ରହିଛି । ତାଲିବାନୀ ଚରମପନ୍ଥୀ ନିଜର ପ୍ରତିଶ୍ରୁତି ବିପରୀତ ମାନବାଧିକାରର ଘୋର ଉଲଂଘନ କରୁଥିବାରୁ ଦେଶରେ ଫସି ରହିଥିବା ଭାରତୀୟ ଓ ଅନ୍ୟ ବିଦେଶୀ ନାଗରିକ କେବଳ ନୁହନ୍ତି, ଆଫଗାନ ନାଗରିକ ମଧ୍ୟ ତ୍ରାହି ତ୍ରାଡି ଡ଼ାକୁଛନ୍ତି । କାବୁଲ ବିମାନ ବନ୍ଦରରେ ଦେଶ ଛାଡି ପଳାଇବାକୁ ଚାହୁଁ ଥିବା ଲୋକଙ୍କ ଅସମ୍ଭବ ଭିଡ଼ ରହିଛି । ଏଭଳି ସ୍ଥିତିରେ ଆଫଗାନିସ୍ଥାନରେ ଫସି ରହି ଥିବା ଭରତୀୟଙ୍କୁ ନିରାପଦରେ ଦେଶକୁ ଫେରାଇ ଆଣିବା ସକାଶେ ଅଗଷ୍ଟ ୧୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସଂପର୍କିତ କ୍ୟାବିନେଟ କମିଟି (ସିସିଏସ୍) ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହି ଅନୁସାରେ ଉଦ୍ଧାର କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯାଇଛି । ଇତିମଧ୍ୟରେ କାବୁଲ ବିମାନ ବନ୍ଦରରେ ଦଳାଚକଟା ଯୋଗୁଁ ଅନ୍ୟୁନ ୨୦ ଜଣଙ୍କ ମୃତ୍ୟୁ ଘଟି ଥିବା ବିଦେଶୀ ସମ୍ବାଦ ସରବରାହ ସଂସ୍ଥାର ରିପୋର୍ଟରୁ ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS