ଆମେରିକା ରାଷ୍ଟ୍ରପତି କହିଲେ – ‘କାବୁଲ ବିସ୍ଫୋରଣରେ ଜଡିତ ଆତଙ୍କବାଦୀଙ୍କୁ ଖୋଜି ବାହାର କରିବୁ ଏବଂ କଠୋର ଦଣ୍ଡ ଦେବୁ…’


ପ୍ରସାଦ ରାଓ
ଅଗଷ୍ଟ ୨୭
ଅଗଷ୍ଟ ୧୫ ତାରିଖ ଦିନ କାବୁଲ ଦଖଲ ମାଧ୍ୟମରେ ସଂପୂର୍ଣ୍ଣ ଆଫଗାନିସ୍ଥାନକୁ ନିଜ କବ୍ଚାକୁ ନେଇଥିବା ତାଲିବାନୀ ଚରମପନ୍ଥୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଫଗାନ୍ ମାଟିରୁ ନିଜ ନିଜ ସୈନ୍ୟଙ୍କୁ ପ୍ରତ୍ୟାହାର କରି ନେବାକୁ ଆମେରିକା ଓ ଅନ୍ୟ ‘ନାଟୋ’ ଅନ୍ତର୍ଭୁକ୍ତ ରାଷ୍ଟ୍ରଙ୍କ ପାଇଁ ସମୟ ସୀମା ଧାର୍ଯ୍ୟ କରିଥିବା ବେଳେ ଗୁରୁବାର ରାତିରେ କାବୁଲ ବିମାନ ବନ୍ଦର ବାହାରେ ଘଟିଥିବା ଦୁଇଟି ମାନବ ବୋମା ବିସ୍ଫୋରଣ ଘଟଣା ସମଗ୍ର ବିଶ୍ୱକୁ ଚକିତ କରିଛି । ଗୁରୁବାର ରାତି ୭ଟା ୧୫ ମିନିଟ ଓ ୮ଟା ସମୟରେ କାବୁଲ ବିମାନ ବନ୍ଦର ବାହାରେ ଘଟ ଥିବା ଦୁଇଟି ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କ ସମେତ ଅନ୍ୟୁନ ୮୫ ଜଣଙ୍କ ମୃତ୍ୟୁ ଘଟିଛି । ୧୮ ଜଣ ଆମେରିକୀୟ ସୈନ୍ୟଙ୍କ ସମେତ ବହୁ ସଂଖ୍ୟାରେ ଶିଶୁ, ମହିଳା ଓ ଆଫଗାନୀ ନାଗରିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଦେଶ ତାଲିବାନୀଙ୍କ କବ୍ଚାକୁ ଚାଲି ଯିବା ପରେ ଆଫଗାନିସ୍ଥାନ ୨୦ ବର୍ଷ ତଳର ସେହି ଅନ୍ଧାରୀ ଶାସନ ଏବଂ ବର୍ବରତାର ସାମ୍ନା କରିବାକୁ ଯାଉଛି । ଆଫଗାନ୍ ବାସିନ୍ଦା ତାଲିବାନୀଙ୍କ ବର୍ବରତାର ଶିକାର ହେବା ଭୟରେ ଦେଶ ଛାଡି ପଳାଇବାକୁ କାବୁଲ ବିମାନ ବନ୍ଦର ଭିତରେ ଓ ବାହାରେ ହଜାର ହଜାର ସଂଖ୍ୟାରେ ଭିଡ ଜମାଇଛନ୍ତି । ସେମାନେ ଦେଶ ଛାଡିବା ଚାହୁଁ ନଥିବା ଆତଙ୍କବାଦୀ ଗୋଷ୍ଠୀ ଭିଡକୁ ଆତଙ୍କିତ କରିବା ଉଦେ୍ଦଶ୍ୟରେ ଗତକାଲି ମାନବ ବୋମା ବିସ୍ଫୋରଣ କରାଇ ଥିବା ସନ୍ଦେହ କରାଯାଉଛି । ତେବେ, ଏହି ବିସ୍ଫାରଣ ସହ ତାଲିବାନୀଙ୍କ ସଂପର୍କ ନାହିଁ ବୋଲି ତାଲିବାନୀ ଗୋଷ୍ଠୀ କହିଛନ୍ତି ।
ଆଫଗାନିସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଆମେରିକା ତାଲିବାନୀଙ୍କ ସହ କିପ୍ରକାର ଚୁକ୍ତି କରିଛି, ତାହା ମିତ୍ର ରାଷ୍ଟ୍ରମାନେ ମଧ୍ୟ ଜାଣନ୍ତି ନାହିଁ । ତରବରିଆ ଭାବେ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ଆମେରିକା ବିଶ୍ୱବ୍ୟାପୀ ସମାଲୋଚନାର ସାମ୍ନା କରୁଥିବା ବେଳେ କାବୁଲ ବିମାନ ବନ୍ଦର ବାହାରେ କାଲି ଘଟି ଥିବା ମାନବ ବୋମା ବିସ୍ଫୋରଣ ଆମରିକାର ଅଡୁଆ ବଢାଇଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ନିକୁ ପ୍ରତିପାଦିତ କରି ଆସି ଥିବା ଆମେରିକା ନିଜ ଦେଶର ସୈନ୍ୟଙ୍କ ମୃତାହତ ହୋଇ ଥିବାରୁ ଏବେ କି ପଦକ୍ଷେପ ନେବ ଦେଖିବା ପାଇଁ ସମଗ୍ର ବିଶ୍ୱ ଉତ୍ସୁକ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ୍ ଗତକାଲିର ବିସ୍ଫୋରଣ ପାଇଁ ଯେଉଁ ଇସଲାମିକ୍ ଆତଙ୍କବାଦୀ ସଂଗଠନ ଦାୟୀ ତାହାକୁ ଖୋଜି ବାହାର କରାଯିବ ଏବଂ ଅମାନବୀୟ କାର୍ଯ୍ୟରେ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ସେଥିପାଇଁ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି । ରାଷ୍ଟ୍ରପତି ବାଇଡେନ୍ ଗୁରୁବାର ରାତିରେ ହ୍ୱାଇଟ୍ ହାଉସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, କାବୁଲ ବିମାନ ବନ୍ଦର ବାହାରେ ଯେଉଁମାନେ ବିସ୍ଫୋରଣ ଘଟାଇଛନ୍ତି ଓ ଆମେରିକାର କ୍ଷତି କରିବାକୁ ଚାହିଁଛନ୍ତି ସେମାନଙ୍କୁ ଆମେରିକା କେବେ ହେଲେ କ୍ଷମା କରିବ ନାହିଁ । ବିସ୍ଫୋରଣ ସହ ସଂପୃକ୍ତ ଆତଙ୍କବାଦୀଙ୍କୁ ଖୋଜି ବାହାର କରାଯିବ ଓ ଉଚିତ ଦଣ୍ଡ ଦିଆଯିବ । ଆମେରିକା ଓ ତାହାର ନାଗରିକଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ସେ ନିଜ କ୍ଷମତାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
କାବୁଲ ବିମାନ ବନ୍ଦର ନିକଟରେ ଗୁରୁବାର ଘଟି ଥିବା ବିସ୍ଫୋରଣରେ ୧୩ରୁ ୨୦ ଜଣଙ୍କ ମୃତ୍ୟୁ ଘଟି ଥିବା ତାଲିବାନୀଙ୍କ ପକ୍ଷରୁ ଦାବି କରାଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ଅନ୍ୟୁନ ୮୫ ହେବ ବୋଲି ଆଫଗାନିସ୍ଥାନର ଜଣେ ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । କାବୁଲ ସହର ଦଖଲ କରିବା ପରେ ତାଲିବାନୀ ଗୋଷ୍ଠୀ ଆତଙ୍କବାଦୀ ସଂଗଠନ ହକାନୀ ନେଟୱାର୍କକୁ କାବୁଲର ସୁରକ୍ଷା ଦାୟିତ୍ୱ ଦେଇଛନ୍ତି । ହକାନୀ ନେଟୱାର୍କ ସହ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ସଂପର୍କ ମଧୁର, ଏହା ଜଣାଶୁଣା କଥା । ତେଣୁ, କାଲିର ବିସ୍ଫାରଣ ପଛରେ ପାକିସ୍ତାନର ହାତ ଥିବା ଅନେକ ସନ୍ଦେହ କରୁଛନ୍ତି । ତେବେ, ଆତଙ୍କବାଦୀ ସଂଗଠନ ଆଇଏସ୍ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟି କରିଛି । ହକାନୀ ନେଟୱାର୍କ ସନ୍ଦେହ ଘେରକୁ ଆସିବା କାରଣ ହେଉଛି, କାବୁଲ ସହର ତାଲିବାନୀଙ୍କ ହାତକୁ ଯିବା ପରେ ଦେଶ ଛାଡି ପଳାଇବାକୁ ଚାହୁଁ ଥିବା ଆଫଗାନ୍ ନାଗରିକଙ୍କୁ ରୋକିବା ସକାଶେ ବିମାନ ବନ୍ଦର ରାସ୍ତାରେ ଏକାଧିକ ଚେକ୍ ପୋଷ୍ଟ୍ ହୋଇଛି । ଚେକ୍ ପୋଷ୍ଟ୍ ଗୁଡିକୁ ଅତିକ୍ରମ କରିବାକୁ ହେଲେ ସମସ୍ତଙ୍କୁ କଡାକଡି ଯାଂଚର ସାମ୍ନା କରିବାକୁ ପଡୁଛି । ତାଲିବାନୀ ଓ ହକାନୀ ନେଟୱାର୍କର ସୁରକ୍ଷା ବ୍ୟବସ୍ଥା ଏତେଦୂର କଡାକଡି ଥିବା ବେଳେ ଆତଙ୍କବାଦୀଙ୍କ ମାନବ ବୋମା ସେମାନଙ୍କ ନଜରକୁ ଏଡାଇ କେମିତି କାବୁଲ ବିମାନ ବନ୍ଦର ନିକଟରେ ପହଂଚିଲା ଏବଂ ଦୁଇ ଦୁଇଟି ବିସ୍ଫୋରଣ ଘଟାଇଲା (?), ତାହା ଆଜି ଦିନରେ ବଡ଼ ପ୍ରଶ୍ନ ହୋଇଛି ।
ଆତଙ୍କବାଦୀ ସଂଗଠନ ଆଇଏସ୍ ସହ ସେମାନଙ୍କ ସଂପର୍କ ନାହିଁ ବୋଲି ତାଲିବାନୀ ତାଲିବାନୀ କହୁଥିଲେ ମଧ୍ୟ ବିଶ୍ୱବାସୀ ତାହା ବିଶ୍ୱାସ କରିବାକୁ ପ୍ରସ୍ତୁତ ନାହାନ୍ତି । ଅଗଷ୍ଟ ୩୧ ତାରିଖ ଡେଡ୍ ଲାଇନ୍ ଥିବାରୁ ଆମେରିକା ଓ ନାଟୋ ରାଷ୍ଟ୍ରମାନେ ଯୁଦ୍ଧକାଳୀନ ଭିତ୍ତିରେ ଆଫଗାନିସ୍ଥାନ ମାଟିରୁ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଚଳାଇ ଥିବା ବେଳେ ଗୁରୁବାର ରାତିରେ ଘଟି ଥିବା ମାନବ ବୋମା ବିସ୍ଫୋରଣ ଏବଂ ବିସ୍ଫୋରଣରେ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟକୁ ବିଳମ୍ବିତ କରିବା ସମ୍ଭାବନା ସୃଷ୍ଟି ହୋଇଛି । ଗତକାଲିର ବିସ୍ଫୋରଣ ଘଟଣାକୁ ଭାରତ ସମତେ ବିଭିନ୍ନ ରାଷ୍ଟ୍ର ନିନ୍ଦା କରିଛନ୍ତି । ଅଗଷ୍ଟ ୧୫ ତାରିଖରୁ ଗତକାଲି ସୁଦ୍ଧା ଆମେରିକା ନେତୃତ୍ୱରେ ୯୫ ହଜାର ଆଫଗାନ୍ ଓ ବିଦେଶୀ ନାଗରିକଙ୍କୁ କାବୁଲରୁ ସୁରକ୍ଷିତ ଭାବେ ଅନ୍ୟ ଦେଶକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆହୁରି ୪୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ଟାର୍ଗେଟ୍ ରହିଛି । ଏବେ ଆମେରିକା ଓ ବ୍ରିଟେନର ୭ ହଜାର ସୈନ୍ୟ କାବୁଲ ବିମାନ ବନ୍ଦରକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ଇତିମଧ୍ୟର ବ୍ରିଟେନ ୧୩,୭୦୦ରୁ ଅଧିକ ବ୍ରିଟିଶ ଓ ଆଫଗାନ୍ ନାଗରିକଙ୍କୁ କାବୁଲରୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଜଣାପଡିଛି । ୧୯୪୯ର ବେରଲିନ୍ ଏୟାରଲିଫ୍ଟ୍ ପରେ ବିଟିଶ ବିମାନ ବାହିନୀର ଏହା ହେଉଛି ଦ୍ୱତୀୟ ବଡ଼ ଧରଣର ଏୟାରଲିପ୍ଟ୍ ବୋଲି ବ୍ରିଟିଶ ସରକାର ଦାବି କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS