ବାଇଡ଼େନଙ୍କ ବଦଲା ! ଡ୍ରୋନ୍ ଆକ୍ରମଣରେ ଆଇଏସ୍ ଷଡଯନ୍ତ୍ରକାରୀ ନିପାତ..
ପ୍ରସାଦ ରାଓ
ଅଗଷ୍ଟ ୨୮
କାବୁଲ ବିମାନ ବନ୍ଦର ଫାଟକ ନିକଟରେ ଗୁରୁବାର ରାତରେ ହୋଇଥବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୯୨ରେ ପହଂଚିଛି । ମୃତକଙ୍କ ମଧ୍ୟରେ ଆମେରିକାର ୧୩ ଜଣ ସୈନ୍ୟ ଅଛନ୍ତି । ଶତାଧିକ ଆହତ ହୋଇଛନ୍ତି । ଆଇଏସ୍ ଆତଙ୍କବାଦୀ ଆମେରିକୀୟ ସୈନ୍ୟଙ୍କୁ ଟାର୍ଗେଟ୍ କରି ଏହି ଆତ୍ମଘାତୀ ବୋମା ବିସ୍ଫୋରଣ କରାଇବା ଆମେରିକାକୁ କ୍ଷୁବ୍ଧ କରିଛି । ବିସ୍ଫୋରଣରେ ସଂପୃକ୍ତ ଆତଙ୍କବାଦୀଙ୍କୁ ଖୋଜି ବାହାର କରାଯିବ ଏବଂ ଉଚିତ ଦଣ୍ଡ ଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଗୁରୁବାର ରାତିରେ ଘୋଷଣା କରିବା ପରେ ଶୁକ୍ରବାର ରାତିରେ ଆମେରିକା ସେନାର ସେଂଟ୍ରାଲ କମାଣ୍ଡ କାବୁଲର ପୂର୍ବ ଓ ପାକିସ୍ତାନ ସୀମାନ୍ତରେ ଥିବା ନଂଗରହାର ପ୍ରଦେଶରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରି ସନ୍ଦିଗ୍ଧ ମୁଖ୍ୟ ଷଡଯନ୍ତ୍ରକାରୀକୁ ନିପାତ କରିଛନ୍ତି ।
ମଧ୍ୟପ୍ରାଚ୍ୟରୁ ଏକ ରିପର୍ ଡ୍ରୋନ୍ ମାଧ୍ୟମରେ ଆମେରିକୀୟ ସେନା ଟାର୍ଗେଟ୍ ଉପରେ ଆକ୍ରମଣ କରିଥିଲେ । କାବୁଲ ମାନବ ବୋମା ବିସ୍ଫୋରଣରେ ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ଆଇଏସ୍ ଆତଙ୍କବାଦୀ ଜଣକ ଅନ୍ୟ ଜଣେ ସହଯୋଗୀଙ୍କ ସହ ଏକ କାରରେ ଯାଉଥିବା ବେଳେ ଡ୍ରୋନ୍ ଆକ୍ରମଣରେ ଦୁହିଁଙ୍କ ମୃତ୍ୟୁ ଘଟି ଥିବା କୁହାଯାଉଛି । ତେବେ, ଡ୍ରୋନ୍ ଆକ୍ରମଣରେ ତିନି ଜଣ ମରିଛନ୍ତି ଓ ୪ ଜଣ ଆହତ ହୋଇଛନ୍ତି ବୋଲି ଜଲାଲାବାଦର ମାଲିକ ଆବିଦ ନାମକ ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି । କାବୁଲ ବିମାନ ବନ୍ଦର ବାହାରେ ଗୁରୁବାର ରାତିରେ ଘଟି ଥିବା ମାନବ ବୋମା ବିସ୍ଫୋରଣରେ ଆଇଏସଆଇଏସ-ଖୁରାସାନ ଗୋଷ୍ଠୀ ସଂପୃକ୍ତ ଥିବା ନିଜ ଆଡୁ ଦାବି କରିବା ପରେ ଆମେରିକା ଏହି ଡ୍ରୋନ୍ ଆକ୍ରମଣ କରିଛି ।
ତାଲିବାନ ପକ୍ଷରୁ ମଧ୍ୟ ଆଇଏସ୍ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟକୁ ଗିରଫ କରାଯାଇ ଜେରା କରାଯାଉଛି ବୋଲି ଜଣେ ତାଲିବାନୀ କମାଂଡର ସୂଚନା ଦେଇଛନ୍ତି । ଶୁକ୍ରବାର ମଧ୍ୟରାତ୍ରୀରେ ଆମେରିକା ଆଡୁ ଯାହାକୁ ଟାର୍ଗେଟ୍ କରାଯାଇ ଡ୍ରୋନ୍ ଆକ୍ରମଣ ହୋଇଛି ସଂପୃକ୍ତ ବ୍ୟକ୍ତି କାବୁଲ ବିମାନ ବନ୍ଦରରେ ଘଟି ଥିବା ମାନବ ବୋମା ବିସ୍ଫୋରଣ ଘଟଣା ସହ ସିଧାସଳଖ ସଂପୃକ୍ତ କି ନୁହଁ, ତାହା ଆମେରିକା ସ୍ପଷ୍ଟ କରି ନାହିଁ । ଶୁକ୍ରବାର ମଧ୍ୟରାତ୍ରୀରେ ଆମେରିକାର ଡ୍ରୋନ୍ ଆକ୍ରମଣ ପରେ ନଂଗରହାରର ରାଜଧାନୀ ଜଲାଲାବାଦରୁ ମିଳିଥିବା ଖବର ଅନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରୀରେ ଘନ ଘନ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା ବୋଲି ସେଠାକର ଅଧିବାସୀମାନେ କହିଛନ୍ତି । ଏହା ବିମାନ ଅକ୍ରମଣ ବା ଏୟାର ଷ୍ଟାଇକ୍ ଥିଲା ବୋଲି ସେମାନେ କହୁଥିଲେ ମଧ୍ୟ ତାହା ଆମେରିକାର ଡ୍ରୋନ୍ ଆକ୍ରମଣ ଥିଲା କି ଅନ୍ୟ କିଛି ଠିକ୍ ଭାବେ ଜାଣନ୍ତି ନାହିଁ ବୋଲି କହିଛନ୍ତି ।
ପାକିସ୍ତାନ ସୀମାନ୍ତରେ ଆଇଏସ୍ ଟାର୍ଗେଟ୍ ଉପରେ ଆମେରିକାର ଡ୍ରୋନ୍ ଆକ୍ରମଣ ପରେ କାବୁଲ ବିମାନ ବନ୍ଦର ପ୍ରତି ବିପଦ ବହୁଗୁଣରେ ବଢି ଯାଇଛି । ଆଇଏସ ଆତଙ୍କବାଦୀଙ୍କ ପକ୍ଷରୁ କାବୁଲ ବିମାନ ବନ୍ଦର ନିକଟରେ ଅଧିକ ଆତ୍ମଘାତୀ ଆକ୍ରମଣର ଆଶଙ୍କା କରାଯାଉଛି । ଆମେରିକୀୟ ନାଗରିକମାନେ କାବୁଲ ବିମାନ ବନ୍ଦରଠାରୁ ଦୂରେଇ ରହିବାକୁ ଆମେରିକା ଦୂତାବାସ ପକ୍ଷରୁ ଚେତାବନୀ ଦିଆଯାଇଛି । ଆମେରିକା ଓ ନାଟୋ ରାଷ୍ଟ୍ରମାନେ ଆଫଗାନିସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିବା କାର୍ଯ୍ୟ ଚୂଡାନ୍ତ ସ୍ତରରେ ଥିବା ବେଳେ ଆମେରିକୀୟ ଡ୍ରୋନ୍ ଆକ୍ରମଣ ଦ୍ୱାରା ତାହା ପ୍ରଭାବିତ ହେବା ଆଶଙ୍କା ରହିଛି । ଦୁଇ ସପ୍ତାହ ମଧ୍ୟରେ ଆମେରିକା ୧ ଲକ୍ଷ ୧୧ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ କାବୁଲରୁ ଉଦ୍ଧାର କରିଥିବା ବେଳେ ଆହୁରି ଅନେକ ଉଦ୍ଧାର ଅପେକ୍ଷାରେ ଅଛନ୍ତି । ଅସନ୍ତା ଦୁଇ ଦିନ ପରିସ୍ଥିତି ଅଧିକ ବିପଜ୍ଜନକ ରହିବ ବୋଲି ପେଂଟାଗନରେ ଆମେରିକୀୟ ମୁଖପାତ୍ର ଜନ୍ କିରବି କହିଛନ୍ତି ।
କାବୁଲ ବିମାନ ବନ୍ଦର ଅସୁରକ୍ଷିତ ଥିବାରୁ ଆମେରିକୀୟ ନାଗରିକମାନେ ବିମାନ ବନ୍ଦରଠାରୁ ଦୂରେଇ ରହିବାକୁ ଏବଂ ଯେଉଁମାନେ ବିମାନ ବନ୍ଦର ନିକଟରେ ଅଛନ୍ତି ସେମାନେ ତୁରନ୍ତ ସେହି ସ୍ଥାନ ଛାଡି ଚାଲି ଯିବାକୁ କାବୁଲରେ ଥିବା ଅମେରିକୀୟ ଦୂତାବାସ ଚେତାଇ ଦେଇଥିବା ସୂଚନା ମିଳିଛି । ଆମେରିକା ଓ ତାହାର ସହଯୋଗୀ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ଥାନରୁ ନିଜର ସମସ୍ତ ସୈନ୍ୟଙ୍କୁ ପ୍ରତ୍ୟାହାର କରି ନେବାକୁ ତାଲିବାନୀ ଶସନ ସମୟ ସୀମା ଧାର୍ଯ୍ୟ କରି ଥିବା ଦୃଷ୍ଟିରୁ ମଙ୍ଗଳବାର ସୁଦ୍ଧା ଉଦ୍ଧାର କାର୍ଯ୍ୟ ସାରିବାକୁ ସମସ୍ତେ ବ୍ୟଗ୍ର । ୨୦ରୁ ଅଧିକ ପାଶ୍ଚାତ୍ୟ ରାଷ୍ଟ୍ର ସେମାନଙ୍କ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ସାରିଲେଣି । ବି୍ରଟେନ କାଲି ସୁଦ୍ଧା ଏହା ଶେଷ କରିବ ବୋଲି ବ୍ରିଟିଶ ସେନା ମୁଖ୍ୟ ସୂଚନା ଦେଇଛନ୍ତି । ତେବେ, ଅନ୍ୟ ପାଶ୍ଚିତ୍ୟ ରାଷ୍ଟ୍ରଙ୍କ ଭଳି ବ୍ରିଟେନ ମଧ୍ୟ କାବୁଲରେ ଫସି ରହିଥିବା ସମସ୍ତଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇ ନାହିଁଁ ବୋଲି ସେ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS