ଭବାନୀପୁର ଉପ ନିର୍ବାଚନ, ମମତାଙ୍କ ସହ ଲଢିବେ ବିଜେପିର ପ୍ରିୟଙ୍କା ଟୁବରୱାଲ
ପ୍ରସାଦ ରାଓ
ସେପ୍ଟେମ୍ବର ୧୦
ସେପ୍ଟେମ୍ବର ୩୦ ତାରିଖ ଦକ୍ଷିଣ କୋଲକାତାର ଭବାନୀପୁର ବିଧାନସଭା ଆସନରେ ହେବାକୁ ଥିବା ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ରହିବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ଆଇନ ପରାମର୍ଶଦାତା ପ୍ରିୟଙ୍କା ଟୁବରୱାଲ । ଆଜି ଏହି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ବାନାର୍ଜୀ ଭବାନୀପୁର ଆସନରୁ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ପ୍ରାର୍ଥୀ ହେଉଥିବା ଗତ ରବିବାର ଦିନ ଟିଏମସି ପକ୍ଷରୁ ଘୋଷଣା ସରିଛି । ଗତ ମାର୍ଚ୍ଚ-ଏପ୍ରିଲରେ ହୋଇଥିବା ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ପ୍ରିୟଙ୍କା ବିଜେପିର ବିଧାନସଭା ପ୍ରାର୍ଥୀ ଥାଇ ଶାସକ ଟିଏମସି ନିକଟରୁ ପରାଜିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଗତ ବିଧାନସଭା ନିର୍ବାଚନରେ ତାଙ୍କ ଗଡ଼ କୁହାଯାଉଥିବା ଭବାନୀପୁର ଆସନରୁ ନିର୍ବାଚନ ନଲଢି ବିଜେପି ଚାପରେ ନନ୍ଦିଗ୍ରାମ ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ଥିଲେ । ତେବେ, ନିର୍ବାଚନରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ଶୁଭେନ୍ଦୁ ଏବେ ପଶ୍ଚିମ ବଂଗ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି । ମମତା ନିର୍ବାଚନ ହାରି ସୁଦ୍ଧା ଟିଏମସିକୁ ବିପୁଳ ବିଜୟ ଦେଇ ଲଗାତର ତୃତୀୟ ଥର ପାଇଁ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ମମତାଙ୍କୁ ଛଅ ମାସ ମଧ୍ୟରେ ରାଜ୍ୟର କୌଣସି ଏକ ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିବ । ତେଣୁ, ଗତ ବିଧାନସଭା ନିର୍ବାଚନରେ ଭାବନୀପୁର ଆସନରୁ ନିର୍ବାଚିତ ହୋଇଥିବା ଟିଏମସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ମେ’ ୨ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମେ’ ୨୧ରେ ବିଧାୟକ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆସନ ଖାଲି କରିଥିଲେ । ୩୦ ତାରିଖ ପଶ୍ଚିମ ବଂଗ ଭବାନୀପୁର ବିଧାନସଭା ଆସନ ସହ ଅନ୍ୟ ଦୁଇଟି ଆସନ ମୁର୍ଶିଦାବାଦ ଜିଲ୍ଲାର ସମସେରଗଂଜ ଓ ଜଂଗିପୁରରେ ମଧ୍ୟ ଉପ ନିର୍ବାଚନ ହେବ । ଭବାନୀପୁର ଆସନରୁ ବିଜେପି ପ୍ରାର୍ଥୀ ହେଉଥିବା ପ୍ରିୟଙ୍କା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋଙ୍କ ପରାମର୍ଶକ୍ରମେ ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଭବାନୀପୁର ବିଧାନସଭା ଉପ ନିର୍ବାଚନରେ ଟିଏମସିର ପ୍ରାର୍ଥୀ ଥିବାରୁ ଏହି ଆସନ ଉଭୟ ଟିଏମସି ଓ ବିରୋଧୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଭବାନୀପୁର ଆସନରେ ସିପିଆଇ (ଏମ)ର ଶ୍ରୀଜୀବ ବିଶ୍ୱାସ ବାମ ସାମ୍ମୁଖ୍ୟ ପ୍ରାର୍ଥୀ ଘୋଷିତ ହୋଇଥିବା ବେଳେ ସମସେରଗଂଜ ଆସନରେ ସିପିଆଇ (ଏମ)ର ମହମ୍ମଦ ମୁଦାସର ହୋସେନ ଓ ଜଂଗିପୁର ଆସନରେ ଆରଏସପିର ଜାନେ ଆଲମ ମିଆଁ ବାମ ସାମ୍ମୁଖ୍ୟ ପ୍ରାର୍ଥୀ ହେଉଥିବା ବୁଧବାର ଘୋଷଣା ହୋଇଛି । ଭାରତୀୟ ନିର୍ବାଚନ ଆୟୁକ୍ତ ସେପ୍ଟେମ୍ବର ୬ ତାରିଖ ଦିନ ପଶ୍ଚିମ ବଂଗର ଏହି ତିନିଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରିଥିଲେ । ସେପ୍ଟେମ୍ବର ୧୩ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଥିବା ବେଳେ ଅକ୍ଟୋବର ୩ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ । ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ବା ବାମପନ୍ଥୀ କାହାକୁ ପ୍ରାର୍ଥୀ କରୁଛନ୍ତି ତାହାର କୌଣସି ଗୁରୁତ୍ୱ ନାହିଁ । ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ଟିଏମସି ଓ ବିଜେପି ମଧ୍ୟରେ ହେବ ବୋଲି ଆଜି ବିଜେପି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ କୋଲକାତାରେ କହିଛନ୍ତି । ପଶ୍ଚିମ ବଂଗ ଜନସାଧାରଣ ମନ ସ୍ଥିର କରି ସାରିଛନ୍ତି । ତେଣୁ, ଅନ୍ୟ ଦଳର ଯେକେହି ପ୍ରାର୍ଥୀ ହୁଅନ୍ତୁ ନା କାହିଁକି ବିଧାନସଭାକୁ ଯିବା ଦୂର କଥା, ୧୦ରୁ ୧୫ ହଜାର ଭୋଟରେ ସୀମିତ ରହି ଯିବେ ବୋଲି ଘୋଷ ମନ୍ତବ୍ୟ ଦେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଗତ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ହୋଇଥିବା ଆଠ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ପଶ୍ଚିମ ବଂଗରେ ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ଟିଏମସି ଓ ବିଜେପି ମଧ୍ୟରେ ରହି ଥିଲା । ପଶ୍ଚିମ ବଂଗ ଦଖଲ ପାଇଁ ବିଜେପି ସମସ୍ତ ପ୍ରୟାସ କରି ମଧ୍ୟ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ରଣନୀତି ନିକଟରେ ପରାସ୍ତ ହୋଇଥିଲା । ଏହାକୁ ନେଇ ବିଜେପି ଓ ଟିଏମସିର ସଂପର୍କ ତୀକ୍ତ ରହିଛି । ମମତା ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଜେପି ବିରୋଧରେ ଜାତୀୟସ୍ତରରେ ଏକ ବିରୋଧୀ ରାଜନୈତିକ ମେଂଟ ଗଠନ ପ୍ରାୟାସରେ ଅଛନ୍ତି । ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ମମତାଙ୍କ ରଣନୀତିକାର ଥିବା ପ୍ରଶାନ୍ତ କିଶୋର କଂଗ୍ରେସ ସମେତ ଅନ୍ୟ ଅଣ ବିଜେପି ବିରୋଧୀ ଦଳଙ୍କ ସହ ଯୋଗସୂତ୍ର ରକ୍ଷା କରି ମମତାଙ୍କ ଏହି ସ୍ୱପ୍ନ ସାକାର କରିବା ଉଦ୍ୟମରେ ଅଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS