ୟୁପିରେ ଯୋଗୀ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବେ !
ପ୍ରସାଦ ରାଓ
ସେପ୍ଟେମ୍ବର ୦୯
କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ୨୦୨୦ ନଭେମ୍ବରରୁ ଦିଲ୍ଲୀ ସୀମାନ୍ତରେ ଚାଷୀ ଆନ୍ଦୋଳନ ଚାଲିଛି । ପଂଜାବ, ହରିୟାନା, ୟୁପି, ରାଜସ୍ଥାନ, ମଧ୍ୟ ପ୍ରଦେଶ ପ୍ରଭୃତି ରାଜ୍ୟର ଚାଷୀ ଦୀର୍ଘ ମାସ ହେଲା ଆନ୍ଦୋଳନ ଜାରି ରଖିଛନ୍ତି । ନୂଆ କୃଷି ଆଇନ ପ୍ରତ୍ୟାହାର ହେବା ପ୍ରଶ୍ନ ଉଠୁ ନାହିଁ ବୋଲି କେନ୍ଦ୍ର ସରକାର ଜିଦ୍ ରେ ଅଟଳ ଥିବା ବେଳେ ଚାଷୀ ମଧ୍ୟ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବାକୁ ମନ ସ୍ଥିର କରି ଥିବାରୁ ଆନ୍ଦୋଳନ ପ୍ରସମିତ ହେବା ଦୂରେ ଥାଉ, ଅଧିକ ପ୍ରଜ୍ୱଳିତ ହେବାରେ ଲାଗିଛି । ଏଭଳି ପ୍ରତିକୂଳ ପରିସ୍ଥିତିରେ ୨୦୨୨ରେ ପଂଜାବ, ୟୁପି ଗୁଜରାଟ ପ୍ରଭୃତି ସାତଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ନିର୍ବାଚନରେ ବିଜେପିକୁ ହରାଇ କେନ୍ଦ୍ର ସରକାରଙ୍କୁ ଉଚିତ ଶିକ୍ଷା ଦେବାକୁ ଆନ୍ଦୋଳନକାରୀ ଚାଷୀ ସଂଗଠନମାନେ ମିଳିତ ଭାବେ ଘୋଷଣା କରି ସରକାରଙ୍କ ପ୍ରତି ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି ।
ଇତିମଧ୍ୟରେ ୟୁପି, ହରିୟାନା ସମେତ ବିଭିନ୍ନ ରାଜ୍ୟରେ ଚାଷୀଙ୍କ ଉପରେ ପୁଲିସ ଓ ପ୍ରଶାସନର ଜୁଲମ ବଢିଥିବା ଖବର ଆସୁଛି । ଆନ୍ଦୋଳନକାରୀ ଚାଷୀଙ୍କୁ ଦମନ କରିବା ସକାଶେ ବିଜେପି ଶାସିତ ହରିୟାନାର କର୍ଣ୍ଣଲଠାରେ ନିକଟରେ ପୁଲିସର ଲାଠି ମାଡ଼ ହୋଇଛି । ପୁଲିସ ମାଡ଼ରେ ରକ୍ତାକ୍ତ ଚାଷୀଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ବହୁ ଚାଷୀ ଗୁରୁତର ଆହତ ହୋଇଛନ୍ତି । ଲାିଂଚାର୍ଜ ପାଇଁ ପୁଲିସକୁ ନିର୍ଦେଶ ଦେଇଥିବା କର୍ଣ୍ଣଲ ଏସଡ଼ିଏମଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀ ସଂଗଠନ ସବୁ ଦାବୀ କରୁଥିବା ବେଳେ ହରିୟାନା ସରକାର ଏସଡ଼ିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ରୋକଠୋକ୍ ଜଣାଇଛନ୍ତି । ବିଜେପି ଶାସିତ ରାଜ୍ୟରେ ସରକାର ଓ ଚାଷୀଙ୍କ ମଧ୍ୟରେ ଯେଉଁ ମୁହାଁମୁହିଁ ଅବସ୍ଥା ରହିଛି ତାହା ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି କରିଛି ।
ଏହାଛଡା, ଦେଶରେ ପେଟ୍ରୋଲିୟମଜାତ ସାମଗ୍ରୀ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ବୃଦ୍ଧି ପାଇବା ଜନଅସନ୍ତୋଷର କାରଣ ହୋଇଛି । ଦେଶରେ ବେକାର ସମସ୍ୟା ଅନିୟନ୍ତ୍ରିତ ରହିଛି । ସରକାରଙ୍କ କୋଭିଡ଼ ପରିଚାଳନାକୁ ନେଇ ମଧ୍ୟ ଜନତା ସନ୍ତୁଷ୍ଟ ନୁହନ୍ତି । କେଭିଡ଼ ପରିସ୍ଥିତିରେ ଦେଶର ଅର୍ଥନୀତି ଉଜୁଡ଼ିଛି । ଅର୍ଥନୀତିକୁ ସଜାଡିବା ନାମରେ ସରକାର ନିଜ ସଂପତ୍ତିର ଘରୋଇକରଣ କରି କର୍ପୋରେଟ୍ ସଂସ୍ଥାଙ୍କ ହାତରେ ତାହା ଟେକି ଦେବାର ଯୋଜନା କଲେଣି । ଏଭଳି ଅନେକ କିଛି ରହିଛି ଯାହାକି କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ପାଇଁ ୨୦୨୨ ବିଧାନସଭା ନିର୍ବାଚନରେ ଅଡୁଆ ହେବାକୁ ଯାଉଛି । ବିଶେଷକରି, ଫେବୃୟାରୀ ଆଡକୁ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନରେ । ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭା ପାଇଁ ଫେବୃୟାରୀରେ ନିର୍ବାଚନ ହେବା ସମ୍ଭାବନା ଅଧିକ । କାରଣ, ମାର୍ଚ୍ଚରେ ସରକାରଙ୍କ କାର୍ଯ୍ୟକାଳ ସରିବ ।
୨୦୧୭ରେ ହୋଇଥିବା ୟୁପି ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମେଂଟ ଏନଡ଼ିଏ ୪୦୩ ବିଧାନସଭା ଆସନରୁ ୩୨୪ଟିରେ ବିଜୟୀ ହୋଇ ବଡ ସଫଳତା ହାସଲ କରିଥିଲା । ଅଖିଳେଶ ଯାଦବଙ୍କ ନେତୃତ୍ୱରେ ପରିଚାଳିତ ସମାଜବାଦୀ ପାର୍ଟି (ଏସପି) ମାତ୍ର ୫୪ଟି ଆସନ ପାଇ ଦ୍ୱିତୀୟ ସ୍ଥାନରେ ରହି ଥିଲା । ମାୟାବତୀଙ୍କ ବିଏସପିକୁ ମାତ୍ର ୧୯ ଓ କଂଗ୍ରେସକୁ ୭ଟି ଆସନ ମିଳି ଥିଲା । ବିଜେପିର ଏହି ସଫଳତା ଅନ୍ୟମାନଙ୍କୁ ଗୌଣ କରି ଦେଇଥିବା ବେଳେ କେନ୍ଦ୍ର ବିଜେପି ନେତୃତ୍ୱ ଏମପି ଥିବା ଯୋଗୀ ଆଦିତ୍ୟନାଥଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିଲେ । ତାହା ପରଠାରୁ ୟୁପିରେ ହିନ୍ଦୁତ୍ୱର ଆଜେଣ୍ଡା ଚାଲିଛି ଏବଂ ଅନ୍ୟ ଜାତି ଓ ସଂପ୍ରଦାୟ ବିଜେପିର ପରାଜୟ ଦିଗରେ କାର୍ଯ୍ୟ କରି ପାରନ୍ତି ବୋଲି ଜାତୀୟସ୍ତରର ରାଜନୈତିକ ବିଶ୍ଲେଷକମାନେ ଆକଳନ କରୁଛନ୍ତି । ବିଜେପି ବିରୋଧରେ ବିରୋଧୀ ଦଳମାନେ ଏକାଠି ହେବା ସମ୍ଭାବନା ମଧ୍ୟ ରହିଛି ।
୨୦୨୨ ବିଧାନସଭା ନିର୍ବାଚନରେ ବହୁଜନ ସମାଜ ପାର୍ଟି (ବିଏସପି) ଏକାକୀ ନିର୍ବାଚନ ଲଢିବ ବୋଲି ତାହାର ମୁଖ୍ୟ ମାୟାବତୀ ଘୋଷଣା କରିଥିଲେ ମଧ୍ୟ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଅନ୍ୟ ଛୋଟ, ବଡ ବିରୋଧୀ ଦଳ ମିଳିତ ଭାବେ ବିଜେପିର ମୁକାବିଲା କରିବାକୁ ନିଷ୍ପତ୍ତି ନେବାର ସମ୍ଭାବନାକୁ ଏଡାଇ ହେଉ ନାହିଁ । କାରଣ, ଅନ୍ୟୁନ ୧୫ଟି ବିରୋଧୀ ଦଳ ଏକାଠି ହୋଇ ଜାତୀୟସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କଲେଣି । ଏସବୁ ସତ୍ତ୍ୱେ ୟୁପିରେ ଦ୍ୱିତୀୟ ଥର ପାଇଁ ଯୋଗୀ ସରକାର କ୍ଷମତାକୁ ଆସିବେ ବୋଲି ଏବିପି-ସି’ଭୋଟରର ପ୍ରଥମ ପର୍ଯ୍ୟାୟ ସର୍ଭେ ପୂର୍ବାନୁମାନ କରିଛି । ପ୍ରକାଶିତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି, ଗଲା କିଛି ବର୍ଷ ମଧ୍ୟରେ ରାଜ୍ୟରେ ସମାଜବାଦୀ ପାର୍ଟିର ରାଜନୈତିକ ସ୍ଥିତିରେ ବେଶ୍ ଉନ୍ନତି ଆସିଛି । ୨୦୨୨ ନିର୍ବାଚନରେ ଯୋଗୀ ସରକାରଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି ରହିବ ଏବଂ ବିଜେପି ତାହା ୨୦୧୭ ସ୍ଥିତି ଦେହରାଇବାକୁ ସକ୍ଷମ ହେବେ ନାହିଁ । କିନ୍ତୁ, ବିଜେପିକୁ ସହଜ ବିଜୟ ମିଳିବ ।
ଏବିପି-ସି’ଭୋଟରର ପୂର୍ବାନୁମାନ ଅନୁଯାୟୀ ୨୦୨୨ରେ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ୨୫୯ରୁ ୨୬୭ ମଧ୍ୟରେ ଆସନ ପାଇବା ସମ୍ଭାବନା ରହିଛି । ସେହିପରି, ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ୧୦୯ରୁ ୧୧୭ ଆସନ, ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବିଏସପି ୧୨ରୁ ୧୬ ଆସନ ଓ କଂଗ୍ରେସକୁ ମାତ୍ର ୩ରୁ ୭ ଆସନ ପାଇବ । ରାଜ୍ୟରେ ସମାଜବାଦୀ ପାର୍ଟିର ସ୍ଥିତିରେ ଉନ୍ନତି ଘଟି ଥିଲେ ସୁଦ୍ଧା ବିଜେପିର ଭୋଟ୍ ସେୟାରରେ ସାମାନ୍ୟ (୦.୦୪ ପ୍ରତିଶତ) ବୃଦ୍ଧି ଘଟିିଛି ବୋଲି ଏହି ପ୍ରାଥମିକ ସର୍ଭେରେ ଦର୍ଶାଯାଇଛି । ରିପୋର୍ଟରେ କୁହାଯାଇଛି, ସର୍ଭେରେ ଯେତିକି ସଂଖ୍ୟକ ଜନତା ଅଂଶ ଗ୍ରହଣ କରିଥିଲେ ସେଥିରୁ ୪୪ ପ୍ରତିଶତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଛନ୍ତି । ତେଣୁ, ଯୋଗୀ ସରକାର ଦ୍ୱିତୀୟ ଥର କ୍ଷମତାକୁ ଫେରିବା ସମ୍ଭାବନା ଅଧିକ ।
ୟୁପି ବିଧାନସଭା ନିର୍ବାଚନରେ ବିଜେପି କଂଗ୍ରେସ, ସମାଜବାଦୀ ପାର୍ଟି ଓ ବିଏସପି ଆଡୁ କଡା ମୁକାବିଲାର ସାମ୍ନା କରିବ । ତେବେ, କଂଗ୍ରେସ ବିରୋଧୀ ମେଂଟରେ ସାମିଲ ନ ହୋଇ ରାଜ୍ୟର ସମସ୍ତ ବିଧାନସଭା ଆସନରେ ପ୍ରାର୍ଥୀ ଦେଲେ ଅଧିକ ଲାଭବାନ ହେବ ବୋଲି ଏବିପି-ସି’ଭୋଟର ସର୍ଭେ ରିପୋଟରେ ଦର୍ଶାଯାଇଛି । କିନ୍ତୁ, ନିର୍ବାଚନ ଉପରେ ଚାଷୀ ଆନ୍ଦୋଳନର ପ୍ରଭାବ ଉପରେ ନୀରବତା ଅବଲମ୍ବନ କରାଯାଇଛି । କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହର ଦାବୀରେ ଆନ୍ଦୋଳନ ଚଳାଇ ଥିବା ଚାଷୀ ସଂଗଠନମାନେ ଗତ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ସେମାନଙ୍କ ଉପସ୍ଥିତି ଜାହିର କରିଥିଲେ । ରାଜ୍ୟବ୍ୟାପୀ ମହାପଂଚାୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ବିଷୋଦ୍ଗାର କରିଥିଲେ । ତାହାର ପ୍ରଭାବ ମଧ୍ୟ ନିର୍ବାଚନରେ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିର କଡା ମୁକାବିଲା ସତ୍ତ୍ୱେ ବହୁ ଅଧିକ ସଂଖ୍ୟକ ବିଧାନସଭା ଆସନ ପାଇ ଲଗାତର ତୃତୀୟ ଥର ପାଇଁ ସରକାର ଗଢିଲେ ।
ଏବେ ୟୁପିରେ ଚାଷୀଙ୍କ ମହାପଂଚାୟତ ଚାଲିଛି । କେନ୍ଦ୍ର ଓ ୟୁପି ସରକାର ଚାଷୀଙ୍କ ଟାର୍ଗେଟ୍ ରହିଛନ୍ତି । ତେଣୁ, ଏବିପି-ସି’ଭୋଟର ସର୍ଭେ ବିଜେପିର ବିଜୟ ନେଇ ପୂର୍ବାନୁମାନ କରୁଥିବା ବେଳେ ୟୁପିର ନୀରବ ଭୋଟର ଶେଷ ମୂହୂର୍ତ୍ତରେ ପଶ୍ଚିମ ବଂଗ ଭଳି ୟୁପିରେ ମଧ୍ୟ ବିଜେପି ଓ ଯୋଗୀ ସରକାରଙ୍କୁ ଚକ୍ମା ଦେଇ ପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଅନୁମାନ କରୁଛନ୍ତି । ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ଅନ୍ୟ ଛଅଟି ରାଜ୍ୟ ହେଉଛି – ପଂଜାବ (୧୧୭ ଆସନ), ଗୁଜରାଟ (୧୮୨ ଆସନ), ଉତ୍ତରାଖଣ୍ଡ (୭୦ ଆସନ), ହିମାଂଚଳ ପ୍ରଦେଶ (୬୮ ଆସନ), ମଣିପୁର (୬୦ ଆସନ) ଓ ଗୋଆ (୪୦ ଆସନ) । ୟୁପି ଭଳି ପଂଜାବ, ଗୁଜରାଟ ଓ ଉତ୍ତରାଖଣ୍ଡ ବିଜେପି ଏବଂ ବିରୋଧୀଙ୍କ ସମ୍ମାନର ପ୍ରଶ୍ନ ହୋଇ ରହିଛି । ପଂଜାବରେ କଂଗ୍ରେସ କ୍ଷମତାରେ ଥିବା ବେଳେ ଗୁଜରାଟ, ଉତ୍ତରାଖଣ୍ଡରେ ବିଜେପି କ୍ଷମତାରେ ଅଛି । ୨୦୨୨ ମାର୍ଚ୍ଚ ୧୫ରୁ ୧୮ ମଧ୍ୟରେ ଗୋଆ, ମଣିପୁର, ପଂଜାବ, ୟୁପି ଏବଂ ଉତ୍ତରାଖଣ୍ଡ ସରକାରଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଡ଼ିସେମ୍ବରରେ ଗୁଜରାଟ ଓ ହିମାଂଚଳ ପ୍ରଦେଶ ସରକାରଙ୍କ କାର୍ଯ୍ୟକାଳ ସରିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS