ତାଲିବାନୀ ଶାସନର ପ୍ରଥମ ବିଫଳତା, ଶପଥ ଗ୍ରହଣ ସମାରୋହ ଅନିର୍ଦ୍ଧିଷ୍ଟକାଳ ପାଇଁ ବାତିଲ
ପ୍ରସାଦ ରାଓ
ସେପ୍ଟେମ୍ବର ୧୧
ନ୍ୟୁୟର୍କସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡ଼ବ୍ଲୁ୍ୟଟିଓ)ରେ ‘ଅଲ୍ କାଏଦା’ ଆତଙ୍କବାଦୀଙ୍କ ଆତ୍ମଘାତୀ ବିମାନ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ହୋଇଛି । ୨୦୦୧ ସେପ୍ଟେମ୍ବର ୧୧ ତାରିଖ ଦିନ ଏହି ନୃଶଂସ ଆକ୍ରମଣ ହୋଇଥିଲା । ସେହି ସମୟରେ ଆଫଗାନିସ୍ଥାନରେ ତାଲିବାନୀଙ୍କ ସରକାର ଥିଲା ଏବଂ ‘ଅଲ କାଏଦା’ ମୁଖ୍ୟ ଓସାମା ବିନ୍ ଲାଦେନ ତାଲିବାନୀ ସରକାରଙ୍କ ଆଶ୍ରୟରେ ରହି ଏହି ଆତ୍ମଘାତୀ ବିମାନ ଆକ୍ରମଣର ସଂରଚନା କରିଥିଲେ । ୨୦ ବର୍ଷ ପରେ ଆଜି ପୁନର୍ବାର ଆଫଗାନିସ୍ଥାନରେ ତାଲିବାନୀଙ୍କ ସରକାର ପ୍ରତିଷ୍ଠା ହୋଇଛି । ଡ଼ବ୍ଲୁ୍ୟଟିଓରେ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ପାଳନକୁ ଉତ୍ସବମୟ କରିବା ପାଇଁ ଆଫଗାନିସ୍ଥାନର ନୂଆ ତାଲିବାନୀ ସରକାର ଆଜି ସରକାରଙ୍କ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରିବାକୁ ଯୋଜନା କରିଥିଲେ । ତେବେ, ତାହା ବାତିଲ ହୋଇଯାଇଥିବା ସୂଚନା ମିଳିଛି ।
‘ଅଯଥା ଖର୍ଚ୍ଚ’କୁ ଏଡାଇବା ଉଦେ୍ଦଶ୍ୟରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହକୁ ବାତିଲ କରାଗଲା ବୋଲି ତାଲିବାନୀ ମୁଖପାତ୍ର ସୂଚନା ଦେଇଥିବା ବେଳେ ୯/୧୧ରେ ଶପଥ ଗ୍ରହଣ ସମାରୋହ ହେଲେ ଋଷିଆ ସେଥିରେ ଭାଗ ନେବ ନାହିଁ ବୋଲି ଋଷ ସରକାର ଦାହା ରାଜିନାମାରେ ସାମିଲ ଟିମକୁ ରୋକଠୋକ୍ ଜଣାଇ ଦେବାରୁ ଆଜିର ଶପଥ ଗ୍ରହଣ ସମାରୋହ ବାତିଲ ହୋଇଥିବା ଅନ୍ୟ ସୂତ୍ରରୁ ଜଣାପଡିଛି । ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନିର୍ଦ୍ଧିଷ୍ଟକାଳ ପାଇଁ ବାତିଲ ହୋଇଥିବା ଆଜି ତାଲିବାନୀ ସୂତ୍ରକୁ ଆଧାର କରି ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରସାରିତ କରିଛି । ୯/୧୧ ଆତଙ୍କୀ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ତାଲିବାନ ସରକାର ଶପଥ ଗ୍ରହଣ ସମାରୋହ ରଖିବାରୁ ତାହା ଉପରେ ବିଶ୍ୱ ସମୁଦାୟର ନଜର ଥିଲା ।
ଆଫଗାନିସ୍ଥାନରୁ ମିଳିଥିବା ସୂଚନା ଅନୁଯାୟୀ, ତାଲିବାନୀ ବିରୋଧୀ ଏନଆରଏଫର ଅଭଦ୍ୟ ଦୁର୍ଗ କୁହାଯାଉଥିବା ପଂଜଶୀର ପ୍ରଦେଶରେ ଏନଆରଏଫ (ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ) ଓ ତାଲିବାନୀଙ୍କ ମଧ୍ୟରେ ଯୁଦ୍ଧ ଅବ୍ୟାହତ ରହିଛି । ତେବେ, ଏନଆରଏଫର ନେତୃତ୍ୱ ନେଉ ଥିବା ପୂର୍ବତନ ଉପ ରାଷ୍ଟ୍ରପତି ଅମୃଲ୍ଲା ସାଲେହ ଦେଶ ଛାଡି ପଳାଇ ଥିବା ସନ୍ଦେହ କରାଯାୁଥିବା ବେଳେ ତାଲିବାନୀ ଯୋଦ୍ଧା ଅମୃଲ୍ଲାଙ୍କ ବଡ଼ ଭାଇ ରୋହୁଲ୍ଲା ଅଜିଜି ସାଲେହଙ୍କୁ ଶୁକ୍ରବାର ଦିନ ହତ୍ୟା କରିଛନ୍ତି । କିନ୍ତୁ, ତାଲିବାନୀ ଗୋଷ୍ଠୀ ରୋହୁଲ୍ଲାଙ୍କୁ ହତ୍ୟା କରାଯାଇଥିବା କଥାକୁ ଅସ୍ୱୀକାର କରି, ‘ରୋହୁଲ୍ଲାଙ୍କୁ ହତ୍ୟା କରାଯାଇ ନାହିଁ, ତାଲିବାନୀ ଯୋଦ୍ଧାଙ୍କ ସହ ସଂଘର୍ଷ ବେଳେ ସେ ପ୍ରାଣ ହରାଇଛନ୍ତି’ ବୋଲି ସଫେଇ ଦେଇଛନ୍ତି ।
ଗଲା ଅଗଷ୍ଟ ୧୫ ତାରିଖ ଦିନ ତାଲିବାନୀ ଯୋଦ୍ଧା ବିନା ରକ୍ତପାତରେ ରାଜଧାନୀ କାବୁଲ ସହରକୁ କବ୍ଚା କରି ନେବା ପରେ ରାଷ୍ଟ୍ରପତି ଅସରଫ ଘାନୀ ଦେଶ ଛାଡି ପଳାଇ ଥିଲେ ଏବଂ ପୂର୍ବତନ ଉପ ରାଷ୍ଟ୍ରପତି ଅମୃଲ୍ଲା ସାଲେହ ନିଜକୁ ଆଫଗାନିସ୍ଥାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଘୋଷଣା କରିଥିଲେ । ପରେ ସେ ତାଲିବାନ ବିରୋଧୀ ପଂଜଶୀର ପ୍ରଦେଶର ଏନଆରଏଫ୍ ସହ ସମ୍ମିଳିତ ହୋଇ ତାଲିବାନୀଙ୍କ ବିରୋଧରେ ଯୁଦ୍ଧ ଜାରି ରଖିଥିଲେ । ତାଲିବାନୀ ଯୋଦ୍ଧା ପଂଜଶୀର ପ୍ରଦେଶର ଏକାଧିକ ଅଂଚଳ ଦଖଲ କରି ନେବା ପରେ ଅମୃଲ୍ଲା ସେମାନଙ୍କ ହାତରେ ଧରାପଡିଲେ ମୃତ୍ୟୁଦଣ୍ଡ ପାଇବା ନିଶ୍ଚିତ ଜାଣି
ଦେଶ ଛାଡି ପଳାଇ ଥିବା ଅନୁମାନ କରାଯାଉଛି ।
ନୂଆ ସରକାରରେ ଏକାଧିକ ଆତଙ୍କବାଦୀ ଗୋଷ୍ଠୀ ସାମିଲ ଥିବାରୁ କ୍ଷମତା ପାଇଁ ସେମାନଙ୍କ ମଧ୍ୟରେ ସଂଘର୍ଷ ଆଫଗାନିସ୍ଥାନକୁ ଗୃହ ଯୁଦ୍ଧ ଭିତରକୁ ଟାଣି ନେଇଛି । ଦିନକୁ ଦିନ ପରିସ୍ଥିତି ଖରାପ ହେଉଥିବାରୁ ଓ କ୍ଷମତା ବଂଗଟକୁ ନେଇ ସରକାରରେ ସାମିଲ ହୋଇଥିବା ବିଭିନ୍ନ ଆତଙ୍କୀ ଗୋଷ୍ଠୀ ମଧ୍ୟରେ ବିବାଦ ତୁଟୁ ନଥିବାରୁ ସରକାରଙ୍କ ଶପଥ ସମାରୋହ କାର୍ଯ୍ୟସୂଚୀ ବାରମ୍ବାର ବଦଳୁ ଥିବା ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଇତିମଧ୍ୟରେ, କାବୁଲ ବିମାନ ବନ୍ଦରରୁ ଆନ୍ତର୍ଜାତିକ ବିମାନ ଉଡାଣ ଆରମ୍ଭ ହେଲାଣି । କିନ୍ତୁ, ତାଲିବାନୀ ବର୍ବରତାର ଶିକାର ହେବା ଭୟରେ ଦେଶ ଛାଡି ଚାଲି ଯିବାକୁ ଚାହୁଁ ଥିବା ଆଫଗାନ ନାଗରିକଙ୍କୁ ତାଲିବାନୀ ସରକାର କେତେଦୂର ଅନୁମତି ଦେବେ ଏବଂ ଆଫଗାନିସ୍ଥାନରେ ସମ୍ୟକ ମାନବାଧିକାରର ପୁନର୍ବାହାଲ ଦିଗରେ ସରକାରଙ୍କ ଆଡୁ କି ଉଦ୍ୟମ ହେବ ତାହା ଦେଖିବା ପାଇଁ ବିଶ୍ୱ ସମୁଦାୟ ବ୍ୟଗ୍ର । ଭାରତ, ଅମେରିକା, ବ୍ରିଟେନ ସମେତ ବିଭିନ୍ନ ଗଣତାନ୍ତ୍ରିକ ରାଷ୍ଟ୍ର ଆଫଗାନିସ୍ଥାନ ପରିସ୍ଥିତା ଉପରେ ସତର୍କ ଦୃଷ୍ଟି ରଖି ଥିବା ବେଳେ ପାକିସ୍ତାନ ଆସନ୍ତା ସପ୍ତାହରୁ ଇସଲାମାବାଦରୁ କାବୁଲକୁ ବିମାନ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଇଂଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ) ସୂତ୍ରରୁ ସୂଚନା ମିଳିଛି । ପିଆଇଏର ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି ।
ଅଗଷ୍ଟ ୧୫ରେ ଆଫଗାନିସ୍ଥାନ ରାଜଧାନ କାବୁଲ ତାଲିବାନୀଙ୍କ କବ୍ଚାକୁ ଯିବା ପରେ ଏହା ହେବ କାବୁଲକୁ ପ୍ରଥମ ବିଦେଶୀ ବ୍ୟବସାୟିକ ବିମାନ ଚଳାଚଳର ଆରମ୍ଭ । ଜର୍ମାନୀ ମଧ୍ୟ ତାଲିବାନୀଙ୍କ କାବୁଲ ଦଖଲ ପରେ ବନ୍ଦ କରିଥିବା ଦୂତାବାସକୁ ଖୋଲିବାକୁ ଆଗ୍ରହ ପ୍ରକାଶ କଲାଣି । ତେବେ, ସେଠାକାର ସୁରକ୍ଷା ବ୍ୟବସ୍ଥା ଉପରେ ସବୁ କିଛି ନିର୍ଭର କରୁଛି ବୋଲି ଜର୍ମାନ ସରକାରଙ୍କ ବିଦେଶ ବିଭାଗକୁ ଆଧାର କରି ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି । ଇତିମଧ୍ୟରେ, ଆଫଗାନିସ୍ଥାନର ସାଂପ୍ରତିକ ଅର୍ଥନୈତିକ ପରିସ୍ଥିତିକୁ ନେଇ ଏକ ଉଦ୍ବେଗଜନକ ରିପୋର୍ଟ ସାମ୍ନାକୁ ଆସିଛି । ‘ୟୁନାଇଟେଡ ନେସନ୍ ଡ଼େଭଲପମେଂଟ ପ୍ରୋଗ୍ରାମ୍’ ବା ୟୁଏନଡ଼ିପିର ଏହି ରିପୋର୍ଟ କହିଛି, ବର୍ତ୍ତମାନର ସ୍ଥିତି ଯାହା ୨୦୨୨ ମଧ୍ୟଭାଗ ବେଳକୁ ଆଫଗାନିସ୍ଥାନର ଜିଡ଼ିପି ବିଯୁକ୍ତ ୧୩.୨ ପ୍ରତିଶତ ହେବ ଏବଂ ୯୭ ପ୍ରତିଶତ ଆଫଗାନ୍ ବାସିନ୍ଦା ଘୋର ଆର୍ଥିକ ଦାରିଦ୍ର ଭିତରୁ ଠେଲି ହୋଇ ଯିବେ । ଆଫଗାନିସ୍ଥାନର ଆଭ୍ୟନ୍ତରୀଣ ପରିସ୍ଥିତି ଉଦ୍ବେଗଜନକ । ଯୁଦ୍ଧଖୋର ଆତଙ୍କୀ ସଂଗଠନମାନେ କ୍ଷମତା ଉପଭୋଗ ପାଇଁ ନିଜ ଭିତରେ ଅନ୍ତଦ୍ୱର୍ନ୍ଦ୍ୱ ଜାରି ରଖି ଥିବା ବେଳେ ତାଲିବାନୀ ସରକାର ବିରୋଧରେ ଆଫଗାନିସ୍ଥାନରେ ବିଦ୍ରୋହ ବଢି ଚାଲିଛି । ଦୋହା ବୁଝାମଣା ସମୟରେ ତାଲିବାନୀ ନେତୃବର୍ଗ ଆମେରିକାକୁ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲେ ସେସବୁର ବିପରିତଧର୍ମୀ କାର୍ଯ୍ୟ କରୁଛନ୍ତି । ଏପରିକି, ତାଲିବାନୀଙ୍କୁ ଆତଙ୍କବାଦୀ ବୋଲି ଉଲ୍ଲେଖ କଲେ ଚରମ ଶାସ୍ତି ଦିଆଯିବ ବୋଲି ସେଠାକାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଚେତାବନୀ ଦେଇଛନ୍ତି ।
୨୦୨୦ ଫେବୃୟାରୀରେ ତାଲିବାନୀଙ୍କ ସହ ଆମେରିକାର ଦୋହା ରାଜିନାମା ହୋଇଥିଲା । ଡୋନାଲ୍ଡ ଟ୍ରଂପ୍ ଆମେରିକା ରାଷ୍ଟ୍ରପତି ଥିଲେ । ଆଫଗାନିସ୍ଥାନର ତତ୍କାଳୀନ ସରକାରଙ୍କୁ ସେଥିରେ ସାମିଲ କରା ନଯାଇ ଯେଉଁ ରାଜିନାମା ସ୍ୱାକ୍ଷର ହୋଇଥିଲା ସେଥିରେ ପର୍ଯ୍ୟାୟକ୍ରମେ ଆମେରିକା ଆଫଗାନିସ୍ଥାନରୁ ତାହାର ସେନା ପ୍ରତ୍ୟାହାର କରିବା ପ୍ରତିଶ୍ରୁତି ଥିଲା । ଚଳିତ ବର୍ଷ ଜୋ’ ବିଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ନିଃସର୍ତ୍ତରେ ସେପ୍ଟେମ୍ବର ସୁଦ୍ଧା ଆଫଗାନିସ୍ଥାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ନେଇ ଥିଲେ । ନୂଆ ତାଲିବାନ ସରକାର ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ତାହାର ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଶେଷ କରିବାକୁ ଡେଡ୍ ଲାଇନ୍ ଜାରି କରିଥିଲେ । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆଫଗାନିସ୍ଥାନରୁ ଆମେରିକା ତାହାର ସୈନ୍ୟ ପ୍ରତ୍ୟାହାର କରି ନେଲା ସିନା କାବୁଲ ବିମାନ ବନ୍ଦର ନିକଟରେ ଆଇଏସ୍ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୧୩ ଜଣ ସୈନିକଙ୍କୁ ହରାଇଲା ଓ କିଛି ଆମେରିକୀୟ ସୈନ୍ୟ ଆହତ ହେଲେ ।
ଏହି ଆକ୍ରମଣର ଜବାବ ସ୍ୱରୂପ ଆମେରିକା ପକ୍ଷରୁ ପାକିସ୍ତାନ-କାବୁଲ ସୀମାନ୍ତରେ ଆଇଏସ୍ ଘାଟି ଉପରେ ଅଗଷ୍ଟ ୨୭/୨୮ ଭୋରରେ ଡ୍ରୋନ୍ ଆକ୍ରମଣ କରାଯାଇ କାବୁଲ ବିମାନ ବନ୍ଦର ବାହାରେ ଆତ୍ମଘାତୀ ଆକ୍ରମଣ କରାଇ ଥିବା ସନ୍ଦିଗ୍ଧ ଆଇଏସ-ଖୁରାସାନ ଗୋଷ୍ଠୀର ମୁଖ୍ୟ ସଂରଚକ ସମେତ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ଘୋଷଣା କରା ଗଲା । ଏହା ପରଦିନ, ଅର୍ଥାତ ଅଗଷ୍ଟ ୨୯ରେ କାବୁଲ ବିମାନ ବନ୍ଦର ନିକଟରେ ଆମେରିକା ଆଉ ଏକ ଡ୍ରୋନ୍ ଆକ୍ରମଣ କରି ଆମେରିକୀୟ ସୈନ୍ୟଙ୍କ ଉପରେ ଆଉ ଏକ ଆତଙ୍କୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଥିବା ଦାବି କଲା । ତେବେ, ଆମେରିକାର ଟାର୍ଗେଟ୍ ତୃଟିପୂର୍ଣ୍ଣ ଥିଲା ଏବଂ ଡ୍ରୋନ୍ ଆକ୍ରମଣରେ ଆଇଏସ୍ ଆତଙ୍କବାଦୀ ନୁହନ୍ତୁ, ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟି ଥିବା ଭିଡ଼ିଓ ଆନାଲିସିସ୍ ରୁ ପେଂଟାଗନ୍ ଜାଣି ପାରିଛି ।
୧୯୯୪ରେ ଇସଲାମ ଧର୍ମଗୁରୁ ମୁଲ୍ଲା ମହମ୍ମଦ ଓମାର ତାଙ୍କର ୫୦ ଜଣ ଛାତ୍ର ବା ଶିଷ୍ୟଙ୍କୁ ନେଇ କାନ୍ଦାହାରରେ ତାଲିବାନ (ଛାତ୍ର) ସଂଗଠନ ଗଢି ଥିଲେ । ତାଙ୍କ ନେତୃତ୍ୱରେ ଆଫଗାନିସ୍ଥାନରେ ୧୯୯୬ରେ ପ୍ରଥମ ତାଲିବାନୀ ସରକାର ପ୍ରତିଷ୍ଠା ହୋଇଥିଲା । ତାଲିବାନୀ ସରକାରଙ୍କ ଛତ୍ରଛାୟାରେ ଥିବା ‘ଅଲ୍ କାଏଦା’ ମୁଖ୍ୟ ଓସାମା ବିନ୍ ଲାଦେନ ୨୦୦୧ ସେପ୍ଟେମ୍ବର ୧୧ ତାରିଖ ଦିନ ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆତ୍ମଘାତୀ ବିମାନ ଆକ୍ରମଣ କରାଇ ବ୍ୟାପକ କ୍ଷୟକ୍ଷତି କରିବାରୁ ଲାଦେନକୁ ଆମେରିକାକୁ ହସ୍ତାନ୍ତର କରିବାକୁ ଆମେରିକା ସରକାର ତାଲିବାନୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ତେବେ, ଲାଦେନକୁ ହସ୍ତାନ୍ତର କରିବାକୁ ତାଲିବାନ ସରକାର ରାଜି ନ ହେବାରୁ ଆମେରିକା ଆଫଗାନିସ୍ଥାନରେ ପ୍ରବେଶ କରି ତାଲିବାନୀ ସରକାରକୁ ଗାଦିଚ୍ୟୁତ କରିବା ସହ ସେଠାରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ଦିଗରେ ଉଦ୍ୟମ ଜାରୀ ରଖିଥିଲା ।
୨୦୦୧ରୁ ଆଫଗାନିସ୍ଥାନ ମାଟିରେ ଆମେରିକା ଚଳାଇ ଥିବା ତାଲିବାନ-ବିରୋଧୀ ଯୁଦ୍ଧର ୨୦୨୧ ଅଗଷ୍ଟ ୩୧ରେ ଅବସାନ ଘଟିଛି । ଆଫଗାନିସ୍ଥାନରେ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ମୁତୟନଠାରୁ ଆରମ୍ଭ କରି ବିଭିନ୍ନ ପୁନର୍ଗଠନ କାର୍ଯ୍ୟରେ ଆମେରିକା ବିଗତ ୨୦ ବର୍ଷ ମଧ୍ୟରେ ନିୟୁତ ନିୟୁତ ଡ଼ଲାର ଖର୍ଚ୍ଚ କରିଛି ସିନା ତାଲିବାନୀ ଶାସନର ପ୍ରତ୍ୟାବର୍ତ୍ତନକୁ ରୋକି ପାରି ନାହିଁ । ଆମେରିକା ସେନା ସହ ଦୀର୍ଘ ୨୦ ବର୍ଷ ଲଢେଇ କରି ତାଲିବାନୀ ଗୋଷ୍ଠୀ ଗତ ଅଗଷ୍ଟ ମାସରେ ଆଫଗାନିସ୍ଥାନ ଦଖଲ କରିବା ସହ ନିଜ ମାଟିରୁ ଆମେରିକାକୁ ଘଉଡାଇ ଦେଇଛନ୍ତି । ଆମେରିକା ମଧ୍ୟ ନିଃସର୍ତ୍ତରେ ଆଫଗାନିସ୍ଥାନ ଛାଡିଛି । ଦୋହା ରାଜିନାମାରେ ଯାହା ସବୁ ସର୍ତ୍ତ ରହି ଥିଲା ତାଲିବାନୀ ନେତୃବର୍ଗ ତାହା ପାଳନ କରୁ ନାହାନ୍ତି । ଅପରପକ୍ଷରେ, ଆଫଗାନିସ୍ଥାନରେ ତାଲିବାନୀଙ୍କ ୨୦ ବର୍ଷ ତଳର ବର୍ବରତାର ପୁନଃ ପ୍ରତିଷ୍ଠା ହୋଇଛି । ଏହାକୁ ଗଣତନ୍ତ୍ର ବପକ୍ଷରେ ବର୍ବର ଧର୍ମାନ୍ଧ ଶାସନର ବିଜୟ କୁହାଯିବ ନାହିଁ ତ ଆଉ କଣ କୁହାଯିବ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS