ରୂପାନୀ ଗଲେ, ଭୂପେନ୍ଦ୍ର ମୁଖ୍ୟମନ୍ତ୍ରୀ ହେଲେ – ପଟ୍ଟିଦାର ଗୋଷ୍ଠୀ ସନ୍ତୁଷ୍ଟ ତ..?
ପ୍ରସାଦ ରାଓ
ସେପ୍ଟେମ୍ବର ୧୩
ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ବର୍ଷେରୁ ଅଧିକ ସମୟ ଥିବା ବେଳେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟର ପ୍ରଭାବଶାଳୀ ପଟ୍ଟିଦାର ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବା ସକାଶେ ବିଜୟ ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ୨୦୧୭ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ୫୯ ବର୍ଷ ବୟସ୍କ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି । କେନ୍ଦ୍ରୀୟ ନେତୃତ୍ୱର ନିର୍ଦେଶ କାର୍ଯ୍ୟକାରୀ କରିବାକୁ ଯାଇ ରୂପାନୀ ଶନିବାର ଦିନ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦଳର ବହୁ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀ ହେବା ଆଶାରେ ଥିଲେ । ତେବେ, ଜାତି ରାଜନୀତି ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଦେଇଛି । ରବିବାର ସେ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ରୂପାନୀଙ୍କ ଇସ୍ତଫା ଗୃହୀତ ହେଉ ହେଉ ରବିବାର ଅହମ୍ମଦାବାଦ-ଗାନ୍ଧୀନଗର ମଧ୍ୟାଂଚଳ ରାଜପଥରେ ଥିବା ବିଜେପି କାର୍ଯ୍ୟାଳୟରେ ନୂଆ ନେତା ନିର୍ବାଚନ ପାଇଁ ବିଧାୟକ ଦଳ ବୈଠକ ହୋଇଥିଲା । ମିଳି ଥିବା ସୂଚନା ଅନୁଯାୟୀ, ବୈଠକ ସମୟରେ ଭୂପେନ୍ଦ୍ର ପଟେଲ ସବୁଠୁ ପଛ ଆସନରେ ବସି ଥିଲେ । ବିଜେପି କେନ୍ଦ୍ରୀୟ ନେତୃତ୍ୱ ପୂର୍ବରୁ କିଏ ମୁଖ୍ୟମନ୍ତ୍ରୀ ହେବ ଧାର୍ଯ୍ୟ କରିସାରି ଥିଲେ । ବିଦାୟୀ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଭୂପେନ୍ଦ୍ରଙ୍କ ନାମ ପ୍ରସ୍ତାବ ଦେବାରୁ ଉପ ମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ତାହାକୁ ସମର୍ଥନ କରି ଭୂପେନ୍ଦ୍ର ମୁଖ୍ୟମନ୍ତ୍ରୀ ହେବା ପକ୍କା କରି ଥିଲେ ।
ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ହେଉଛନ୍ତି ଜଣେ ଡ଼ିପ୍ଲୋମାପ୍ରାପ୍ତ ସିଭିଲ୍ ଇଂଜିନିୟର । ସେ ରାଜ୍ୟରେ ରିଏଲ୍ ଇଷ୍ଟଟ୍ ବ୍ୟବସାୟ ସହ ସଂପୃକ୍ତ ଥିଲେ । ଅହମ୍ମଦାବାଦ ମୁନ୍ସିପାଲ କର୍ପୋରେସନ୍ ଓ ଅହମ୍ମଦାବାଦ ଅର୍ବାନ ଡ଼େଭଲପମେଂଟ୍ ଅଥରିଟିର ସେ ସଦସ୍ୟ ଥିଲେ । ୨୦୧୭ରେ ସେ ସର୍ବାଧିକ ଭୋଟ ବ୍ୟବଧାନରେ ପଟ୍ଟିଦାର ବହୁଳ ଘାଟଲୋଦିଆ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭୂପେନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ବିଦାୟୀ ମୁଖ୍ୟମନ୍ତ୍ରୀ ରୂପାନୀ ଗଲା ୫ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ବିଭିନ୍ନ କାରଣରୁ ଦଳୀୟ ନେତୃତ୍ୱ ଓ ରାଜ୍ୟବାସୀଙ୍କ ଅସନ୍ତୋଷର ଶିକାର ରହି ଥିଲେ । କୋଭିଡ଼ ପରିସ୍ଥିତିରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିଗିଡି ଯିବା ଏବଂ ଏହାକୁ ନେଇ ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ବାରମ୍ବାର ତାଗିଦ କରିବା ବିଜେପି କେନ୍ଦ୍ରୀୟ ନେତୃତ୍ୱକୁ ଅସନ୍ତୁଷ୍ଟ କରିଥିଲା । ରୂପାନୀଙ୍କ କାର୍ଯ୍ୟଶୈଳୀ ମଧ୍ୟ ବେଶ୍ ମନ୍ଥର ଥିଲା । ତେଣୁ, ଗୁଜରାଟରେ ଏକ ସରକାର ବିରୋଧୀ ହାୱା ଥିବା ସୂଚନା ମିଳୁଥିଲା । ବିଜେପି ନେତୃତ୍ୱ ତାହାର ଗଡ଼ କୁହାଯାଉଥିବା ଗୁଜରାଟକୁ ହାତଛଡା କରିବାକୁ ଚାହୁଁ ନ ଥିବାରୁ ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ଭଳି ଗୁଜରାଟରେ ମଧ୍ୟ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରି ଥିବା ଚର୍ଚ୍ଚା ହେଉଛି ।
ଗୁଜରାଟରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ଦୁଇଟି ପ୍ରମୁଖ ପଦବୀ – ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ପଦ ଅଣ-ପଟ୍ଟିଦାର ନେତାଙ୍କ ହାତରେ ରହି ଆସି ଥିବା ପ୍ରଭାବଶାଳୀ ପଟ୍ଟିଦାର ଗୋଷ୍ଠୀଙ୍କ ଅସନ୍ତୋଷର କାରଣ ଥିଲା । ଗତ ଫେବୃୟାରୀ ମାସରେ ଅନୁଷ୍ଠିତ ସୁରତ ମୁନ୍ସିପାଲ କର୍ପୋରେସନ୍ ନିର୍ବାଚନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି (ଏଏପି) ପଟ୍ଟିଦାର ବହୁଳ ଅଂଚଳରେ ଭଲ ପ୍ରଦର୍ଶନ କରି ୨୭ଟି ଆସନ ଅକ୍ତିଆର କରି ନେବା ବିଜେପିକୁ ଚିନ୍ତାରେ ପକାଇ ଥିଲା । ୨୦୨୨ ଡ଼ିସେମ୍ବର ପୂର୍ବରୁ ଗୁଜରାଟରେ ନିର୍ବାଚନ ହେବାକୁ ଥିବାରୁ ଓ ଆମ୍ ଆଦମୀ ପାର୍ଟି ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବାକୁ ଘୋଷଣା କରି ଥିବାରୁ ବିଜେପି ଗୋଟିଏ ତୀରରେ ଦୁଇଟି ଶିକାର କରିବା ନ୍ୟାୟରେ ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଛି ଓ ଅନଭିଜ୍ଞ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରି ପଟ୍ଟିଦାର ଭୋଟବ୍ୟାଙ୍କ ସୁରକ୍ଷିତ କରିବା ପ୍ରୟାସ କରିଛି ।
ରୂପାନୀଙ୍କ ବିଦାୟ ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ହେବା ଆଶାୟୀଙ୍କ ତାଲିକାରେ ଥିଲେ ଗୁଜରାଟର ବହୁ ପ୍ରଭାବଶାଳୀ ନେତା । କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଓ ପୁରୁଷୋତ୍ତମ ରୁପାଲା ଏବଂ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ମଧ୍ୟ ଦୌଡରେ ରହି ଥିଲେ ।ତେବେ, ପ୍ରଭାବଶାଳୀ ପଟ୍ଟିଦାର ଗୋଷ୍ଠୀରେ ନିଜର ପ୍ରଭାବ ରଖିଥିବା ଭୂପେନ୍ଦ୍ର ପଟେଲ ସମସ୍ତଙ୍କୁ ଚକିତ କରି ଦୌଡରେ ନଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହୋଇଛନ୍ତି । ତାଙ୍କ ମୁଣ୍ଡରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲଙ୍କ ଆଶୀର୍ବାଦର ହାତ ଥିଲା । ଆନନ୍ଦିବେନ୍ ୨୦୧୭ ବିଧାନସଭା ନିର୍ବାଚନରେ ତାଙ୍କୁ ବିଧାୟକ କରିଥିଲେ । ଏବେ ମୁଖମନ୍ତ୍ରୀ ପାଇଁ ତାଙ୍କ ନାମ ସୁପାରିଶ କରିଥିବା କୁହାଯାଉଛି । ଅପରପକ୍ଷରେ, ବିଦାୟୀ ମୁଖ୍ୟମନ୍ତ୍ରୀ ରୂପାନୀ ୨୦୧୬ରେ ବିଧାନସଭା ନିର୍ବାଚନର ଠିକ୍ ୧୬ ମାସ ପୂର୍ବରୁତ୍ତତତ୍କାଳୀନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍ ପଟେଲଙ୍କୁ ହଟାଇ ଯେପରି ମୁଖ୍ୟମନ୍ତ୍ରୀ ହୋଇଥିଲେ ତାହାର ପ୍ରତିଫଳନ ଆଜି ଦେଖିବାକୁ ମିଳିିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଆଗାମୀ ୨୦୨୨ ଓ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି କେନ୍ଦ୍ରୀୟ ନେତୃତ୍ୱ ବର୍ଷକ ମଧ୍ୟରେ ଯେଉଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଲେଣିି ସେଥିରେ ସାମିଲ ହୋଇଛି ବିଜୟ ରୂପାନୀଙ୍କ ନାମ । ୨୦୨୧ ଜୁଲାଇରେ କର୍ଣ୍ଣାଟକର ପ୍ରଭାବଶାଳୀ ଲିଂଗାୟତ ନେତା ତଥା ବିଜେପିକୁ କ୍ଷମତାକୁ ଆଣିବାର ମୁଖ୍ୟମ ସୂତ୍ରଧର ବିଏସ୍ ୟେଦୁରାପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିଛି । ବିଜେପି କେନ୍ଦ୍ରୀୟ ନେତୃତ୍ୱର ଚାପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ଏବଂ ତାଙ୍କ ସ୍ଥାନରେ ବାସବରାଜୁ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ସମସ୍ତଙ୍କୁ ଚକିତ କରିଥିଲା । ତତପୂର୍ବରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତଙ୍କୁ କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ପୁଷ୍କର ସିଂହ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ କରିଛନ୍ତି ।
ବିଜେପି ୨୦୧୪ରେ କେନ୍ଦ୍ରରେ କ୍ଷମତାସୀନ ହେବା ପରେ ନିର୍ବାଚନ ମେସିନରେ ପରିଣତ ହୋଇଥିବା ଏବଂ କ୍ଷମତା ଜାବୁଡି ରଖିବା ସକାଶେ ମେସିନ୍ ଭଳି କାର୍ଯ୍ୟ କରୁଥିବା ଆଲୋଚନା ହେଉଛି । ଦଳ ଟିକିଏ ହାରିବା ଭୟ ଦେଖିଲେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରୁଛି । ୨୦୨୨ରେ ୟୁପିରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଘନ ଘନ ଦିଲ୍ଲୀ ଡକାଇ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନର ଭ୍ରମ ସୃଷ୍ଟି କରିଥିଲା । ତେବେ, ବ୍ରାହ୍ମଣ ଭୋଟର ସୁରକ୍ଷା ପାଇଁ ଯୋଗୀ ଅକ୍ଷତ ଥିବା ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି । ୨୦୨୨ ମାର୍ଚ୍ଚ ପୂର୍ବରୁ ଉତ୍ତରାଖଣ୍ଡ ଏବଂ ଡ଼ିସେମ୍ବର ପୂର୍ବରୁ ଗୁଜରାଟ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ରହିଛି । ସେହିଭଳି, ୨୦୨୩ ମେ’ ମାସ ପୂର୍ବରୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ବଦଳାଇ ବିଜେପି ତାହାର ଭାବମୂର୍ତ୍ତୀ ଉଜ୍ୱଳ କରିବା ଉଦ୍ୟମରେ ଥିବା ବେଳେ ଭୋଟର ତାହାକୁ କେତେମାତ୍ରାରେ ଗ୍ରହଣ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS