କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଡ଼େଙ୍ଗୁ !
ଲକ୍ଷ୍ନୌ
ଅକ୍ଟୋବର ୨୪
ଗତ ଅକ୍ଟୋବର ୩ ତାରିଖ ଦିନ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ଘଟି ଥିବା ଚାଷୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଡ଼େଙ୍ଗୁ ହୋଇଥିବା ଦର୍ଶାଇ ଲକ୍ଷ୍ମୀପୁର ଖେରି ଜେଲରୁ ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଆଶିଷଙ୍କ ସମେତ ତାଙ୍କ ସମର୍ଥକମାନେ ୩ ତାରିଖ ଦିନ ତିନି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇ ଥିବା ଚାଷୀଙ୍କୁ ପଛ ପଟୁ ଆସି ଏସୟୁଭି ଚକା ତଳେ ଦଳି ଦେଇ ଥିଲେ । ଫଳରେ, ଘଟଣାସ୍ଥଳରେ ୪ ଜଣ ଚାଷୀ ଓ ଜଣେ ଟିଭି ସାମ୍ବାଦିକଙ୍କ ମୃତ୍ୟୁ ଘଟି ଥିବା ବେଳେ ତୁରନ୍ତ ହୋଇଥିବା ହିଂସାରେ ତିନି ବିଜେପି ସମର୍ଥକଙ୍କ ମୃତ୍ୟୁ ଘଟି ଥିଲା । ଘଟଣାଟି ଦେଶବ୍ୟାପୀ ଚହଳ ପକାଇ ଥିଲା । ଚାଷୀ ହତ୍ୟାରେ ବ୍ୟବହୃତ ଏସୟୁଭି ଗାଡ଼ି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କର ହୋଇଥିବାରୁ ତାଙ୍କୁ ପୁଲିସ ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ଏତଲାରେ ଦର୍ଶାଇଛି । ତେବେ, ଆଜି ସୁଦ୍ଧା ତେନି ନିଜ ପଦରୁ ଇସ୍ତଫା ଦେଇ ନାହାନ୍ତି ବା ତାଙ୍କୁ ମନ୍ତ୍ରୀ ପରିଷଦରୁ ବରଖାସ୍ତ କରାଯାଇନାହିଁ । ଅପରପକ୍ଷରେ, ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ବିରୋଧୀ ଦଳ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିଥିଲେ । ପୁଲିସ କାର୍ଯ୍ୟାନୁଷ୍ଠାନରେ ଶିଥିଳତାକୁ ନେଇ ସୁପ୍ରିମ କୋର୍ଟ ମଧ୍ୟ ଅସନ୍ତୋଷ ପ୍ରକାଶ କରିବାରୁ ଅକ୍ଟୋବର ୯ ତାରିଖ ଦିନ ୟୁପି ପୁଲିସ ଆଶିଷ ମିଶ୍ରାଙ୍କୁ ଗିରଫ କରିଛନ୍ତି । ଇତିମଧ୍ୟରେ, ଅକ୍ଟୋବର ୩ ଘଟଣାରେ ପୁଲିସ ମୋଟ ୧୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଆଶିଷ ଗିରଫ ହୋଇ ଜେଲ୍ ଯିବା ପରେ ପୁଲିସ ତାଙ୍କୁ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଥିଲେ । ରାମିଣ୍ଡ ଅବଧି ସରିବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା । ଗଲା ଶୁକ୍ରବାର ଦିନ ଆଶିଷ ପୁନର୍ବାର ପୁଲିସ ରିମାଣ୍ଡରେ ଥିଲେ । ଶନିବାର ବିଳମ୍ବିତ ରାତିରେ ତାଙ୍କୁ ଜେଲକୁ ସ୍ଥାନାନ୍ତର କରାଯିବା ବେଳେ ଜେଲରେ ସେ ଡ଼େଙ୍ଗୁ ପଜେଟିଭ୍ ଥିବା ଜଣାପଡିବାରୁ ତାଙ୍କୁ ଲକ୍ଷ୍ମୀପୁର ଖେରି ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଆଶିଷ ଡ଼େଙ୍ଗୁ ସହ ମଧୁମେହରେ ଆକ୍ରାନ୍ତ ଥିବାରୁ ଏକ ଡ଼ାକ୍ତରୀ ଦଳ ତାଙ୍କ ଚିକିତ୍ସା ଦାୟିତ୍ୱରେ ଅଛନ୍ତି ବୋଲି ଲକ୍ଷ୍ମୀପୁର ଖେରି ହସ୍ପିଟାଲର ମୁଖ୍ୟ ମେଡ଼ିକାଲ ଅଫିସର ଶୈଳେନ୍ଦ୍ର ଭାଟ୍ଟନଗର କହିଛନ୍ତି । ଲକ୍ଷ୍ମୀପୁର ଖେରି ଘଟଣାରେ ୟୁପି ସରକାର ସୁପ୍ରିମ କୋର୍ଟରେ ଯେଉଁ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି ସେଥିରେ ମଧ୍ୟ ସୁପ୍ରିମ କୋର୍ଟ ସନ୍ତୁଷ୍ଟ ନଥିବା ଜଣାପଡିଛି । ୨୬ ତାରିଖ ଦିନ ସୁପ୍ରିମ କୋର୍ଟରେ ଏହା ମାମଲାର ଶୁଣାଣୀ ହେବ ବୋଲି ଧାର୍ଯ୍ୟ ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS