ପ୍ରଦୀପ ମାଝୀ କହିଲେ – ସେ ବିଜେଡ଼ିକୁ ଯାଉଛନ୍ତି
ପ୍ରସାଦ ରାଓ
ଭୁବନେଶ୍ୱର
ଅକ୍ଟୋବର ୨୪
ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅତିଶୀଘ୍ର ନିଜ ସମର୍ଥକଙ୍କ ସହ ବିଜେଡ଼ିରେ ଯୋଗ ଦେଉଥିବା ଆଜି ଘୋଷଣା କରିଛନ୍ତି । ଗତ ୨୨ ତାରିଖ ଦିନ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇ ଥିଲେ । କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଜେଡ଼ିକୁ ଯାଉଥିବା ନିଶ୍ଚିତ ଥିଲେ ସୁଦ୍ଧା ତାଙ୍କ ଆଡୁ ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନଥିଲା । ଆଜି ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେଲା ରାଜ୍ୟକୁ ଏକ ସ୍ଥିର ସରକାର ଦେଇ ଆସୁଛନ୍ତି । କଂଗ୍ରେସରେ ରହି ସେ ନିଜ ଅଂଚଳର ବିକାଶ ପାଇଁ କିଛି କରି ପାରିବେ ନାହିଁ ବୋଲି ହୃଦୟଂଗମ କରିବା ପରେ ଦଳରୁ ଇସ୍ତଫା ଦେଇ ଶାସକ ଦଳରେ ଯୋଗ ଦେବାକୁ ନିର୍ଣ୍ଣୟ ନେଇଛନ୍ତି ବୋଲି ମାଝୀ କହିଛନ୍ତି । ସେ କହିଛନ୍ତି, କଂଗ୍ରେସରେ ରହି ସେ ନିଜ ଅଂଚଳର ବିକାଶ ଓ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପର୍ଯ୍ୟାପ୍ତ ଉଦ୍ୟମ କରି ଥିଲେ ମଧ୍ୟ ସଫଳ ହେଇ ନାହାନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟରେ ଦଳର ଅବସ୍ଥା ଯାହା ଦଳ କ୍ଷମତାକୁ ଫେରିବା ଆଶା ଦିଶୁ ନାହିଁ । ତେଣୁ, ନିଜ ଅଂଚଳର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ଶାସକ ବିଜେଡ଼ିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ପୂର୍ବତନ ସାଂସଦ ମାଝୀ ଇସ୍ତଫା ଦେବା ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଥିଲେ । ସେ ଜଣେ ଆଦିବାସୀ ଯୁବ ନେତା ଭାବେ କେବଳ ଅବିଭକ୍ତ କୋରାପୁଟ ଜିଲ୍ଲାରେ ନୁହେଁ, ସମଗ୍ର ରାଜ୍ୟରେ ବେଶ୍ ଆଦୃତ । ୨୦୦୭ ମସିହାରେ ସେ କଂଗ୍ରେସ ଦଳରୁ ଜିଲ୍ଲା ପରିଷଦ ନିର୍ବାଚନ ଲଢି ବିଜୟୀ ହେବା ପରେ ସର୍ବ କନିଷ୍ଠ ସଦସ୍ୟ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଥିଲେ । ୨୦୦୮ରେ କଂଗ୍ରେସ ଦଳ ତାଙ୍କୁ ଅଖିଳ ଭାରତ ଯୁବ କଂଗ୍ରେସ ସଂପାଦକ ଭାବେ ନିଯୁକ୍ତି ଦେବା ପରେ ଜାତୀୟ ରାଜନୀତିରେ ତାଙ୍କ ପଦାର୍ପଣ ହୋଇଥିଲା । ୨୦୦୯ ସାଧାରଣ ନିର୍ବାଚନରେ ସେ ନବରଂଗପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କଂଗ୍ରେସ ଦଳରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥାଇ କାର୍ଯ୍ୟ କରିଛନ୍ତି । ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଘନିଷ୍ଠତା ଥିଲା । ଇତିମଧ୍ୟରେ, ଅବିଭକ୍ତ କୋରାପୁଟ ଜିଲ୍ଲାର ବହୁ ତୁଂଗ ନେତା କଂଗ୍ରେସ ଛାଡି ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ମାଝୀ ମଧ୍ୟ କଂଗ୍ରେସ ଛାଡୁ ଥିବା ନେଇ ଗଲା କିଛି ମାସ ହେଲା କଳ୍ପନା ଜଳ୍ପନା ଚାଲି ଥିଲା । ତେବେ, ସେ ଦଳ ଛାଡୁ ନାହାନ୍ତି ବୋଲି ଦର୍ଶାଇବା ସକାଶେ ଦିଲ୍ଲୀ ଯାଇ ରହୁଲଙ୍କୁ ଭେଟିବା ଫଟୋ ଗଣମାଧ୍ୟମରେ ଛାଡି ଥିଲେ । ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ସକାଶେ ସେ ରାହୁଲଙ୍କ ସହ ଆଲୋଚନା କରିଛନ୍ତି ବୋଲି ଦିଲ୍ଲୀରୁ ଫେରି ଏଠାରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ଏହାସତ୍ତ୍ୱେ ମାଝୀଙ୍କ ଦଳତ୍ୟାଗ ନେଇ ଚର୍ଚ୍ଚା ଥମୁ ନଥିଲା । ଗତ ୨୨ ତାରିଖ ଦିନ ଏଆଇସିସି ସଭାପତି ସେନିଆ ଗାନ୍ଧୀଙ୍କୁ ଚିଠି ଲେଖି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇବା ପରେ ରାଜ୍ୟ କଂଗ୍ରେସରେ କଂପନ ଦେଖିବାକୁ ମିଳିଥିଲା । ପିସିସି ସଭାପତି ପଦକୁ ନେଇ କଂଗ୍ରେସ ଦଳରେ ରିତିମତ ବଳ କଷାକଷି ଚାଲି ଥିବା ବେଳେ ମାଝୀଙ୍କ ଇସ୍ତଫା ଘୋଷଣା ରାଜନେନ÷ତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲେ ମଧ୍ୟ ମାଝୀଙ୍କ ଇସ୍ତଫା ଦଳ ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନେ ବୟାନବାଜୀ କରୁଛନ୍ତି । ତେବେ, ମାଝୀ କଂଗ୍ରେସ ଛାଡିବା ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ପାଇଁ ଶକ୍ତ ଧକ୍କା ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ତୃଣମୂଳସ୍ତରର ସମସ୍ତ ନେତା ନିଜ ଅଂଚଳର ବିକାଶ ଚାହୁଁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ବିକାଶ ହେବା ସମସ୍ତେ ଚାହୁଁ ଥିବାରୁ ତାଙ୍କ ସହ ଅନ୍ୟମାନେ ମଧ୍ୟ ଅତିଶୀଘ୍ର ବିଜେଡ଼ିରେ ଯୋଗ ଦେଉଥିବା ମାଝୀ କହିଛନ୍ତି । ସେ ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାର ସହ କଂଗ୍ରେସ ଛାଡିବା ନିଷ୍ପତ୍ତି ନେଇଛନ୍ତି ବୋଲି ମାଝୀ କହିଥିବା ବେଳେ ‘ମାଝୀ ଆଜି ଯାହା କିଛି ହୋଇଛନ୍ତି କେବଳ କଂଗ୍ରେସ ପାଇଁ, କଂଗ୍ରେସ ତାଙ୍କୁ ଯେଭଳି ଗୁରୁତ୍ୱ ଦେଇ ଆସିଛି ଶାସକ ବିଜେଡ଼ିରେ ସେଭଳି ଗୁରୁତ୍ୱ ମିଳିବ ନାହିଁ । ଏହି ନିଷ୍ପତ୍ତି ପାଇଁ ସେ ପରେ ଅନୁତାପ କରିବେ’ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS