ମୁଖ୍ୟମନ୍ତ୍ରୀ ନୀରବ କାହିଁକି ?
ପ୍ରସାଦ ରାଓ
ଭୁବନେଶ୍ୱର
ଅକ୍ଟୋବର ୨୩
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ନୃଶଂସ ହତ୍ୟା ଘଟଣା ଗଲା କିଛି ଦିନ ହେଲା ଓଡ଼ିଶା ରାଜନୀତିକୁ ଅଶାନ୍ତ କରି ଥିବା ବେଳେ ଗୃହ ମନ୍ତ୍ରଣାଳୟ ନିଜ ହାତରେ ରଖି ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟାଶୂନ୍ୟ କାହିଁକି ? ସର୍ବସାଧାରଣରେ ଏହି ପ୍ରଶ୍ନ ଉଠିବା ସ୍ୱାଭାବିକ । ମମିତା ନିଖୋଜ ହେବା ଦିନରୁ ରାଜ୍ୟର ରାଜନୈତିକ ବାତାବରଣ ଅଶାନ୍ତ ରହିଛି । ନିଖୋଜ ହେବାର ୧୦ ଦିନ ପରେ ମମିତାଙ୍କ ମୃତ ଦେହର ଦରପୋଡା ଅଂଶବିଶେଷ ଉଦ୍ଧାର ହୋଇଛି । ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ଏହି ଜଘଣ୍ୟ ଅପରାଧରେ ସହଯୋଗୀ ଥିବା ଅଭିଯୁକ୍ତଙ୍କ ଡ୍ରାଇଭରଙ୍କୁ ଗିରଫ କରିଛନ୍ତି । ମୃତ ଦେହ ପୋତିବା ପାଇଁ ମହାଲିଙ୍ଗ ପବ୍ଲିକ ସ୍କୁଲ ଷ୍ଟାଡିୟମରେ ଗୋଟିଏ ଦିନ ପୂର୍ବରୁ ଗାତ ଖୋଳି ଥିବା ଜେସିବି ଚାଳକ ଓ ଷ୍ଟାଡିୟମ ଜଗୁଆଳିଙ୍କୁ ପୁଲିସ ଥାନାକୁ ନେଇ ଭଲ ଭାବେ ଜେରା କରିବା ପରେ ରାଜସାକ୍ଷୀ ଭାବେ ତାଲିକାଭୁକ୍ତ କରି ଛାଡି ଦେଇଛନ୍ତି । ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟରୁ ରାମିଣ୍ଡରେ ନେଇ ପୁଲିସ ଅଧିକାରୀମାନେ ସଂପୂର୍ଣ୍ଣ ହତ୍ୟାକାଣ୍ଡର ପୁନଃ ଅବତାରଣା କରାଇଛନ୍ତି । ମୁଖ୍ୟ ଅଭିଯୁକ୍ତ ମଧ୍ୟ ହତ୍ୟା ଅପରାଧକୁ ମାନିଛି ଏବଂ କିଭଳି ଏହି ହତ୍ୟାକାଣ୍ଡ ଘଟାଇ ଥିଲା ଏବଂ ପ୍ରମାଣ ନଷ୍ଟ ଉଦ୍ୟମ କରିଥିଲା, ତାହା ମଧ୍ୟ ପୁଲିସ ନିକଟରେ ସ୍ୱୀକାରୋକ୍ତି ଦେଇଛି । ଏହା ପରେ ଆଉ କଣ ବା ଅଛି ଯେ ବିରୋଧୀ ତୁମ୍ବିତୋଫାନ କରୁଛନ୍ତି ?
ଏହା ହେଉଛି ବିରୋଧୀଙ୍କୁ ଶାସକ ବିଜୁ ଜନତା ଦଳ (ବିଜେଡ଼ି)ର ପ୍ରଶ୍ନ । ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଘଟଣା ଉପରେ ବୟାନ ରଖି ନଥିଲେ ମଧ୍ୟ ବିଜେଡ଼ିର ବରିଷ୍ଟ ନେତା ଓ ମୁଖପାତ୍ରମାନେ ଗଣମାଧ୍ୟମ ସାମ୍ନାକୁ ଆସି ସରକାରଙ୍କୁ ସୁରକ୍ଷା ଦେବାକୁ ବୟାନବାଜି କରୁଛନ୍ତି । ପୁଲିସ ସଂପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ୍ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବିରୋଧୀ ଏଭଳି ଏକ ଛୋଟକାଟିଆ ଘଟଣାକୁ ନେଇ ଗଲା କିଛି ଦିନ ହେଲା ରାଜ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହୁଛି ବୋଲି ସରକାରୀ ଦଳ କହୁଛି । ତେବେ, ଏହି ଅପରାଧ ଘଟଣା କେବଳ ‘ଅପରାଧ’ରେ ସୀମିତ ନୁହେଁ, ଏହା ପଛରେ ରାଜନୈତିକ ପୃଷ୍ଠପୋଷକତା ଏବଂ ଅନୈତିକ କାର୍ଯ୍ୟକଳାପର ଗୁରୁତର ଅଭିଯୋଗ ଆସିଛି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଓ ଅନ୍ୟ କିଛି ପ୍ରଭାବଶାଳୀ ମନ୍ତ୍ରୀଙ୍କ ଅଦୃଶ୍ୟ ସଂପୃକ୍ତି କଥା ମଧ୍ୟ ଉଠୁଛି । ରାଜ୍ୟ ପୁଲିସ ଅପରାଧୀକୁ ଧରି ଅଧିକ ତଦନ୍ତ ଜାରି ରଖିଛି ସିନା ଅପରାଧ ପଛରେ ଯେଉଁ ରାଜନୈତିକ ପୃଷ୍ଠପୋଷକତା ରହିଛି ତାହାକୁ ତଦନ୍ତ ପରିସରଭୁକ୍ତ କରି ଷଡଯନ୍ତ୍ରର ଉନ୍ମୋଚନ କରିବାରେ ରାଜ୍ୟ ପୁଲିସ ଅକ୍ଷମ । ତେଣୁ, ଘଟଣାର ସିବିଆଇ ବା କୋର୍ଟ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ପାଇଁ ସେମାନେ ଦାବି କରୁଛନ୍ତି ବୋଲି ରାଜ୍ୟ ବିଜେପି ଓ କଂଗ୍ରେସ ନେତୃବର୍ଗ କହୁଛନ୍ତି ।
ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳ ହେଲେ ମଧ୍ୟ ଗାଁଗଣ୍ଡାରେ ଦଳର ସଂଗଠନ ରହିଛି । ବିଜେପି ହେଉଛି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଏବଂ ପଶ୍ଚିମ ଓଡିଶାରେ ଦଳର ବେଶ୍ ପ୍ରଭାବ ରହିଛି । ପଶ୍ଚିମ ଓଡ଼ିଶା ବାଟ ଦେଇ ଓଡ଼ିଶା ରାଜନୀତିକୁ ସଂପୂର୍ଣ୍ଣ ଅକ୍ତିଆର କରିବାକୁ ଦଳ ଲକ୍ଷ୍ୟ ରଖି ଥିବାରୁ ଏବଂ ମମିତା ମେହେର ହତ୍ୟାକାଣ୍ଡର ପଶ୍ଚିମାଂଚଳ ଲିଂକ୍ ଥିବା ବିଜେପି ଆନ୍ଦୋଳନୁ ଅଧିକ ତେଜିୟାନ କରିଛି । ମମିତା ମେହେର ହତ୍ୟା ପଛରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଦୃଶ୍ୟ ହାତ ଥିବା ଦର୍ଶାଇ ତାଙ୍କୁ ରାଜ୍ୟ ମନ୍ତ୍ରୀ ପରିଷଦରୁ ବରଖାସ୍ତ କରାଯିବା ଏବଂ ହତ୍ୟା ରହସ୍ୟ ଉନ୍ମାଚନ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଦ୍ୱାରା ତାହାର ତଦନ୍ତ କରାଯିବା ଉଭୟ କଂଗ୍ରେସ ଓ ବିଜେପି ଦାବି କରିଛନ୍ତି । ଏପରିକି, ସେମାନେ ଭିନ୍ନ ଭିନ୍ନ ଭାବେ ଓଡ଼ିଶା ରାଜ୍ୟପାଳଙ୍କୁ ଭୋଟି ସ୍ମାରକପତ୍ର ଦେବା ମାଧ୍ୟମରେ ଏହି ଦାବି ରଖିଛନ୍ତି । ତେବେ, ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଘେରି ଚାଷୀ ହତ୍ୟା ଘଟଣାରେ ବିରୋଧୀଙ୍କ ପ୍ରବଳ ଚାପ ସତ୍ତ୍ୱେ କେନ୍ଦ୍ର ସରକାର ଯେଭଳି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କୁ ଘଂଟ ଘୋଡାଇ ରଖିଛନ୍ତି ଓଡ଼ିଶା ସରକାର ମଧ୍ୟ ସେହିଭଳି ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷିତ ରଖିବାକୁ ସଂପୂର୍ଣ୍ଣ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି ।
ମମିତା ମେହେର ହତ୍ୟାକାଣ୍ଡ ସହ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କ ସହ ସେହି ଜିଲ୍ଲାର ବିଧାୟକ (ଜୁନାଗଡ) ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଟ ସଂପର୍କ ରହିବା ସ୍ୱାଭାବିକ । ମହାଲିଙ୍ଗ ଗ୍ରାମ ଜୁନାଗଡ଼ ବିଦାନସଭା କ୍ଷେତ୍ରରେ ଆସୁଛି । ଗୋବିନ୍ଦ ସାହୁ ୨୦୦୭ରେ ଏହି ପବ୍ଲିକ ସ୍କୁଲ ପ୍ରତିଷ୍ଠା କରିବା ପରେ ଶାସକ ଦଳର ମନ୍ତ୍ରୀମାନଙ୍କ ସହ ଘନିଷ୍ଠତା ବଢାଇଛନ୍ତି । ଶିକ୍ଷାନୁଷ୍ଠାନକୁ ଆଶାତୀତ ସରକାରୀ ଅନୁଦାନ ଆସିଛି । ଅଂଚଳର ପ୍ରାୟ ସମସ୍ତ ଠିକା କାମ ଗୋବିନ୍ଦଙ୍କ ମାଧ୍ୟମରେ ହେଉଥିବା ଏବଂ ଅପର୍ଯ୍ୟାପ୍ତ ସରକାରୀ ଅନୁଦାନ ତାଙ୍କରି ବାଟ ଦେଇ ଖର୍ଚ୍ଚ ହୋଇଥିବା ମମିତା ହତ୍ୟାକାଣ୍ଡ ପରେ ପଦାକୁ ଆସିଲାଣି । ଏପରିକି, ମମିତାଙ୍କୁ ତଂଟି ଚିପି ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ପୋଡିବା ଓ ପୋତିବା କାର୍ଯ୍ୟରେ ଯେଉଁ ଷ୍ଟାଡିୟମକୁ ବ୍ୟବହାର କରାଯାଇଛି ତାହାର ନିର୍ମାଣ କାର୍ଯ୍ୟର ଠିକା ମଧ୍ୟ ଗୋବିନ୍ଦ ନେଇଛନ୍ତି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ମିଶ୍ର ଓ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଭିନ୍ନ ସମୟରେ ମହାଲିଂଗ ସନସାଇନ୍ ପବ୍ଲିକ ସ୍କୁଲକୁ ଅତିଥି ଭାବେ ଯାଇ ସଭାପତି ଗୋବିନ୍ଦ ସାହୁଙ୍କୁ ଭୂରି ଭୂରି ପ୍ରଶାଂସା କରିଥିବା ଓ ସାହୁଙ୍କ ଦ୍ୱାରା ଆପ୍ୟାୟିତ ହୋଇଥିବା ମଧ୍ୟ ଚର୍ଚ୍ଚାରେ ରହିଛି । ଏଭଳି ସ୍ଥିତିରେ ମିଶ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଥାଇ ରାଜ୍ୟ ପୁଲିସ ଦ୍ୱାରା ଏହି ମାମଲାର ନୀରପେକ୍ଷ ତଦନ୍ତ ହେବା ବିଶ୍ୱାସ କରିବା ସମ୍ଭବ ନୁହେଁ ବୋଲି ବିରୋଧୀଙ୍କ ଯୁକ୍ତିରେ ଦମ୍ ରହିଛି ।
ଜାତୀୟ ମହିଳା କମିସନ୍ ଅଧ୍ୟକ୍ଷା ରେଖା ଶର୍ମା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମମିତା ମେହେର ହତ୍ୟାକାଣ୍ଡର ନିଷ୍ପକ୍ଷ ତଦନ୍ତ ପାଇଁ ଗୋବିନ୍ଦଙ୍କ ଘନିଷ୍ଟ କୁହାଯାଉଥିବା ଦୁଇ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି । ରାଜ୍ୟ ମହିଳା କମିସନ୍ ଅଧ୍ୟକ୍ଷା ମିନତି ବେହେରା କଳାହାଣ୍ଡି ଓ ବଲାଂଗିର ଏସପିଙ୍କୁ ଚିଠି ଲେଖି ଏହି ହତ୍ୟା ଘଟଣାର ତଦନ୍ତରେ ଅଗ୍ରଗତି ରିପୋର୍ଟ ୧୫ ଦିନ ମଧ୍ୟରେ କମିସନ୍ ରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ଦୁଇ ମନ୍ତ୍ରୀ ନିୟମିତ ଭାବେ ସଂପୃକ୍ତ ଶିକ୍ଷାନୁଷ୍ଠାନ ଗସ୍ତରେ ଯିବା, ସେଠାରେ ସମୟ ବିତାଇବା, ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କ ହଷ୍ଟେଲ ସଂଲଗ୍ନ ଏକ ଗୁପ୍ତ କୋଠରୀରେ ଗୋବିନ୍ଦଙ୍କ ପ୍ରୟୋଜିତ ରାସଲୀଳା ଚାଲିବା ନେଇ ଅଭିଯୋଗ ହେବା କେବଳ ସ୍କୁଲ ସଭାପତିଙ୍କୁ ନୁହେଁ, ତାଙ୍କ ସହ ଘନିଷ୍ଠ ସଂପର୍କ ରଖି ଆସି ଥିବା ଶାସକ ଦଳ ଓ ମନ୍ତ୍ରୀଙ୍କୁ ମଧ୍ୟ ସନ୍ଦେହର ପରିଧିକୁ ଟାଣି ଆଣିଛି । ମୁଖ୍ୟମନ୍ତ୍ରୀ ଏହି ଲେଖା ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଗୋବିନ୍ଦଙ୍କ ପୃଷ୍ଠପୋଷକ ରହି ଆସିଥିବା ଦୁଇ ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଓଲଟା, ବିଜେପି ଶାସିତ ରାଜ୍ୟମାନଙ୍କରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ଘଟଣାରେ କେତେ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଇଛି (?) ବୋଲି ବିଜେଡ଼ି ମୁଖପାତ୍ରମାନେ ଓଲଟା ପ୍ରଶ୍ନ କରୁଛନ୍ତି । ଜାତୀୟ ମହିଳା କମିସନ୍ ଅଧ୍ୟକ୍ଷା ରାଜନୈତିକ ଦଳ ଭାବେ ଆଚରଣ ନ ଦେଖାଇ ‘କମିସନ୍’ ଭାବେ ପ୍ରଦର୍ଶନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି । ଏହା ରାଜ୍ୟ ସରକାରଙ୍କ ମଳିନ ଭାବମୂର୍ତ୍ତୀକୁ ସଜାଡିବାରେ କେତେଦୂର ସହାୟକ ହେବ ଆମେ ଜାଣି ନାହୁଁ । ତେବେ, ରାଜ୍ୟ ସରକାର ଯେ ପ୍ରତିରକ୍ଷାତ୍ମକ ସ୍ଥିତିରେ ଅଛନ୍ତି ତାହା ଅନୁମାନ କରିପାରୁଛୁ ।
ମମିତା ମେହେର ହତ୍ୟାକାଣ୍ଡର ପ୍ରାଥମିକସ୍ତରରେ ରାଜ୍ୟ ପୁଲିସର ଯେଭଳି ହାବଭାବ ଓ ପ୍ରତିକ୍ରିୟା ଥିଲା ପୁଲିସ ପ୍ରଶାସନର ନୀରପେକ୍ଷତାକୁ ନେଇ ସନ୍ଦେହ ପ୍ରକାଶ କରିବାର ଅବକାଶ ସୃଷ୍ଟି କରିଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପୁଲିସ ନିକଟରେ ଦେଇଥିବା ସ୍ୱୀକାରୋକ୍ତି ଅନୁଯାୟୀ ମମିତାଙ୍କୁ ହତ୍ୟା କରାଯାଇଛି ଅକ୍ଟୋବର ୮ ତାରିଖ ଦିନ ଭବାନୀପାଟଣାରୁ ମହାଲିଙ୍ଗ ଯିବା ରାସ୍ତାରେ । ସ୍କୁଲର ଛାତ୍ରୀ ହଷ୍ଟେଲ ସଂଲଗ୍ନ ଗୁପ୍ତ କୋଠରୀରେ ଯାହାବି ଯୌନ କେଲେଂକାରୀ ଚାଲି ଥିଲା ତାହାର ପ୍ରମାଣ କଏଦ ଥିଲା ମମିତାଙ୍କ ମୋବାଇଲରେ । ମମିତା ତାହାକୁ ପ୍ରଘଟ କରି ଦେବା ଆଶଙ୍କା କରି ଗୋବିନ୍ଦ ତାଙ୍କୁ ସ୍କୁଲର ଜରୁରୀ ବୈଠକ ଥିବା ଆଳରେ ଡକାଇ ଥିଲେ । ମମିତା ବଲାଂଗୀରରୁ ଯାଇ କଳାହାଣ୍ଡିରେ ପହଂଚିବା ପରେ ନିଜେ ଗୋବିନ୍ଦ ତାଙ୍କୁ ରାସ୍ତାରୁ ପାଛୋଟି ନେଇ ଥିଲେ । ଗୋବିନ୍ଦଙ୍କ ୱାଗନର ଗାଡିରେ ମମିତା ଭବାନୀପାଟଣା ଯାଇଥିଲେ । ସେଠାରୁ ଦୁହେଁ ମହାଲିଙ୍ଗ ଫେରିବା ବାଟରେ ଗୋବିନ୍ଦ ତାଭ୍କ ଯୌନ କେଲେଂକାରୀର ଗୁମର ନ ଖୋଲିବାକୁ ମମିତାଙ୍କୁ ମନାଇବାରେ ବିଫଳ ହେବା ପରେ ହତ୍ୟା କରିଥିଲେ । ଜଣେ ପେଶାଦାର ହତ୍ୟାକାରୀ ଭାବେ ଗୋବିନ୍ଦ ବିନା ଦ୍ୱିଧାରେ ମମିତାଙ୍କ ଶବକୁ ମହାଲିଙ୍ଗ ନେଇ ପୂର୍ବରୁ ଗାତ ପ୍ରସ୍ତୁତ ରଖି ଥିବା ସ୍କୁଲ ଷ୍ଟାଡିୟମରେ ପୋଡ଼ି ଦେଇ ପୋତି ଦେଇଥିଲେ । ମମିତାଙ୍କ ପରିବାର ମମିତା ନିଖୋଜ ଥିବା ଦର୍ଶାଇ ଅକ୍ଟୋବର ୯ରୁ ୧୩ ତାରିଖ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର କେଗାଁ ଥାନା ଓ ବଲାଂଗୀର ଜିଲ୍ଲାର ସିନ୍ଧିକେଲା ଥାନାକୁ ଧାଇଁବା ପରେ ସିନ୍ଧିକେଲା ଥାନାପୁଲିସ ୧୩ ତାରିଖ ଦିନ ଏତଲା ଗ୍ରହଣ କରିଥିଲେ ।
ଗୋବିନ୍ଦ ସାହୁ ଅଂଚଳର ଜଣେ ପ୍ରଭାବାଶାଳୀ ବ୍ୟକ୍ତି ହୋଇ ଥିବାରୁ କଳାହାଣ୍ଡି ଓ ବଳାଂଗୀର ପୁଲିସ ମମିତାଙ୍କ ପରିବାରକୁ କିଭଳି ହଟ୍ଟହଟା କଲେ ତାହା ଆଉ ଏକ କାହାଣୀ । ଅବଶ୍ୟ ସଂପୃକ୍ତ ପୁଲିସ କର୍ମଚାରୀମାନେ ଇତିମଧ୍ୟରେ ନିଲମ୍ବିତ ଓ ସ୍ଥାନାନ୍ତରିତ ହୋଇସାରିଛନ୍ତି । ଗୋବିନ୍ଦ ଅକ୍ଟୋବର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଗଲାଂଗୀର ପୁଲିସ ହେପାଜତରେ ଥିବା ସମୟରେ ୧୭ ତାରିଖ ଥାନା ବ୍ୟାରେକରୁ ଫେରାର ହୋଇଯାଇ ଥିଲେ । ହୋହାଲ୍ଲା ହେବାରୁ ପୁଲିସ ଗୋବିନ୍ଦଙ୍କୁ ଧରିବା ପାଇଁ ଲକ୍ଷେ ଟଙ୍କା ପୁରୁସ୍କାର ଘୋଷଣା କରିବା ସହ ୧୯ ତାରିଖ ଏକ ଆଖୁ ବାଡରେ ଲୁଚି ଥିବା ଗୋବିନ୍ଦଙ୍କୁ ଧରି ଆଣି ଥିଲେ । ମମିତାଙ୍କୁ ହତ୍ୟା କରିଥିବା ଗୋବିନ୍ଦ ୨୦ ତାରିଖ ସ୍ୱୀକାର କରିବା ପରେ ବଂଗୋମୁଣ୍ଡା ଜେଏମଏଫସି କୋର୍ଟରେ ତାଙ୍କୁ ହାଜର କରାଯାଇ ୫ ଦିନିଆ ପୁଲିସ ରିମାଣ୍ଡରେ ଅଣା ଯାଇଛି । ପୁଲିସ ଗୋବିନ୍ଦଙ୍କ ଯୌନ କେଲେଂକାରୀର ଗୁପ୍ତ କୋଠରୀରେ ପ୍ରବେଶ କରି ବ୍ୟାପକ ଖାନତଲାସ କରିଛନ୍ତି । ଗୋବନ୍ଦ ଅପରାଧ ସ୍ୱୀକାର କରି ତାହାର ଡ଼େମୋ ଦେଇ ଥିବା ଉତ୍ତରାଂଚଳ ଡ଼ିଆଇଜି ଦୀପକ କୁମାର କହିଛନ୍ତି । ତେବେ, ଏହା ପଛରେ ଥିବା ରାଜନୈତିକ ସଂପୃକ୍ତିକୁ ନେଇ ପୁଲିସ ନୀରବ ।
ମମିତା ମେହେର ବଲାଂଗୀର ଜିଲ୍ଲାର ହୋଇଥିଲେ ମଧ୍ୟ ଗୋବିନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ମହାଲିଙ୍ଗ ସନସାଇନ୍ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରୀ ଥିଲେ । ୨୦୧୦ରୁ ୨୦୧୨ ଯୁକ୍ତ ଦୁଇ ଶିକ୍ଷା ଶେଷ କରିବା ପରେ ୨୦୧୭ରେ ଗ୍ରାଜୁଏଟ୍ ହୋଇଥିଲେ । ଗୋବିନ୍ଦ ଓ ସ୍କୁଲ ପରିଚାଳନା କମିଟିକୁ ଭଲ ଭାବେ ଜାଣି ଥିବାରୁ ସ୍କୁଲରେ ଶିକ୍ଷକତା କରିବାକୁ ଆବେଦନ କରି ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ପାଇ ଥିଲେ । ସେ ସ୍କୁଲର ଛାତ୍ରୀ ହଷ୍ଟେଲରେ ରହୁ ଥିଲେ । ତେଣୁ, ଗୋବିନ୍ଦଙ୍କ ଯୌନ ବ୍ୟଭିଚାରର ସମସ୍ତ ତଥ୍ୟ ଓ ପ୍ରମାଣ ତାଙ୍କ ନିକଟରେ ଥିଲା । ୨୦୨୦ କରୋନା ପରିସ୍ଥିତି ‘ଲକ୍ ଡାଉନ୍’ ସମୟରେ ସେ ବଲାଂଗୀର ଘରକୁ ଫେରି ଯାଇଥିଲେ ସିନା ଆଉ ସ୍କୁଲକୁ ଫେରିବାକୁ ଚାହୁଁ ନଥିଲେ । ତେବେ, ସମ୍ଭାବ୍ୟ ମୃତ୍ୟୁ ତାଙ୍କୁ ଡାକି ନେଇ ଥିଲା । ଜରୁରୀ ବୈଠକ ଅଛି କହି ଗୋବିନ୍ଦ ତାଙ୍କୁ କଳାହାଣ୍ଡି ଡ଼କାଇବା ପରେ ତାଙ୍କୁ ଭବାନୀପାଟଣାରୁ ମହାଲିଂଗ ଗ୍ରାମକୁ ଯିବା ବାଟରେ ନିଜ ୱାଗନର କାର୍ ଭିତରେ ହିଁ ହତ୍ୟା କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି । ହତ୍ୟା ପରେ କାର୍ଡବୋର୍ଡ ଓ ଟାୟାର ଜାଳି ମମିତାଙ୍କୁ ପୋଡି ଦିଆଯାଇ ପୂର୍ବ ଯୋଜନା ମୁତାବକ ମହାଲିଂଗ ହାଇସ୍କୁଲ ନିର୍ମାଣାଧୀନ ଷ୍ଟାଡିୟମରେ ପୋତି ଦିଆଯାଇଛି । ପୋଡିବା ପୂର୍ବରୁ ମମିତାଙ୍କ ଶରୀରକୁ ଜେସିବି ସହାୟତାରେ ଖଣ୍ଡ ଖଣ୍ଡ କରିଥିବା ମଧ୍ୟ ଗୋବିନ୍ଦ ସ୍ୱୀକାର କରିଛି ।
ଏଭଳି ଏକ ନୃଶଂସ ହତ୍ୟା ଓ ପ୍ରମାଣ ନଷ୍ଟ ଉଦ୍ୟମ ଜଣେ ପେଶାଦାର ଦ୍ୱାରା ହିଁ ସମ୍ଭବ । ଗୋବିନ୍ଦଙ୍କ ପଛରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ମିଶ୍ରଙ୍କ ଅକୁଣ୍ଠ ଆଶୀର୍ବାଦ ଥିବା ଚର୍ଚ୍ଚା ହେଉଛି । ରାଜ୍ୟର ଅନ୍ୟତମ ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ ଜେନାଙ୍କ ମହାଲିଙ୍ଗ ସ୍କୁଲରେ ଦେଉଥିବା ଭାଷଣ ଓ ଗୋବିନ୍ଦଙ୍କୁ ପ୍ରଶଂସା କରିବାର ଭିଡ଼ିଓ ବୈଦ୍ୟୁତିକ ଗଣମାଧ୍ୟମରେ ବେଶ୍ ପ୍ରସାରିତ ହେଉଛି । ତେଣୁ, ବିରୋଧୀ ପୁଲିସ ତଦନ୍ତର ନିରପେକ୍ଷତା ପାଇଁ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସ୍ୱାଭାବିକ । ଏହାକୁ ରାଜନୀତି କହି ଟାଳି ଦେବା ଅର୍ଥ ତଦନ୍ତକୁ ବାଟବଣା କରିବା । କେନ୍ଦ୍ର ସରକାର ତ ଲକ୍ଷ୍ମୀପୁର ଖେରି ଚାଷୀ ହତ୍ୟା ଘଟଣାରେ ତାହା କରିଛନ୍ତି । ଓଡ଼ିଶା ସରକାର ମମିତା ମେହେର ହତ୍ୟା ଘଟଣାରେ ସେହି ଏକା ପଥର ଯାତ୍ରୀ ହେବା ଶାସକୀୟ ଅହଂକାରର ପରିଚୟ ଦେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ମଧ୍ୟ ଓଡ଼ିଶାବାସୀଙ୍କ ହୃଦୟରେ ଅଛନ୍ତି । ଜଣେ ମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀ ପରିଷଦରୁ ହଟାଇଲେ ଯଦି ଦଳର ଭାବମୂର୍ତ୍ତୀକୁ ଅକ୍ଷୁର୍ଣ୍ଣ ରହୁଛି ଏବଂ ରାଜନୈତିକ ଅଶାନ୍ତି ଦୂର ହେଉଛି, ମୁଖ୍ୟମନ୍ତ୍ରୀ ଏତେ କୁଂଠିତ ହେବା କାରଣ କଣ ? ମନ୍ତ୍ରୀ ଦିବ୍ୟଶଙ୍କର ନିଜ ଆଡୁ ଇସ୍ତଫା ଦେଇ ତଦନ୍ତକୁ ନିରପେକ୍ଷ କରିବାକୁ ଆଗେଇ ଆସି ଥିଲେ ବିରୋଧୀ ସରକାରଙ୍କୁ ଟେକା ମାରିବା ସୁଯୋଗ ପାଇ ନଥା’ନ୍ତେ । ତେବେ, ଶାସକୀୟ ଅହଂକାର ତାହା କରାଇ ଦେଉ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS