ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣୀ ସରିନି, କାଲି ମଧ୍ୟ ଶୁଣାଣୀ ହେବ
ପ୍ରସାଦ ରାଓ
ମୁମ୍ବାଇ
ଅକ୍ଟୋବର ୨୭
ୟୁପିର ଲକ୍ଷ୍ମୀପୁର ଖେରି ଘଟଣା ଭଳି ମୁମ୍ବାଇ-ଗୋଆ କ୍ରୁଜରୁ ବଲିଉଡ଼ ଅଭିନେତା ଶାହାରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଖାନ ଗିରଫ ଘଟଣା ୨୦୨୧ ଅକ୍ଟୋବରର ସବୁଠାରୁ ବଡ଼ ବିବାଦୀୟ ଘଟଣା ହୋଇଛି । ଆର୍ଯ୍ୟନ ଏନସିବି ଦ୍ୱାରା ଗିରଫ ହୋଇ ଏବେ ମୁମ୍ବାଇର ଆର୍ଥର ରୋଡ଼ ଜେଲରେ ଅଛନ୍ତି । ମୁମ୍ବାି ହାଇକୋର୍ଟରେ ଦୁଇ ଦିନ ହେଲା ତାଙ୍କ ଜାମିନ ଆବେଦନର ଶୁଣାଣୀ ଚାଲିଛି । ମଙ୍ଗଳବାର ଦିନ ଏହି ଶୁଣାଣୀ ଆରମ୍ଭ ହୋଇଥିଲା । ବୁଧବାର ମଧ୍ୟ ଶୁଣାଣୀ ହୋଇଛି । ଆସନ୍ତା କାଲି ଏନସିବି ତାହାର ପକ୍ଷ ରଖିବ ବୋଲି ଅଦାଲତଙ୍କୁ ଜଣାଇବା ପରେ ଶୁଣାଣୀ ଗୁରୁବାରକୁ ସ୍ଥଗିତ ରଖା ଯାଇଥିବା ସୂଚନା ମିଳିଛି । ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଶୁଣାଣୀ ଜାରି ଥିବା ଜଣାପଡିଛି । ହାଇକୋର୍ଟର ଜଣିକିଆ ବିଚାରପତି ଜଷ୍ଟିସ ଏନ୍.ଡବ୍ଲୁ.ସାମ୍ବ୍ରେଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆର୍ଯ୍ୟନ, ତାଙ୍କ ବନ୍ଧୁ ଅର୍ବାଜ ମର୍ଚ୍ଚେଂଟ ଓ ମୁନମୁନ ଧମିଚାଙ୍କ ଜାମିନ ଆବେଦନର ଶୁଣାଣୀ ହେଉଛି । ଜାମିନ ଆବେଦନ କରିଥିବା ଆର୍ଯ୍ୟନ ଓ ଅର୍ବାଜ୍ ମୁମ୍ବାଇର ଆର୍ଥର ରୋଡ଼ ଜେଲରେ ବିଚାରାଧୀନ ବନ୍ଦୀ ଥିବା ବେଳେ ମୁନମୁନ ଧମିଚା ବାଇକୁଲା ମହିଳା ଜେଲରେ ଅଛନ୍ତି । ଆସନ୍ତା କାଲି ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବା ଆଶା କରାଯାଉଛି ।
ଅପରପକ୍ଷରେ, ଅକ୍ଟୋବର ୨ ତାରିଖ ରାତି ମୁମ୍ବାଇ-ଗୋଆ କ୍ରୁଜ୍ ଚଢାଉରେ ମୁଖ୍ୟ ଭୂମିକାରେ ଥିବା ଏବଂ ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରି ଜେଲ ପଠାଇ ଥିବା (୩ ତାରିଖ) ଏନସିବି ଆଂଚଳିକ ନିର୍ଦେଶକ ସମୀର ୱାଂଖଡେ ନିଜେ ଏବେ ସଂକଟରେ ଫସିଛନ୍ତି । ସେ କୁଆଡେ ଆର୍ଯ୍ୟନଙ୍କୁ ଛାଡି ଦେବା ସକାଶେ ଲାଂଚ ମାଗି ଥିଲେ ବୋଲି ଦାଖଲ ହୋଇଥିବା ଏକ ସତ୍ୟପାଠ ୱାଂଖଡେଙ୍କ ଅଡୁଆ ବଢାଇଛି । ମୁମ୍ବାଇ କ୍ରୁଜ୍ ଚଢାଉ ମାମଲାରେ ୱାଂଖଡେ ନିଜେ ଯାହୁକୁ ମୁଖ୍ୟ ସାକ୍ଷୀ କରିଥିଲେ ସେହି କେ.ପି.ଗୋସାବର ଦେହରକ୍ଷୀ ପ୍ରଭାକର ଶୈଲ୍ ୱାଂଖଡେଙ୍କ ବିରୋଧରେ ସତ୍ୟପାଠ ଦାଖଲ କରିଛି । ଶାହାରୁଖ-ପୁତ୍ର ଆର୍ଯ୍ୟନଙ୍କୁ ଛାଡିବା ସକାଶେ ଅଭିନେତା ଶାହାରୁଖ ଖାନଙ୍କ ସେକ୍ରେଟାରୀ, ମାମଲାର ମୁଖ୍ୟ ସାକ୍ଷୀ ଗୋସାବ ଓ ଅନ୍ୟ ଜଣଙ୍କ ମଧ୍ୟରେ ୨୫ କୋଟି ଟଙ୍କାର ଡିଲ୍ ଚାଲି ଥିଲା । ସେଥିରୁ ୮ କୋଟି ଟଙ୍କା ୱାଂଖଡେ ଓ ଅନ୍ୟ ଅଧିକାରୀଙ୍କ ନିକଟକୁ ଯାଇଥା’ନ୍ତେ ବୋଲି ଗୋସାବ ତାଙ୍କ ମୋବାଇଲ୍ ଫୋନ୍ ରେ କଥା ହେଉଥିବା ସେ ଶୁଣିଛନ୍ତି ବୋଲି ଗୋସାବଙ୍କ ଦେହରକ୍ଷୀ ଶୈଲ୍ ଗଲା ରବିବାର ଦିନ ସତ୍ୟପାଠ ଦାଖଲ କରିଛନ୍ତି ।
ଅକ୍ଟୋବର ୨ ତାରିଖ ‘ରେଭ୍ ପାଟି’ର୍ରୁ ଆର୍ଯ୍ୟନ ଓ ଅନ୍ୟମାନେ ଗିରଫ ହେବା ପରେ ଆର୍ଯ୍ୟନଙ୍କୁ ନିଷିଦ୍ଧ ମାଦକ ଦ୍ରବ୍ୟ ସେବନ ଓ ମାଦକ ଦ୍ରବ୍ୟର ଚୋରା କାରବାର ସହ ସଂପର୍କ ଥିବା ଅଭିଯୋଗରେ ମାମଲାରେ ଛନ୍ଦି ଦିଆଯାଇଛି । ଏନଡ଼ିପିଏସ୍ ଆଇନରେ ସେମାନେ ଜେଲରେ ଅଟକ ଅଛନ୍ତି । ୨୦ ଦିନରୁ ଅଧିକ ହେଲା ସେମାନଙ୍କୁ ଜାମିନ ମିଳୁ ନାହିଁ । ଏନସିବିର ଆଂଚଳିକ ନିର୍ଦେଶକ ୱାଂଖଡେ ଏହି ଚଢାଉର ନେତୃତ୍ୱରେ ଥିଲେ । ଚଢାଉ ପରେ ମିଳି ଥିବା ତଥ୍ୟକୁ ଭିତ୍ତିକରି ଏନସିବି କେତେକ ଚେରା ମାଦକ ଦ୍ରବ୍ୟ ବେପାରୀଙ୍କୁ ଗିରଫ କରିଥିବା ଦାବି କରୁଛି । କିନ୍ତୁ, ଆର୍ଯ୍ୟନ ଖାନଙ୍କ ଭଳି ସେଲେବ୍ରିଟି-ପୁତ୍ରଙ୍କୁ ହାତ ମାରି ଏନସିବି ବିବାଦରେ ଫସିଛି । ୨୦୨୦ ଜୁନ ପରଠାରୁ ଏନସିବି ରିତିମତ ବଲିଉଡ ତାରକାଙ୍କୁ ଟାର୍ଗେଟ କରୁଛି । ଶାହାରୁଖ-ପୁତ୍ର ଆର୍ଯ୍ୟନ ହେଉଛନ୍ତି ତାହାର ସଦ୍ୟତମ ଶିକାର । ବଲିଉଡ଼ ସେଲେବ୍ରିଟିଙ୍କୁ ଟାର୍ଗେଟ କରି ଏନସିବି ବଲିଉଡ୍ ଫିଲ୍ମ ଶିଳ୍ପକୁ ବଦନାମ କରିବାକୁ ଷଡଯନ୍ତ୍ର କରୁଛି । ଏହି ଷଡଯନ୍ତ୍ର କେନ୍ଦ୍ର ସରକାରଙ୍କ ପ୍ରୟୋଜିତ ବୋଲି ମହାରାଷ୍ଟ୍ର ସରକାର ଓ ଶାସକ ଦଳର ରାଜନୋମାନେ ଅଭିଯୋଗ କରୁଥିବା ବେଳେ ୱାଂଖଡେ ଏହି ନିଆଁରେ ଫସିଛନ୍ତି ।
କିଛି ଦିନ ହେଲା ମହାରାଷ୍ଟ୍ର ସରକାର ଓ ଶାସକ ଶିବସେନା, ଏନସିପି ଓ କଂଗ୍ରେସ ମେଂଟର ୱାଂଖଡେଙ୍କୁ ଟାର୍ଗେଟ୍ କରି ଆସୁଛି । ତାଙ୍କ ବ୍ୟକ୍ତିଗତ ଜୀବନ ଓ ଚରିତ୍ରକୁ ନେଇ ଟ୍ରୋଲ୍ ଚାଲିଛି । ବଲିଉଡ଼ ଫିଲ୍ମ ଶିଳ୍ପକୁ ମୁମ୍ବାଇରୁ ୟୁପିକୁ ସ୍ଥାନାନ୍ତର ପାଇଁ ଚାଲିଥିବା ଚକ୍ରାନ୍ତର ଏହା ଅଂଶବିଶେଷ ବୋଲି ମହାରାଷ୍ଟ୍ର ରାଜନେତାମାନେ ଅଭିଯୋଗ କରିଛନ୍ତି । ୱାଂଖଡେ ତାହାର ସୂତ୍ରଧର ବୋଲି ସେମାନେ କହୁଛନ୍ତି । ଗଲା ରବିବାର ଶୈଲଙ୍କ ସତ୍ୟପାଠ ୱାଂଖଡେଙ୍କ ବିରୋଧରେ ଲାଂଚ ଅଭିଯୋଗର କଫିନ୍ ରେ କଂଟା ସଦୃଶ ହୋଇଛି । ଶୈଲ୍ ତାଙ୍କ ସତ୍ୟପାଠରେ ଅଭିଯୋଗ କରିଛନ୍ତି, ମୁମ୍ବାଇ କ୍ରୁଜ୍ ଚଢାଉରେ ଆର୍ଯ୍ୟନ ଗିରଫ ହେବା ପରେ ତାଙ୍କୁ ମୁକୁଳାଇବା ପାଇଁ ଶାହାରୁଖଙ୍କ ଯେଉଁ ୨୫ କୋଟିର ବୋମା ଖଂଜା ଯାଇଥିଲା ତାହା ୧୮ କୋଟିରେ ଛିଡି ଥିଲେ ମଧ୍ୟ ସେଥିରୁ ୮ କୋଟି ଟଙ୍କା ଯାଇଥା’ନ୍ତା ୱାଂଖଡେଙ୍କୁ । ସତ୍ୟପାଠରେ ହୋଇଥିବା ଅଭିଯୋଗର ସତ୍ୟତା କେତେ ଜଣାପଡିନାହିଁ । ତେବେ, ତାହା ୱାଂଖଡେଙ୍କୁ କାଠଗଡ଼ାରେ ଠିଆ କରିବାକୁ ଯଥେଷ୍ଟ ହୋଇଛି ।
ସମୀର ୱାଂଖଡେ ଏହି ଲାଂଚ ଅଭିଯୋଗକୁ ବାରମ୍ବାର ଅସ୍ୱୀକାର କରୁଛନ୍ତି । ସେ ରାଜନୀତିର ଟାର୍ଗେଟ୍ ହୋଇଥିବା ଅଭିଯୋଗ କରୁଛନ୍ତି । ୱାଂଖଡେଙ୍କ ବୃତ୍ତିଗତ ସାଧୁତାକୁ ନେଇ ଏନସିବି ମଧ୍ୟ ଦଲିଲ୍ ଉପସ୍ଥାପନ କରୁଛି । ତେବେ, ଶୈଲଙ୍କ ସତ୍ୟପାଠ ମୁମ୍ବାଇ ରାଜନୀତିକୁ ସରଗରମ ରଖି ଥିବାରୁ ଓ ଏହି ସତ୍ୟପାଠକୁ ଖାରଜ କରିବା ପାଇଁ ଏନସିବି ପକ୍ଷରୁ ଅଦାଲତରେ ହୋଇଥିବା ଆବେଦନକୁ ମୁମ୍ବାଇର ଏକ ଅଦାଲତ ଅଗ୍ରାହ୍ୟ କରି ଦେବାରୁ ୱାଂଖଡେ ବିରୋଧୀ ଜାଲରେ ଫସି ରହିଛନ୍ତି । ଏନସିବିର ଉତ୍ତରାଂଚଳ ଉପ ମହାନିର୍ଦେଶକ ତଥା ମୁଖ୍ୟ ଭିଜିଲାନ୍ସ ଅଧିକାରୀ (ସିଭିଓ) ଜ୍ଞାନେଶ୍ୱର ସିଂହଙ୍କୁ ନେଇ ଗଠିତ ଏକ ପାଂଚ ଜଣିଆ ଟିମ୍ ୱାଂଖଡେଙ୍କ ଲାଂଚ ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି । ୱାଂଖଡେ ଗିରଫ ହେବା ଭୟରେ ବ୍ୟତିବ୍ୟସ୍ତ । ମୁମ୍ବାଇ ପୁଲିସ କମିସନରଙ୍କୁ ଚିଠି ଲେଖି ସେ ତାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ନିବେଦନ କରିଛନ୍ତି । ଆର୍ଯ୍ୟନଙ୍କୁ ନେଇ ୱାଂଖଡେ ଏବେ ମହାରାଷ୍ଟ୍ର ଝଡ଼ର କେନ୍ଦ୍ର ବିନ୍ଦୁ ଥିବା ବେଳେ ମୁମ୍ବାଇ ହାଇକୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣୀ ଚାଲିଛି ।
ଆର୍ଯ୍ୟନ, ଅର୍ବାଜ ଓ ମୁନମୁନଙ୍କ ପକ୍ଷରୁ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ ମୁକୁଲ ରେହତଗୀ, ସତୀଶ ମାନସିନେ୍ଧ, ଅମିତ ଦେଶାଇ, ଆନନ୍ଦିନି ଫର୍ଣ୍ଣାଂଡିସ୍, କେଜିରୀୱାଲ୍ ଏଣ୍ଡ କୋ ଲ’ ଫାର୍ମ ଏବଂ ଦେଶାଇ ଦେଶାଇ କରିମଜୀ ଏଣ୍ଡ୍ ମୁଲ୍ଲା ଲ’ ଫାର୍ମର ବରିଷ୍ଠ ଓକିଲମାନେ ହାଇକୋର୍ଟରେ ମାମଲା ପରିଚାଳନା କରୁଥିବା ବେଳେ ଏନସିବି ପକ୍ଷରୁ ଏଏସଜି ଅନୀଲ ସିଂହ ମାମଲା ପରିଚାଳନା କରୁଛନ୍ତି । ଆର୍ଯ୍ୟନ ଓ ଅନ୍ୟ ୭ ଜଣ ଅକ୍ଟୋବର ୩ ତାରିଖ ଗିରଫ ହୋଇ ୭ ତାରିଖରୁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି । ଶେଷଥର ପାଇଁ ମୁମ୍ବାଇର ଏକ ସ୍ୱତନ୍ତ୍ର ଏନଡ଼ିପିଏସ୍ କୋର୍ଟ ଅକ୍ଟୋବର ୨୦ ତାରିଖ ଦିନ ଆର୍ଯ୍ୟନ ଓ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ୩୦ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଇବା ପରେ ଆର୍ଯ୍ୟନଙ୍କ ଓକିଲ ସତୀଶ ମାନସିନେ୍ଧ ଏନଡ଼ିପିଏସ୍ କୋର୍ଟଙ୍କ ଆଦେଶ ବିରୋଧରେ ମୁମ୍ବାଇ ହାଇକୋର୍ଟରେ ଆବେଦନ କରିଥିଲେ ।
ମୁମ୍ବାଇ-ଗୋଆ କ୍ରୁଜ୍ ରେ ଅକ୍ଟୋବର ୨ ତାରିଖ ରାତିରେ ‘ରେଭ୍ ପାର୍ଟି’ ଚାଲିଥିବା ବେଳେ ଏନସିବିର ଏହି ଚଢାଉ ହୋଇଥିଲା । ଏନସିବି ଶାହାରୁଖ-ପୁତ୍ର ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଧରି ଆଣି ୧୨ ଘଂଟା ଜେରା କରିବା ପରେ ଦୁଇଟି ପର୍ଯ୍ୟାୟରେ ସେମାନଙ୍କୁ ୩ ତାରିଖ କୋର୍ଟ ଚାଲାଣ କରିଥିଲା । ଚଢାଉ ସମୟରେ ଆର୍ଯ୍ୟନଙ୍କ ନିକଟରୁ କାଣିଚାଏ ମଧ୍ୟ ନିଷିଦ୍ଧ ମାଦକ ଦ୍ରବ୍ୟ ଜବତ ହୋଇ ନାହିଁ ବା ସେ ମାଦକ ଦ୍ରବ୍ୟ ସେବନ କରିଥିବା ନେଇ ଏନସିବି ନିଟରେ କୌଣସି ପ୍ରମାଣ ନାହିଁ । ତେଣୁ, ତାଙ୍କୁ ଏନଡ଼ିପିଏସ୍ ଆଇନରେ ଗିରଫ କରାଯାଇ ଏତେ ଦିନ ଜେଲରେ ରଖାଯିବା ବେଆଇନ ବୋଲି ଆର୍ଯ୍ୟନଙ୍କ ଓକିଲ ମୁକୁଲ ରୋହତଗୀ ହାଇକୋର୍ଟରେ ଯୁକ୍ତି ରଖିଛନ୍ତି । ଆର୍ଯ୍ୟନଙ୍କ ମୋବାଇଲ୍ ଜବତ କରାଯାଇନି ବା ପଂଚନାମାରେ ତାହା ଦର୍ଶାଯାଇନି । ‘ହ୍ୱାଟସ୍ ଆପ୍’ ଚାଟ୍ କଥା ଯାହା କୁହାଯାଉଛି ଅଭିସନ୍ଧିମୂଳକ ବୋଲି ମଧ୍ୟ ସେ କହିଛନ୍ତି । କ୍ରୁଜ୍ ରେ ଚଢାଉ ସମୟରେ ଅର୍ବାଜଙ୍କ ଯୋତାରୁ ମିଳିଥିବା ୬ ଗ୍ରାମ ଚରସ୍ ମଧ୍ୟ ଏନସିବି ଦ୍ୱାରା ପ୍ଲାଂଟ୍ ହୋଇଥିଲା ବୋଲି ଅର୍ବାଜଙ୍କ ଓକିଲ ହାଇକୋର୍ଟରେ ଦର୍ଶାଯାଇଛି । ଆର୍ଯ୍ୟନ ଓ ଅର୍ବାଜଙ୍କ ସଂପର୍କ ମାଲିକ-ଭୃତ୍ୟର ନୁହେଁ, ତେଣୁ ଆର୍ଯ୍ୟନଙ୍କ ପାଇଁ ଅର୍ବାଜ୍ ଚରସ୍ ନେଇ ଥିଲେ ବୋଲି କୁହାଯିବା ଅର୍ଥହୀନ ବୋଲି ରୋହତଗୀଙ୍କ ଯୁକ୍ତି ଉପରେ ଏନସିବିର ପଇଁତରା କଣ ହେବ ତାହା କାଲି (ଗୁରୁବାର) ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS