ସମୀର ୱାଂଖଡେଙ୍କୁ ବମ୍ବେ ହାଇକୋର୍ଟର ସୁରକ୍ଷା
ପ୍ରସାଦ ରାଓ
ମୁମ୍ବାଇ
ଅକ୍ଟୋବର ୨୮
ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁତ୍ର ଆର୍ଯ୍ୟନ ଖାନଙ୍କୁ ଗିରଫ କରି ମହାରାଷ୍ଟ୍ର ସରକାରଙ୍କ କୋପ ଦୃଷ୍ଟିରେ ଥିବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର ମୁମ୍ବାଇ ଆଂଚଳିକ ନିର୍ଦେଶକ ସମୀର ୱାଂଖଡେଙ୍କୁ ମୁମ୍ବାଇ ପୁଲିସ ଦୁର୍ନୀତି ଅଭିଯୋଗରେ ଗିରଫ କରିବା ଆଶଙ୍କା ପ୍ରକାଶ ପାଇଛି । ମୁମ୍ବାଇ ପୁଲିସ କଥିତ ୨୫ କୋଟି ଲାଂଚ କାରବାରକୁ ନେଇ ଏକ ସତ୍ୟପାଠ ଆଧାରରେ ତଦନ୍ତ ଆରମ୍ଭ କରି ଥିବାରୁ ସେହି ମାମଲାରେ ତାଙ୍କୁ ଗିରଫ କରିପାରନ୍ତି । ତେଣୁ, ତାଙ୍କ ଆନ୍ତଃରୀଣ ସୁରକ୍ଷା ଦିଆଯାଉ ବୋଲି ୱାଂଖଡେଙ୍କ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ଆଜି ବମ୍ବେ ହାଇକୋର୍ଟରୁ ତାଙ୍କୁ ଅନ୍ତଃରୀଣ ସୁରକ୍ଷା ମିଳିଛି । ମୁମ୍ବାଇ ପୁଲିସ ୱାଂଖଡେଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ତିନିଟି କାର୍ଯ୍ୟ ଦିବସ ପୂର୍ବରୁ ତାଙ୍କୁ ଆଗୁଆ ନୋଟିସ ଜାରି କରିବାକୁ ପଡିବ ବୋଲି ବମ୍ବେ ହାଇକୋର୍ଟ ପୁଲିସ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ମହାରାଷ୍ଟ୍ରର ବରିଷ୍ଠ ଏନସିପି ନେତା ତଥା ରାଜ୍ୟର ମନ୍ତ୍ରୀ ନବାବ ମଲ୍ଲିକ ଏନସିବି ଜୋନାଲ ନିର୍ଦେଶକ ୱାଂଖଡେଙ୍କ ବିରୋଧରେ ବହୁ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହାଛଡା, ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯିବା ପରେ ମୁକୁଳାଇବା ପାଇଁ ଏକ ୨୫ କୋଟି ଟଙ୍କାର ଡିଲ୍ ଚାଲି ଥିଲା, ତାହା କାର୍ଯ୍ୟକାରୀ ହୋଇଥିଲେ ୱଂଖଡେଙ୍କ ସମେତ ଏନସିବି ଅଧିକାରୀଙ୍କୁ ୮ କୋଟି ଟଙ୍କା ମିଳି ଥା’ନ୍ତା ବୋଲି ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ୍ ମାମଲାରେ ଏନସିବିର ସାକ୍ଷୀ ଥିବା କେ.ପି.ଗୋସାବୀଙ୍କ ଦେହରକ୍ଷୀ ପ୍ରଭାକର ଶୈଲ୍ ଗୋସାବୀ ଏବଂ ଅନ୍ୟମାନଙ୍କ ମଧ୍ୟରେ ହୋଇଥିବା ମୋବାଇଲ ଫୋନ୍ କଥାବାର୍ତ୍ତା ଶୁଣିଛନ୍ତି ବୋଲି ଗତ ରବିବାର ଦିନ ଏକ ସତ୍ୟପାଠ ଦାଖଲ କରିଛନ୍ତି । ଏହି ସତ୍ୟପାଠ ଆଧାରରେ ମୁମ୍ବାଇ ପୁଲିସ ୱାଂଖଡେଙ୍କ ବିରୋଧରେ ଦୁର୍ନୀତି ମାମଲା କରି ତଦନ୍ତ ଆରମ୍ଭ କରି ଥିବାରୁ ୱାଂଖଡେ ଗିରଫ ହେବା ଆଶଙ୍କା କରୁଛନ୍ତି । ଆର୍ଯ୍ୟନଙ୍କ ଗିରଫଦାରୀ ପରେ ମହାରାଷ୍ଟ୍ର ସରକାର ରିତିମତ ତାଙ୍କ ପିଛା ପଡିଛନ୍ତି । ତାଙ୍କୁ ଓତାଙ୍କ ପରିବାରକୁ ବ୍ୟକ୍ତିଗତ ଭାବେ ଆକ୍ଷେପ କରାଯାଉଛି । ମୁମ୍ବାଇ ପୁଲିସ ଦୁର୍ନୀତି ନିବାରଣ ଆଇନରେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା, ଏପରିକି ତାଙ୍କୁ ଗିରଫ କରିବା ଆଶଙ୍କା ଥିବାରୁ ସେ ଆନ୍ତଃରୀଣ ସୁରକ୍ଷା ଚାହୁଁଛନ୍ତି ବୋଲି ୱାଂଖଡେ ହାଇକୋର୍ଟରେ ଆବେଦନ କରିଥିଲେ । ତାଙ୍କ ବିରୋଧରେ ଆରମ୍ଭ ହୋଇଥିବା ପୁଲିସ ତଦନ୍ତ ମହାରାଷ୍ଟ୍ରରୁ ହଟାଇ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରାଯିବାକୁ କିମ୍ବା କୌଣସି କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ହାତରେ ନ୍ୟସ୍ତ କରାଯିବାକୁ ୱାଂଖଡେ ହାଇକୋର୍ଟରେ ଆବେଦନ କରିଛନ୍ତି । ମୁମ୍ବାଇ ପୁଲିସର ଯେକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ୭୨ ଘଂଟା ପୂର୍ବରୁ ୱାଂଖଡେଙ୍କୁ ସୂଚିତ କରି ଦେବେ ବୋଲି ମୁ୍ମ୍ବାଇ ସରକାରଙ୍କ ଓକିଲ ହାଇକୋର୍ଟରେ ସୂଚିତ କରିଥିବା ଜଣାପଡିଛି । ହାଇକୋର୍ଟ ମଧ୍ୟ ୱାଂଖଡେଙ୍କ ବିରୋଧରେ ଯେକୌଣସି କଠୋର ପୁଲିସ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ତିନିଟି କାର୍ଯ୍ୟ ଦିବସ ଆଗରୁ ତାଙ୍କୁ ନୋଟିସ ଦେବାକୁ ପଡିବ ବୋଲି ନିର୍ଦେଶ ଦେଇଛନ୍ତି । ୱାଂଖଡେ ହାଇକୋର୍ଟଙ୍କ ସୁରକ୍ଷା ପାଇଥିବା ବେଳେ ତାଙ୍କ ପତ୍ନୀ କ୍ରାନ୍ତି ରେଡକର୍ ୱାଂଖଡେ ଆଜି ‘ଟ୍ୱିଟର୍’ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉଦେ୍ଦଶ୍ୟରେ ଟ୍ୱିଟ୍ କରି ପ୍ରତିଦିନ ତାଙ୍କ ପରିବାରକୁ ଜନସାଧାରଣରେ ଅପମାନିତ କରାଯାଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ଛତ୍ରପତି ଶିବାଜୀ ମହାରାଜାଙ୍କ ରାଜ୍ୟରେ ମହିଳାଙ୍କୁ ଅପମାନିତ କରାଯିବା ବାଲାସାହେବ ଠାକରେ ବଂଚି ଥିଲେ ବୋଧହୁଏ ପସନ୍ଦ କରି ନଥା’ନ୍ତେ ବୋଲି ସେ କହିଛନ୍ତି । ଅପରପକ୍ଷରେ, ୱାଂଖଡେଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ଏନସିବି ସଂପୂର୍ଣ୍ଣ ଅଗ୍ରାହ୍ୟ କରିବା ସହ ତାଙ୍କ ବୃତ୍ତିଗତ ସାଧୁତାକୁ ପ୍ରଶଂସା କରିଛି । ତେବେ, ପ୍ରଭାକର ଶୈଲଙ୍କ ସତ୍ୟପାଠ ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରି ଥିବାରୁ ଏନସିବିର ଉତ୍ତରାଂଚଳ ଉପ ମହାନିର୍ଦେଶକ ତଥା ମୁଖ୍ୟ ଭିଜିଲାନ୍ସ ଅଧିକାରୀ (ସିଭିଓ) ଜ୍ଞାନେଶ୍ୱର ସିଂହଙ୍କୁ ନେଇ ଗଠିତ ଏକ ପାଂଚ ଜଣିଆ ଟିମ୍ ଏହି ଅଭିଯୋଗର ତଦନ୍ତ ଜାରି ରଖିଛନ୍ତି ।
ଦେଶଦ୍ରୋହ ଅଭିଯୋଗରେ ୩ ଇଂଜିନିୟରିଂ ଛାତ୍ର ଗିରଫ
ଆଗ୍ରା
ଅକ୍ଟୋବର ୨୮
ଗତ ରବିବାର ଦୁବାଇରେ ଅନୁଷ୍ଠିତ ଭାରତ-ପାକିସ୍ତାନ ଆଇସିସି ୨୦-୨୦ ବିଶ୍ୱକପ୍ କ୍ରିକେଟ୍ ମ୍ୟାଚରେ ପାକିସ୍ତାନ କ୍ରିକେଟ ଟିମ୍ ଭାରତକୁ ୧୦ ୱିକେଟରେ ପରାଜିତ କରିଥିଲେ । ପାକିସ୍ତାନର ବିଜୟରେ ଉତ୍ସାହିତ ହୋଇ ଆଗ୍ରାରେ ଉତ୍ସବ ମନାଇ ଥିବା ଜମ୍ମୁ-କଶ୍ମୀରର ତିନି ଜଣ ଇଂଜିନିୟରିଂ ଛାତ୍ରଙ୍କୁ ଗତକାଲି ଆଗ୍ରା ପୁଲିସ ଗିରଫ କରିଛି । ପାକିସ୍ତାନର ବିଜୟକୁ ନେଇ ଉତ୍ସବ ମନାଇଲେ ଦେଶଦ୍ରୋହ ଆଇନରେ ଗିରଫ କରାଯିବ ବୋଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସକାଳେ ଟ୍ୱିଟ୍ କରିବା ପରେ ଗିରଫ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଲାଗିବା ଅନୁମାନ କରାଯାଉଛି । ଗିରିଫ ତିନି ଛାତ୍ର ହେଉଛନ୍ତି – ଆଗ୍ରା ରାଜା ବଲୱନ୍ତ ସିଂହ କଲେଜର ଇଂଜିନିୟରିଂ ଛାତ୍ର ଅର୍ସାଦ ୟୁସୁଫ ଓ ଇନାୟତ ଅଲତାଫ ଶେଖ୍ (ତୃତୀୟ ବର୍ଷ) ଓ ସୌକତ ଅହମ୍ମଦ ଘନି (ଚତୁର୍ଥ ବର୍ଷ) । ଧର୍ମ ଭିତ୍ତିରେ ଶତୃତା ସୃଷ୍ଟି କରିବା ଏବଂ ସାଇବର୍-ଆତଙ୍କରାଜ ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଟ୍ୱିଟ୍ ରୁ ସେମାନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଲାଗିବା ଆଶଙ୍କା ବଳବତ୍ତର ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS