ଆଶିଷ ମିଶ୍ରାଙ୍କ ବିରୋଧରେ ହତ୍ୟା ମାମଲା ଚାଲିବ
ପ୍ରସାଦ ରାଓ
ଡିସେମ୍ବର ୦୬
୨୦୨୧ ଅକ୍ଟୋବର ୩ ତାରିଖରେ ୟୁପିର ଲକ୍ଷ୍ମୀପୁର ଖେରୀରେ ଘଟି ଥିବା ଚାଷୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଆଶିଷ ମିଶ୍ରା ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା ମକଦ୍ଦମା ଚାଲିବ ବୋଲି ଲକ୍ଷ୍ମୀପୁର ଖେରୀର ଏକ ଅଦାଲତ ଆଜି ସ୍ପଷ୍ଟ କରିଛନ୍ତି । ଘଟଣାର ୯ ମାସ ପରେ ଅଦାଲତ ଅଭିଯୁକ୍ତମାନଙ୍କ ବିରୋଧରେ ଅଭିଯୋଗପତ୍ର ପ୍ରସ୍ତୁତ କରିବା ସହ ଡିସେମ୍ବର ୧୬ ତାରିଖରୁ ବିଚାରଣା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ । ଗତ ବର୍ଷ ଅକ୍ଟୋବର ୩ ତାରିଖରେ ଆଶିଷ ମିଶ୍ରା ଓ ତାଙ୍କ ଘନିଷ୍ଟ ସହଯୋଗୀମାନେ ଲକ୍ଷ୍ମୀପୁର ଖେରୀ ଜିଲ୍ଲା ଟିକୁନିଆ ବନବୀରପୁର ଗ୍ରାମ ନିକଟରେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ପଛରୁୁ ଏସୟୁଭି ଗାଡି ଚଢାଇ ଦେବାରୁ ଘଟଣା ସ୍ଥଳରେ ୨ ଜଣ ଓ ହସିପିଟାଲରେ ୨ ଜଣ ଏପରି ଚାରି ଜଣ ଚାଷୀ ଓ ରମଣ କାଶ୍ୟପ ନାମକ ଜଣେ ୨୮ ବର୍ଷ ବୟସ୍କ ବୈଦ୍ୟୁତିକ ଗଣମାଧ୍ୟମ ସାମ୍ବାଦିକଙ୍କ ମୃତ୍ୟୁ ଘଟି ଥିଲା । ଘଟଣା ଦିନ ୟୁପି ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କେନ୍ଦ୍ର ଗୃହ ରାଷ୍ଟମନ୍ତ୍ରୀ ଅଜୟ ମିଶ୍ରାଙ୍କ ବନବୀରପୁର ଗ୍ରାମକୁ ଯାଇଥିବା ସମୟରେ ଚାଷୀ ତାଙ୍କ ରାସ୍ତା ଅବରୋଧ କରିବାରୁ ମନ୍ତ୍ରୀ ମିଶ୍ରାଙ୍କ ପୁଅ ଏଭଳି କାଣ୍ଡ ଘଟାଇ ଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡିଛି । ଦୁର୍ଘଟଣା ପରେ ସେଦିନ ତୁରନ୍ତ ଘଟି ଥିବା ହିଂସାରେ ଅନ୍ୟ ତିନି ଜଣଙ୍କ ମୃତ୍ୟୁ ଘଟି ଥିବାରୁ ଲକ୍ଷ୍ମୀପୁର ଖେରୀ ହିଂସାରେ ମୋଟ ମୃତ୍ୟୁ ସଂଖ୍ୟା ୮ ଥିଲା । ଗାଁ ଆଡୁ ଆସି ଚାଷୀଙ୍କ ଉପରେ ଦୃତ ଗତିରେ ମାଡି ଯାଇଥିବା ଏସୟୁଭି ଗାଡିର ମାଲିକ ହେଉଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଏବଂ ସେଦିନ ଚାଷୀଙ୍କ ଉପରେ ମାଡି ଯାଇଥିବା ଗାଡିକୁ ଚଳାଉ ଥିଲେ ତାଙ୍କ ପୁଅ ଆଶିଷ ମିଶ୍ରା । ଉଭୟ ବାପ-ପୁଅ ପ୍ରଥମ ଏହି ଘଟଣାରେ ସେମାନଙ୍କ ସଂପୃକ୍ତିକୁ ମାନି ନଥିଲେ ମଧ୍ୟ ତଦନ୍ତକାରୀ ପୁଲିସ ଅଧିକାରମାନେ ସିସିଟିଭି ଫୁଟେଜ ଯାଂଚ କରି ଦୁର୍ଘଟଣା ଘଟାଇ ଥିବା ଏସୟୁଭି ଆଶିଷ ମିଶ୍ରା ଚଳାଉ ଥିଲେ ବୋଲି ରିପୋର୍ଟ ଦେଇଛନ୍ତି । ତିନି କୃେି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ପରିଣତି ଭୟାବହ ହେବ ବୋଲି ପୂର୍ବରୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଚେତାବନୀ ଦେଇଥିଲେ । ୨୦୨୧ ଅକ୍ଟୋବର ୩ ତାରିଖରେ ତାଙ୍କ ପୁଅ ଏହି କାଣ୍ଡ ଘଟାଇବା ପରେ ପୁଲିସ ଏତଲାରେ ଏହା କେନ୍ଦ୍ର ମନ୍ତ୍ରୀ ମିଶ୍ରାଙ୍କ ଷଡଯନ୍ତ୍ର ବୋଲି ସନ୍ଦେହ ପ୍ରକଟ କରାଯାଇଛି । କିନ୍ତୁ, ଆଜି ସୁଦ୍ଧା ତାଙ୍କୁ ଗିରଫ କରାଯାଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଅଜୟମିଶ୍ରାଙ୍କୁ ଗୃହ ରାଷ୍ଟ୍ରମନ୍ତ୍ରୀ ପଦରୁ ବିଦା କରି ନାହାନ୍ତି । ଲକ୍ଷ୍ମୀପୁର ଖେରୀ ପୁଲିସ ମଧ୍ୟ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ତେବେ, ସୁପ୍ରିମ କୋର୍ଟ ମାମଲାରେ ହସ୍ତକ୍ଷେପ କରିବା ପରେ ପୁଲିସ ଆଶିଷ ମିଶ୍ରାଙ୍କୁ ଗିରଫ କରି ଜେଲ ପଠାଇ ଥିଲେ । ଗତ ଫେବୃୟାରୀ ମାସରେ ଆଲହାବାଦ ହାଇକୋର୍ଟ ପୁଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଆଶିଷ ମିଶ୍ରାଙ୍କୁ ଜାମିନ ଦେଇଥିଲେ । ଆଶିଷଙ୍କ ଜାମିନ ବିରୋଧରେ ସୁପି୍ରମ କୋର୍ଟରେ ଆବେଦନ ହେବାରୁ ସୁପ୍ରମି କୋର୍ଟ ଗତ ଏପ୍ରିଲ ୧୮ ତାରିଖରେ ଆଶିଷଙ୍କ ଜାମିନକୁ ବାତିଲ କରି ସପ୍ତାହକ ମଧ୍ୟରେ ଅଦାଲତରେ ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦେଇଥିଲେ । ଆଲହାବାଦ ହାଇକୋର୍ଟ ଲକ୍ଷ୍ମୀପୁର ଖେରୀ ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଓ ଅନ୍ୟ ଅଭିଯୁକ୍ତଙ୍କୁ ଜାମିନ ମଂଜୁର କରିବା ସମୟରେ ବୋଧହୁଏ ଅଭିଯୁକ୍ତଙ୍କ ବିରୋଧରେ ଥିବା ପ୍ରମାଣ ସବୁକୁ ଠିକ୍ ଭାବେ ଅନୁଧ୍ୟାନ କରି ନାହାନ୍ତି, ତେଣୁ ଜାମିନ ମଂଜୁର କରିଛନ୍ତି ବୋଲି ସୁପ୍ରିମ କୋର୍ଟ ଆଶିଷ ମିଶ୍ରାଙ୍କ ଜାମିନ ବାତିଲ ବେଳେ ମନ୍ତବ୍ୟ ରଖି ଥିଲେ । ସୁପ୍ରିମ କୋର୍ଟ ନିର୍ଦେଶରେ ଆଶିଷ ଆତ୍ମସମର୍ପଣ କରି ଜେଲରେ ଅଛନ୍ତି । ତେବେ, ସେମାନଙ୍କୁ ଭୁଲରେ ଏହି ମାମଲାରେ ଛନ୍ଦି ଦିଆଯାଇଛି ଦର୍ଶାଇ ଆଶିଷ ମାମଲା ଖାରଜ କରିବା ସକାଶେ ଲକ୍ଷ୍ମୀପୁର ଖେରୀର ଏକ ଅଦାଲତରେ କରିଥିବା ଆବେଦନ ଖାରଜ ହୋଇଯାଇଛି । ଏହାର ଦିନକ ପରେ ଆଜି ଅଦାଲତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ନେଇ ଅଭିଯୋଗପତ୍ର ପ୍ରସ୍ତୁତ କରି ଆସନ୍ତା ୧୬ ତାରିଖରୁ ବିଚାରଣା ଆରମ୍ଭ କରିବାକୁ ଧାର୍ଯ୍ୟ କରିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS