ଉଦ୍ଧବ କହିଲେ – ବିଜେପିର ଏହା ‘ଫର୍ଜିକାଲ୍ ଷ୍ଟ୍ରାଇକ୍’
ପ୍ରସାଦ ରାଓ
୨୩ ନଭେମ୍ବର
ମହାରାଷ୍ଟ୍ରରେ ଶନିବାର ସକାଳେ ଯାହା ସବୁ ଘଟି ଗଲା ତାହା ସମଗ୍ର ଦେଶ ପାଇଁ ଏକ ଅଭବନୀୟ ଘଟଣା ଥିଲା । ୨୨ ତାରିଖ ବିଳମ୍ବ ରାତି ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ନୂତନ ସରକାର ଗଠନ ହେବାକୁ ଥିବା ସଂପର୍କରେ ଖବର ପ୍ରସାରଣ କରି ଚାଲିଥିବା ଗଣମାଧ୍ୟମ ପ୍ରତିନିଧିମାନେ ସକାଳୁ ସକାଳୁ ଏଥିରେ ନୂଆ ଟ୍ୱିଷ୍ଟ୍ ଦେଖି ଆଚମ୍ବିତ ହୋଇଥିଲେ । ସେତେବେଳକୁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନୁହନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରି ଥିଲେ । ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଶୁକ୍ରବାର ଶିବସେନା,ଏନସିପି ଓ କଂଗ୍ରେସର ମିଳିତ ବୈଠକ ପରେ ଏନସିପି ମୁଖ୍ୟ ଶରଦ ପାୱାର ଘୋଷଣା କରିଥିବା ବେଳେ ତାଙ୍କରି ଦଳର ବିଧାୟକ ଦଳ ନେତା ତଥା ପୁତୁରା ଅଜିତ ପାୱାର ଯେ ରାତି ଅଧିଆ ତାଙ୍କ (ଶରଦ ପାୱାରଙ୍କ) ତଂଟି କାଟିଛନ୍ତି ତାହା ସକାଳର ଟିଭି ଖବର ଦେଖି ସେ ଜାଣି ଥିଲେ। ଅଜିତ ପାୱାର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ହେବାରେ ସାହାଯ୍ୟ କରି ଅଜିତ ପାୱାର ନୂଆ ସରକାରରେ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ରାତି ଅଧିଆ ସବୁ କିଛି ଘଟି ଗଲା । ସକାଳୁ ସକାଳୁ ନୂଆ ସରକାର ଶପଥ ନେଇ ଗଲେ । କିନ୍ତୁ, ଗଣମାଧ୍ୟମ ବା ଅନ୍ୟ ରାଜନୈତିକ ଦଳ ଏହାର ସୁରାକ ମଧ୍ୟ ପାଇଲେ ନାହିଁ । ଏହା ହିଁ ହୋଇଛି ବିଡ଼ମ୍ବନା । ଶନିବାର ସକାଳେ ଏହି ଖବରକୁ ନେଇ ବିଜେପି ଶିବିରରେ ଉତ୍ସାହର ଲହରି ଖେଳୁ ଥିବା ବେଳେ ଅନ୍ୟ ରାଜନୈତିକ ଦଳ ଓ ଗଣମାଧ୍ୟମ ମୁଖ୍ୟମାନେ ଅବାକ୍ ହୋଇ ଚାହିଁ ରହି ଥିଲେ ଟେଲିଭିଜନ ସ୍କ୍ରିନ୍ କୁ । ଧୀରେ ଧୀରେ ରହସ୍ୟର ପରଦା ଖୋଲି ଥିଲା । କିନ୍ତୁ, ସେତେବେଳକୁ ଉଦ୍ଧବ ଓ ଶରଦଙ୍କ ପାଦ ତଳୁ ମାଟି ଖସି ସାରିଥିଲା ।
୨୦୧୪ରୁ ଦେଶରେ ଏନଡ଼ିଏ ସରକାର ଚଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସହଯୋଗୀ ବିଜେପି ରାଷ୍ଟ୍ରୀୟ ସଭାପତି ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଶକୁ ହିନ୍ଦୁତ୍ୱର ଚେହେରା ଦେବାକୁ ବିଭିନ୍ନ ରାଜ୍ୟରେ ସରକାର ଗଠନ ପାଇଁ ଭଂଗା, ଗଢା ଚଳାଇଛନ୍ତି । ଦଳ କ୍ଷମତାରେ ରହିବା ପାଇଁ ଜମ୍ମୁ-କଶ୍ମୀରରେ ପିଡ଼ିପି ଭଳି ବିଚ୍ଛିନ୍ନତାବାଦୀ ଦଳ ସହ ମେଂଟ କରିବାକୁ ପଛାଇ ନ ଥିଲେ । ବହୁମତ ନ ଥାଇ ମଧ୍ୟ ଅନ୍ୟ ରାଜ୍ୟରେ ରାଜନୈତିକ ଦଳରେ ବିଭାଜନ ସୃଷ୍ଟି ମାଧ୍ୟମରେ ସେମାନେ ସିଦ୍ଧହସ୍ତ, ଏହା ପୂର୍ବରୁ ପ୍ରମାଣିତ ହୋଇଛି । କର୍ଣ୍ଣାଟକରେ ଏଚ.ଡ଼ି. କୁମାରସ୍ୱାମୀଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ଜେଡ଼ିଏସ-କଂଗ୍ରେସ ସରକାରର ପତନରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ମୁଖ୍ୟ ଭୂମିକା ଥିଲା, ତାହା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ (ବିଜେପି) ବି.ଏସ୍.ୟେଦୁରାପ୍ପା ନିଜେ ସ୍ୱୀକାର କରିଥିବାର ଭାଇରାଲ ଭିଡ଼ିଓ ନିକଟରେ ସୁପ୍ରିମକୋର୍ଟ ଅଳିନ୍ଦ ପର୍ଯ୍ୟନ୍ତ ପହଂଚି ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଥିଲା । ଏବେ, ମହାରାଷ୍ଟ୍ରରେସେଭଳି ଖେଳ ଦେଖିବାକୁ ମିଳିଛି । ରାତି ଅଧିଆ କ୍ୟାବିନେଟ୍ ବୈଠକ ହୋଇ ମହାରାଷ୍ଟ୍ରରେ ଜାରି ଥିବା ରାଷ୍ଟ୍ରପତି ଶାସନ ଉଠାଇ ନିଆଯିବା ଏବଂ ଭୋର ସୁଦ୍ଧା ରାଜ୍ୟରେ ବିଜେପି-ଏନସିପି (ଅଜିତ ପାୱାର ଗୋଷ୍ଠୀ)ର ସରକାରକୁ ରାଜ୍ୟପାଳ ଶପଥ ପାଠ କରାଇବା ଭାରତୀୟ ଗଣତନ୍ତ୍ରର ଅସ୍ତିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପଡୋଶୀ ଶତୃ ରାଷ୍ଟ୍ରରେ ସେନା ଦ୍ୱାରା ‘ସର୍ଜିକାଲ୍ ଷ୍ଟାଇକ୍’ କରାଇ ଏବଂ ଦେଶବାସୀଙ୍କୁ ଦେଶଭକ୍ତିର ପାଠ ପଢାଇ ୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ଜନମତ ଦ୍ୱାରା ଦେଶରେ ଦ୍ୱତୀୟ ବାର ସରକାର ପ୍ରତିଷ୍ଠା କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସହଯୋଗୀ ଶାହା ଶୁକ୍ରବାର ବିଳମ୍ବ ରାତ୍ରୀରୁ ଶନିବାର ଭୋର୍ ମଧ୍ୟରେ ମହାରାଷ୍ଟ୍ରରେ ଯାହା କଲେ ତାହାକୁ ‘ରାଜନୈତିକ ସର୍ଜିକାଲ୍ ଷ୍ଟାଇକ୍’ କହିବା ଅତ୍ୟୁକ୍ତି ହେବ ନାହିଁ । ତେବେ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନୂତନ ନାମକରଣ କରି ତାହାକୁ ‘ଫର୍ଜିକାଲ୍ ଷ୍ଟାଇକ୍’ କହିଛନ୍ତି ।
ଶୁକ୍ରବାର ବିଳମ୍ବିତ ରାତ୍ରୀରୁ ଶନିବାର ଭୋର୍ ପର୍ଯ୍ୟନ୍ତ ଯାହା ସବୁ ନୂଆଦିଲ୍ଲୀ ଓ ମୁମ୍ବାଇ ସହରରେ ଘଟିଗଲା ତାହାକୁ ‘ଫର୍ଜିକାଲ୍ ଷ୍ଟାଇକ୍’ କହିବାର ମୂଳାଧାର ହେଉଛି – ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ସରକାର ପ୍ରତିଷ୍ଠା ପାଇଁ ବ୍ୟବହୃତ ହୋଇଥିବା ଏନସିପିର ସମର୍ଥନପତ୍ର (ଯାହାକୁ ଶରଦ ପାୱାର ‘ଜାଲିଆତି’ ବୋଲି କହିଛନ୍ତି) । ଏହି ସମର୍ଥନପତ୍ର ଶିବସେନା ପାଇଁ ପ୍ରସ୍ତୁତ କରାଯାଇଥିଲା । ଶନିବାର ଶିବସେନା, ଏନସିପି ଓ କଂଗ୍ରେସର ମେଂଟ ଚୂଡାନ୍ତ ହେବା ପରେ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ଦାବି କରି ସେହି ସମର୍ଥନପତ୍ର ଦିଆଯାଇଥା’ନ୍ତା । ତେବେ, ଏନସିପି ବିଧାୟକ ଦଳ ମୁଖ୍ୟ ଅଜିତ ପାୱାର ତାହାର ଭୁଲ ଉପଯୋଗ କରିଛନ୍ତି ବୋଲି ଶରଦଙ୍କ ଅଭିଯୋଗ । ମହାରାଷ୍ଟ୍ରରେ ଏନସିପି ସମର୍ଥନରେ ବିଜେପି ସରକାର ପ୍ରତିଷ୍ଠା ହୋଇ ସାରି ଥିବା ଏନସିପି ମୁଖ୍ୟ ଶରଦ ପାୱାର ସକାଳୁ ସକାଳୁ ଟିଭିରେ ପ୍ରସାରିତ ଖବରରୁ ଜାଣିଲେ ବୋଲି କହିଛନ୍ତି । ତେବେ, ଶରଦଙ୍କୁ ନେଇ କଂଗ୍ରେସ ଓ ଶିବସେନାରେ ପୂର୍ବରୁ ଅବିଶ୍ୱାସର ବାତାବରଣ ରହିଛି । କାରଣ, ଏନସିପି ମୁଖ୍ୟ ଶରଦ ପାୱାର ଗୋଟିଏ ପଟେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରତିଶ୍ରୁତି ଦେଇ ରାଜ୍ୟରେ ଶିବସେନା-ଏନସିପି-କଂଗ୍ରେସ ମେଂଟକୁ ଗତିଶୀଳ କରୁଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ବିଜେଡ଼ି ସହ ଏନସିପିକୁ ମଧ୍ୟ ଏକ ଶୃଙ୍ଖଳିତ ରାଜନୈତିକ ଦଳ ବୋଲି ପ୍ରଶଂସା କରିବା, ଏହା ପରେ ପରେ ଏନସିପି ମୁଖ୍ୟ ପାୱାର ସଂସଦ ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଦୀର୍ଘ ସମୟ ଆଲୋଚନା କରିବା ଏବଂ ଆଲୋଚନା ପରେ ମହାରାଷ୍ଟ୍ରରେ ଶିବସେନା,ଏନସିପି ଓ କଂଗ୍ରେସର ମିଳିତ ସରକାର ଗଠନ ପାଇଁ ଚାଲି ଥିବା ଆଲୋଚନାରେ ଶିଥିଳତା ଲକ୍ଷ୍ୟ କରାଯିବା ଶରଦଙ୍କୁ ଅବିଶ୍ୱାସ ଘେରକୁ ଟାଣି ନେଇଥିଲା ।
ତେବେ, ସେ ଯାବତ୍ ମନ୍ଥରତା ଦେଖାଇ ଆସୁଥିବା କଂଗ୍ରେସ ଶରଦଙ୍କ ଏଭଳି ଗତିବିଧି ଦେଖି ହଠାତ୍ ସକ୍ରିୟ ହେବା ସହ ଦୁଇ ଦିନ ମଧ୍ୟରେ ସିଡ଼ବ୍ଲୁସି ଡ଼ାକି ଆଲୋଚନାକୁ ଗତିଶୀଳ କରିଥିଲା । ତିନି ଦଳ ମେଂଟ ସରକାର ଗଠନ ନେଇ ଏକ ନିର୍ଣ୍ଣାୟକ ମୋଡ଼ରେ ପହଂଚି ସାରି ଥିଲେ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏହି ମେଂଟ ସରକାରରେ ପାଂଚ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବେ ଏବଂ ଏନସିପି ଉପ ମୁଖ୍ୟମନ୍ତ୍ରୀ ପଦ ପାଇବ । ତିନି ଦଳ ମଧ୍ୟରେ ସହମତି ଭିତ୍ତିରେ କ୍ଷମତା ବଂଟନ ହେବ ବୋଲି ଶୁକ୍ରବାର ନିଜେ ପାୱାର ମୁମ୍ବାଇର ଜବାହାରଲାଲ ନେହେରୁ ସେଂଟରରେ ଘୋଷଣା କରି ଅବିଶ୍ୱାସ ଦୂର କରିଥିଲେ । ତଥାପି ପାୱାର-ରାଜନୀତିକୁ ସଂପୂର୍ଣ୍ଣ ବିଶ୍ୱସ କରି ହେବ ନାହିଁ ବୋଲି ସହଯୋଗୀମାନେ ଯାହା ଆଶଙ୍କା କରୁଥିଲେ ତାହାକୁ ଆଜି ସକାଳର ଖବର ପକ୍କା କରି ଦେଇଥିଲା । ତେବେ ପାୱାର କହୁଛନ୍ତି, ତାଙ୍କ ଅଜାଣତରେ ପୁତୁରା ଅଜିତ ପାୱାର ଏହି ରାଜନୈତିକ ଖେଳ ଖେଳିଛନ୍ତି । ଶନିବାର ମଧ୍ୟାହ୍ନରେ ମୁମ୍ବାଇର ୱାଇ.ବି.ଚଭନ ହଲ୍ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ଏକଥା କହିଛନ୍ତି । ଶରଦ ପାୱାରଙ୍କ କହିବା ଅନୁଯାୟୀ, ମହାରାଷ୍ଟ୍ରରେ ଶିବସେନା ଓ କଂଗ୍ରେସ ସହ ମିଳିତ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦେବାକୁ ଏହି ସମର୍ଥନପତ୍ର ପ୍ରସ୍ତୁତ କରାଯାଇଥିଲା ଓ ସେଥିରେ ଏନସିପିର ୫୪ ବିଧାୟକ ଦସ୍ତଖତ କରିଥିଲେ । ବିଳମ୍ବ ରାତ୍ରୀ ପର୍ଯ୍ୟନ୍ତ ମେଂଟ ଆଲୋଚନାରେ ଭାଗ ନେଇଥିବା ଅଜିତ ପାୱାର (ଏନସିପି ବିଧାୟକ ଦଳ ନେତା)ଏହି ସମର୍ଥନପତ୍ର ହାତେଇବା ପରେ ତାହାକୁ ଫଡନାଭିସଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଷ୍ଠା ପାଇଁ ଅପବ୍ୟବହାର କରିଛନ୍ତି । ଏଥିରେ ‘ଫର୍ଜି’ ବା ଜାଲିଆତି ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ କରି ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଘଟଣାବଳୀକୁ ‘ଫର୍ଜିକାଲ୍ ଷ୍ଟାଇକ୍’ କହି ଆକ୍ଷେପ କରିବାକୁ ପଛାଇ ନାହାନ୍ତି । ଜାଲିଆତି କରି ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ବିଜେପି ସରକାର ‘ଫ୍ଲୋର୍ ଟେଷ୍ଟ୍’ରେ ପରାଜିତ ହେବ ଏବଂ ରାଜ୍ୟରେ ଉଦ୍ଧବଙ୍କ ନେତୃତ୍ୱରେ ଶିବସେନା-ଏନସିପି ଓ କଂଗ୍ରେସର ମେଂଟ ସରକାର ପ୍ରତିଷ୍ଠା ହେବ ବୋଲି ଶରଦ ଓ ଉଦ୍ଧବ ଯୋର୍ ଦେଇ କହିଥିବା ବେଳେ ବିଜେପିକୁ ସାହାଯ୍ୟ କରିଥିବା ଏନସିପି ନେତା ଅଜିତ ପାୱାରଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶରଦ ପାୱାର ଚେତାବନୀ ଦେଇଛନ୍ତି।
ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ନିକଟରେ ଆବଶ୍ୟକ ସଂଖ୍ୟା (୧୪୫ ବିଧାୟକ) ନ ଥିବାରୁ ବିଜେପି ବିଦାୟକ ଦଳ ନେତା ଦେବେନ୍ଦ୍ର ଫଡନାଭିସ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ । ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ମେଂଟ ବୁଝାମଣା ଅତ୍ୟନ୍ତ ତରଳସ୍ତରରେ ଥିଲା । ତେଣୁ, ଶିବସେନା ବା ଏନସିପି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିମନ୍ତ୍ରଣ ପାଇ ମଧ୍ୟ ସଂଖ୍ୟା ଦେଖାଇବାରେ ବିଫଳ ହୋଇ ଓହରି ଯାଇ ଥିଲେ । ମହାରାଷ୍ଟ୍ର ରାଜ୍ୟପାଳ ଏହାକୁ ଏକ ସୁଯୋଗ ବୋଲି ଧରି ନେଇ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିଲେ । ତୁରନ୍ତ ତାହା କାର୍ଯ୍ୟକାରୀ ମଧ୍ୟ ହୋଇଥିଲା । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ବିଜେପି ପୁଣି ଥରେ ସରକାର ଗଠନ ପାଇଁ ସଂଖ୍ୟା ଯୋଗାଡରେ ଲାଗି ଥିଲା ଏବଂ ଶିବସେନା, ଏନସିପି ଓ କଂଗ୍ରେସ ନୂଅ ମେଂଟର ରୂପରେଖ ପ୍ରସ୍ତୁତ କରିବା ନା’ରେ ସମୟ ଗଡାଇ ଚାଲି ଥିଲେ । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହା ନିରବ ରହିବା ସମସ୍ତଙ୍କୁ ବିସ୍ମିତ କରିଥିଲା । ତେବେ, ଏହି ନିରବତା ହିଁ ଶେଷରେ ଶିବସୋ-କଂଗ୍ରେସ-ଏନସିପି ମେଂଟ ପାଇଁ ‘ମାରକ’ ସାଜିଛି । ଉଦ୍ଧବ ମୁଖ୍ୟମନ୍ତ୍ରୀ ହେଉଥିବା ଜଣାପଡିବା ପରେ ଶୁକ୍ରବାର ବିଳମ୍ବ ରାତ୍ରୀରେ ବିଜେପି ତାହାର ଖେଳ ଦେଖାଇଛି । ରାତି ଅଧିଆ କେନ୍ଦ୍ର କ୍ୟାବିନେଟ୍ ବୈଠକ ଡ଼କାଯାଇ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ଉଠାଇ ନିଆଯିବା ସହ ଏନସିପି ବିଧାୟକ ଦଳ ନେତା ଅଜିତ ପାୱାରଙ୍କ ମାଧ୍ୟମରେ ଏନସିପି ସମର୍ଥନପତ୍ରର ଉପଯୋକଗ କରାଯାଇଛି । ଅଜିତ ପାୱାର ରାତି ୧୨ଟା ପରେ ଦଳୀୟ ବିଧାୟକଙ୍କୁ ଫୋନ୍ କରି ଡ଼କାଇଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳ କୋଶିଆରୀ ମଧ୍ୟ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ ସମୟକୁ ଅପେକ୍ଷା କରିଥିଲେ । ଏନସିପି ଦ୍ୱାରା ପ୍ରଦତ୍ତ ସମର୍ଥନପତ୍ରକୁ ଠିକ୍ ଭାବେ ଯାଂଚ କରିବାର ଅବଶ୍ୟକତାକୁ ଭୁଲି ଯାଇ ସେ ରାଜ୍ୟରେ ବିଜେପି-ଏନସିପି ମେଂଟ ସରକାର ପ୍ରତିଷ୍ଠାର ସବୁଜ ସଂକେତ ଦେଇଥିଲେ । ବିଜେପି ବିଧାୟକ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦ୍ୱତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ଏନସିପି ନେତା ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ରାଜଭବନରେ ଶପଥ ଗ୍ରହଣ କରିବା ବେଳକୁ ଗଣମାଧ୍ୟମ ଓ ନେତାଙ୍କ ନିଦ ଭାଂଗି ଥିଲା ।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ୧୦୫ ଥିବା ବେଳେ ଏନସିପିର ୫୪ ବିଧାୟକ ଅଛନ୍ତି । ଗଣିତ ଅନୁସାରେ ଦେଖିଲେ ଦୁଇ ଦଳର ବିଧାୟକ ସଂଖ୍ୟା ମିଶି ୧୫୯ହେଉଛି । ଫଡନାଭିସଙ୍କୁ ସରକାର ଗଢିବା ପାଇଁ ୧୪୫ ସଂଖ୍ୟାର ଆବଶ୍ୟକତା ଥିଲା । ତେବେ, ଏନସିପି ବିଜେପିକୁ ସମର୍ଥନ କରିବ ନାହିଁ ବୋଲି ଦଳର ମୁଖ୍ୟ ଶରଦ ପାୱାର ଆଜି ସ୍ପଷ୍ଟ କରିଥିବାରୁ ଫଡନାଭିସ ସରକାର ଅଡୁଆରେ ପଡିବା ନିଶ୍ଚିତ । ଶରଦ ପାୱାର କହିଛନ୍ତି, ତାଙ୍କ ପୁତୁରା ତଥା ଏନସିପି ବିଧାୟକ ଦଳ ନେତା ଅଜିତ ପାୱାର ଦଳୀୟ ବିଧାୟକଙ୍କୁ ଭଣ୍ଡାଇ ରାଜଭବନକୁ ନେଇ ଥିଲେ । ଅଜିତଙ୍କ ସହ ମାତ୍ର ୧୦ରୁ ୧୨ ବିଧାୟକ ଯାଇଥିଲେ । ଅପରାହ୍ନ ସୁଦ୍ଧା ସେମାନଙ୍କ ମଧ୍ୟରୁ ଅଧଇକାଂଶ ଏନସିପି ଶିବିର (ମୂଳ ଶିବିର)କୁ ଫେରି ଆସିଛନ୍ତି । ତେଣୁ, ବିଧାନସଭାରେ ‘ଫ୍ଲୋର୍ ଟେଷ୍ଟ୍’ ହେଲେ ଫଡନାଭିସ ସରକାର ସଂଖ୍ୟା ଦେଖାଇ ନ ପାରି ହାରିବେ ଏବଂ ରାଜ୍ୟରେ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଶିବସେନା, ଏନସିପି ଓ କଂଗ୍ରେସର ମିଳିତ ସରକାର ପ୍ରତିଷ୍ଠା ହେବ । ଅପରପକ୍ଷରେ, ମୋଦୀ-ଶାହା ଯୋଡି ପକ୍କା ଭୁତ୍ତିଭୂମି ବିନା ଏଭଳି ଏକ ଖେଳ ଖେଳି ନ ଥିବେ ବୋଲି ରାଜନୀତି ବିଶ୍ଲେଷକମାନେ ବିଶ୍ୱାସ କରୁଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଖେଳରେ ଏନସିପି ବିଧାୟକ ଧନଂଜୟ ମୁଣ୍ଡେଙ୍କ ପ୍ରମୁଖ ଭୂମିକା ରହିଛି । ସେ ହେଉଛନ୍ତି ବିଜେପିର ବରିଷ୍ଠ ନେତା ସ୍ୱର୍ଗତ ଗୋପୀନାଥ ମୁଣ୍ଡେଙ୍କ ଭଣଜା । ମୁଣ୍ଡେ ବିଜେପି ଛାଡି ୨୦୧୨ରେ ଏନସିପିରେ ଯୋଗ ଦେଇଥିଲେ ।ଫଡନାଭିସ ସରକାର ପ୍ରତି ସମର୍ଥନ ଯୋଗାଡ କରିବା ସହ ଏନସିପି ବିଧାୟକମାନଙ୍କୁ ରାଜଭବନରେ ପହଂଚାଇ ଥିଲେ ଧନଂଜୟ । ତେବେ, ସେ ଯେଉଁ ୮ ଜଣ ବିଧାୟକଙ୍କୁ ରାଜଭବନ ନେଇ ଥିଲେ ସେଥିରୁ ୫ ଜଣ ଶରଦ ପାୱାରଙ୍କ ନିକଟକୁ ଫେରି ଆସିଲେଣି ବୋଲି ଶିବସେନାର ମୁଖ୍ୟ ପ୍ରବକ୍ତା ସଂଜୟ ରାୱତ ଅପରାହ୍ନରେ ସୂଚନା ଦେଇଛନ୍ତି । ଏହା ସେନା ପରିବାରକୁ ଆଶ୍ୱସ୍ତ କରିଥାଇପାରେ । କିନ୍ତୁ, ବିଜେପି ଆରମ୍ଭ କରିଥିବା ଖେଳର ଶେଷ ନୁହେଁ ବୋଲି ସମାଲୋଚକମାନେ କହୁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS