ଜମ୍ମୁ-କଶ୍ମୀର କଂଗ୍ରେସରେ ବିଦ୍ରୋହ ! ୨୦ ବରିଷ୍ଠ ନେତାଙ୍କ ଇସ୍ତଫା

ଶ୍ରୀନଗର
ନଭେମ୍ବର ୧୭
କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ-କଶ୍ମୀରରେ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ଦାବିରେ ଅନ୍ୟୁନ ୨୦ ଜଣ ପୁରୁଖା ନେତା ନିଜ ଦଳୀୟ ପଦବୀରୁ ଇସ୍ତଫା ଦେଇଥିବା ଜଣାପଡିଛି । ଏହି ନେତାମାନେ ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଘନିଷ୍ଟ ସମର୍ଥକ ବୋଲି ଆଲୋଚନା ହେଉଛି । ଗୁଲାମ ନବୀ ଆଜାଦ ହେଉଛନ୍ତି ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା । ଭାରତୀୟ ଜାତୀୟ କଂଗ୍ରେସ ସଭାପତି ପରିବର୍ତ୍ତନ ପାଇଁ ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଦାବି କରି ଆସୁଥିବା କଂଗ୍ରେସର ‘ଜି-୨୩’ ଗୋଷ୍ଠୀର ସେ ହେଉଛନ୍ତି ଜଣେ ପ୍ରମୁଖ ସଦସ୍ୟ । ଜମ୍ମୁ-କଶ୍ମୀରରେ ବରିଷ୍ଠ କଂଗ୍ରେସ ନେତାମାନେ ରାଜ୍ୟରେ ଦଳୀୟ ନେତୃତ୍ୱ ପରିବର୍ତ୍ତନ ଦାବି ଉପସ୍ଥାପନ କରି ନିଜ ପଦପଦବୀରୁ ଇସ୍ତଫା ଦେବା ଏବଂ କେନ୍ଦ୍ରୀୟ ନେତୃତ୍ୱ ବିରୋଧରେ ଅଭିଯୋଗ ଆଣିବା ଦଳରେ ବିଦ୍ରୋହର ସଂକେତ ଦେଉଛି । ଏଥିରୁ କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାର ସଂକେତ ମିଳୁଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ରାଜ୍ୟ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ଦାବି କରି ବିଭିନ୍ନ ଦଳୀୟ ପଦବୀରୁ ଇସ୍ତଫା ଦେଇଥିବା ରାଜ୍ୟର ପ୍ରମୁଖ କଂଗ୍ରେସ ନେତାଙ୍କ ମଧ୍ୟରେ ଅଛନ୍ତି, ରାଜ୍ୟର ପୂର୍ବତନ ମନ୍ତ୍ରୀ ଜି.ଏମ. ସାରୁରୀ, ଭିକାର ରସୁଲ, ଡକ୍ଟର ମନୋହର ଲାଲ ଶର୍ମା । ଏହି ପୂର୍ବତନ ମନ୍ତ୍ରୀଙ୍କ ଛଡା ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଯୁଗଳ କିଶୋର ଶର୍ମା, ଗୁଲାମ ନବୀ ମୋଂଗା, ନରେଶ ଗୁପ୍ତା, ମହମ୍ମଦ ଅମିନ ଭଟ୍, ସୁବାର ଗୁପ୍ତା (ସମସ୍ତେ ପୂର୍ବତନ ବିଧାୟକ), ପ୍ରଦେଶ କଂଗ୍ରେସ ଉପ-ସଭାପତି ଅନୱର ଭଟ୍, କୁଲଗାଁଓ ଜିଲ୍ଲା ଉନ୍ନୟନ ପରିଷଦର ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ଅନାୟତୁଲ୍ଲା ରାଥେର, କଂଗ୍ରେସ ବୁଡ଼ଗାମ୍ ଜିଲ୍ଲା ସଭାପତି ଜାହିଦ ହାସାନ ଜାନ୍, ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ରାଜନୈତିକ ପରାମର୍ଶଦାତା ମଂଜୁର ଅହମ୍ମଦ ଗନାଇ, ଏଆଇସିସି ସଭ୍ୟ ଇଂଜିନିୟର ମାରୁଫ, ଦଳର ଏସଟି ସେଲ୍ ଉପାଧ୍ୟକ୍ଷ ଚୌଧୁରୀ ସୋହତ ଅଲ୍ଲୀ ପ୍ରମୁଖ ନିଜ ଦଳୀୟ ପଦରୁ ଇସ୍ତଫା ଦେଇ ଏଆଇସିସି ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ଥିବା ଜଣାପଡିଛି । ଇସ୍ତଫାପତ୍ରର ନକଲ ସେମାନେ ରାହୁଲ ଗାନ୍ଧୀ ଓ ଜମ୍ମୁ-କଶ୍ମୀର ଦାୟିତ୍ୱରେ ଥିବା ଏଆଇସିସି ଭାରପ୍ରାପ୍ତ ସଂପାଦକ ରଜନୀ ପାଟିଲଙ୍କ ନିକଟକୁ ପଠାଇଛନ୍ତି ବୋଲି ବିଦ୍ରୋହୀ ନେତାମାନେ କହିଛନ୍ତି ।
ବର୍ତ୍ତମାନ ଜି.ଏ.ମୀର୍ ଜମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ଅଛନ୍ତି । ବିଦ୍ରୋହୀ ନେତୃବର୍ଗଙ୍କ ଅଭିଯୋଗ ହେଉଛି, ଏଆଇସିସି ହାଇକମାଣ୍ଡ୍ ଜି.ଏ.ମୀର୍ ଙ୍କୁ ତିନି ବର୍ଷ ପାଇଁ ଜମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତ ଦେଇଥିବା କହିଥିଲେ ମଧ୍ୟ ଦୀର୍ଘ ସାତ ବର୍ଷ ହେଲା ସେ ସଭାପତି ରହିଛନ୍ତି । ତାଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ସଂଗଠନ ରସା ତଳକୁ ଗଲାଣି । କୌଣସି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜିତି ପାରୁ ନାହାନ୍ତି । ମୀର୍ ନିଜେ ମଧ୍ୟ ଲୋକସଭା ନିର୍ବାଚନ ଲଢି ପରାଜିତ ହୋଇଛନ୍ତି । ରାଜ୍ୟରେ କଂଗ୍ରେସ ସଂଗଠନରେ ସ୍ଥାଣୁ ଅବସ୍ଥା ଯୋଗୁଁ ୨୦୦ରୁ ଅଧିକ ବରିଷ୍ଠ ନେତା ଦଳରୁ ଇସ୍ତଫା ଦେଇ ଅନ୍ୟ ଦଳକୁ ଗଲେଣି । ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ, ବିଧାୟକ, ବିଧାନ ପରିଷଦ ସଦସ୍ୟ, ପିସିସି କାର୍ଯ୍ୟକର୍ତ୍ତା, ଏଆଇସିସି ସଦସ୍ୟ, ଦଳର ଜିଲ୍ଲା ସଭାପତିମାନେ ଅଛନ୍ତି । ଯେଉଁମାନେ ଦଳ ଛାଡି ନାହାନ୍ତି ସେମାନେ ଚୁପଚାପ ଘରେ ବସିଛନ୍ତି । ତେଣୁ, ରାଜ୍ୟରେ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ରହିଛି ।
ଜମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ନହେବା ଯାଉଁ ସେମାନେ କୌଣସି ଦଳୀୟ ପଦପଦବୀରେ ରହିବେ ନାହିଁ ବୋଲି ବହୁ ପୂର୍ବରୁ କଂଗ୍ରେସ ହାଇକମାଣ୍ଡଙ୍କୁ ଜଣାଇ ଦେଇଥିଲେ ମଧ୍ୟ ହାଇକମାଣ୍ଡ କୌଣସି ପଦକ୍ଷେପ ନେଉ ନଥିବାରୁ ସେମାନେ ବିଭିନ୍ନ ଦଳୀୟ ପଦରୁ ଇସ୍ତଫା ଦେଇଥିବା ଏହି ନେତାମାନେ କହିଛନ୍ତି । ଏହି ନେତାମାନେ କହିବା ଅନୁଯାୟୀ, ଅନ୍ୟୁନ ବର୍ଷେ ହେଲା ସେମାନେ ରାଜ୍ୟରେ କଂଗ୍ରେସର ସ୍ଥିତି ସଂପର୍କରେ ଦଳୀୟ ହାଇକମାଣ୍ଡଙ୍କୁ ବିଭିନ୍ନ ମାଧ୍ୟମରେ ଜଣାଇ ଆସୁଛନ୍ତି । ହାଇକମାଣ୍ଡଙ୍କୁ ଭୋଟି ଆଲୋଚନା କରିବାକୁ ସମୟ ମାଗୁଛନ୍ତି । ଗତ ଅଗଷ୍ଟ ମାସରେ ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀର ଗସ୍ତ ଯାଇଥିବା ସମୟରେ ମଧ୍ୟ ସେମାନେ ତାଙ୍କୁ ସାଂଗଠନିକ ନିଷ୍କ୍ରିୟତା ସଂପର୍କରେ ଜଣାଇ ଆଲୋଚନା ପାଇଁ ସମୟ ମାଗି ଥିଲେ । ତେବେ, କଂଗ୍ରେସ ହାଇକମାଣ୍ଡ ସେମାନଙ୍କୁ ସମୟ ଦେଉ ନାହାନ୍ତି ବା ଆଲୋଚନା କାରିବାକୁ ଆଗକୁ ଆସୁ ନାହାନ୍ତି । ଜମ୍ମୁ-କଶ୍ମୀର ଦାୟିତ୍ୱରେ ଥିବା ଏଆଇସିସି ଭାରପ୍ରାପ୍ତ ସଂପାଦକ ରଜନୀ ପାଟିଲ ମଧ୍ୟ ସବୁ ଶୁଣି ନିରବ ରହୁ ଥିବାରୁ ସେମାନେ ଦଳୀୟ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ସେମାନଙ୍କ ଇସ୍ତଫା ତୁରନ୍ତ ଗ୍ରହଣ କରି ନେବାକୁ ଏହି ନେତାମାନେ କଂଗ୍ରେସ ହାଇକମାଣ୍ଡଙ୍କୁ ଅନୁରୋଧ କରିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS