ମମିତା ମେହେର ହତ୍ୟାକାଣ୍ଡ: ହାଇକୋର୍ଟ ମାଗିଲେ ତଦନ୍ତର ଷ୍ଟାଟସ୍ ରିପୋର୍ଟ – ବିଧାନସଭା ଭିତର ଓ ବାହାର ହୁଲସ୍ତୁଲ ହେବ !

ପ୍ରସାଦ ରାଓ
ଭୁବନେଶ୍ୱର
ନଭେମ୍ବର ୧୮
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ନୂଆ ମୋଡ ଆସିଛି । ପୁଲିସ ତଦନ୍ତ ସରିବାରେ ଅହତେୁକ ବିଳମ୍ବ ଯୋଗୁଁ ପରିବାର ମାନସିକ ଚାପରେ ଥିବା ଦର୍ଶାଇ ମମିତାଙ୍କ ପରିବାର ଗତକାଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ପୁଲିସ ତଦନ୍ତରେ ଅଗ୍ରଗତି ସଂପର୍କରେ ଅଦାଲତରେ ଅତିଶୀଘ୍ର ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଓଡ଼ିଶା ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ମାମଲାର ପରବର୍ତ୍ତୀ ଶୁଣାଣୀ ଡ଼ିସେମ୍ବର ୩ ତାରିଖରେ ହେବ ।
କଳାହାଣ୍ଡି ଜିଲ୍ଲା ମହାଲିଂଗ ସନସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଗତ ଅକ୍ଟୋବର ୮ ତାରିଖ ଦିନ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ତାଙ୍କର କିଛି ଘନିଷ୍ଟ ସହଯୋଗୀଙ୍କ ସହ ଏହି ହତ୍ୟାକାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି । ସାହୁ ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ସେ ନିଜେ ତାଙ୍କ ସ୍କୁଲରେ ଯୌନ କେଲେକାଂରୀରେ ଲିପ୍ତ ଥିଲେ । ମମିତା ଏହା ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ଗୋବିନ୍ଦଙ୍କୁ ଚେତାଇ ଦେଇଥିଲେ । ଗୋବିନ୍ଦଙ୍କ ଅନୈତିକ କାର୍ଯ୍ୟକଳାପର ରେକର୍ଡିଂ ମମିତାଙ୍କ ମୋବାଇଲରେ ଥିଲା । ତାହା ବାହାରେ ପ୍ରଘଟ କରି ଦେବାକୁ ମମିତା ଧମକ ଦେବାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।
ପୁଲିସ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ମମିତାଙ୍କ ସହ ସାଲିସ ଉଦ୍ୟମ ବିଫଳ ହେବା ପରେ ସ୍କୁଲ ସଭାପତି ଗୋବିନ୍ଦ ସାହୁ ସ୍କୁଲରେ ଜରୁରୀ ବୈଠକ ଥିବା ଦର୍ଶାଇ ମମିତାଙ୍କୁ ଅକ୍ଟୋବର ୮ ତାରିଖ ଦିନ ସ୍କୁଲକୁ ଡ଼କାଇ ଥିଲେ । ମମିତା ବଲାଂଗୀରରୁ କଳାହାଣ୍ଡି ଆସି ଗୋବିନ୍ଦଙ୍କ ସହ ମହାଲିଂଗ ଯିବା ବାଟରେ ତଂଟି ଚିପି ହତ୍ୟା କରାଯାଇଛି । ପ୍ରମାଣ ନଷ୍ଟ ପାଇଁ ମମିତାଙ୍କ ଶବକୁ ଖଣ୍ଡ ଖଣ୍ଡ କରି ଗୋବିନ୍ଦ ଓ ତାଙ୍କ ସହଯୋଗୀମାନେ ଜାଳି ଦେଇଥିବା ଅଭିଯୋଗ ରହିଛି । କଳାହାଣ୍ଡି ଜିଲ୍ଲା କେଗାଁ ପୁଲିସ ଥାନା ଅନ୍ତର୍ଗତ ମହାଲିଂଗରେ ଥିବା ଗୋବିନ୍ଦ ସାହୁଙ୍କ ଶିକ୍ଷାନୁଷ୍ଠାନର ନିର୍ମାଣାଧୀନ ଷ୍ଟାଡ଼ିୟମରେ ମୃତ ମମିତାଙ୍କ ଜଳି ଦିଆଯିବା ପରେ ପୂର୍ବରୁ ଖୋଳା ଯାଇଥିବା ଖାତରେ ପୋତି ଦିଆଯାଇଥିଲା । ପୁଲିସ ସେହି ଖାତରୁ ମମିତାଙ୍କ ଜଳି ଯାଇ ଥିବା ଦେହାବଶେଷ ଓ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି ।
ଗୋବିନ୍ଦ ସାହୁ ଗିରଫ ହୋଇ ଅପରାଧ ସ୍ୱୀକାର କରିଥିବା ବେଳେ ମମିତାଙ୍କୁ ପୋତି ଦିଆଯାଇଥିବା ସ୍ଥାନ ମଧ୍ୟ ପୁଲିସକୁ ଦେଖାଇଛନ୍ତି । ଏହି ହତ୍ୟା ଓ ପ୍ରମାଣ ନଷ୍ଟରେ ତାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ଗୋବିନ୍ଦଙ୍କ ଡ୍ରାଇଭର ରାଧେଶ୍ୟମ ଚଣ୍ଡି ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି । ଏଇଠି ପୁଲିସ ତଦନ୍ତ ସରିବା କଥା । ତେବେ, ମମିତା ହତ୍ୟା ପଛରେ ଥିବା ଯୌନ କେଲେକାଂରୀ ଓ ସେଥିରେ ଗୋବିନ୍ଦଙକ ବ୍ୟତୀତ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି, ତାହା ଉପରେ ପୁଲିସ ତଦନ୍ତ ନିରବ ଥିବାରୁ ଏବଂ ମମିତା ନିଖୋଜ ହେବା ପରଠାରୁ ଏଯାବତ୍ ପୁଲିସ ଯେଭଳି ଆଚରଣ ପ୍ରଦର୍ଶନ କରି ଆସୁଛି ତାହା ସନ୍ଦେହଜନକ ହୋଇ ଥିବାରୁ ପରିବାର ସଦସ୍ୟ ଓଡ଼ିଶା ହାଇକୋର୍ଟରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି ।
ଗୋବିନ୍ଦଙ୍କ ଡାକରା ପାଇଁ ମମିତା ଅକ୍ଟୋବର ୮ ତାରିଖ ଦିନ କଳାହାଣ୍ଡି ଯାଇଥିଲେ ମଧ୍ୟ ସ୍କୁଲରେ ନ ପହଂଚିବାରୁ ତାଙ୍କ ପରିବାର ସନ୍ଦେହ ପ୍ରକାଶ କରି କଳାହାଣ୍ଡି ଜିଲ୍ଲା କେଗାଁ ଥାନାରେ ନିଖୋଜ ରିପୋର୍ଟ ଦାଖଲ କରିବାକୁ ଚାହିଁ ଥିଲେ । ତେବେ, ପୁଲିସ ତାଙ୍କ ପରିବାରର ଏତଲା ଗ୍ରହଣ ନ କରି ବଲାଂଗୀରରେ ଏତଲା ଦେବାକୁ କହିଥିଲେ । ମମିତାଙ୍କ ପିତା, ମାତା ବଲାଂଗୀର ଜିଲ୍ଲା ସିନ୍ଧିକେଲା ଥାନାରେ ଏତଲା ଦେଇଥିଲେ ମଧ୍ୟ ଏତଲା ରଖିବାକୁ ପୁଲିସ ପ୍ରଥମେ ଟାଳଟୁଳ ନୀତି ଦେଖାଇ ଥିଲେ । ପରେ, ଏତଲା ରଖି ଗୋବିନ୍ଦଙ୍କୁ ଏକ ପୁଲିସ ବ୍ୟାରେକରେ ଅଟକ ରଖି ଥିବା ବେଳେ ସେ ବ୍ୟାରେକରୁ ଫେରାର ହୋଇଯାଇଥିଲେ । ଏହାକୁ ନେଇ ରାଜ୍ୟବ୍ୟାପୀ ତୁମ୍ବିତୋଫାନ ହେବାରୁ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଘଟଣା ଆରମ୍ଭରୁ କଳାହାଣ୍ଡି ଓ ବଲାଂଗୀର ଜିଲ୍ଲା ପୁଲିସର ଏଭଳି ସନ୍ଦିଗ୍ଧ କାର୍ଯ୍ୟକଳାପକୁ ନେଇ ଆଲୋଚନା ହେଉଥିବା ବେଳେ ଉତ୍ତରାଂଚଳ ରେଂଜ୍ ଡ଼ିଆଇଜି (ସମ୍ବଲପୁର) ମାମଲାର ତଦନ୍ତ କରୁଛନ୍ତି । ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସହ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଘନିଷ୍ଠତା କାରଣରୁ ପୁଲିସ ପ୍ରଥମରୁ ମମିତା ନିଖୋଜ ଓ ହତ୍ୟା ଘଟଣାର ତଦନ୍ତରେ ଅବହେଳା କରି ଆସୁଥିବା ଅଭିଯୋଗ ରହିଛି । ରାଜ୍ୟ କଂଗ୍ରେସ ଓ ବିଜେପି ନେତୃବର୍ଗ ପୁଲିସ ନିଷ୍କ୍ରୟିତା ପାଇଁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଦାୟି କରି ତାଙ୍କୁ ମନ୍ତ୍ରୀ ପରିଷଦରୁ ବରଖାସ୍ତ କରାଯିବା ଓ ଘଟଣାର ସିବିଆଇ ତଦନ୍ତ କରାଯିବା ଦାବିରେ ଅଡ଼ି ରହିଛି । ଫଳରେ, ରାଜ୍ୟବାପୀ ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ, ରାଜ୍ୟ ସରକାର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଏବଂ ଦଳର ମୁଖପାତ୍ରମାନେ ଓଲଟା ମନ୍ତ୍ରୀଙ୍କ ସପକ୍ଷରେ ଯୁକ୍ତି ରଖୁଥିବା ସମସ୍ୟାକୁ ଅଧିକ ଜଟିଳ କରିଛି ।
ମମିତା ହତ୍ୟା ମାମଲାର ତଦନ୍ତ ଦରଖଣ୍ଡିଆ ଥିବା ବେଳେ ଉତ୍ତରାଂଚଳ ଡ଼ିଆଇଜି ଦୀପକ କୁମାର ସାମ୍ବାଦିକ ସମ୍ମିଳନୀ କରି ‘ତଦନ୍ତ ଠିକ୍ ବାଟରେ ଚାଲିଛି’ ବୋଲି ମନ୍ତବ୍ୟ ଦେବା ମଧ୍ୟ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଘଟଣାଟି କଳାହାଣ୍ଡି ଜିଲ୍ଲାରେ ଘଟି ଥିବାରୁ ଦକ୍ଷିଣ-ପଶ୍ଚିମାଂଚଳ ଡ଼ିଆଇଜି ଏହାର ତଦନ୍ତ କରିବା କଥା । କିନ୍ତୁ, ଉତ୍ତରାଂଚଳ ଡ଼ିଆଇଜି ନିଜ ପରିସର ବାହାରେ ମାମଲାର ତଦନ୍ତ କରିବା ଏବଂ ‘ତଦନ୍ତ ଠିକ୍ ବାଟରେ ଚାଲିଛି’ ବୋଲି ଗଣମାଧ୍ୟମକୁ କହିବା ଅଯୌକ୍ତିକ ବୋଲି ବିଜେପିର ଜଣେ ବରିଷ୍ଠ ନେତା ତଥା ରାଜ୍ୟ ପୂର୍ବତନ ପୁଲିସ ମହାନିର୍ଦେଶକ ଗଣମାଧ୍ୟମରେ ମନ୍ତବ୍ୟ ରଖିବା ତଦନ୍ତର ନିରପେକ୍ଷତାକୁ ନେଇ ସରକାରଙ୍କ ଆଭିମୁଖ୍ୟକୁ ସନ୍ଦେହ ଘେରକୁ ଟାଣି ଆଣିଛି ।
ଏଭଳି ଏକ ପରିସ୍ଥିତିରେ ମୃତା ମମିତାଙ୍କ ପରିବାର ପୁଲିସ ତଦନ୍ତରେ ଶିଥିଳତାକୁ ନେଇ ପ୍ରଶ୍ନ ଉଠାଇବା ସହ ତଦନ୍ତରେ ବିଳମ୍ବ ଯୋଗୁଁ ସେମାନେ ମାନସିକ ଚାପରେ ଥିବା ଦର୍ଶାଇ ଓଡ଼ିଶା ହାଇକୋଟଙ୍କ ଦ୍ୱାରସ୍ଥ ହେବା ମୋଟାମୋଟି ଭାବେ ଘଟଣାକୁ ନୂଆ ମୋଡ ଦେଇଛି । ପୁଲିସ ତଦନ୍ତ ତ୍ୱରାନ୍ୱିତ କରାଯିବା ଏବଂ ଫାଷ୍ଟ୍ ଟ୍ରାକ୍ କୋର୍ଟରେ ମାମଲାର ବିଚାରଣା କରାଯାଇ ଅପରାଧୀଙ୍କ ପ୍ରତି କଠୋର ଦଣ୍ଡବିଧାନ କରାଯିବା ସକାଶେ ସେମାନେ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଛନ୍ତି । ଅଦାଲତରେ ଦାଖଲ ହୋଇଥିବା ପିଟିସନରେ ରାଜ୍ୟ ଗୃହ ବିଭାଗ ଶାସନ ସଚିବ, ରାଜ୍ୟ ପୁଲିସ ମହାନିର୍ଦେଶକ, ବଲାଂଗୀର ଏସପି ଓ ସିନ୍ଧିକେଲା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି । ହାଇକୋର୍ଟ ମଧ୍ୟ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଯେଉଁ ପୁଲିସ ତଦନ୍ତ ଚାଲିଛି ତାହାର ଅଗ୍ରଗତି ସଂପର୍କିତ ବିସ୍ତୃତ ତଥ୍ୟ ଏକାଠି କରି ଅତିଶୀଘ କୋର୍ଟରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଆଜି ରାଜ୍ୟ ସରକାରଙ୍କ ଓକିଲଙ୍କୁ ନିର୍ଦେଶ ଦେଇଥିବା ପିଟିସନକାରୀଙ୍କ ଓକିଲ ପ୍ରଦୀପ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।
ଇତିମଧ୍ୟରେ, ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ମିଶ୍ର କଳାହାଣ୍ଡି ଗସ୍ତରେ ଥିବା ବେଳେ ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମମିତା ମେହେର ହତ୍ୟାକାଣ୍ଡ ସହ ତାଙ୍କର କିଛି ସଂପର୍କ ନଥିବା ସଫେଇ ଦେଇଛନ୍ତି । ବିରୋଧୀ ଓ ଗଣମାଧ୍ୟମ ଅଯଥାରେ ତାଙ୍କୁ ଏହି ମାମଲାରେ ସଂପୃକ୍ତ କରି ସର୍ବସାଧାରଣରେ ନିନ୍ଦିତ କରୁଥିବା ସେ ଅଭିଯୋଗ କରିଛନ୍ତି । ଆଇନ ତା’ ବାଟରେ ଯିବ ଏବଂ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ସେ କହିବା ସହ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ତାଙ୍କର ଘନିଷ୍ଠତା ଥିବା ନେଇ ଯେଉଁ ପ୍ରଚାର ଚାଲିଛି ତାହାକୁ ଅଗ୍ରାହ୍ୟ କରିଛନ୍ତି । ତେବେ, ଘଟଣା ଘଟିବାର ଦୀର୍ଘ ଦିନ ପର୍ଯ୍ୟନ୍ତ ମନ୍ତ୍ରୀ ନିରବ ରହିବା, ଘଟଣାର ୨୧ ଦିନ ପରେ ପ୍ରେସ୍ ବିବୃତି ମାଧ୍ୟମରେ ସର୍ବ ସମ୍ମୁଖକୁ ଆସିବା ଏବଂ ରାଜ୍ୟ ସରକାରଙ୍କ ମୁଖପାତ୍ରମାନେ ପ୍ରତି ଦିନ ମନ୍ତ୍ରୀଙ୍କୁ ଘଂଟ ଘୋଡାଇବା ଭଳି ବିବୃତି ଦେବା ମାମଲା ଜୀବନ୍ତ ରଖିବାକୁ ବିରୋଧୀଙ୍କୁ ସାହାଯ୍ୟ କରୁଛି ।
ଡ଼ିସେମ୍ବର ମାସ ପ୍ରାରମ୍ଭରୁ ରାଜ୍ୟ ବିଧାନସଭା ଅଧିବେଶନ ବସୁଛି । ବିଧାନସଭା ଅଧିବେଶନ ସମୟରେ ବିରୋଧୀ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଗୃହରେ ପୁରାଇ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି । ବିଜେପି ଓ କଂଗ୍ରେସ ପକ୍ଷରୁ ଏଭଳି ଘୋଷଣା ହୋଇଥିବା ବେଳେ ବିଧାନସଭା ବାହାରେ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ସେମାନଙ୍କ ଆନ୍ଦୋଳନ ଜାରି ରହିଛି । ଆଜି ମଧ୍ୟ ରାଜଧାନୀରେ ବିରୋଧୀଙ୍କ ଆନ୍ଦୋଳନ କାର୍ଯ୍ୟକ୍ରମ ଚାଲିଛି । ମହିଳା ଅଧିକାର ସଂଗଠନର ସଦସ୍ୟମାନେ ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଙ୍କୁ ଭେଟି ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି । ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ବିରୋଧୀ ଏହି ଘଟରାରୁ ସର୍ବାଧିକ ଫାଇଦା ନେବାକୁ ଚାହିଁବ । ରାଜ୍ୟ ସରକାର ୨୦୨୨ ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର କରିଥିବା ବେଳେ ବିରୋଧୀ ବିଧାନସଭା ଭିତରେ ଓ ବାହାରେ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତି ଜୋରଦାର କରି ଥିବାରୁ ଆସନ୍ତା ଦିନରେ ବିଧାନସଭା ଭିତର ଓ ବାହାର ରଣକ୍ଷେତ୍ରରେ ପରିଣତ ହେବା ନିଶ୍ଚିତ ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS