କୃଷି ଆଇନ ପ୍ରତ୍ୟାହାର ପରେ ମଧ୍ୟ ଚାଷୀ ଆନ୍ଦୋଳନ ଚାଲୁ ରହିବ !

ପ୍ରସାଦ ରାଓ
ନୂଆଦିଲ୍ଲୀ
ନଭେମ୍ବର ୧୯
କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ ବର୍ଷ ସେପ୍ଟେମ୍ବର ମାସରୁ କାର୍ଯ୍ୟକାରୀ ହୋଇଥିବା ତିନି କୃଷି ଆଇନକୁ ସରକାର ପ୍ରତ୍ୟାହାର କରି ନେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ ଘୋଷଣା କରିଥିଲେ ମଧ୍ୟ ଏମଏସପି (କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ)କୁ ଆଇନରେ ପରିଣତ କରିବା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ଚାଲୁ ରହିବ ବୋଲି ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ୍) ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି । ଏସକେଏମ୍ ନେତା ରାକେଶ ଟିକାୟତ ପ୍ରଧାନମନ୍ତ୍ରୀଙ୍କ ସକାଳର ଆକସ୍ମିକ ଘୋଷଣା ଉପରେ ପ୍ରତିକ୍ରିୟା ରଖି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଆମେ ଅପେକ୍ଷା କରିବୁ କଣ ହେଉଛି ଦେଖିବା ପାଇଁ । ଏମଏସପିକୁ ଆଇନଗତ ମାନ୍ୟତା ଦିଆଯାଇ ଆଇନ ହେବା ଆମର ଅନ୍ୟତମ ପ୍ରମୁଖ ଦାବି ରହିଛି ଏବଂ ତାହା ସରକାର କାର୍ଯ୍ୟକାରୀ କରିବା ଆମେ ଚାହୁଁଛୁ ।’
ଆଜି ଶିଖ୍ ସଂପ୍ରଦାୟର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ଜୟନ୍ତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ତାଙ୍କ ସରକାର ତିନିଟି ଯାକ କୃଷି ଆଇନ ପ୍ରତ୍ୟାହାର କରି ନେବାକୁ ପ୍ରସ୍ତୁତ ଥିବା ଘୋଷଣା କରି ସମସ୍ତଙ୍କୁ ବିସ୍ମିତ କରିଛନ୍ତି । ମୋଦୀଙ୍କ ଘୋଷଣା ତିନି କୃଷି ଆଇନ ରଦ୍ଦ କରାଯିବା ଦାବିରେ ବର୍ଷେ ହେଲା ଆନ୍ଦୋଳନ ଚଳାି ଥିବା ଚାଷୀ ନେତା ଓ ବିରୋଧୀ ଦଳଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି ସତ, କିନ୍ତୁ ଏସକେଏମ୍ ନେତା ଟିକାୟତଙ୍କ ପ୍ରତିକ୍ରିୟା ସରକାରଙ୍କୁ ଚିନ୍ତାରେ ରଖିଛି । ପ୍ରଧାନମନ୍ତ୍ରୀ ମୋଦୀ ସକାଳେ ଜାତୀୟ ଟେଲିଭିଜନରେ ଉଦ୍ବୋଧନ ଦେଇ ସରକାର ତିନି କୃଷି ଆଇନ ପ୍ରତ୍ୟାହାର କରି ନେବାକୁ ନିଷ୍ପତ୍ତି ନେଇ ଥିବା ଘୋଷଣା କରିବା ସହ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନେ୍ଦୋଳନ ଚଳାଇ ଥିବା ଚାଷୀମାନେ ନିଜ ନିଜ ଘର ଓ ପରିବାର ନିକଟକୁ ଫେରି ଯିବାକୁ ଆହ୍ୱାନ ଦେଇଛନ୍ତି । ଚଳିତ ମାସ ଶେଷ ଆଡକୁ ବସୁଥିବା ସଂସଦ ଅଧିବେଶନରେ ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ ଆବଶ୍ୟକ ସାମ୍ବିଧାନିକ ପ୍ରକ୍ରିୟା ସମାପନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।
ସରକାରଙ୍କ ତିନି କୃଷି ଆଇନ ସେମାନଙ୍କ ଜୀବନ ଜୀବୀକାକୁ ଧ୍ୱଂସ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରି ତାହା ରଦ୍ଦ କରାଯିବା ଦାବିରେ ୟୁପି, ରାଜସ୍ଥାନ, ପଂଜାବ, ମହାରାଷ୍ଟ୍ରର ହଜାର ହଜାର ସଂଖ୍ୟାରେ ଚାଷୀ ଗଲା ଏକ ବର୍ଷ ହେଲା ଦୀଲ୍ଲୀ ସୀମାନ୍ତ ଓ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ କାର୍ଯ୍ୟକ୍ରମ ଚଳାଇଛନ୍ତି । ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ଉତ୍ତର ପ୍ରଦେଶରେ ମଧ୍ୟ ଚାଷୀଙ୍କ ମହାପଂଚାୟତମାନ ଚାଲିଛି । ୟୁପି ହେଉଛି ଦେଶର ସର୍ବାଧିକ ଜନବହୁଳ ରାଜ୍ୟ ଏବଂ ସର୍ବାଧିକ ସଂଖ୍ୟକ ଲୋକସଭା ଆସନ ଏହି ରାଜ୍ୟରେ ରହିଛି । ଫେବୃୟାରୀ, ମାର୍ଚ୍ଚ ଆଡକୁ ୟୁପି, ପଂଜାବ ଓ ଅନ୍ୟ କେତେକରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ୟୁପି ଓ ପଂଜାବରେ ଚାଷୀ ଭୋଟରେ ନିର୍ଣ୍ଣାୟକ ଭୂମିକାରେ ଥିବାରୁ କେନ୍ଦ୍ର ସରକାର ତିନି କୃଷି ଆଇନ ପ୍ରତ୍ୟାହାର କରିବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଥିବା ଅନୁମାନ କରି ହେଉଛି ।
ଦେଶବ୍ୟାପୀ ଚାଲିଥିବା ଚାଷୀ ଆନ୍ଦୋଳନର ନେତୃତ୍ୱ ସଂଯୁକ୍ତ କିଶାନ ମୋର୍ଚ୍ଚା ହାତରେ ଥିଲେ ମଧ୍ୟ ବିଭିନ୍ନ ଚାଷୀ ସଂଗଠନକୁ ନେଇ ଗଠିତ ଏକ କମିଟି ଆନ୍ଦୋଳନ ସଂପର୍କିତ ସକସ୍ତ ନିଷ୍ପତ୍ତି ନେଇ ଆସୁଛି । ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଏହି କମିଟିର ବୈଠକ ଡକା ଯାଇଛି ବୋଲି ଆଜି ହରିୟାଣାର ଚାଷୀ ସଂଗଠନ ନେତା ଗୁରନାମ ସିଂହ ଚରନି କହିଛନ୍ତି । ଉତ୍ତର ପ୍ରଦେଶ ଓ ହରିୟାଣାରେ ମହାପଂଚାୟତମାନ ଆୟୋଜନ ହେବାକୁ ଥିବାରୁ ସେସବୁର ଠିକ୍ ପରିଚାଳନା ଦିଗରେ ଏବେ ଗୁରୁତ୍ୱ ଦିଆଯିବ ବୋଲି ଚରନି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଭିନ୍ନ ଚାଷୀ ସଂଗଠନର ନେତାମାନେ ତିନି କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ଲକ୍ଷାଧିକ ଚାଷୀ, ଯେଉଁମାନେ କି ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆନ୍ଦୋଳନକୁ ଆଗେଇ ନେଇଥିଲେ, ଆଜି ସେମାନଙ୍କ ବିଜୟ ହୋଇଛି । ଏହା ଗଣତନ୍ତ୍ରର ବିଜୟ । ତେବେ, ଆଂଶିକ ବିଜୟ ମିଳିଛି । ଚାଷୀଙ୍କ ପ୍ରମୁଖ ଦାବି ମଧ୍ୟରେ କୃଷି ଉତ୍ପାଦନର ‘ସର୍ବନିମ୍ନ ସହାୟକ ମୂଲ୍ୟ’ ଗ୍ୟାରେଂଟି ଅନ୍ୟତମ ଦାବି ଥିବାରୁ ସରକାରର ତାହା ପୂରଣ କରିବା ଦିଗରେ ଆଇନ ପ୍ରଣୟନ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ସେମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏମଏସପିକୁ ଆଇନଗତ ଗ୍ୟାରେଂଟି ଦିଆଯିବାକୁ ଦାବି ଉଠାଇ ଥିଲେ । ଯାହାକି ଆଜି ସୁଦ୍ଧା କେହି ବିଚାରକୁ ନେଇ ନାହାନ୍ତି । ତେଣୁ, ଏମଏସପିକୁ ଆଇନଗତ ଗ୍ୟାରେଂଟି ମିଳିବା ଯାଏଁ ଚାଷୀ ଆନ୍ଦୋଳନ ଚାଲୁ ରହିବ ବୋଲି ଚାଷୀ ଆନ୍ଦୋଳନର ଅନ୍ୟତମ ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାର ୨୦୨୦ରେ କାର୍ଯ୍ୟକାରୀ କରିଥିବା ତିନି କୃଷି ଆଇନ ଚାଷୀଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଉଦ୍ଦିଷ୍ଟ ବୋଲି କେନ୍ଦ୍ର ସରକାର ଦାବି କରୁଥିଲେ । ଏହି ଆଇନ ଚାଷୀଙ୍କୁ ଅବାଧ ବ୍ୟବସାୟ ପାଇଁ ବନ୍ଧନମୁକ୍ତ କରିଛି ବୋଲି ସରକାର କହୁଥିଲେ । ଚାଷୀ ଏବେ ସେମାନଙ୍କ ଉତ୍ପାଦନ ଦେଶ ଭିତରେ ଯେଉଁଠି ଅଧିକ ମୂଲ୍ୟ ମିଳିବ ବିକ୍ରି କରି ପାରିବେ ବୋଲି କୁହାଯାଉଥିଲା । କୃଷି କ୍ଷେତ୍ରରେ କର୍ପୋରେଟ୍ ସଂସ୍ଥାଙ୍କ ଅର୍ଥ ନିବେଶ ଦ୍ୱାରା କୃଷି କ୍ଷେତ୍ରରେ ସଂସ୍କାର ଆସିବ ବୋଲି ସରକାର କହୁଥିବା ବେଳେ ତିନି କୃଷି ଆଇନ ‘ଉଦ୍ୟୋଗପତିଙ୍କ ପାଇଁ ଉଦ୍ଦିଷ୍ଟ’ ଓ ଏହା ସାଧାରଣ ଚାଷୀଙ୍କ ଅର୍ଥନୀତିକୁ ଧ୍ୱଂସ କରିଦେବ ବୋଲି ଚାଷୀ ସଂଗଠନମାନେ ଅଭିଯୋଗ କରି ଆସୁଛନ୍ତି । ଏହି ତିନି କୃଷି ଆଇନ ସେମାନଙ୍କ ଅର୍ଥନୀତିକୁ ସୁଦୃଢ କରିବା ବୋଲି ସରକାର ଗୋଟିଏ ଗୋଷ୍ଠୀକୁ ବୁଝାଇବାରେ ବିଫଳ ହେବାରୁ ତିନି କୃଷି ଆଇନ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ଆଜି ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍ବୋଧନରେ କହିଥିଲେ ।
୨୦୨୦ ସେପ୍ଟେମ୍ବରରେ ଦେଶରେ ତିନି ନୂଆ କୃଷି ଆଇନ ପ୍ରଣୟନ ହେବା ପରେ ତାହାକୁ ବିରୋଧ କରି ଚାଷୀ ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନ ଅବସରରେ ଘଟି ଥିବା କିଛି ପ୍ରମୁଖ ଘଟଣା ମଧ୍ୟରେ ରହିଛି, ୨୦୨୧ ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଚାଷୀଙ୍କ ପକ୍ଷରୁ ଦିଲ୍ଲୀ ସୀମାନ୍ତରେ ଟ୍ରାକ୍ଟର ର୍ୟାଲି, ର୍ୟାଲି ସମୟରେ କିଛି ଚାଷୀ ଦିଲ୍ଲୀ ସହର ଭିତରକୁ ମାଡ଼ି ଯିବା, ସେଥିରୁ ଗୋଟିଏ ଗୋଷ୍ଠୀ ଲାଲକିଲ୍ଲା ପର୍ଯ୍ୟନ୍ତ ମାଡ଼ି ଯାଇ ଲାଲକିଲ୍ଲାରେ ସେମାନଙ୍କ ପତାକା ଉଡାଇବା, ଦିଲ୍ଲୀ ହିଂସା ପରେ କେନ୍ଦ୍ର ସରକାର ଶତାଧିକ ଚାଷୀଙ୍କୁ ଦେଶଦ୍ରୋହ ମାମଲାରେ ସଂପୃକ୍ତ କରି ସେମାନଙ୍କୁ ଜେଲକୁ ପଠାଇବା ଏବଂ ଦିଲ୍ଲୀ ସହରକୁ କଂଟାବାଡ ଓ ସିମେଂଟ ବ୍ଲକ୍ ଦ୍ୱାରା ଅବରୁଦ୍ଧ କରି ଚାଷୀଙ୍କ ଦିଲ୍ଲୀ ପ୍ରବେଶ ଉପରେ ସଂପୂର୍ଣ୍ଣ ରୋକ୍ ଲଗାଇବା ଭଳି ଘଟଣାବଳୀ ।
ଅକ୍ଟୋବର ୩ ତାରିଖରେ ସବୁଠାରୁ ବଡ଼ ଲଜ୍ୟାଜନକ ଘଟଣା ଘଟିଛି ୟୁପିର ଲକ୍ଷ୍ମୀପୁର ଖେରିରେ । ତିନି କୃଷି ଆଇନ ବିରୋଧରେ ଲକ୍ଷ୍ମୀପୁର ଖେରିରେ ବିକ୍ଷୋଭ କରୁଥିବା ଚାଷୀଙ୍କ ଉପରେ ସେଠାକାର ସାଂସଦ ତଥା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ‘ତେନି’ଙ୍କ ପୁଅ ଅଶିଷ ମିଶ୍ରା ନିଜଏସୟୁଭି କାର୍ ଚଢାଇ ଦେବା ୪ ଜଣ ଚଷୀ ଓ ଜଣେ ଟିଭି ସାମ୍ବାଦିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଲା । ଏହା ପରବର୍ତ୍ତୀ ତ୍ୱରିତ ହିଂସାରେ ୩ ଜଣ ବିଜେପି ସମର୍ଥକ ପ୍ରାଣ ହରାଇଛନ୍ତି । ସେଦିମ ମୋଟ ୮ଟି ମୃତ୍ୟୁ ଘଟିଛି । ଅଭିଯୁକ୍ତଙ୍କୁ ଗିରଫ କରିବାରେ ୟୁପି ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ ମଧ୍ୟ ସୁପ୍ରିମ କୋର୍ଟଙ୍କ ତ୍ୱରିତ ହସ୍ତକ୍ଷେପ ଯୋଗୁଁ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଘଟଣାର ସପ୍ତାହକ ପରେ ଗିରଫ କରାଯାଇଛି । କିନ୍ତୁ, ଲକ୍ଷ୍ମୀପୁର ଖେରି ଚାଷୀ ହତ୍ୟା ଘଟଣାରେ ବ୍ୟବହୃତ ଏସୟୁଭି ଗାଡ଼ି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ମିଶ୍ରାଙ୍କର ବୋଲି ପୁଲିସ ମାନିବା ସତ୍ତ୍ୱେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି ।
କେନ୍ଦ୍ର ମନ୍ତ୍ରୀ ତେନି ଏହି ଷଡଯନ୍ତ୍ରରେ ସାମିଲ ଥିବା ୟୁପି ପୁଲିସ ଏତଲା କରିଛନ୍ତି ସିନା ତାଙ୍କୁ ପଚରାଉଚୁରାକରି ନାହାନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଡୁ ମଧ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି । ୟୁପି ପୁଲିସର ପକ୍ଷଭୁକ୍ତ ହୋଇ ତଦନ୍ତକୁ ବାଟବଣା କରୁଥିବା ସୁପ୍ରିମ କୋର୍ଟର ହୃଦବୋଧ ହେବା ପରେ ସୁପ୍ରିମ କୋର୍ଟ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରି ତଦନ୍ତରେ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ଘୋଡାଉଦ୍ୟମ ହେଉଛି ବୋଲି ୟୁପି ସରକାରଙ୍କୁ ତାଗିଦ କରିଛନ୍ତି । ଘଟଣାର ତଦନ୍ତ କରୁଥିବା ଏସଆଇଟି ତଦନ୍ତକୁ ଠିକ୍ ବାଟରେ ପରିଚାଳନା କରୁ ନଥିବା ଦର୍ଶାଇ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସେଥିରେ ନିଆ ଯିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି । ଏସଆଇଟିର ତଦନ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ପଂଜାବ-ହରିୟାଣା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ମିଶ୍ରା କେନ୍ଦ୍ରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଥାଇ ପୁଲିସ ତଦନ୍ତ କେମିତି ନିଷ୍ପକ୍ଷ ହେବ ବୋଲି ବିରୋଧୀ ଦଳ ପ୍ରଶ୍ନ ଉଠାଇବା ସତ୍ତ୍ୱେ ମୋଦୀ ସରକାର ନିରବ । ଏହା ଆଗାମୀ ୟୁପି ନିର୍ବାଚନରେ ବଡ଼ ପ୍ରସଙ୍ଗ ହେବାକୁ ଯାଉଛି । ଚାଷୀ ସଂଗଠନ ମଧ୍ୟ ଏହାକୁ ବଡ଼ ପ୍ରସଙ୍ଗ କରିଛନ୍ତି । ସରକାର ତିନି କୃଷି ଆଇନ ପ୍ରତ୍ୟାହାର କଲେ ମଧ୍ୟ ଏମଏସପି ଓ ତେନି ପ୍ରସଙ୍ଗ ଜୀବନ୍ତ ଥିବା ଯାଉଁ ଚାଷୀ ଆନେ୍ଦୋଳନର ପରିସମାପ୍ତି ଘଟିବା ସମ୍ଭାବନା କ୍ଷୀଣ । କେନ୍ଦ୍ର ସରକାର ଏହି ଦୁଇ ପ୍ରସଙ୍ଗର ସମାଧାନ ପାଇଁ କି ପଦକ୍ଷେପ ନେବେ ତାହା ଉପରେ ଅନେକ କିଛି ନିର୍ଭର କରୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS