‘ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୧’: ‘ଇନ୍ଦୋର’କୁ ସ୍ୱଚ୍ଛ ସହର ଓ ‘ଛତିଶଗଡ଼’କୁ ସ୍ୱଚ୍ଛ ରାଜ୍ୟ ପୁରସ୍କାର

ପ୍ରସାଦ ରାଓ
ନୂଆଦିଲ୍ଲୀ
ନଭେମ୍ବର ୨୦
କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଦେଶର ସର୍ବାଧିକ ସ୍ୱଚ୍ଛତା ସଂପନ୍ନ ସହରକୁ ଚିହ୍ନଟ କରିବା ସକାଶେ ସଦ୍ୟ ହୋଇଥିବା ସର୍ଭେର ଫଳାଫଳ ପ୍ରକାଶ ପାଇଛି । ଏହି ସର୍ଭେରେ ମଧ୍ୟ ପ୍ରଦେଶର ଇନ୍ଦୋର ସହର ଲଗାତର ପଂଚମ ଥର ପାଇଁ ଦେଶର ସର୍ବାଧିକ ସ୍ୱଚ୍ଛ ସହର ଭାବେ ଚିହ୍ନଟ ହୋଇ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛତା ପୁରସ୍କାର ପାଇଥିବା ବେଳେ ରାଜ୍ୟଗୁଡିକ ମଧ୍ୟରେ ଛତିଶଗଡ଼ ତାହାର ପ୍ରଥମ ସ୍ଥାନ ବଜାୟ ରଖିଛି । ‘ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୧’ର ସ୍ୱଚ୍ଛ ସହର କାଟାଗୋରୀରେ ସୁରଟ ଓ ବିଜୟୱାଡା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା କ୍ଷେତ୍ର ବାରାଣସୀକୁ ‘ସ୍ୱଚ୍ଛ ଗଂଗା ସହର’ ବିବେଚନା କରାଯାଇଥିବା ବେଳେ ବିହାରର ମୁଂଗେର ଓ ପାଟନା ସହର ଯଥାକ୍ରମେ ଦ୍ୱତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ‘ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୧’ରେ ଇନ୍ଦୋର ଓ ସୁରଟ ସହର ନିଜ ନିଜ ସ୍ଥିତି ସୁରକ୍ଷିତ ରଖି ଥିବା ବେଳେ ମହାରାଷ୍ଟ୍ରର ନଭି ମୁମ୍ବାଇ ତୃତୀୟ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଖସିଛି । ଆନ୍ଧ୍ର ପ୍ରଦେଶର ବିଜୟୱାଡା ସହର ନଭି ମୁମ୍ବାଇର ସ୍ଥାନ ନେଇଛି । କେନ୍ଦ୍ର ସରକାରଙ୍କ ଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟ ଭିତ୍ତିରେ ରାଷ୍ଟପତି ରାମନାଥ କୋବିନ୍ଦ କେନ୍ଦ୍ର ଗୃହ ଓ ସହରାଂଚଳ ବ୍ୟପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଅନ୍ୟମାନଙ୍କ ଉପସ୍ଥିତିରେ ସଂପୃକ୍ତ ସହରଗୁଡିକୁ ଆଜି ପୁରସ୍କୃତ କରିଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶର ୪,୩୨୦ ସହରକୁ ନେଇ ୨୮ ଦିନ ଧରି ଏହି ସ୍ୱଚ୍ଛତା ସର୍ବେକ୍ଷଣ ହୋଇଥିଲା । ୪.୨ କୋଟିରୁ ଅଧିକ ଲୋକଙ୍କଠାରୁ ସେମାନଙ୍କ ମତାମତ ସଂଗ୍ରହ କରାଯାଇଥିଲା । ସର୍ବାଧିକ ସ୍ୱଚ୍ଛତା ସଂପନ୍ନ ରାଜ୍ୟ କାଟାଗୋରୀରେ ୧୦୦ରୁ ଅଧିକ ସହରାଂଚଳ ଥିବା ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ ସ୍ୱଚ୍ଛତାରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ବେଳେ ୧୦୦ରୁ କମ୍ ସହରାଂଚଳ ଥିବା ରାଜ୍ୟଙ୍କ ମଧ୍ୟରେ ଝାଡ଼ଖଣ୍ଡ ପ୍ରଥମ ସ୍ଥାନ, ହରିୟାଣା ଓ ଗୋଆ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ଦେଶରେ ୧୦ଟି ସ୍ୱଚ୍ଛ ସହର ମଧ୍ୟରେ ଇନ୍ଦୋର, ସୁରଟ, ବିଜୟୱାଡା, ନଭି ମୁମ୍ବାଇ, ନୂଆଦିଲ୍ଲୀ, ଅମ୍ବିକାପୁର, ତିରୁପତି, ପୁଣେ, ନୋଇଡା ଓ ଉଜ୍ଜୟିନୀ ଥିବା ବେଳେ ଏହି କାଟାଗୋରୀର ୨୫ଟି ସହର ମଧ୍ୟରେ ଲକ୍ଷ୍ନୌ ସହର ସବୁଠୁ ପଛରେ ରହିଛି । ଏକ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସର୍ବାଧିକ ସ୍ୱଚ୍ଛ ସହର ମଧ୍ୟରେ ମହାରାଷ୍ଟ୍ରର ଭିଟା ସହର ପ୍ରଥମ ସ୍ଥାନରେ ଥିବା ବେଳେ ଲୋନାୱାଲ ଦ୍ୱିତୀୟ ଓ ସାସ୍ୱଦ ତୃତୀୟ ସ୍ଥାନରେ ଥିବା ଜଣାପଡିଛି । ୧ରୁ ୩ ଲକ୍ଷ ଜନସଂଖ୍ୟା ଥିବା ସର୍ବାଧିକ ସ୍ୱଚ୍ଛ କ୍ଷୁଦ୍ର ସହର କାଟାଗୋରୀରେ ନୂଆଦିଲ୍ଲୀ ମ୍ୟୁନସିପାଲ୍ କର୍ପୋରେସନ ପ୍ରଥମ ସ୍ଥାନରେ ରହିଛି । ହୋସାଙ୍ଗାବାଦ ସହର ‘ଫାଷ୍ଟେଷ୍ଟ୍ ମୁଭର ସ୍ମଲ୍ ସିଟି’ କାଟାଗୋରୀରେ ଓ ତିରୁପତି ସହର ‘ବେଷ୍ଟ୍ ସ୍ମଲ୍ ସିଟି ଇନ୍ ସିଟିଜନ୍ସ୍ ଫିଡ଼ବ୍ୟାକ୍’ କାଗାଗୋରୀରେ ପ୍ରଥମ ସ୍ଥାନରେ ଅଛନ୍ତି । ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ‘ସ୍ୱଚ୍ଛ ମଧ୍ୟମ ଶ୍ରେଣୀ ସହର’କାଟାଗୋରୀରେ ନୋଇଡ଼ା ପ୍ରଥମ ସ୍ଥାନ ଅଧିକାର କରିଛି । ସେହିଭଳି, ‘ସଫାଇମିତ୍ର ସୁରକ୍ଷା ଚ୍ୟାଲେଂଜ’ କାଟାଗୋରୀରେ ନଭି ମୁମ୍ବାଇ ପ୍ରଥମ ସ୍ଥାନରେ ରହିଛି । ୧୦ରୁ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ‘ସ୍ୱଚ୍ଛ ବୃହତ ସହର’ କାଟାଗୋରୀରେ ନଭି ମୁମ୍ବାଇକୁ ପ୍ରଥମ ସ୍ଥାନ ମିଳିଥିବା ବେଳେ କ୍ୟାଟନମେଂଟ୍ ବୋର୍ଡସ୍ କାଟାଗୋରୀରେ ଅହମ୍ମଦାବାଦ ସର୍ବାଧିକ ସ୍ୱଚ୍ଛ ସହର ଭାବେ ପୁରସ୍କୃତ ହୋଇଛି । ତାହା ପଛକୁ ମିରଟ ଓ ଦିଲ୍ଲୀ ସହର ଅଛନ୍ତି । ଜିଲ୍ଳା ରାଙ୍କିଂ କାଟାଗୋରୀରେ ସୁରଟ ସହର ପ୍ରଥମ ସ୍ଥାନରେ ରହି ପୁରସ୍କୃତ ହୋଇଥିବା ବେଳେ ଇନ୍ଦୋର ଓ ଦିଲ୍ଲୀ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଜଣାପଡିଛି । ଏହି ସର୍ଭେ ଫଳାଫଳରେ ଓଡ଼ିଶାର ଚିହ୍ନବର୍ଣ୍ଣ ନଥିବା ଦେଖିବାକୁ ମିଳିଛି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS