କଳା କାନୁନ କଣ ? କାଳି ଛଡା ଆଉ କିଛି ‘କଳା’ ନାହିଁ – କେନ୍ଦ୍ର ମନ୍ତ୍ରୀ ଭିକେ ସିଂହ


ପ୍ରସାଦ ରାଓ
ନୂଆଦିଲ୍ଲୀ
ନଭେମ୍ବର ୨୦
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦେଶବାସୀଙ୍କୁ ସଂବୋଧିତ କରି ବିନମ୍ର ଭାବେ ତିନି କୃଷି ଆଇନ ପ୍ରତ୍ୟାହାର କରୁଥିବା ଘୋଷଣା କରିବା ସହ ସମସ୍ତଙ୍କୁ କ୍ଷମା ମାଗି ନେଇଥିବା ବେଳେ ତାଙ୍କ ଅଧୀନରେ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଥିବା ପୂର୍ବତନ ସେନା ଜେନେରାଲ ଭି.କେ.ସିଂହ ରୁକ୍ଷ ଭାବେ ତିନି କୃଷି ଆଇନକୁ ‘କଳା ଆଇନ’ ବୋଲି ଯେଉଁମାନେ କହୁଛନ୍ତି ସେଥିରେ ‘କଳା’ କେଉଁଠି ରହିିଛି ବୋଲି ପ୍ରଶ୍ନ କରିଛନ୍ତି । ୨୦୨୦ ସେପ୍ଟେମ୍ବରରେ ଦେଶରେ ଏହି କୃଷି ଆଇନ କାର୍ଯ୍ୟକାରୀ ହେବା ପରେ ବର୍ଷେ ହେଲା ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ତାହା ବିରୋଧରେ ଆନ୍ଦୋଳନ ଚାଲିଛି । ଚାଷୀ ସଂଗଠନମାନେ ଏହି ତିନି କୃଷି ଆଇନକୁ ‘କଳା ଆଇନ’ ଦର୍ଶାଇ ତାହାର ବିରୋଧ କରୁଥିବା ବେଳେ ଆଇନରେ କେଉଁଠି କଣ ‘କଳା’ ରହିଛି ଯେ ସେମାନେ ଆଇନକୁ ‘କଳା ଆଇନ’ କହୁଛନ୍ତି (?) ବୋଲି ସିଂହ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଏହି ତିନି ଆଇନ ପ୍ରସ୍ତୁତ କରିବାରେ ଯେଉଁ କାଳି ବ୍ୟବହାର ହୋଇଛି, ତାହାର ରଂଗ ‘କଳା’, ଏକଥା ସେ ମୁନୁଛନ୍ତି । ତେବେ, ଆଇନରେ କଳା କେଉଁଠି ରହିଲା ଯେ ତାହାକୁ ‘କଳା ଆଇନ’ କୁହାଯାଉଛି ତାହା ସେ ବୁଝିପାରୁ ନାହାନ୍ତି । କାଳିର ରଂଗ କଳା, ତାହାର କିଛି ପ୍ରତିକାର ନାହିଁଁ । ଚାଷୀ ସଂଗଠନମାନେ ନିଜ ନିଜ ଆଧିପତ୍ୟ ଜାହିର କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି । କୌଣସି କାରଣରୁ ସେମାନେ କ୍ଷୁଦ୍ର ଚାଷୀଙ୍କୁ ମିଳିବାକୁ ଥିବା ସୁବିଧା ସୁଯୋଗକୁ ଅଣଦେଖା କରି ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡ଼ି ରହିବାରୁ ପ୍ରଧାନମନ୍ତ୍ରୀ ତିନି କୃଷି ଆଇନକୁ ପ୍ରତ୍ୟାହାର କରି ନେବାକୁ ଘୋଷଣା କରିଛନ୍ତି । ଜେନେରାଲ ଭି.କେ.ସିଂହ ଉତ୍ତର ପ୍ରଦେଶର ଗାଜିଆବାଦରୁ ବିଜେପି ସାଂସଦ ଅଛନ୍ତି । କେନ୍ଦ୍ର ସରକାର ଗତ ବର୍ଷ ସେପ୍ଟେମ୍ବର ମାସରେ ଏହି ତିନି କୃଷି ଆଇନକୁ ସଂସଦରେ ପାରିତ କରାଇ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଆଇନରେ ପରିଣତ କରିଥିଲେ ମଧ୍ୟ ସୁପ୍ରିମ କୋର୍ଟଙ୍କ ସ୍ଥଗିତାଦେଶ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇ ନାହିଁ । ଏହା ତିନି ଆଇନ ପ୍ରତ୍ୟାହାର ଦାବିରେ ବର୍ଷେ ହେଲା ପଂଜାବ, ହରିଆଣା, ୟୁପି ଓ ରାଜସ୍ଥାନର ଚାଷୀମାନେ ଦିଲ୍ଲୀ ସୀମାନ୍ତରେ ଅବରୋଧ ଓ ଆନ୍ଦୋଳନରେ ବ୍ୟସ୍ତ ଥିଲେ । ଏହା ଦେଶର ବିଭିନ୍ନ ରାଜ୍ୟକୁ ମଧ୍ୟ ବ୍ୟାପୃତ ହୋଇଥିଲା । ଫଳରେ, କେନ୍ଦ୍ର ସରକାର ଓ ଚାଷୀ ସଂଗଠନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହି ଥିଲା । କେନ୍ଦ୍ର ସରକାର ବିଭିନ୍ନ ସମୟରେ ଏହି ତିନି କୃଷି ଆଇନ ପ୍ରତ୍ୟାହାର ହେବା ପ୍ରଶ୍ନ ଉଠୁ ନାହିଁ ବୋଲି ରୋକଠୋକ୍ କହିଥିବା ବେଳେ ଶୁକ୍ରବାର (ନଭେମ୍ବର ୧୯ ତାରିଖ) ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖ୍ ଗୁରୁ ନାନକଦେବଙ୍କ ଜନ୍ମବାର୍ଷିକୀ ଆଳରେ ଦେଶବାସୀଙ୍କୁ ସମ୍ବୋଧିତ କରି ସମସ୍ତଙ୍କୁ ଚକିତ କଲା ଭଳି ତିନି କୃଷି ଆଇନ ପ୍ରତ୍ୟାହାର କରିନେବା କଥା ଘୋଷଣା କରିଛନ୍ତି । ତେବେ, ଦେଶର ୮୫ ପ୍ରତିଶତ କ୍ଷୁଦ୍ର ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି କୃଷି ଆଇନ ଉଦ୍ଦିଷ୍ଟ ଥିଲା, ତାହା କିଛି ଚାଷୀ ସଂଗଠନଙ୍କୁ ସରକାର ବୁଝାଇବାରେ ବିଫଳ ହେବାରୁ ଆଇନ ପ୍ରତ୍ୟାହାର କରି ନେବାକୁ ନିଷ୍ପତ୍ତି ନେଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କିନ୍ତୁ, ବିରୋଧୀ ତାହାକୁ ସହଜରେ ଗ୍ରହଣ କରୁ ନାହାନ୍ତି । ୨୦୨୨ ପ୍ରାରମ୍ଭରେ ପଂଜାବ, ୟୁପି ଭଳି ଚାଷୀ ବହୁଳ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଚାଷୀଙ୍କ ଅସନ୍ତୋଷରୁ ତ୍ରାହୀ ପାଇବା ପାଇଁ କେନ୍ଦ୍ର ସରକାର ତିନି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି ବୋଲି ସେମାନେ କହିଛନ୍ତି । ଚଳିତ ମାସ ଶେଷ ଆଡକୁ ସଂସଦର ଶୀତକାଳୀନ ଅଧିବେଶନ ବସୁଛି । ଏହି ତିନି ଆଇନ ପ୍ରତ୍ୟାହାର କରାଯିବାର ସାମ୍ବିଧାନିକ ପ୍ରକ୍ରିୟା ଶୀତ ଅଧିବେଶନରେ ଶେଷ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଅଚାନକ ଘୋଷଣା ବିରୋଧୀ ଦଳଙ୍କ ପାଇଁ ଏକ ରାଜନୈତିକ ଝଟକା ହୋଇଥିବା ଶାସକ ବିଜେପି ସମର୍ତକମାନେ କହୁଥିବା ବେଳେ ୟୁପି, ପଂଜାବରେ ପରାଜୟ ଆଶଙ୍କାରେ ସରକାର ଏଭଳି ଏକ ଆକସ୍ମିକ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ବିରୋଧୀ ଦଳମାନେ କହୁଛନ୍ତି । ତେବେ, ଆନ୍ଦୋଳନକାରୀ ଚାଷୀ ସଂଗଠନମାନେ ସଫଳତାର ଶ୍ରେୟ ବିରୋଧୀଙ୍କୁ ନ ଦେଇ ବର୍ଷେ ହେଲା ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଆନ୍ଦୋଳନ ଜାରି ରଖି ଥିବା ଚାଷୀଙ୍କୁ ତାହାର ଶ୍ରେୟ ଦେବା ନୂଆ ରାଜନୀତିର ସୂତ୍ରପାତ କରିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS