ବିଜେଡ଼ି ସରକାର ନିଜ କାର୍ଯ୍ୟାଳୟକୁ ନିଜେ ଘେରିବେ ?

ପ୍ରସାଦ ରାଓ
ଭୁବନେଶ୍ୱର
ନଭେମ୍ବର ୨୧
କେନ୍ଦ୍ର ସରକାର ପେଟ୍ରୋଲ, ଡ଼ିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିବା ପରେ ଏହି ଦୁଇ ପେଟ୍ରୋଲିୟମ ଜାତ ଦ୍ରବ୍ୟର ଲିଟର ପିଛା ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି । ପେଟ୍ରୋଲ, ଡ଼ିଜେଲ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମିବା ପରେ ରାଜ୍ୟ ସରକାରଙ୍କ ଭାଟ୍ ପରିମାଣ ମଧ୍ୟ କମିଛି । ତଥାପି, ରାଜ୍ୟରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ଶହେ ଟଙ୍କା ତଳକୁ ଖସିନି । ରାଜ୍ୟ ସରକାର ପେଟ୍ରୋଲ ଲିଟର ପିଛା ମୂଲ୍ୟ ଉପରେ ଭାଟ୍ ୩ ଟଙ୍କା ୦୪ ପଇସା ଓ ଡ଼ିଜେଲ ଲିଟର ପିଛା ମୂଲ୍ୟ ଉପରେ ଭାଟ୍ ୨ ଟଙ୍କା ୮୬ ପଇସା ମାତ୍ର କମାଇଛନ୍ତି । ସରକାର ଚାହିଁ ଥିଲେ ପଂଜାବ ଭଳି ଓଡ଼ିଶାରେ ମଧ୍ୟ ପେଟ୍ରୋଲ, ଡ଼ିଜେଲ ଉପରେ ଆଖିଦୃଶିଆ ଭାଟ୍ କମି ପେଟ୍ରୋଲର ଲିଟର ପିଛା ମୂଲ୍ୟ ଶହେ ଟଙ୍କା ତଳକୁ ଖସିପାରି ଥା’ନ୍ତା । କିନ୍ତୁ, ରାଜ୍ୟ ସରକାର ନିଜ ରାଜସ୍ୱ ହରାଇାକୁ ଚାହିଁ ନାହାନ୍ତି । ତେଣୁ, ଭାଟ୍ ନାମକୁ ମାତ୍ର କମାଇଛନ୍ତି ।
ଅପରପକ୍ଷରେ, ଦେଶର ପ୍ରତ୍ୟେକ ଘରେ ରନ୍ଧାଶାଳରେ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଥିବା ରନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ମୂଲ୍ୟ ପାଖାପାଖି ଏକ ହଜାର ଟଙ୍କାରେ ପହଂଚିଲାଣି । ପେଟ୍ରୋଲ, ଡ଼ିଜେଲର ଦରବୃଦ୍ଧି ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧିର କାରଣ ହୋଇଥିବା ବେଳେ ରନ୍ଧନ ଗ୍ୟାସ୍ ର ନିରନ୍ତର ଦରବୃଦ୍ଧି ଗୃହିଣୀଙ୍କ ରନ୍ଧାଶାଳରେ ନିଆଁ ଲଗାଇଛି । ଓଡ଼ିଶା ସରକାର ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ପାଖାପାଖି ହଜାରେ ଟଙ୍କାରେ ପହଂଚିବା ଯାଏଁ ନିରବଦ୍ରଷ୍ଟ୍ରା ଥିଲେ । ଏବେ, କଳାହାଣ୍ଡି ଜିଲ୍ଲା ମମିତା ମେହେର ହତ୍ୟାକାଣ୍ଡରେ କଥିତ ସଂପୃକ୍ତି ଅଭିଯୋଗରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଦାବିରେ ବିଜେପିର ଆନ୍ଦୋଳନ ଚରମ ସ୍ତରରେ ପହଂଚି ଥିବାରୁ ବିଜେଡ଼ି ହଠାତ୍ ରନ୍ଧନ ଗ୍ୟାସ୍ ର ମୂଲ୍ୟବୃଦ୍ଧିକୁ ପ୍ରସଙ୍ଗ କରି କେନ୍ଦ୍ର ସରକାର ଓ ରାଜ୍ୟ ବିଜେପି ନେତୃତ୍ୱକୁ ଘେରିବାର ଯୋଜନା କରିଛି ।
ଓଡ଼ିଶାରେ ଶାସକ ବିଜେଡ଼ି ପକ୍ଷରୁ ଆସନ୍ତା କାଲିଠାରୁ ତିନି ଦିନ ରାଜ୍ୟର ତିନିଟି ଆରଡ଼ିସି ଜୋନ୍ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ବିକ୍ଷୋଭ କାର୍ଯ୍ୟକ୍ରମ ରହିଛି । ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ଓ ବିଜୁ ମହିଳା ଜନତା ଦଳ ଏଥିରେ ଭାଗ ନେବେ ଓ ତିନି ଆରଡ଼ିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ବିଜେଡ଼ି ପକ୍ଷରୁ ଘୋଷଣା ହୋଇଛି । ୨୨ ତାରିଖ କଟକ, ୨୩ ତାରିଖ ସମ୍ବଲପୁର ଓ ୨୪ ତାରିଖ ବ୍ରହ୍ମପୁରରେ ଆରଡ଼ିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ହେବ ଏବଂ ରାଷ୍ଟ୍ରପତି ଏହି ମୂଲ୍ୟ ବୃଦ୍ଧିରେ ହସ୍ତକ୍ଷେପ କରିବାକୁ ଦାବି କରି ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି ।
ରାଜ୍ୟ ବିଜେଡ଼ି ନେତୃବୃନ୍ଦଙ୍କ ଅଭିଯୋଗ ହେଉଛି, ୨୦୧୪ରେ ‘ଅଚ୍ଛେ ଦିନ’ର ପ୍ରତିଶୃତି ଦେଇ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କ୍ଷମତାକୁ ଆସି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ଆସି ନାହିଁ । କେନ୍ଦ୍ର ସରକାରଙ୍କ ଦ୍ୱାରା ବହୁଳ ଭାବେ ପ୍ରଚାରିତ ‘ଉଜ୍ଜ୍ୱଳା ଯୋଜନା’ ମଧ୍ୟ ବାସ୍ତବ ଲକ୍ଷ୍ୟ ହାସଲରେ ବିଫଳ ହୋଇଛି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବିପିଏଲ ପରିବାରଙ୍କୁ ଏହି ଯୋଜନାରେ ମାଗଣାରେ ରନ୍ଧନ ଗ୍ୟାସ୍ ସଂଯୋଗ ସହ ବ୍ୟବହାର ଯୋଗ୍ୟ ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର ଯୋଗାଇ ଦେବା କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ଥିଲା । କାଠ, କୋଇଲା ସମତେ ଅନ୍ୟାନ୍ୟ ଜାଳେଣୀ ବ୍ୟବହାର କରି ଅସୁସ୍ଥ ହୋଇପଡୁଥିବା ଗରୀବ ପରିବାର ମହିଳାଙ୍କ ରନ୍ଧାଶାଳକୁ ‘ଧୂମ୍ର ମୁକ୍ତ’ ରଖିବା ସହ ସେମନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଦେବା ଯୋଗାଇବା ଯୋଜନାର ଉଦ୍ଦେଶ୍ୟ ଥିଲା । କିନ୍ତୁ, ତାହା ହୋଇ ନାହିଁ । ଗଲା ତିନି ବର୍ଷ ମଧ୍ୟରେ ଦେଶରେ ରନ୍ଧନ ଗ୍ୟାସ୍ ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇ ୧୪.୨ କେଜି ସିଲିଣ୍ଡର ମୂଲ୍ୟ ପାଖାପାଖି ହଜାରେ ଟଙ୍କାରେ ପହଂଚି ଥିବା ବେଳେ ବିପିଏଲ ପରିବାର କ୍ରୟଶକ୍ତି ଅଭାବରୁ ପୁନର୍ବାର ସେହି ଧୂମ୍ର-ଯୁକ୍ତ ହାଣ୍ଡିଶାଳରେ ଘାଂଟି ହେବାକୁ ବାଧ୍ୟ ହେଉଛନ୍ତି । ଉଜ୍ଜ୍ୱଳା ଯୋଜନାରେ ଗରିବ ପରିବାର ଉପକୃତ ହେଉନଥିବା ବେଳେ ଯୋଜନା କାହା ପାଇଁ ବୋଲି ବିଜେଡ଼ି ପ୍ରଶ୍ନ କରିଛି । ବିଜେଡ଼ି ଏହା ମଧ୍ୟ ଅଭିଯୋଗ କରିଛି ଯେ, ଦେଶରେ ରନ୍ଧନ ଗ୍ୟାସ୍ ବ୍ୟବହାର ୯୮ ପ୍ରତିଶତରେ ପହଂଚି ଥିବା କେନ୍ଦ୍ର ସରକାରଙ୍କ ଆଡୁ ଦାବି ହେଉଥିବା ବେଳେ ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ରିପୋର୍ଟ କହୁଛି ବୃଦ୍ଧି ପରିମାଣ ମାତ୍ର ୨୦ ପ୍ରତିଶତ । ତାହା ମଧ୍ୟ ସ୍ୱାଭାବିକ ପ୍ରକ୍ରିୟାରେ ।
କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ର ମୂଲ୍ୟ ନ କମାଇବା ପର୍ଯ୍ୟନ୍ତ ବିଜେଡ଼ି ଆନ୍ଦୋଳନ ଜାରି ରଖିବ ବୋଲି ଘୋଷଣା କରିଥିବା ବେଳେ ଏହା କେବଳ ଏକ ରାଜନୈତିକ ଷ୍ଟଂଟ୍ ବୋଲି ବିଜେପି ପାଲଟା ଅଭିଯୋଗ କରିଛି । ମମିତା ମେହେର ହତ୍ୟା ଓ ଏଥିରେ ପ୍ରତ୍ୟକ୍ଷ ନହେଲେ ମଧ୍ୟ ପରୋକ୍ଷ ସଂପୃକ୍ତି ଅଭିଯୋଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ କରାଯିବା ଦାବି ଉପରୁ ରାଜ୍ୟବାସୀଙ୍କ ନଜର ହଟାଇବା ପାଇଁ ବିଜେଡ଼ି ରନ୍ଧନ ଗ୍ୟାସ୍ ର ମୂଲ୍ୟବୃଦ୍ଧିକୁ ପ୍ରସଙ୍ଗ କରି ଆନ୍ଦୋଳନ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା ରାଜ୍ୟ ବିଜେପି ନେତୃବର୍ଗ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ରାଜ୍ୟ ସରକାର ଚାହିଁ ଥିଲେ ରାଜ୍ୟରେ ପେଟ୍ରୋଲ, ଡ଼ିଜେଲ ଉପରେ ଅଧିକ ପରିମାଣରେ ଭ୍ୟାଟ୍ କମାଇ ତାହାର ଲିଟର ପିଛା ମୂଲ୍ୟ ଶହେ ତଳକୁ ଆଣି ପାରି ଥା’ନ୍ତେ । ଏହାଛଡା, ବିଦ୍ୟୁତ ଉତ୍ପାଦନରେ ବଳକା ରାଜ୍ୟ ଥିବା ଓଡ଼ିଶାରେ ରାଜ୍ୟ ସରକାର ବିଦ୍ୟୁତ ତାରିଫ୍ ଆକାଶଛୁଆ ବୃଦ୍ଧି କରିବା ସହ ଅଘୋଷିତ ବିଦ୍ୟୁତ କାଟ୍ ଚାଲୁ ରଖିଛନ୍ତି । ବିଦ୍ୟୁତ୍ ତାରିଖ କମ୍ ଥିଲେ ଅନ୍ତତଃ ରାଜ୍ୟର ଗରିବ ଲୋକମାନେ ରନ୍ଧନ ଗ୍ୟାସ୍ ବଦଳରେ ବିଦ୍ୟୁତ ଚାଳିତ ଇଂଡକ୍ସନ୍ ଚୁଲାର ବ୍ୟବହାର କରିଥା’ନ୍ତେ ବୋଲି ବିଜେପି କହିଛି । ବିଦ୍ୟୁତ ତାରିଫ ବୃଦ୍ଧି ବିରୋଧରେ ରାଜ୍ୟରେ ଦଳ ରାସ୍ତାକୁ ଓହ୍ଲାଇବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି ।
ଆସନ୍ତା ବର୍ଷ ପ୍ରାରମ୍ଭରେ ରାଜ୍ୟରେ ପୌରାଂଚଳ ଓ ପଂଚାୟତ ନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି କଳାହାଣ୍ଡିର ମମିତା ମେହେର ହତ୍ୟା ଘଟଣାକୁ ପଂଚାୟତ ନିର୍ବାଚନର ପ୍ରମୁଖ ପ୍ରସଙ୍ଗ କରି ଯଥାସମ୍ଭବ ଆନ୍ଦୋଳନକୁ ଜୀବନ୍ତ ରଖିବାକୁ ଚାହୁଁଥିବା ବେଳେ ଶାସକ ବିଜେଡ଼ି ଏହି ଘଟଣା ଉପରୁ ଜନତାର ନଜର ହଟାଇ ରନ୍ଧନ ଗ୍ୟାସ୍ ମୂଲ୍ୟବୃଦ୍ଧି ପ୍ରସଙ୍ଗରେ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚାହୁଁଛି । ଦୁଇ ରାଜନୈତିକ ଦଳର ଛକାପଂଝା ଭିତରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ବିଶେଷ ରାଜନୈତିକ ଫାଇଦା ନେବାରେ ସକ୍ଷମ ହେଉ ନଥିଲେ ମଧ୍ୟ ରାଜ୍ୟରେ ନିଜ ସ୍ଥିତି ଜାହିର କରିବାକୁ ଯାଇ ମନ୍ତ୍ରୀମାନଙ୍କ ଉପରେ ଗାଡ଼ି ଉପରେ ଅଣ୍ଡାମାଡ଼ କରିବା ଭଳି କାର୍ଯ୍ୟକ୍ରମ ଚାଲୁ ରଖିଛି । ପୌର ଓ ପଂଚାୟତ ନିର୍ବାଚନ ସରିବା ଯାଏଁ ରାଜ୍ୟବାସୀ ଏଭଳି ଅନେକ ନାଟକ ଦେଖିବାର ସୁଯୋଗ ପାଇବେ ।
ତେବେ ଆଲୋଚ୍ୟ ବିଷୟ ହେଉଛି, ରାଜ୍ୟରେ ଶାସକ ବିଜେଡ଼ି ରନ୍ଧନ ଗ୍ୟାସ୍ ମୂଲ୍ୟବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାର ଓ ସରକାରୀ କାର୍ଯ୍ୟାଳୟଗୁଡିକୁ ନ ଘେରି ନିଜ ଅଧସ୍ତନ ଆରଡ଼ିସି କାର୍ଯ୍ୟାଳୟଗୁଡ଼ିକୁ ପ୍ରତିବାଦ ବିକ୍ଷୋଭ ପାଇଁ ଚୟନ କରିଛି । ଆରଡ଼ିସି କାର୍ଯ୍ୟାଳୟଗୁଡିକ ସମ୍ମୁଖରେ କାଲିଠାରୁ ତିନି ଧରି ଶାସକ ଦଳର ନାଟକୀୟ ପ୍ରତିବାଦ ଚାଲିବ । ତିନି ଆରଡ଼ିସିଙ୍କୁ ସ୍ମାରକପତ୍ର ଦିଆଯିବ ଏବଂ ରାଷ୍ଟ୍ରପତି ମୂଲ୍ୟବୃଦ୍ଧିରେ ହସ୍ତକ୍ଷେପ କରିବା ଦାବିରେ ସ୍ମାରକପତ୍ର ଦିଆଯିବ । ଆରଡ଼ିସିମାନେ ବା ତାଙ୍କ ଅଧସ୍ତନ ଅଧିକାରୀମାନେ ସ୍ମାରକପତ୍ର ଗ୍ରହଣ କରି ରାଷ୍ଟ୍ରପତିଙ୍କୁ ପଠାଇବା ପରେ ତାହା ଉପରେ କି କାର୍ଯ୍ୟାନୁଷ୍ଠାନ ହେଲା ଜାଣିବାକୁ କାହାରି ଅବକାଶ ନଥିବ । ଏହାଠାରୁ ବଡ଼ ନାଟକ କଣ ବା ହୋଇପାରେ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS