ମେଘାଳୟ କଂଗ୍ରେସରେ ବିପର୍ଯ୍ୟୟ, ସାଂଗାମାଙ୍କ ସହ ୧୧ ବିଧାୟକ କଂଗ୍ରେସ ଛାଡି ଟିଏମସିରେ !

ପ୍ରସାଦ ରାଓ
ନଭେମ୍ବର ୨୫
ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଂଗାମା ୧୧ ଜଣ କଂଗ୍ରେସ ବିଧାୟକଙ୍କୁ ସାଂଗରେ ନେଇ ବୁଧବାର ରାତିରେ ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି)ରେ ଯୋଗ ଦେବା ଫଳରେ ରାଜ୍ୟରେ କଂଗ୍ରେସ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ୬୦ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ସଂଖ୍ୟା ୧୭ରୁ ୫କୁ ଖସି ଥିବା ବେଳେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି । ସମସ୍ତଙ୍କୁ ଚକିତ କଲା ଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଂଗାମା ଓ ତାଙ୍କ ସହ ଦଳ ଛାଡି ଥିବା ୧୧ ଜଣ କଂଗ୍ରେସ ବିଧାୟକ ବୁଧବାର ରାତି ୧୦ଟା ସମୟରେ ରାଜ୍ୟ ବିଧାନସଭା ବାଚସ୍ପତି ମେତବା ଲିଂଗଡୋଙ୍କୁ ଚିଠି ଲେଖି ସେମାନଙ୍କ ଦଳତ୍ୟାଗ ଓ ଟିଏମସିରେ ଯୋଗଦାନ ବିଷୟ ଜଣାଇ ଦେଇଥିଲେ । ଏହା ପୂର୍ବରୁ ମଂଗଳବାର କଂଗ୍ରେସ ନେତା କୀର୍ତ୍ତି ଅଜାଦ ଓ ଅଶୋକ ତନୱାର କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେଇଛନ୍ତି । ସେହିଭଳି, ପୂର୍ବତନ ଜେଡ଼ିୟୁ ନେତା ତଥା ରାଜ୍ୟସଭା ସାଂସଦ ପବନ ବର୍ମା ମଂଗଳବାର ଦିନ ଦିଲ୍ଲୀରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ତାଙ୍କ ସଂପର୍କ ଖରାପ ହେବାରୁ ସେ ଦଳତ୍ୟାଗ କରିଥିଲେ । ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଟିଏମସି ନିଜକୁ ବିଜେପିର ବିକଳ୍ପ ଭାବେ ଗଢି ତୋଳିବା ପ୍ରୟାସରେ ରହିଛି । ତେଣୁ, ବିଜେପି ବିରୋଧୀ ଲଢେଇରେ ସାମିଲ ହେବାକୁ ଇଚ୍ଛୁକ ବିଭିନ୍ନ ରାଜନୈତିକ ଦଳର ନେତାମାନେଙ୍କୁ ଟିଏମସି ନିଜ ଆଡକୁ ଆକୃଷ୍ଟ କରୁଥିବା ଟିଏମସି ମୁଖ୍ୟ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ଆସାମ ଗସ୍ତ ସମୟରେ କହିଥିଲେ । ଦଳ ଆସାମ, ଗୋଆ, ୟୁପି, ବିହାର ଓ ହରିୟାଣା ପରେ ମେଘାଳୟରେ ତାହାର ରାଜନୈତିକ ବିସ୍ତାରବାଦୀ କାର୍ଯ୍ୟ ଚଳାଇଛି । ମମତାଙ୍କ ଏହି ରାଜନୈତିକ ବିସ୍ତାରରେ ମୁଖ୍ୟତଃ କଂଗ୍ରେସ ଦଳ ବଳି ପଡିଛି । ଭାରତୀୟ ଜାତୀୟ କଂଗ୍ରେସର ମୁଖ୍ୟା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉତ୍ତମ ସଂପର୍କ ରହି ଆସିଥିବା ଜଣାଶୁଣା କଥା । ବିଗତ ଦିଲ୍ଲୀ ଗସ୍ତ ସମୟରେ ସେ ସୋନିଆ ଗାନ୍ଧୀଙ୍କୁ ଭେଟି ଥିଲେ । ତେବେ, ଏଥର ଦିଲ୍ଲୀ ଗସ୍ତରେ ମମତା ସୋନିଆ ଗାନ୍ଧୀଙ୍କୁ ଭେଟି ନାହାନ୍ତି । ଗଣମାଧ୍ୟମରେ ପ୍ରଶ୍ନ ହେବାରୁ ମମତା କହିଛନ୍ତି, କଂଗ୍ରେସ ନେତୃବର୍ଗ ପଂଜାବ ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ବ୍ୟସ୍ତ ଥିବାରୁ ସେ ସୋନିଆଙ୍କୁ ଭେଟିବାକୁ ସମୟ ମାଗି ନଥିଲେ । ଗଣମାଧ୍ୟମ ବାରମ୍ବାର ସେହି ଏକା ପ୍ରଶ୍ନ କରିବାକୁ ‘ପ୍ରତି ଥର ଦିଲ୍ଲୀ ଗଲେ ଆମେ ସୋନିଆଙ୍କୁ କାହିଁକି ଭେଟିବୁ ?’ ବୋଲି ମମତା ବିରକ୍ତିରେ କହିଥିଲେ । ଆଗକୁ ତ୍ରିପୁରା ଓ ଗେଆ ବିଧାନସଭା ନିର୍ବାଚନ ଥିବାରୁ ଟିଏମସି ଏହି ଦୁଇ ରାଜ୍ୟରେ ମଧ୍ୟ ନିଜ ରାଜନୈତିକ ବିସ୍ତାରରେ ଲାଗିଛି । ତ୍ରିପୁରା ପୌରାଂଚଳ ନିର୍ବାଚନକୁ ନେଇ ବିଜେପି-ଟିଏମସି ମୁହାଁମୁହିଁ ସ୍ଥିତିରେ ଥିବା ଦେଶବାସୀ ଜାଣନ୍ତି । ଟିଏମସି କଂଗ୍ରେସରେ ଛଦ୍ର କରି ଯେଉଁ ରାଜନୈତିକ ବିସ୍ତାରବାଦ ଚଳାଇଛି ସେଥିରେ ପୂର୍ବରୁ ଦେଶର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ, ସିଲଚରର ପୂର୍ବତନ ସାଂସଦ ତଥା ଦିବଂଗତ କଂଗ୍ରେସ ନେତା ସନ୍ତୋଷ ମୋହନ ଦେବଙ୍କ କନ୍ୟା ସୁସ୍ମିତା ଦେବ ଶିକାର ହୋଇ ସାରିଛନ୍ତି । ଦୁହେଁ କଂଗ୍ରେସ ଛାଡି ଟିଏମସିରେ । ୟୁପିରେ ମଧ୍ୟ ୨୦୨୨ ବିଧାନସଭା ନିର୍ବାଚନରେ ଶାସକ ବିଜେପକୁ ପରାଜିତ କରିବା ପାଇଁ ବିରୋଧୀଙ୍କୁ ସହାୟତା କରିବାକୁ ପ୍ରସ୍ତୁତ ବୋଲି ମମତା ବାନାର୍ଜୀ କହି ସାରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀ ଯିବେ ଏବଂ ଡ଼ିସେମ୍ବର ୧ରେ ମୁମ୍ବାଇ ଗସ୍ତରେ ଯାଇ ଏନସିପି ମୁଖ୍ୟ ଶରଦ ପାୱାର ଓ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ଟିଏମସି ମେଘାଳୟରେ ଆନୁଷ୍ଠାନିକ ଭାବେ ୨୦୧୨ରେ ପାଦ ଥାପି ଥିଲା । ରାଜ୍ୟର ୬୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଟିଏମସି ଅନ୍ୟୁନ ୩୫ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବ । ଏଥିସକାଶ ଟିଏମସି ରଣନୀତିକାର ପ୍ରଶାନ୍ତ କିଶୋର ତାଙ୍କ ଟିମ୍ ସହ ସିଲଂରେ ଡ଼େରା ପକାଇଛନ୍ତି । କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେଇଥିବା ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଂଗାମା ଆଜି ସିଲଂଠାରେ ଗଣମାଧ୍ୟମକୁ କହିଛନ୍ତି ଯେ, ଦେଶରେ ତଥା ମେଘାଳୟରେ କଂଗ୍ରେସ ଏକ ଫଳପ୍ରଦ ବିରୋଧୀ ଦଳର ଭୂମିକା ନିଭାଇବାରେ ବିଫଳ ହୋଇଥିବାରୁ ୧୧ କଂଗ୍ରେସ ବିଧାୟକଙ୍କ ସହ ସେ ଦଳତ୍ୟାଗ କରିଛନ୍ତି । ଦେଶର ଜନତା ବିଜେପି ସହ ଲଢିବା ଭଳି ଏକ ଦୃଢ ବିପକ୍ଷ ଦଳ ଚାହୁଁଥିବା ବେଳେ କଂଗ୍ରେସ ନେତୃତ୍ୱ ତାହା ଦେବାରେ ବିଫଳ ହୋଇଛନ୍ତି । ତେଣୁ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ସହ ମୁକାବିଲା କଲା ଭଳି ଏକ ସୁଦୃଢ ବିପକ୍ଷ ଗଠନ ଉଦେ୍ଦଶ୍ୟରେ ସେମାନେ ଟିଏମସିରେ ଯୋଗ ଦେଇଛନ୍ତି । ମୁକୁଲ ସାଂଗାମା ଓ ଦଳର ୧୧ ବିଧାୟକ କିଛି ମାସ ହେଲା ଟିଏମସିର ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଯୋଗଯୋଗରେ ଥିଲେ । ସେମାନଙ୍କ ମଧ୍ୟରେ ଦୀର୍ଘ ଆଲୋଚନା ପରେ ଗତକାଲିର ଦଳତ୍ୟାଗ ଓ ଟିଏମସିରେ ଯୋଗଦାନ ଭଳି ରାଜନୈତିକ ଘଟଣା ଘଟିଛି । ମୁକୁଲ ଓ ୧୧ କଂଗ୍ରେସ ବିଧାୟକ କାଲି ରାତିରେ ଦଳ ଛାଡିବା ପରେ ମେଘାଳୟ ବିଧାନସଭାରେ କଂଗ୍ରେସ ବିଧାୟକ ସଂଖ୍ୟା ୫କୁ ଖସି ଥିବା ବେଳେ ଟିଏମସି ମୁଖ୍ୟ ବିରୋଧୀ ଦଳ ସ୍ଥିତିରେ ପହଂଚିଛି । ରାଜ୍ୟରେ କ୍ଷମତାରେ ଥିବା ଦଳ ‘ନ୍ୟାସନାଲ ପିପୁଲ୍ସ ପାର୍ଟି’ର ବିଧାୟକ ସଂଖ୍ୟା ୨୩ ଥିବା ବେଳେ ତାହାର ସହଯୋଗୀ ଥିବା ବିଜେପିର ମାତ୍ର ୨ ଜଣ ବିଧାୟକ ଅଛନ୍ତି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS