ହିଂସା ରାଜନୀତି ପୌର ଓ ପଂଚାୟତ ନିର୍ବାଚନକୁ ଗିଳି ଦେବ ?
ପ୍ରସାଦ ରାଓ
ଭୁବନେଶ୍ୱର
ନଭେମ୍ବର ୨୬
ଏକଦା ଓଡ଼ିଶା ଦେଶରେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ପରିିତ ଥିଲା ଓ ପ୍ରଶଂସିତ ହେଉଥିଲା । କିନ୍ତୁ, ଆଜି ରାଜ୍ୟ ହିଂସା ରାଜନୀତିରେ ୟୁପି, ବିହାର, ଆସାମ, ପଶ୍ଚିମ ବଂଗ, ତ୍ରିପୁରା ଭଳି ରାଜ୍ୟଙ୍କୁ ଅନୁସରଣ କରୁଥିବା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କୋଭିଡ଼ ପରିସ୍ଥିତି ସୁଧୁରିବା ପରେ ବିଭିନ୍ନ ପ୍ରକାର ଅର୍ଥନୈତିକ ଚାପରେ ଥିବ ରାଜ୍ୟବାସୀ ସେଥିରୁ ମୁକ୍ତି ପାଇବା ସକାଶେ ସଂଘର୍ଷ କରୁଥିବା ବେଳେ ରାଜନୈତିକ ଦଳ ଓ ନେତାମାନେ ବାସ୍ତବ ଜନସମସ୍ୟା ଠାରୁ ଦୂରେଇ ଯାଇ ପ୍ରତିପତ୍ତି ଜାହିର ସକାଶେ ହିଂସାକୁ ଆଶ୍ରା କରିଥିବା ଗଲା ଏକ ମାସ ହେଲା ଦେଖିବାକୁ ମିଳୁଛି । ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳ (ବିଜେଡ଼ି) ଏଥିରୁ ବାଦ୍ ପଡି ନାହିଁ । କଂଟାକୁ କଂଟାରେ କାଢିବା ନ୍ୟାୟରେ ଏବେ ଶାସକ ଓ ବିରୋଧୀ ହିଂସା ରାଜନୀତିକୁ ପ୍ରଶ୍ରୟ ଦେବା ଦ୍ୱାରା ଓଡ଼ିଶା ଅଶାନ୍ତ ହୋଇଛି । ଆଗାମୀ ପୌର ଓ ପଂଚାୟତ ନିର୍ବାଚନରେ ରାଜନୈତିକ ହିଂସା କେତେଦୂର ମାରାତ୍ମକ ହେବ ତାହା ଆଜିଠାରୁ ଅନୁମାନ କରି ହେଉଛି ।
ରାଜ୍ୟରେ ୨୦ ବର୍ଷରୁ ଅଧିକ ସମୟ ହେଲା ଲଗାତର କ୍ଷମତାରେ ରହି ଆସି ଥିବା ବିଜୁ ଜନତା ଦଳ (ବିଜେଡ଼ି) ଅହଂକାରୀ ହେବା ସ୍ୱାଭାବିକ ଘଟଣା । ଶାସକ ଦଳ ବିରୋଧୀଙ୍କୁ ଆଡ ଆଖିରେ ଅନାଉ ନଥିବା ବିରୋଧୀଙ୍କ ପାଇଁ ଅପମାନସୂଚକ ହୋଇଛି । ରାଜ୍ୟରେ କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳର ଭୂମିକାରେ ପହଂଚି ସାରିଥିବା ବିଜେପି ଏବେ ଶାସନ କ୍ଷମତା ହାତେଇବା ଆଶାରେ ଆକ୍ରମଣାତ୍ମକ ରାଜନୀତିର ଆଶ୍ରୟ ନେଇ ଥିବାରୁ ଶାସକ ଦଳ ସହ ସଂପର୍କ ଅଧିକ ତୀକ୍ତ ହୋଇଛି । ଅନ୍ୟ ସମୟରେ ଦୁଇ ଦଳର ସଂପର୍କକୁ ନେଇ ଭ୍ରମ ସୃଷ୍ଟି ହୋଇଥାଏ । କିନ୍ତୁ, ନିର୍ବାଚନ ସମୟ ଆସିଲେ ପରସ୍ପର ପରସ୍ପରକୁ ଆକ୍ରମଣ କରି ଶତୃଭାବ ଉଜାଗର କରିଥା’ନ୍ତି । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ସାମ୍ନାରେ ବହୁ ପ୍ରସଙ୍ଗ ରହିଛି । ତେବେ, ବିଭିନ୍ନ ମୌଳିକ ପ୍ରସଙ୍ଗକୁ ଛାଡି ବିରୋଧୀ ଏବେ ଗୋଟିଏ, ଦୁଇଟି ଅପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରିବା ଓ ହିଂସା ରାଜନୀତିର ଆଶ୍ରୟ ନେବା ଶାସକ ବିଜେଡ଼ିର ହଜମ ହେଉ ନାହିଁ । ଫଳରେ, ବିଜେଡ଼ି ମଧ୍ୟ ବିରୋଧୀଙ୍କ ଭଳି ହିଂସା ରାଜନୀତିର ଆଶ୍ରୟ ନେଇ ରାଜ୍ୟର ରାଜନୈତିକ ବାତାବରଣକୁ ଅଶାନ୍ତ କରୁଥିବା ହିଁ ଚିନ୍ତାର କାରଣ ହୋଇଛି ।
ଏଠାରେ ଉଦାହରଣ ଭାବେ ନିଆ ଯାଇପାରେ, କଳାହାଣ୍ଡିର ମମିତା ମେହେର ହତ୍ୟାକାଣ୍ଡ ଓ ମାହାଙ୍ଗା ଡ଼ବଲ ମର୍ଡର ପ୍ରସଙ୍ଗକୁ । ବିଜେପି ଏହି ଦୁଇ ପ୍ରସଙ୍ଗକୁ ଆୟୁଧ କରି ମାସକରୁ ଅଧିକ ହେଲା ରାଜ୍ୟରେ ରାଜନୈତିକ ବାତାବରଣକୁ ଅଶାନ୍ତ କରି ରଖିଛି । କଂଗ୍ରେସ ମଧ୍ୟ ସେଥିରେ ତାଳ ଦେଇ ଚାଲିଛି । ତାହାର ମୁକାବିଲା ପାଇଁ ଶାସକ ବିଜେଡ଼ି ପେଟ୍ରୋଲ, ଡ଼ିଜେଲ, ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟ ଓ ରନ୍ଧନ ଗ୍ୟାସ୍ ର ଆକାଶଛୁଆଁ ମୂଲ୍ୟବୃଦ୍ଧିକୁ ପ୍ରସଙ୍ଗ କରିଛି । କେନ୍ଦ୍ର ସରକାର ଇତିମଧ୍ୟରେ ପେଟ୍ରୋଲ, ଡ଼ିଜେଲ ଉପରୁ ଉତ୍ପାଦ ଶୁଳ୍କ ସାମାନ୍ୟ ହ୍ରାସ କରି ବିରୋଧୀଙ୍କ ମୁହଁରେ ସାମୟିକ ଲଗାମ ଦେଇଥିବା ବେଳେ ରାଜ୍ୟ ସରକାରମାନେ ମଧ୍ୟ ଏହି ଦୁଇ ସାମଗ୍ରୀ ଉପରୁ ସମୁଦ୍ରକୁ ଶଙ୍ଖେ ଭଳି ଭାଟ୍ ହ୍ରାସ କରି ସାଧାରଣ ଜନତା ପ୍ରତି ଦରଦ ଦେଖାଇଛନ୍ତି । ତେବେ, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ରନ୍ଧନ ଗ୍ୟାସ୍ ର ଲଗାତର ମୂଲ୍ୟବୃଦ୍ଧି ଆଜି ସୁଦ୍ଧା ମୁଖ୍ୟ ପ୍ରସଙ୍ଗ ରହିଛି । ଏହି ମୂଲ୍ୟବୃଦ୍ଧି ସହ ରାଜ୍ୟ ଅପେକ୍ଷା କେନ୍ଦ୍ର ସରକାରଙ୍କ ସଂପୃକ୍ତି ଅଧିକ ଥିବାରୁ ବିଜେଡ଼ି ରାଜ୍ୟରେ ବିଜେପିକୁ ଘେରିବାକୁ ଏହାକୁ ମାଧ୍ୟମ କରିଛି ।
ଏବେ ଆସିବା ହିଂସା ରାଜନୀତିକୁ । ଗଲା ଅକ୍ଟୋବର ୮ ତାରିଖରେ କଳାହାଣ୍ଡି ଜିଲ୍ଲାର ମହାଲିଙ୍ଗରେ ଘଟିଛି ଏକ ନୃଶଂସ ଘଟଣା । ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲର ୨୩ ବର୍ଷ ବୟସ୍କା ଅଧ୍ୟକ୍ଷା ମମିତା ମେହେରଙ୍କୁ ହତ୍ୟା କରି ଥିବା ଅଭିଯୋଗରେ ସେହି ସ୍କୁଲର ସଭାପତି ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡି ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ଅନୈତିକ କାର୍ଯ୍ୟକଳାପ ପଦାରେ ପଡିବା ଭୟରେ ଗୋବିନ୍ଦ ଏହି ହତ୍ୟାକାଣ୍ଡ ଘଟାଇ ଥିବା କୁହାଯାଉଥିବା ବେଳେ ଗୋବିନ୍ଦଙ୍କ ସହ ଘନିଷ୍ଟ ସଂପର୍କ ଥିବା କୁହାଯାଉଥିବା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଦାବିରେ ରାଜ୍ୟ ବିଜେପି ଓ କଂଗ୍ରେସ ପକ୍ଷରୁ ମାସେ ହେଲା ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଚାଲୁ ରହିଛି । ପୁଲିସ ତଦନ୍ତର ନିରପେକ୍ଷତାକୁ ନେଇ ବିରୋଧୀ ସନ୍ଦେହ ପ୍ରକାଶ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି । ଅପରପକ୍ଷରେ, ରାଜ୍ୟ ସରକାରଙ୍କ ପାଇଁ ଏହି ସମ୍ମାନର ପ୍ରଶ୍ନ ହୋଇଛି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ମିଶ୍ରଙ୍କ ବରଖାସ୍ତ ହେଉ ନାହିଁ ବା ମାମଲାର ସିବିଆଇ ତଦନ୍ତ ପାଇଁ ସରକାର ସୁପାରିଶ କରୁ ନାହାନ୍ତି । ଫଳରେ, ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଉତ୍ତରାଂଚଳ ରେଂଜ୍ ପୁଲିସ ଡ଼ିଆଇଜି ମମିତା ହତ୍ୟା ମାମଲାର ତଦନ୍ତ କରୁଥିଲେ ମଧ୍ୟ ତାଙ୍କ ତଦନ୍ତ ଅଧିକାରକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇ ମାମଲାରର ତଦନ୍ତକୁ ଅଧିକ ସନ୍ଦିଗ୍ଧ କରିଛନ୍ତି ।
ରାଜ୍ୟ ସରକାରଙ୍କ ନମନିୟତାର ଅଭାବ ବିରୋଧୀଙ୍କୁ କ୍ଷୁବ୍ଧ କରିଛି । ରାଜ୍ୟରେ ବିଜେପି ଓ କଂଗ୍ରେସ ପକ୍ଷରୁ ମାସାଧିକ ସମୟ ହେଲା ଭିନ୍ନ ଭିନ୍ନ ଭାବେ ପ୍ରତିବାଦ ସଭା, ଶୋଭାଯାତ୍ରା, କୁଶପୁତ୍ତଳିକା ଦାହ, ମନ୍ତ୍ରୀମାନଙ୍କ ଗାଡ଼ି ଉପରେ ଅଣ୍ଡାମାଡ଼, ଘେରାଉ ଭଳି କାର୍ଯ୍ୟକ୍ରମ ଚାଲିଛି । ଏପରିକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ସୌନ୍ଧର୍ଯୀକରଣ କାର୍ଯ୍ୟର ଶୁଭାରମ୍ଭ କରିବା ସାକୋ ବୁଧବାର ପୁରୀ ଯାଇଥିବା ଅବସରରେ ତାଙ୍କ କାରକେଡ୍ ଉପରେ ବିଜେପି ଓ କଂଗ୍ରେସ ସମର୍ଥକମାନେ ଅଣ୍ଡାମାଡ଼ କରିବା ଘଟଣା ଚର୍ଚ୍ଚାରେ ରହିଛି । ଗୁରୁବାର ସନ୍ଧ୍ୟାରେ ତାହାର ପ୍ରଭାବ ଦେଖିବାକୁ ମିଳିଛି ଖୋଦ ରାଜଧାନୀରେ । ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ (ବିଜେପି) ରାଜଧାନୀରେ ବରିଷ୍ଠ ନାଗରିକଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ତାଙ୍କ ଗାଡ଼ି ଉପରେ ବିଜେଡ଼ି ସମର୍ଥକ ଅଣ୍ଡାମାଡ଼ କରିବାରୁ ଉଭୟ ବିଜେପି ଓ ବିଜେଡ଼ି ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହେବା ଏବଂ ବିଜେଡ଼ି ସମର୍ଥକମାନେ ସାଂସଦଙ୍କୁ ଦୀର୍ଘ ସମୟ ଅଟକ ରଖିବା ପରେ ପୁଲିସ ତାଙ୍କୁ ଉଦ୍ଧାର କରିବା ରାଜ୍ୟର ଏକ ପ୍ରମୁଖ ଖବର ହୋଇଛି ।
କଳାହାଣ୍ଡି ମମିତା ମେହେର ହତ୍ୟାକାଣ୍ଡ ମାମଲାର ପୁଲିସ ତଦନ୍ତ ଏପର୍ଯ୍ୟନ୍ତ ସରି ନାହିଁ । କିନ୍ତୁ, ମାହାଙ୍ଗା ଡ଼ବଲ ମର୍ଡର ଘଟଣାରେ ପୁଲିସ ତଦନ୍ତ ସରି ଅଦାଲତରେ ଚାର୍ଜସିଟ୍ ଦାଖଲ ପରେ ଅଦାଲତ ତାହା ଫେରାଇ ଦେଇ ପୁନଃ ତଦନ୍ତ ଆଦେଶ ଦେବା ବିରୋଧୀଙ୍କ ପାଇଁ ବଡ଼ ଆୟୂଧ ହୋଇଛି । ମୃତ ବିଜେପି ନେତାଙ୍କ ପରିବାର ହତ୍ୟା ଘଟଣାରେ ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ଅଭିଯୋଗ କରି ମାହାଙ୍ଗା ଥାନାରେ ଏତଲା ଦେଇ ଥିଲେ । ମାହାଙ୍ଗା ଥାନା ପୁଲିସ ଏହାର ତଦନ୍ତ କରି ଅଦାଲତରେ ଯେଉଁ ଚାର୍ଜସିଟ୍ ଦାଖଲ କରିଥିଲେ ସେଥିରେ ମନ୍ତ୍ରୀ ଜେନାଙ୍କ ନାମ ନଥିଲା । ବିରୋଧୀ ଏହାକୁ ନେଇ ତୁମ୍ବିତୋଫାନ କରିବା ପରେ କୋର୍ଟ ମଧ୍ୟ ମାମଲାର ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ମନ୍ତ୍ରୀ ଜେନାଙ୍କ ନାମ ଚାର୍ଜସିଟ୍ ରୁ ବାଦ୍ ପଡି ଥିବାରୁ ପୁଲିସ ମାମଲାର ପୁନଃ ତଦନ୍ତ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି ।
ଡ଼ବଲ ମର୍ଡ଼ରର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମନ୍ତ୍ରୀଙ୍କ ନିଜ ଲୋକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ମଧ୍ୟ ମାମଲାକୁ ଗୋଳିଆ କରିଛି । ବିରୋଧୀ ଡ଼ବଲ ମର୍ଡରରେ ମନ୍ତ୍ରୀ ଜେନାଙ୍କ ହାତ ଥିବା ଏବଂ ସେ ପୁଲିସରେ ହୋଇଥିବା ଏତଲାରେ ଅଭିଯୁକ୍ତ ଥିବା ଦର୍ଶାଇ ଆଇନ ମନ୍ତ୍ରୀଙ୍କ ବରଖାସ୍ତ ଦାବି କରୁଥିବା ବେଳେ ମମିତା ଘଟଣା ଘଟିଛି । ଏବେ, କେବଳ ରା୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ମିଶ୍ର ଓ ଆଇନ ମନ୍ତ୍ରୀ ଜେନା ନୁହନ୍ତି, ଅନ୍ୟ କିଛି ମାମଲାରେ ମଧ୍ୟ ଅନ୍ୟ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ କରଇ ସେମାନଙ୍କ ବରଖାସ୍ତ ଦାବି ବିଜେଡ଼ିକୁ ଅଡୁଆରେ ପକାଇଛି । ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ମନ୍ତ୍ରୀମାନଙ୍କ ବରଖାସ୍ତ ଦାବି ରାଜ୍ୟ ରାଜନୀତିକୁ ଗରମ ରଖି ଥିବା ବେଳେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରବତା ଏବଂ ତାଙ୍କ ଅଧସ୍ତନ ନେତାମାନେ ବିରୋଧୀଙ୍କୁ ଜବାବ ଦେବା ବିରୋଧୀ ଅପମାନସୂଚକ ମନେ କରୁଛନ୍ତି । ସରକାର ମଧ୍ୟ ବିରୋଧୀଙ୍କ ନିକଟରେ ମୁଣ୍ଡ ନୁଆଁଇବା ଅପମାନସୂଚକ ଭାବି ନିଜ ଅକଡରେ ଅଟଳ ଥିବାରୁ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇ ରାଜ୍ୟରେ ରାଜନୈତିକ ହିଂସାର ବାତବରଣ ସୃଷ୍ଟି ହୋଇଛି ।
୨୦୨୨ ପ୍ରାରମ୍ଭରେ ରାଜ୍ୟରେ ପଂଚାୟତ, ପୌରାଂଚଳ ଓ ମହାନଗର ନିଗମ ନିର୍ବାଚନ ହେବାକୁ ରହିଛି । ଏଥିସକାଶେ ସରକାରର ପ୍ରସ୍ତୁତି ଚାଲିଛିି । ୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାରେ କିଛିଟା ଭଲ ଫଳାଫଳ କରିବା ସହ ୨୦୧୯ ସାଧାରଣ ନିର୍ବାଚନରେ ତାହାର କିଂଚିତ ପ୍ରଭାବ ଦେଖିବାକୁ ପାଇଥିଲା । ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ୨୦୨୨ ପଂଚାୟତ ଓ ପୌର ନିର୍ବାଚନ ଫଳାଫଳ ବିଜେପି ପାଇଁ ବେଶ୍ ଗୁରୁତ୍ୱ ରଖୁଛି । ଦଳ ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଗ୍ରାମାଂଚଳ ଓ ସହରାଂଚଳ ନିର୍ବାଚନରେ ନିଜ ଛାପ ଛାଡିବାକୁ ଅଂଟା ଭିଡ଼ିଥିବା ବେଳେ ରାଜ୍ୟର କଂଗ୍ରେସ ନେତୃତ୍ୱ ମଧ୍ୟ ନିଜର ଅସ୍ତତ୍ୱ ବଂଚାଇବା ଲଢେଇରେ ଅଛନ୍ତି । ବିଜେପି ଓ କଂଗ୍ରେସର ଆକ୍ରମଣାତ୍ମକ ରାଜନୀତି ଶାସକ ବିଜେଡ଼ିକୁ ପାଲଟା ଆକ୍ରମଣ ପାଇଁ ପ୍ରେରିତ କରୁଥିବା ଦେଖିବାକୁ ମିଳୁଛି ।
ତିନି ରାଜନୈତିକ ଦଳ ମହିଳା ଭୋଟରଙ୍କୁ ଗୁରୁତ୍ୱ ଦେଇ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିବାରୁ ମମିତା ମେହେର ହତ୍ୟାକାଣ୍ଡ ବିରୋଧୀଙ୍କ ବଡ଼ ଆୟୂଧ ହୋଇଛି । ବିଜେପିକୁ ମାତ୍ ଦେବା ସକାଶେ ବିଜେଡ଼ି ରନ୍ଧନ ଗ୍ୟାସ୍ ମୂଲ୍ୟବୃଦ୍ଧିକୁ ପ୍ରସଙ୍ଗ କରି ମୂଲ୍ୟ ହ୍ରାସ ନ ହେବା ଯାଏଁ ଆନ୍ଦୋଳନ ଚାଲୁ ରଖିବାକୁ ଚେତାବନୀ ଦେଇଛି । ନଭେମ୍ବର ୩୦ ସୁଦ୍ଧା କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ର ମୂଲ୍ୟ କମାଇବାକୁ ବିଜେଡ଼ି କଂଟ ରଖିଛି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ମାଧ୍ୟମରେ ବିଜେଡ଼ି ଓଡ଼ିଶାରେ ବିଜେପିକୁ ଟାର୍ଗେଟ୍ କରିଥିବା ଏଥିରୁ ସ୍ପଷ୍ଟ । ଇତିମଧ୍ୟରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ରାଜନୈତିକ ଆକ୍ରମଣ କରିବା ଏବଂ ବିଜେଡ଼ି ପକ୍ଷରୁ ଦଳର ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ କଡ଼ା ଭାଷାରେ ତାହାର ରଖିବା ଦୁଇ ଦଳ ମଧ୍ୟରେ ସଂପର୍କ କେତେ ତୀକ୍ତ ହେଲାଣି ତାହା ପ୍ରତିଫଳିତ କରୁଛି । ପଂଚାୟତ ଓ ପୌର ନିର୍ବାଚନ ସରିବା ଯାଏଁ ଏହା ଚାଲିବ । ତେଣୁ, ଆଗାମୀ ଦିନରେ ରାଜ୍ୟ ରାଜନୀତି କେତେ ହିଂସାତ୍ମକ ହେବ, ତାହା ଆଜିଠାରୁ ଅନୁମାନ କରି ହେବ । ଉଭୟ ବିରୋଧୀ ଓ ଶାସକ ଦଳ ହିଂସା ରାଜନୀତିକୁ ପ୍ରୋତ୍ସାହନ ଦେଉ ଥିବାରୁ ଆଗାମୀ ପୌର ଓ ପଂଚାୟତ ନିର୍ବାଚନକୁ ହିଂସା ଗିଳି ଦେବା କିଛି ଅସମ୍ଭବ ନୁହେଁ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଉଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS