ତିନି କୃଷି ଆଇନ ପ୍ରତ୍ୟାହାର ବିଲ୍ ସୋମବାର, ‘ଦିଲ୍ଲୀ ଚଲୋ’ ଅଭିଯାନ ସ୍ଥଗିତ ରଖିଲା ଏସକେଏମ୍
ପ୍ରସାଦ ରାଓ
ନଭେମ୍ବର ୨୭
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଭେମ୍ବର ୧୯ ତାରିଖ ଘୋଷଣା ଅନୁଯାୟୀ କେନ୍ଦ୍ର ସରକାର ଗତ ବର୍ଷ ସେପ୍ଟେମ୍ବର ମାସରେ ଆଇନରେ ପରିଣତ କରିଥିବା ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ସୋମବାର (ନଭେମ୍ବର ୨୯ ତାରିଖ) ସଂସଦରେ ଏକ ବିଲ୍ ଉପସ୍ଥାପନ କରୁଥିବା ଜଣାପଡିଛି । ଏହି ବିଲ୍ ଲୋକସଭାରେ ପାରିତ କରାଇବା ସକାଶେ ବିଜେପି ନିଜ ଦଳର ସାଂସଦମାନଙ୍କ ଉପରେ ହ୍ୱିପ୍ ଜାରି କରି ସମସ୍ତ ସାଂସଦ ସୋମବାର ଲୋକସଭାରେ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛି । ସରକାର ଚଳିତ ସଂସଦ ଅଧିବେଶନରେ ତିନି କୃଷି ଆଇନ ପ୍ରତ୍ୟାହାରର ସାଂବିଧାନିକ ପ୍ରକ୍ରିୟା ଶେଷ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏମଏସପି (କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ)କୁ ଆଇନଗତ ମାନ୍ୟତା ଓ ଅନ୍ୟାନ୍ୟ ଦାବିକୁ ନେଇ ସରକାରଙ୍କ ଉପରେ ଚାପ ଅବ୍ୟାହତ ରଖିବାକୁ ଚାଷୀ ଆନ୍ଦୋଳନର ନୀତି ନିର୍ଦ୍ଧାରକ ଥିବା ସଂଯୁକ୍ତ କିଶାନ ମୋର୍ଚ୍ଚା ଆନ୍ଦୋଳନ ପ୍ରତ୍ୟାହର ସପକ୍ଷରେ ନାହିଁ । ସରକାର ଏମଏସପି ସମେତ ଅନ୍ୟ ସବୁ ଦାବି ମାନି ନେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଯୁକ୍ତ କିଶାନ ମୋର୍ଚ୍ଚା ନେତା ରାକେଶ ଟିକାୟତ ନିକଟରେ ଘୋଷଣା କରିବା ସହ ସୋମବାର ଦିନ ସଂସଦ ଅଭିମୁଖେ ଯାତ୍ରା ବା ‘ସଂସଦ ଚଲୋ’ ଆହ୍ୱାନ ଦେଇଥିଲେ । କିନ୍ତୁ, କେନ୍ଦ୍ର କୃଷି ମନ୍ତ୍ରୀଙ୍କ ନିବେଦନ ପର ସୋମବାର ‘ଦିଲ୍ଲୀ ଚଲୋ’ ଅଭିଯାନକୁ ଏସକେଏମ୍ ବୈଠକରେ ଆଜି ସ୍ଥଗିତ ରଖାଯାଇଛି । ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦେଶର ୪୦ଟି ଚାଷୀ ସଂଗଠନ ପକ୍ଷରୁ ଦିଲ୍ଲୀର ବିଭିନ୍ନ ସୀମାନ୍ତରେ ଗତ ବର୍ଷ ନଭେମ୍ବର ୨୬ରୁ ଆନ୍ଦୋଳନ ଚାଲିଛି । ପଂଜାବ, ହରିୟାଣା, ରାଜସ୍ଥାନ, ୟୁପି, ମଧ୍ୟ ପ୍ରଦେଶର ହଜାର ହଜାର ସଂଖ୍ୟାରେ ଚାଷୀ ବର୍ଷେ ହେଲା ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନ ଜାରି ରଖିଛନ୍ତି । ଇତିମଧ୍ୟରେ ୭୦୦ରୁ ଅଧିକ ଚାଷୀଙ୍କ ବିଭିନ୍ନ କାରଣରୁ ଦେହାନ୍ତ ହେଲାଣି । ଚାଷୀଙ୍କ ଆନ୍ଦୋଳନ ସ୍ଥଳରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା ମଧ୍ୟ ହୋଇଛି । ଏଭଳି ସ୍ଥଳେ, ଚାଷୀ ଆନ୍ଦୋଳନର ବର୍ଷ ପୂର୍ତ୍ତୀ ଅବସରରେ ଗତକାଲି ସିଂଘୁ, ଟିକିରି ଓ ଅନ୍ୟାନ୍ୟ ସୀମାନ୍ତରେ ଲକ୍ଷାଧିକ ସଂଖ୍ୟାରେ ଚାଷୀ ଏକାଠି ହୋଇ ବର୍ଷ ପୂର୍ତ୍ତୀ ଉତ୍ସବ ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ତିନି କୃଷି ଆଇନ ପ୍ରତ୍ୟାହର ପ୍ରକ୍ରିୟା ଆରମ୍ଭ ହୋଇ ଥିବାରୁ ଚାଷୀଙ୍କ ମଧ୍ୟରେ ଆନନ୍ଦର ମାହୋଲ ରହିଛି । ତିନି କୃଷି ଆଇନ ପ୍ରତ୍ୟାହାର କରି ନେବାକୁ ସରକାରଙ୍କ ନିଷ୍ପତ୍ତିକୁ ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ୍ ର ଅନୁମୋଦନ ମଧ୍ୟ ମିଳି ସାରିଛି । ସୋମବାର ସଂସଦର ଶୀତକାଳୀନ ଅଧିବେଶନର ପ୍ରାରମ୍ଭ ଦିବସରେ ବିଧିବଦ୍ଧ ଭାବେ ସରକାର କୃଷି ଆଇନ ପ୍ରତ୍ୟାହାର ସଂପର୍କିତ ବିଲ୍ ଆଗତ କରି ସାମ୍ବିଧାନିକ ପ୍ରକ୍ରିୟା ଶେଷ କରିବାକୁ କହିଛନ୍ତି । ସରକାର କୃଷି ଆଇନ ପ୍ରତ୍ୟାହାର କରୁଥିବାରୁ ଚାଷୀମାନେ ଆନ୍ଦୋଳନରୁ ଓହରି ନିଜ ନିଜ ଘରକୁ ଫେରି ଯିବାକୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ମଧ୍ୟ ଆଜି ଚାଷୀଙ୍କୁ ଆହ୍ୱାନ ଦେଇଛନ୍ତି । ତେଣୁ, ଚାଷୀ ସଂଗଠନ ସାମାନ୍ୟ ନରମି ଥିବାର ଅଭାସ ମିଳୁଛି । ଚାଷୀ ଆନ୍ଦୋଳନର ନୀତି ନିର୍ଦ୍ଧାରଣ କରୁଥିବା ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ୍) ମଧ୍ୟ ସୋମବାରର ‘ଦିଲ୍ଲୀ ଚଲୋ’ ଅଭିଯାନକୁ ସ୍ଥଗିତ ରଖି ସରକାରଙ୍କ ପ୍ରତି ଅନୁକୂଳ ମନୋଭାବର ସଂକେତ ଦେଇଛି । ଏସକେଏମ୍ ବୈଠକରେ ଆଜି ଏହି ନିଷ୍ପତ୍ତି ହୋଇଛି । ପୂର୍ବରୁ, ଏସକେଏମ୍ ନେତା ରାକେଶ ଟିକାୟତ ଘୋଷଣା କରିଥିଲେ, ତିନି କୃଷି ଆଇନ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର ନହେବା ଓ ଏମଏସପି ସମେତ ଅନ୍ୟାନ୍ୟ ଦାବିକୁ ସରକାର ଗ୍ରହଣ ନ କରିବା ଯାଏଁ ଚାଷୀ ଆନ୍ଦୋଳନ ଜାରି ରହିବ । ସୋମବାର ଦିନ ପାର୍ଲାମେଂଟ ଅଧିବେଶନର ପ୍ରାରମ୍ଭ ଦିବସରେ ୬୦ ଟ୍ରାକ୍ଟର ଓ ହଜାରରୁ ଅଧିକ ଚାଷୀ ସଂସଦ ଅଭିମୁଖେ ଯାତ୍ରା କରିବେ । ସମସ୍ତ ଚାଷୀ ସଂଗଠନ ଏକାଠି ଅଛନ୍ତି ବୋଲି ଶକ୍ତି ଦେଖାଇବାକୁ ଟିକାୟତ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ତେବେ, କୃଷି ମନ୍ତ୍ରୀ ତୋମରଙ୍କ ପ୍ରତିଶ୍ରୁତି ଏସକେଏମ୍ କୁ ସୋମବାରର ଶକ୍ତି ପ୍ରଦର୍ଶନରୁ ବିରତ କରିଛି ବୋଲି ଅନୁମାନ କରି ହେବ । ଆଜି ତୋମର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ତାରିଖ ‘ଗୁରୁ ପରବ’ ଅବସରରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଚାଷୀ ସଂଗଠନଙ୍କ ଏମଏସପି ଦାବି ସମେତ ଅନ୍ୟାନ୍ୟ ଦାବି ଉପରେ ବିଚାର କରିବାକୁ ସରକାର ଏକ କମିଟି ଗଠନ କରିବେ । କମିଟି କୃଷି କ୍ଷେତ୍ରରେ ଥିବା ବିବିଧତା, ଜିରୋ ବଜେଟ୍ ଫାର୍ମିଂ ଏବଂ ଏମଏସପିକୁ ଅଧିକ ପାରଦର୍ଶୀ ଓ ଫଳପ୍ରଦ କରିବା ଉପରେ ଆଲୋଚନା କରି ସରକାରଙ୍କ ନିକଟରେ ପ୍ରସ୍ତାବ ରଖିବ । ସରକାରଙ୍କ ଦ୍ୱାରା ଗଠନ ହେବାକୁ ଥିବା ଏହି କମିଟିରେ ବିଭିନ୍ନ ଚାଷୀ ସଂଗଠନ ପ୍ରତିନିଧିଙ୍କୁ ରଖାଯିବ । ପୂର୍ବରୁ କମିଟି ଗଠନ ପ୍ରସ୍ତାବକୁ ବିରୋଧ କରି ଏମଏସପିକୁ ଆଇନଗତ ମାନ୍ୟତା ଦେବାକୁ ସଂସଦରେ ବିଲ୍ ବା ଅଧ୍ୟାଦେଶ ଆଣିବାକୁ ଦାବି କରୁଥିବା ସଂଯୁକ୍ତ କିଶାନ ମୋର୍ଚ୍ଚା କେନ୍ଦ୍ର କୃଷି ମନ୍ତ୍ରୀ ତୋମରଙ୍କ ଆଜିର ସୂଚନା ପରେ ସୋମବାରର ପାର୍ଲାମେଂଟ୍ ଅଭିଯାନକୁ ସ୍ଥଗିତ ରଖିବା ସରକାରଙ୍କ ପ୍ରତି ଚାଷୀଙ୍କ ଅନୁକୂଳ ମନୋଭାବକୁ ପ୍ରତିଫଳିତ କରିଛି । ଏସକେଏମ୍ ର ଛଅ ଦଫା ଦବି ମଧ୍ୟରେ ଏମଏସପିକୁ ଆଇନଗତ ମାନ୍ୟତା, ଚାଷୀ ଆନ୍ଦୋଳନ ସମୟରେ ସହିଦ ହୋଇଥିବା ୭୦୦ରୁ ଅଧିକ ଚାଷୀଙ୍କୁ ସରକାର ସଂସଦରେ ଶ୍ରଦ୍ଧାଂଜଳୀ ଜଣାଇବା ସହ ସେମାନଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା, ଲକ୍ଷ୍ମୀପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ମଡାଇ ହତ୍ୟା କରିଥିବା ଅଭିଯୁକ୍ତର ପିତା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କୁ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ବରଖାସ୍ତ କରାଯିବା ପ୍ରଭୃତି ଅନ୍ୟତମ । ସରକାର ଏମଏସପି ପାଇଁ କମିଟି ଗଠନ କଲେ ମଧ୍ୟ ଚାଷୀ ଉପକୃତ ହେବେ ନାହିଁ । ଏମଏସପିକୁ ଆଇନଗତ ମାନ୍ୟତା ମିଳିଲେ ହିଁ ସେମାନଙ୍କ ଅର୍ଥନୈତିକ ବିକାଶ ହେବ ବୋଲି ଦେଶର କୃଷି ବିଶେଷଜ୍ଞମାନେ ମତ ଦେଉଥିବା ବେଳେ କମିଟି ଗଠନ କରି ସରକାର ଏହି ପ୍ରସଙ୍ଗକୁ କବର ଭିତରକୁ ଠେଲି ଦେବାକୁ ଯୋଜନାରେ ଥିବା ଚାଷୀ ମହଲରେ ମତ ପ୍ରକାଶ ପାଉଛି । ୨୦୨୨ରେ ୟୁପି, ପଂଜାବ ସମେତ ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଚାଷୀ ଅସନ୍ତୁଷ୍ଟ ରହିଲେ ବିଜେପିର କ୍ଷତି ବଢୁ ଥିବା ଅନୁଭବ କରି କେନ୍ଦ୍ର ସରକାର ଚାଷୀଙ୍କୁ ସନ୍ତୁଷ୍ଟ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ତାହାର ଶେଷ କେଉଁଠି (?)- ତାହା ଏପର୍ଯନ୍ତ ଅସ୍ପଷ୍ଟ ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS