କେନ୍ଦ୍ର ସରକାର ଆନ୍ତର୍ଜାତିକ ବିମାନ ସେବା ନିଷ୍ପତ୍ତିର ପୁନଃ ସମୀକ୍ଷା କରିବେ !
ପ୍ରସାଦ ରାଓ
ନଭେମ୍ବର ୨୭
କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଡ଼ିସେମ୍ବର ୧୫ ତାରିଖରୁ ଆନ୍ତର୍ଜାତିକ ବିମାନ ସେବାକୁ କୋଭିଡ଼ ପୂର୍ବ ସ୍ଥିତିକୁ ଫେରାଇ ଆଣି ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ କୋଭିଡ଼ର ଅଧିକ ବେଗରେ ସଂକ୍ରମିତ କରୁଥିବା ଏକ ନୂଆ ପ୍ରଜାତି ଦେଶ ପାଇଁ ଏବେ ଚିନ୍ତାର କାରଣ ହୋଇଛି । ଏହି ନୂଆ ପ୍ରଜାତି ଅଧିକ ବେଗରେ ସଂକ୍ରାମକ ହେଉଥିବା ଦୃଷ୍ଟିରୁ ଭାରତରୁ ବାହାରକୁ ଓ ବିଦେଶରୁ ଭାରତକୁ ଆସିବାକୁ ଥିବା ଆନ୍ତର୍ଜାତିକ ବିମାନ ସେବା ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତିର ପୁନଃ ସମୀକ୍ଷାର ଆବଶ୍ୟକତା ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କହିଛନ୍ତି । ବିଦେଶରୁ ଆସୁଥିବା ସମସ୍ତ ଆନ୍ତର୍ଜାତିକ ବିମାନ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବା, ଯେଉଁ ସବୁ ରାଷ୍ଟ୍ର କୋଭିଡ଼ର ନୂଆ ପ୍ରଜାତିର ବାହକ ଭାବେ ତାଲିକାଭୁକ୍ତ ହୋଇଛନ୍ତି ସେସବୁ ରାଷ୍ଟ୍ରର ବିମାନ ଯାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ବିମାନ ବନ୍ଦରରେ କୋଭିଡ ଟେଷ୍ଟ୍ କରାଯିବା ଏବଂ କୋଭିଡ଼ ପ୍ରୋଟୋକଲ କଡ଼ାକଡି ଭାବେ ପାଳନ କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଆବଶ୍ୟକ ନିର୍ଦେଶ ଦେଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦୀ ଆଜି କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ସଚିବ, ସ୍ୱାସ୍ଥ୍ୟ ସଚିବ, କୋଭିଡ଼ ଟାସ୍କଫୋର୍ସ ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ଏହି ନିର୍ଦେଶ ଦେଇଛନ୍ତି । ଡ଼ିସେମ୍ବର ୧୫ ତାରିଖରୁ ଆନ୍ତର୍ଜାତିକ ବିମାନ ସେବାକୁ କୋଭିଡ଼ ପୂର୍ବ ସ୍ଥିତିକୁ ଫେରାଇ ଆଣି ସ୍ୱାଭାବିକ କରିବାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେବାର ଦିନକ ପରେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ଦକ୍ଷିଣ ଆଫ୍ରିକା, ବୋସ୍ୱାନା, ଇସ୍ରାଏଲ୍, ହଂକଂ ପ୍ରଭୃତି ରାଷ୍ଟ୍ର ‘ଆଟ୍ ରିସ୍କ୍’ ତାଲିକାରେ ଅଛନ୍ତି । ଚଳିତ ସପ୍ତାହରେ ଦକ୍ଷିଣ ଆଫ୍ରିକାରୁ କୋଭିଡ଼ର ଏହି ନୂଆ ପ୍ରଜାତି ଚିହ୍ନଟ ହୋଇଛି । ବୋସ୍ୱାନା, ଇସ୍ରାଏଲ୍ ଓ ହଂକଂରେ ମଧ୍ୟ ଏହି ପ୍ରଜାତି ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ବି.୧.୧.୫୨୯ ନାମରେ ନାମିତ ଏହି ପ୍ରଜାତି ଅଧିକ ବେଗରେ ସଂକ୍ରମିତ ହେଉଥିବାରୁ ଏବଂ ଏହାର ସଂକ୍ରମଣ ବାୟୁ ମାଧ୍ୟମରେ ବ୍ୟାପୁ ଥିବାରୁ ବିଶ୍ୱରେ କୋଭିଡ଼ ସଂକ୍ରମଣ ପୁନର୍ବାର ବଢିବା ଆଶଙ୍କା ସୃଷ୍ଟି ହୋଇଛି । ତେଣୁ, କେନ୍ଦ୍ର ସରକାର ଆଜି ଏଭଳି ଏକ ସତର୍କତାମୂଳକ ପଦକ୍ଷେପ ନେବାକୁ ବିଚାର କରୁଥିବା ଜଣାପଡିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS