ତିିନି କୃଷି ଆଇନ ପ୍ରତ୍ୟାହାର କଲେ ସରକାର, ମୌଖିକ ଭୋଟରେ ବିଲ୍ ଗୃହୀତ
ପ୍ରସାଦ ରାଓ
ନଭେମ୍ବର ୨୯
ସଂସଦର ଉଭୟ ସଦନରେ ଆଜି ସରକାରଙ୍କ ‘ତିନି କୃଷି ଆଇନ ପ୍ରତ୍ୟାହାର ବିଲ୍,୨୦୨୧’ ଗୃହୀତ ହୋଇଯାଇଛି । କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସଂସଦର ଉଭୟ ଗୃହରେ ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ ଏକକ ବିଲ୍ ଆଗତ କରିଥିଲେ । ବିଲ୍ ଉପରେ ଆଲୋଚନା ପାଇଁ ବିରୋଧୀ ଦଳ ସାଂସଦମାନେ ଦାବି ରଖି ଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳି ନଥିଲା । ଉଭୟ ଗୃହରେ ମୌଖିକ ଭୋଟରେ ବିଲ୍ ଗୃହୀତ ହୋଇଛି । କେନ୍ଦ୍ର ସରକାର ଗତ ବର୍ଷ ସେପ୍ଟେମ୍ବର ମାସରେ ଫାର୍ମ ପ୍ରଡ୍ୟୁସ ଟ୍ରେଡ୍ ଏଣ୍ଡ କମର୍ସ (ପ୍ରମୋସନ୍ ଏଣ୍ଡ ଫେସିଲିଟେସନ୍) ଆକ୍ଟ୍, ଦି ଫାର୍ମର୍ସ (ଏମ୍ପାୱାରମେଂଟ୍ ଏଣ୍ଡ ପ୍ରେଟେକ୍ସନ୍) ଏଗ୍ରିମେଂଟ୍ ଅଫ୍ ପ୍ରାଇସ୍ ଆସ୍ୟୁରାନ୍ସ, ଫାର୍ମସ୍ ସର୍ଭିସେସ୍ ଆକ୍ଟ୍ ଓ ଏସେନ୍ସିଆଲ କମଡିଟିସ୍ (ଆମେଣ୍ଡମେଂଟ୍) ଆକ୍ଟ୍ ଆଣି ସଂସଦରେ ପାରିତ କରାଇବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ତାହା ଆଇନରେ ପରିଣତ ହୋଇଥିଲା । ଏହି ତିନି କୃଷି ଆଇନକୁ ‘କଳା ଆଇନ’ ଦର୍ଶାଇ ଦେଶର ଅନ୍ୟୁନ ୪୦ଟି ଚାଷୀ ସଂଗଠନ ଗତ ବର୍ଷ ନଭେମ୍ବର ମାସ ୨୬ରୁ ଦିଲ୍ଲୀର ବିଭିନ୍ନ ସୀମାନ୍ତରେ ଆନ୍ଦୋଳନ ଜାରି ରଖିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ଥିଲା ଏହି ତିନି କୃଷି ଆଇନକୁ ସଂପୂର୍ଣ୍ଣ ରଦ୍ଦ କରାଯିବା ଏବଂ ବିଭିନ୍ନ କୃଷିଜାତ ଦ୍ରବ୍ୟର ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଧାର୍ଯ୍ୟ ହେଉଛି ତାହାକୁ ଆଇନଗତ ମାନ୍ୟତା ଦିଆଯିବା । କେନ୍ଦ୍ର ସରକାର ଚାଷୀ ଆନ୍ଦୋଳନକୁ ଦମନ କରିବା ପାଇଁ ସବୁ ପ୍ରକାର କୌଶଳ ପ୍ରୟୋଗ କରିଥିଲେ ମଧ୍ୟ ସେଥିରେ ସଫଳ ନ ହେବାରୁ ଆନ୍ଦୋଳନର ବର୍ଷେ ନ ପୂରୁଣୁ ଗତ ୧୯ ତାରିଖ ଦିନ ତିନି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ୧୯ ତାରିଖ ସକାଳେ ଶିଖ୍ ସଂପ୍ରଦାୟର ଗୁରୁ ନାନକଦେବଙ୍କ ଜୟନ୍ତୀ ଓ ‘ପ୍ରକାଶ ପର୍ବ’କୁ ସୁଯୋଗ ଭାବେ ବ୍ୟବହାର କରି ଦେଶ ଉଦ୍ଦେଶ୍ୟରେ ଉଦବୋଧନ ଦେବା ମାଧ୍ୟମରେ ତିନି କୃଷି ଆଇନ ପ୍ରତ୍ୟାହାର କରି ନେବାକୁ ସରକାର ନିଷ୍ପତ୍ତି ନେଇଥିବା ଘୋଷଣା କରିଥିଲେ । ଗଲା ବୁଧବାର ଦିନ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଆନୁଷ୍ଠାନିକ ରୂପ ଦିଆଯାଇ ତିନି କୃଷି ବିଲ୍ ପ୍ରତ୍ୟାହାର ନିଷ୍ପତ୍ତିକୁ ଅନୁମୋଦନ ଦିଆଯାଇଥିଲା । ପ୍ରତିଶ୍ରୁତି ଅନୁଯାୟୀ କେନ୍ଦ୍ର ସରକାର ଆଜି ପାର୍ଲାମେଂଟ୍ ଶୀତକାଳୀନ ଅଧିବେଶନର ପ୍ରାରମ୍ଭ ଦିବସରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ମାଧ୍ୟମରେ ଲୋକସଭା ଓ ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଗୃହୀତ କରାଇଛନ୍ତି । ସକାଳେ କୃଷି ମନ୍ତ୍ରୀ ତୋମର ଲୋକସଭାରେ ‘ଫାର୍ମ ଲ’ସ୍ ରିପିଲ୍ ବିଲ୍, ୨୦୨୧’ ନାମରେ ଏକକ ବିଲ୍ ଆଗତ କରିବା ସମୟରେ ଗୃହରେ କଂଗ୍ରେସ ସଂସଦୀୟ ଦଳ ନେତା ଥିବା ଅଧୀର ରଂଜନ ଚୌଧୁରୀ ତାହା ଉପରେ ବିତର୍କ ପାଇଁ ଅନୁମତି ଦିଆଯିବାକୁ ଦାବି କରିଥିଲେ । କିନ୍ତୁ, ଲୋକସଭା ବାଚସ୍ପତି ଓମ୍ ବିରଳା ସେଥିପାଇଁ ଅନୁମତି ଦେଇନଥିଲେ । ଲୋକସଭାରେ ବିରୋଧୀ ଏମପିଙ୍କ ନାରାବାଜୀ ମଧ୍ୟରେ ତିନି କୃଷି ଆଇନ ପ୍ରତ୍ୟାହାର ବିଲ୍ ଆଗତ ହୋଇ ମୌଖିକ ଭୋଟ୍ ରେ ଗୃହୀତ ହୋଇଛି । କୃଷି ମନ୍ତ୍ରୀଙ୍କ ପକ୍ଷରୁ ଅପରାହ୍ନରେ ଏହି ବିଲ୍ ରାଜ୍ୟସଭାରେ ଆଗତ ହୋଇଥିଲା । ବିଲ୍ ଆଗତ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଦୁଇ ମିନିଟ କହିବାକୁ ସୁଯୋଗ ଦେଇଥିଲେ । କେନ୍ଦ୍ର ସରକାର ନିକଟରେ ଅନୁଷ୍ଠିତ ଉପ ନିର୍ବାଚନଗୁଡିକର ଫଳାଫଳକୁ ଦେଖି ୨୦୨୨ରେ ହେବାକୁ ଥିବା ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ପରାଜୟ ଭୟରେ କୃଷି ଆଇନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଲେ ବୋଲି ଖାର୍ଗେ ଅଭିଯୋଗ କରିଥିଲେ । ତେବେ, କେନ୍ଦ୍ର ସରକାରଙ୍କ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ତିନି କୃଷି ଆଇନ ପ୍ରଣୟନ କରିଥିଲେ, କିନ୍ତୁ ଆନ୍ଦୋଳନକାରୀ ଚାଷୀଙ୍କୁ ଏହି ତିନି କୃଷି ଆଇନରୁ ସେମାନଙ୍କୁ ମିଳିବାକୁ ଥିବା ଫାଇଦା ସଂପର୍କରେ ବୁଝାଇବାରେ ବିଫଳ ହେବାରୁ ସେସବୁ ଆଇନ ପ୍ରତ୍ୟାହର କରିଛନ୍ତି ବୋଲି କୃଷି ମନ୍ତ୍ରୀ ତୋମର ଗୃହରେ ବିଲ୍ ଆଗତ କରି କହିଥିଲେ । ଉଭୟ ସରକାର ଓ ବିରୋଧୀ ତିନି କୃଷି ଆଇନ ପ୍ରତ୍ୟାହାର ହେବା ଚାହିଁ ଥିବାରୁ ‘ଫାର୍ମ ଲ’ସ୍ ରିପିଲ୍ ବିଲ୍, ୨୦୨୧’ ଆଗତ ହୋଇଛି, ତାହା ଉପରେ ଆଲୋଚନା ଅନାବଶ୍ୟକତା ବୋଲି କୃଷି ମନ୍ତ୍ରୀ କହିବା ପରେ ରାଜ୍ୟସଭାରେ ମୌଖିକ ଭୋଟ୍ ରେ ବିଲ୍ ଗୃହୀତ ହୋଇଛି । ସଂସଦରେ ସରକାର ବିଲ୍ ଆଗତ କରିବା ପୂର୍ବରୁ କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳର ସାଂସଦମାନେ ତିନି କୃଷି ଆଇନ ପ୍ରତ୍ୟାହାର ଦାବି ଉଠାଇ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତୀ ନିକଟରେ ପ୍ରତିବାଦରେ ବସି ଥିଲେ । ତେବେ, ଏହା କଂଗ୍ରେସର ନାଟକ ବୋଲି ବୋଲି ଶାସକ ଦଳ ଅଭିଯୋଗ କରିଛି । ସଂସଦରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଗୃହୀତ ହେବା ପରେ ଏହା ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନରେ ଜୀବନ ଉତ୍ସର୍ଗ କରିଥିବା ୭୫୦ ଚାଷୀଙ୍କ ପାଇଁ ବଡ଼ ଶ୍ରଦ୍ଧାଂଜଳୀ ବୋଲି ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଶାନ ମୋର୍ଚ୍ଚା ନେତା ରାକେଶ ଟିକାୟତ କହିଛନ୍ତି । ତେବେ, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଆଇନଗତ ମାନ୍ୟତା ନ ମିଳିବା ଏବଂ ଅନ୍ୟାନ୍ୟ ଦାବି ସବୁ ସରକାର ମାନି ନ ନେବା ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନ ଚାଲୁ ରହିବ ବୋଲି ସେ ଘୋଷଣା କରିଛନ୍ତି । ସଂଯୁକ୍ତ କିଶାନ ମୋର୍ଚ୍ଚା ଆଜି ପର୍ଲାମେଂଟ ଅଭିମୁଖେ ଟ୍ରାକ୍ଟର ଯାତ୍ରାକୁ ସ୍ଥଗିତ ରଖି ଥିଲେ ମଧ୍ୟ ପରବର୍ତ୍ତୀ ଆନ୍ଦୋଳନ କାର୍ଯ୍ୟକ୍ରମ ସଂପର୍କରେ ଡ଼ିସେମ୍ବର ୪ ତାରିଖ ଦିନ ନିଷ୍ପତ୍ତି ନେବ ବୋଲି ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS