ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ମନା କଲେ ଭେଙ୍କାୟା
ପ୍ରସାଦ ରାଓ
ନଭେମ୍ବର ୩୦
ଗତ ଅଗଷ୍ଟ ମାସରେ ଅନୁଷ୍ଠିତ ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ୧୨ ରାଜ୍ୟସଭା ସାଂସଦଙ୍କୁ ନଭେମ୍ବର ମାସରେ ଦଣ୍ଡ ମିଳିଛି । କାଲି (ନଭେମ୍ବର ୨୯) ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିବସରେ ଏହି ସାଂସଦମାନଙ୍କୁ ଶୀତ ଅଧିବେଶନ ସରିବା ପର୍ଯ୍ୟନ୍ତ ନିଲମ୍ବନ କରାଯାଇଥିବା ବେଳେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବା ପ୍ରଶ୍ନ ଉଠୁ ନାହିଁ ବୋଲି ଆଜି ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କାୟାନାଇଡୁ ସ୍ପଷ୍ଟ କରିଛନ୍ତି । ବିଶୃଙ୍ଖଳ ଆଚରଣ ପ୍ରଦର୍ଶନର ତିନି ମାସ ପରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ସଂପୃକ୍ତ ସାଂସଦମାନେ ନିଜ କୃତକାର୍ଯ୍ୟ ପାଇଁ ଅନୁତପ୍ତ ନଥିବାରୁ ସେମାନଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର ହେବାର ପ୍ରଶ୍ନ ଉଠୁ ନାହିଁ ବୋଲି ରାଜ୍ୟସଭା ଅଧ୍ୟକ୍ଷ ନାଇଡୁ ଆଜି କହିଛନ୍ତି । ଅଗଷ୍ଟ ୧୧ ତାରିଖ ଘଟଣାରେ ସଂପୃକ୍ତ ୧୨ ରାଜ୍ୟସଭା ସାଂସଦଙ୍କୁ ସେଦିନ ମାର୍ଶାଲ ଓ ସୁରକ୍ଷା କର୍ମୀଙ୍କୁ ଲଗାଇ ଗୃହରୁ ବିଦା କରାଯାଇଥିଲା । ସେହି ଦିନ ହିଁ ସଂସଦ ଅଧିବେଶନକୁ ଅଧାପନ୍ତୁରିଆ ବନ୍ଦ ଘୋଷଣା ହୋଇଥିଲା । ନଭେମ୍ବର ୨୯ରେ ସଂସଦର ଶୀତକାଳୀନ ଅଧିବେଶନର ପ୍ରାରମ୍ଭ ଦିବସରେ ଏହି ସାଂସଦମାନଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯାଇ ଅଧିବେଶନର ସରିବା ପର୍ଯ୍ୟନ୍ତ ସେମାନେ ସଂସଦ କାର୍ଯ୍ୟରେ ଭାଗ ନେଇ ପାରିବେ ନାହିଁ ବୋଲି ଜଣାଇ ଦିଆଯାଇଛି । ସେମବାର ରାଜ୍ୟସଭାରେ ଅଧ୍ୟକ୍ଷତା କରୁଥିବା ଉପାଧ୍ୟକ୍ଷ ହରିବଂଶ ସଂପୃକ୍ତ ସାଂସଦଙ୍କୁ ନିଲମ୍ବିତ କରାଗଲା ବୋଲି ଘୋଷଣା କରିଥିଲେ । ନିଲମ୍ବିତ ହୋଇଥିବା ସାଂସଦମାନେ ହେଉଛନ୍ତି, ଏଲାମରାମ କରିମ (ସିପିଏମ), ଫୁଲୋ ଦେବୀ ନେତମ୍, ଛାୟା ବର୍ମା, ଆର.ବୋରା, ରାଜମଣୀ ପଟେଲ, ସୟଦ ନାସିର ହୁସେନ ଓ ଅଖିଳେଶ ପ୍ରସାଦ ସିଂହ (ସମସ୍ତେ କଂଗ୍ରେସ), ବିନୟ ବିଶ୍ୱମ (ସିପିଆଇ), ଡ଼ୋଲା ସେନ ଓ ଶାନ୍ତା ଛେତ୍ରୀ (ଟିଏମସି) ଏବଂ ପ୍ରିୟଙ୍କା ଚତୁର୍ବେଦୀ ଓ ଅନିଲ ଦେଶାଇ (ଶିବସେନା) । ଏହି ସାଂସଦମାନେ ସୋମବାର ଦିନ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ବେଳେ ରାଜ୍ୟସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଏକ ପ୍ରସ୍ତାବ ଆଗତ କରି ସଂସଦର ଶୀତକାଳୀନ ଅଧିବେଶନ ସରିବା ପର୍ଯ୍ୟନ୍ତ ଏହି ନିଲମ୍ବନ ବଳବତ୍ତର ରଖା ଯିବାକୁ ଗୃହକୁ ନିବେଦନ କରିଥିଲେ, ଯାହାକି ଗୃହରେ ପାରିତ ହୋଇଛି । ଅଗଷ୍ଟ ୧୧ ତାରିଖ ଦିନ ସଂପୃକ୍ତ ସାଂସଦମାନେ ଗୃହରେ ଯେଭଳି ଆଚରଣ ପ୍ରଦର୍ଶନ କଲେ ତାହା ଗୃହର ଅଧ୍ୟକ୍ଷ ଆସନର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି ବୋଲି ନିଲମ୍ବନ ଆଦେଶରେ ଦର୍ଶାଯିବା ସହ ତାହାର ଦୃଢ ନିନ୍ଦା କରାଯାଇଛି । ରାଜ୍ୟସଭାର ୨୫୪ତମ ଅଧିବେଶନରେ ସଂପୃକ୍ତ ବିରୋଧୀ ଦଳ ସାଂସଦଙ୍କ ଆଚରଣ ଗୃହର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବା ସହ ସଦନକୁ ବାହାରେ ନିନ୍ଦିତ କରିଛି । ତେଣୁ, ଚଳିତ ଶୀତକାଳୀନ ଅଧିନବେଶନ ସରିବା ପର୍ଯ୍ୟନ୍ତ ସେମାନଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଗଲା ବୋଲି ନିଲମ୍ବନ ଆଦେଶରେ କୁହାଯାଇଛି । ବିରୋଧୀ ଦଳ ସାଂସଦମାନେ ଆଜି ସକାଳେ ରାଜ୍ୟସଭାରେ ବିରୋଧୀ ଦଳର ନେତା ଥିବା ମଲ୍ଲିକାର୍ଜୁନ ଖାର୍ଗେ (କଂଗ୍ରେସ)ଙ୍କ ବାସଭବନରେ ଏକାଠି ହୋଇ ୧୨ ସାଂସଦଙ୍କ ବିରୋଧରେ ହୋଇଥିବା ନିଲମ୍ବନ ଆଦେଶ ସଂପର୍କରେ ଆଲୋଚନା କରିଥିଲେ ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଙ୍କାୟାନାଇଡୁଙ୍କୁ ଭେଟି ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଦାବି ଜଣାଇବାକୁ ନିଷ୍ପତ୍ତି ନେଇଥିଲେ । ତେବେ, ସଂପୃକ୍ତ ସାଂସଦମାନେ ଅଗଷ୍ଟ ୧୧ ତାରିଖର ବିଶୃଙ୍ଖଳ ଆଚରଣ ପାଇଁ ଅନୁତପ୍ତ ନଥବାରୁ ବା ଦୁଃଖ ପ୍ରକାଶ କରି ନଥିବାରୁ ଏବଂ ସେଦିନର ଆଚରଣକୁ ସମର୍ଥନ କଲା ଭଳି ଗଣମାଧ୍ୟମରେ ମନ୍ତବ୍ୟ ରଖୁ ଥିବାରୁ ସେମାନଙ୍କ ବିରୋଧରେ ହୋଇଥିବା ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବା ପ୍ରଶ୍ନ ଉଠୁ ନାହିଁ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଜଣାଇ ଦେଇଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଦେଶରେ ଇସ୍ରାଏଲୀ ଗୁଇନ୍ଦା ସ୍ପାଏୱେର୍ ‘ପେଗାସସ୍’ ମାଧ୍ୟମରେ ବିରୋଧୀ ଦଳ ନେତୃବର୍ଗ, ସାମ୍ବିଧାନିକ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ, ଶାସକ ଦଳର ମନ୍ତ୍ରୀ ଏବଂ ୪୦ରୁ ଅଧିକ ସାମ୍ବାଦିକଙ୍କ ବ୍ୟକ୍ତିଗତ ଗୋପନୀୟତାର ଗୁଇନ୍ଦାଗିରି ହୋଇଥିବା ଅଭିଯୋଗକୁ ନେଇ ଅଗଷ୍ଟ ମାସରେ ସଂସଦ ଭିତରେ ଓ ବାହାରେ ବିରୋଧୀ ଦଳମାନେ ବେଶ୍ ହାଂଗାମା କରିଥିଲେ । ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ମାତ୍ର ‘ପେଗାସସ୍’ ବିରୋଧୀଙ୍କ ମୁଖ୍ୟ ପ୍ରସଙ୍ଗ ଥିଲା ଏବଂ ଏହି ଗୁଇନ୍ଦାଗିରିରେ ସରକାରଙ୍କ ସଂପୃକ୍ତି ଅଛି କି ନାହିଁ, ଯଦି ନାହିଁ ତେବେ ଦେଶରେ କେଉଁ ସଂସ୍ଥା ଏଭଳି ବେଆଇନ କାର୍ଯ୍ୟ କରିଛି ତାହା ସ୍ପଷ୍ଟ କରିବାକୁ ଓ ତଦନ୍ତ ଆବେଶ ଦେବାକୁ ବିରୋଧୀ ସାଂସଦରେ ଦାବି କରିବା ସହ ସରକାରଙ୍କୁ ଗୃହ ଚଳାଇବାକୁ ଦେଇ ନଥିଲେ । ସଂସଦର ଉଭୟ ଗୃହରେ ଅଚଳାବସ୍ଥା ଲାଗି ରହି ଥିଲା । ଅଗଷ୍ଟ ୧୧ ତାରିଖ ଦିନ ରାଜ୍ୟସଭା ଅଧିବେଶନ ଚାଲି ଥିବା ସମୟରେ ବିରୋଧୀ ହୋହାଲ୍ଲା କରୁଥିବା ବେଳେ ସଂପୃକ୍ତ ୧୨ ସାଂସଦ ଘୋର ବିଶୃଙ୍ଖଳା ଆଚରଣ ପ୍ରଦଶନ କରିବା ସହ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ । ସେଦିନ ସେମାନଙ୍କୁ ମାର୍ଶାଲ ଓ ସୁରକ୍ଷା କର୍ମୀଙ୍କୁ ଲଗାଇ ଗୃହରୁ ହଟା ଯାଇଥିଲା । ସଂସଦର ମୌସୁମୀ ଅଧିବେଶନକୁ ମଧ୍ୟ ଅନିର୍ଦ୍ଧିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଥିବା ଘୋଷଣା ହୋଇଥିଲା । ବିରୋଧୀ ସାଂସଦମାନେ କେବଳ ‘ପୋଗାସସ୍’ ନୁହେଁ, କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ମଧ୍ୟ ସରକାର ବିବୃତି ରଖିବାକୁ ଦାବି କରି ଅଚଳାବସ୍ଥା ସୃଷ୍ଟି କରିଥିଲେ । ତିନି ମାସ ପରେ ସୋମବାର (ନଭେମ୍ବର ୨୯ ତାରିଖ) ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନ ପ୍ରାରମ୍ଭ ଦିବସରେ କେନ୍ଦ୍ର ସରକାର ବିତର୍କ ପାଇଁ ଅନୁମତି ନଦେଇ ମାତ୍ର ୪ ମିନିଟ ମଧ୍ୟରେ ସଂସଦର ଉଭୟ ଗୃହରେ ତିନି କୃଷି ଆଇନ ପ୍ରତ୍ୟାହାର ବିଲ୍ ମୌଖିକ ଭୋଟରେ ପାରିତ କରାଇ ନେବା ସହ ଅଗଷ୍ଟ ୧୧ ତାରିଖ ଘଟଣା ପାଇଁ ୧୨ ସାଂସଦଙ୍କୁ ରାଜ୍ୟସଭାରୁ ନିଲମ୍ବନ ଘୋଷଣା କରିଛନ୍ତି । ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯିବା ଘଟଣାକୁ ନେଇ ପୁଣି ଥରେ ଶାସକ ବିଜେପି ଓ ବିରୋଧୀ ସଂସଦରେ ମୁହାଁମୁହିଁ ହୋଇଥିବାରୁ ଚଳିତ ଶୀତ ଅଧିବେଶନ ମଧ୍ୟ ରୋଚକ ହେବା ଅନୁମାନ କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS