ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ମିଳିବ ନାହିଁ ?
ନୂଆଦିଲ୍ଲୀ
ଡ଼ିସେମ୍ବର ୦୧
ଅଗଷ୍ଟ ମାସରେ ଅନୁଷ୍ଠିତ ମୌସୁମୀ ଅଧିବେଶନରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ଗଲା ମଙ୍ଗଳବାର ଦିନ ୧୨ ଜର ରାଜ୍ୟସଭା ସାଂସଦଙ୍କୁ ଗୃହରୁ ନିଲମ୍ବନ କରାଯିବା ଘଟଣାକୁ ନେଇ ବୁଧବାର ରାଜ୍ୟସଭାରେ ଅଚଳାବସ୍ଥା ଜାରି ରହିଛି । ବିପକ୍ଷ ଦଳର ସାଂସଦମାନେ ଏହି ନିଲମ୍ବନ ଆଦେଶର ବିରୋଧ କରିବା ସହ ଏହା ‘ଅପମାନସୂଚକ’ ଦର୍ଶାଇ ନିଲମ୍ବନ ଉପରେ ଚର୍ଚ୍ଚା ପାଇଁ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କହିବାକୁ ସୁଯୋଗ ଦେବାକୁ ରାଜ୍ୟସଭାରେ ଦାବି କରିଥିଲେ । ତେବେ, ରାଜ୍ୟସଭା ଅଧ୍ୟକ୍ଷ ସେହି ସୁଯୋଗ ନ ଦେବାରୁ ବିରୋଧୀ ହଟ୍ଟଗୋଳ କରିଥିଲେ । ଫଳରେ, ବାରମ୍ବାର ଗୃହ ମୁଲତବୀ ରହିବା ପରେ ସ୍ଥଗିତ ରହିଛି । ଲୋକସଭାରେ ମଧ୍ୟ ଚାଷୀ ପ୍ରସଙ୍ଗରେ ଆଲୋଚନା ଦାବି କରି ଟିଆରଏସ୍ ସାଂସଦମାନେ ଗୃହର ମଧ୍ୟଭାଗରେ ପ୍ରଦର୍ଶନ କରିବାରୁ ଶୂନ୍ୟକାଳରେ ଅଚଳବସ୍ଥା ସୃଷ୍ଟି ହୋଇଥିଲା । ସଦନରେ ପ୍ରଶ୍ନୋତ୍ତର ସମୟ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ଲୋକସଭା ବାଚସ୍ପତି ଓମ୍ ବିରଳା ଟିଆରଏସ୍ ସାଂସଦଙ୍କ କାର୍ଯ୍ୟକୁ ନାପସନ୍ଦ କରିଥିଲେ । ବିରୋଧୀଙ୍କ ବିରୋଧ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟ ଚାଲିଥିଲା । ତିନି କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଚାଲି ଥିବା ଅବସ୍ଥାରେ ଯେଉଁ ୭୦୦ରୁ ଅଧିକ ଚାଷୀଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ପରିବାରକୁ ସରକାର କ୍ଷତିପୂରଣ ଦେବାର ପ୍ରସ୍ତାବ ରହିଛି କି (?) ବୋଲି କଂଗ୍ରେସ ସାଂସଦ ମନିଷ ତିୱାରୀ ପ୍ରଶ୍ନ କରିବାରୁ ଏସଂପର୍କିତ କୌଣସି ରେକର୍ଡ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ନିକଟରେ ନାହିଁ, ତେଣୁ କ୍ଷତିପୂରଣ ଦେବାର ପ୍ରଶ୍ନ ନାହିଁ ବୋଲି ସରକାର ଉତ୍ତର ରଖି ଥିବା ଜଣାପଡିଛି । ମୃତ ଚାଷୀଙ୍କ ପରିବାରକୁ ୫ କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବାକୁ ଏବଂ ସରକାର ଚାଷୀଙ୍କ ଏମଏସପିକୁ ଆଗଇଗତ ମାନ୍ୟତା ଦାବି ସହ ଅନ୍ୟାନ୍ୟ ଦାବିକୁ ମାନି ନେବାକୁ ସାଂସଦ ତିୱାରୀ ଦାବି ରଖିଛନ୍ତି । ଗତ ମାସ ୨୯ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ଏହି ଅଧିବେଶନ ଆରମ୍ଭରୁ ଝଂଜାପୂର୍ଣ୍ଣ ରହିଛି । ୨୯ ତାରିଖ ଦିନ କେନ୍ଦ୍ର ସରକାର ତିନି ନୂଆ କୃଷି ଆଇନ ପ୍ରତ୍ୟାହାର କରି ନେବାକୁ ଗୃହରେ ଏକ ବିଲ୍ ଆଗତ କରି ମୌଖିକ ଭୋଟରେ ତାହା ଗୃହୀତ କରାଇ ନେଇଛନ୍ତି । ଏହି ବିଲ୍ ଉପରେ ଗୃହରେ ବିତର୍କ ହେବା ବିରୋଧୀ ଦଳମାନେ ଚାହୁଁ ଥିଲେ । ତେବେ, ଲୋକସଭାରେ ଅଧ୍ୟକ୍ଷତା କରୁଥିବା ବାଚସ୍ପତି ଓମ୍ ବିରଳା ଏବଂ ରାଜ୍ୟସଭାରେ ଅଧ୍ୟକ୍ଷତା କରୁଥିବା ଉପାଧ୍ୟକ୍ଷ ହରିବଂଶ ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରି ମୌଖିକ ଭୋଟରେ ମାତ୍ର ୪ ମିନିଟରେ ବିଲ୍ ପାରିତ କରାଇବାକୁ ସରକାରୀ ଦଳକୁ ସୁଯୋଗ ଦେଇଥିଲେ । ବିରୋଧୀ ଦଳଙ୍କ ପକ୍ଷରୁ ଏହାର ଦୃଢ ବିରୋଧ କରାଯାଇଥିଲା । ସେହି ଦିନ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଗତ ଅଗଷ୍ଟ ୧୧ ତାରିଖ ସଂସଦର ମୌସୁମୀ ଅଧିବେଶନ ଚାଲି ଥିବା ରାଜ୍ୟସଭାରେ ଘୋର ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ୧୨ ଜଣ ସାଂସଦଙ୍କୁ ଶୀତକାଳୀନ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ କରାଗଲା ବୋଲି ଘୋଷଣା କରିଥିଲେ । ୩୦ ତାରିଖ ଦିନ ରାଜ୍ୟସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏସଂପର୍କରେ ଆଗତ କରିଥିବା ଏକ ପ୍ରସ୍ତାବ ଗୃହୀତ ହୋଇଛି । ବିରୋଧୀ ଦଳମାନେ ଏଭଳି ନିଲମ୍ବନ ଆଦେଶ ‘ଅପମାନସୂଚକ’ ଦର୍ଶାଇ ତାହାର କଡା ବିରୋଧ କରିଥିଲେ । ବିରୋଧୀ ଦଳ ସାଂସଦମାନେ ୩୦ ତାରିଖ ସକାଳେ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ଏକାଠି ହୋଇ ଏହା ଉପରେ ଆଲୋଚନା କରିବା ସହ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଦାବି କରିବେ ବୋଲି ନିଷ୍ପତ୍ତି ନେଇ ଥିଲେ । ପରେ, ବିରୋଧୀ ଦଳ ନେତା ଖାର୍ଗେ ରାଜ୍ୟସଭା ଅଧ୍ୟକ୍ଷ ଏମ.ଭେଂକାୟା ନାଇଡୁଙ୍କୁ ଭେଟି ବିରୋଧୀ ଦଳ ସାଂସଦମାନଙ୍କ ଦାବି ଜଣାଇବାରୁ ନିଲମ୍ବିତ ହୋଇଥିବା ସାଂସଦମାନେ ଅଗଷ୍ଟ ୧୧ ତାରିଖରେ ପ୍ରଦର୍ଶନ କରିଥିବା ବିଶୃଙ୍ଖଳ ଆଚରଣ ପାଇଁ ଅନୁତପ୍ତ ନଥିବା ସେମାନଙ୍କ ବିବୃତିରୁ ଜଣାପଡୁଛି, ସେମାନେ ଗୃହକୁ ଓ ଦେଶବାସୀଙ୍କୁ କ୍ଷମା ନ ମାଗିବା ଯାଏଁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ ନାହିଁ ବୋଲି ସେ ଖୋର୍ଗେଙ୍କୁ ରୋକଠୋକ୍ ଜଣାଇ ଦେଇଥିଲେ । ୧୨ ସାଂସଦଙ୍କ ନିଲମ୍ବନ ବିରୋଧରେ ଆଜି ମଧ୍ୟ ରାଜ୍ୟସଭାରେ ବିରୋଧୀ ଦଳ ସାଂସଦଙ୍କ ଆଡୁ ତୀବ୍ର ପ୍ରତିବାଦ ହୋଇଛି । ନିଲମ୍ବିତ ସାଂସଦମାନେ ମଧ୍ୟ ସାଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତୀ ନିକଟରେ ପ୍ଲାକାଡ ଧରି ସେମାନଙ୍କ ପ୍ରତିବାଦ ଜଣାଇଛନ୍ତି । ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ପ୍ରତିବାଦ ଜାରି ରହିବାରୁ ଗୃହକାର୍ଯ୍ୟ ଏକାଧିକବାର ମୁଲତବୀ ରହିବା ପରେ ରାଜ୍ୟସଭାର ଆଜିର ଅଧିବେଶନ ସ୍ଥଗିତ ରହିଛି । ଆଜି ଲୋକସଭାରେ ଶୂନ୍ୟକାଳରେ ପ୍ରଶ୍ନୋତ୍ତର ସମୟରେ ଟିଆରଏସ୍ ସାଂସଦମାନେ ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରି ଗୃହର ମଧ୍ୟଭାଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ଲାକାର୍ଡ ଦେଖାଇ ସ୍ଲୋଗାନ ଦେଇଥିଲେ । ଶୂନ୍ୟକାଳରେ ବିଜେପି ସାଂସଦ ନିଶିକାନ୍ତ ଦୂବେ ଦେଶରେ ୟୁନିଫର୍ମ ସିଭିଲ କୋଡ଼ ଲାଗୁ ପାଇଁ ଏକ ଆଇନ ଆଇନ ଅଣାଯିବାକୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିବା ବେଳେ କଂଗ୍ରେସ ସାଂସଦ ମନୀଷ ତିୱାରୀ ଆନ୍ଦୋଳନ ସମୟରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ପରିବାରକୁ ସରକାର କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ଚାଷୀ ଆନ୍ଦୋଳନ ସମୟରେ ଯେଉଁ ଚାଷୀଙ୍କ ବିରୋଧରେ ସରକାର ମାମଲା ରୁଜୁ କରିଛନ୍ତି ତାହା ପ୍ରତ୍ୟାହାର କରି ନେବାକୁ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ସାଂସଦ ହନୁମାନ ବେନିୱାଲ ଦାବି କରିଥିବା ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS