ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା
ନୂଆଦିଲ୍ଲୀ
ଡ଼ିସେମ୍ବର ୦୨
ଦକ୍ଷିଣ ଥାଇଲାଣ୍ଡ ଓ ପାଶ୍ୱର୍ବର୍ତ୍ତୀ ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କେନ୍ଦ୍ରୀୟ ଆଣ୍ଡାମାନରେ ସକ୍ରିୟ ଥାଇ ଅଧିକ ଘନିଭୂତ ହେବାରେ ଲାଗିଛି । ଏହି ଲଘୁଚାପ ଆସନ୍ତା କାଲି ବାତ୍ୟାର ରୂପ ନେଇ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟନମ ଓ ବିଜୟନଗରମ ଜିଲ୍ଲା ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାଣ୍ଡବ ସୃଷ୍ଟି କରବା ନେଇ ଆଇଏମଡ଼ି (ଭାରତୀୟ ପାଣିପାଗ ବିଭାଗ) ଚେତାବନୀ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ସମ୍ଭାବ୍ୟ ପରିସ୍ଥିତିର ସମୀକ୍ଷା କରିଛନ୍ତି । ‘ଜାୱାଦ୍’ ନାମକରଣ ହେବାକୁ ଥିବା ଏହି ଘୂର୍ଣ୍ଣିବାତ୍ୟା ଡ଼ିସେମ୍ବର ୪ ତାରିଖ ସକାଳେ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ଅନୁମାନ କରାଯାଉଛି । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଏହି ଦୁଇ ରାଜ୍ୟର ଉପକୂଳବର୍ତ୍ତୀ ଅଂଚଳରେ ପ୍ରବଳ ବର୍ଷା ସହ ପବନର ବେଗ ୯୦ରୁ ୧୦୦ କିମି ରହିବ ବୋଲି ଆକଳନ କରାଯାଇଛି । ଗତକାଲି କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବ ରାଜୀବ ଗୌବା ମଧ୍ୟ ନ୍ୟାସନାଲ କ୍ରାଇସେସ୍ ମ୍ୟାନେଜମେଂଟ୍ କମିଟି (ଏନସିଏମସି) ସହ ଏକ ବୈଠକ କରି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଥିଲେ । ଆଇଏମଡ଼ିର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟାର ସ୍ଥିତାବସ୍ଥା ଓ ସମ୍ଭାବ୍ୟ ଗତିପଥ ନେଇ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ । ଆଇଏମଡ଼ି ଓଡ଼ିଶାର ଗଂଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ୩ ତାରିଖରୁ ପ୍ରବଳରୁ ପ୍ରବଳତର ବର୍ଷା ହେବା ନେଇ ରେଡ୍ ଆଲର୍ଟ ଜାରି କରିଥିବା ବେଳେ ୪ ତାରିଖ ବାତ୍ୟା ସ୍ଥଳ ଭାଗରେ ପହଂଚିବା ସମୟରେ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବେଗରେ ପବନ, ବର୍ଷା ନେଇ ଅରେଂଜ୍ ଆଲର୍ଟ ଜାରି କରିିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଇଏମଡ଼ି ୟେଲୋ ଆଲର୍ଟ ଜାରି କରିଥିବା ଜଣାପଡିଛି । ଏହି ବାତ୍ୟା ଆନ୍ଧ୍ର, ଓଡ଼ିଶା ସମେତ ପଶ୍ଚିମ ବଂଗ ଉପକୂଳରେ ମଧ୍ୟ ତାଣ୍ଡବ ରଚିବା ସମ୍ଭାବନା ଥିବାରୁ ତିନି ରାଜ୍ୟରେ ୩୨ଟି ଏନଡ଼ିଆରଏଫ ଟିମ୍ ମୁତୟନ କରାଯିବ । ଏହାଛଡା, ଷ୍ଟାଂଡବାଏ ଟିମ୍ ମଧ୍ୟ ରହିବେ । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ କୋଷ୍ଟଗାର୍ଡ, ଆର୍ମିର୍ ଓ ନୌସେନାକୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଏନଡ଼ିଆରଏଫ୍ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ନିମନ୍ତେ ୬୨ଟି ଉଦ୍ଧାରକାରୀ ଦଳ ପ୍ରସ୍ତୁତ ରଖିଥିବା ସୂଚନା ମିଳିଛି । ଆନ୍ଧ୍ର, ଓଡ଼ିଶା, ପଶ୍ଚିମ ବଂଗ ବ୍ୟତୀତ ତାମିଲନାଡ଼ୁ ଓ ଆଣ୍ଡାମାନ-ନିକୋବର ଦ୍ୱୀପ ନିମନ୍ତେ ଏହି ପ୍ରସ୍ତୁତି ହୋଇଛି । ୬୨ଟି ଉଦ୍ଧାରକାରୀ ଦଳ ମଧ୍ୟରୁ ଆନ୍ଧ୍ର ପ୍ରଦେଶକୁ ୧୫ଟି, ଓଡ଼ିଶା ଓ ପଶ୍ଚିମ ବଂଗକୁ ୧୭ଟି ଲେଖାଏଁ, ତାମିଲନାଡୁକୁ ୧୧ଟି ଟିମ୍ ଏବହ ଆଣ୍ଡାମାନ ଓ ନିକୋବର ଦ୍ୱୀପକୁ ଦୁଇଟି ଲେଖାଏଁ ଟିମ୍ ପଠାଇବାକୁ ଏନଡ଼ିଆରଏଫକ ପ୍ରତିଶୃତି ଦେଇଥିବା ଜଣାପଡିଛି । ବାତ୍ୟା ତାହାର ଗତିପଥ ପରିବର୍ତ୍ତନ କରିବା ସମ୍ଭାବନା ମଧ୍ୟ ରହିଛି । ଲଘୁଚାପ ଅବପାତର ରୂପ ନେବା ପରେ ହିଁ ଏହାର ଗତିପଥ ନେଇ ନିର୍ଦ୍ଧିଷ୍ଟ ଭାବେ କିଛି କହି ହେବ ବୋଲି ଆଇଏମଡ଼ି ମହାନିର୍ଦେଶକ କହିଛନ୍ତି । ବାତ୍ୟା ଓଡ଼ିଶାରେ ଉପକୂଳ ଅତିକ୍ରମ କରୁ ବା ନକରୁ ରାଜ୍ୟର ଉପକୂଳ ଅଂଚଳରେ ବର୍ଷା ଲାଗି ରହିବ ନିଶ୍ଚିତ ବୋଲି ମହାପାତ୍ର ସ୍ପଷ୍ଟ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS