‘ଓମିକ୍ରନ୍’ ନେଇ ଚିନ୍ତା ବଢୁଛି, ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ ‘ବୁଷ୍ଟର ଡୋଜ୍’ ଦିଆଯିବା ସପକ୍ଷରେ ‘ଇନସାକଗ୍’
ପ୍ରସାଦ ରାଓ
ନୂଆଦିଲ୍ଲୀ
ଡ଼ିସେମ୍ବର ୦୩
କରୋନା ଭୂତାଣୁର ପରିବର୍ତ୍ତିତ ସ୍ୱରୂପ ‘ଓମିକ୍ରନ୍’ ଏବେ ଦେଶରେ ଚିନ୍ତାର କାରଣ ହୋଇଛି । ବୁଧବାର ରାତିରେ କର୍ଣ୍ଣାଟକରୁ ଦୁଇ ଜଣ ପୁରୁଷ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ଜଣେ ହେଉଛନ୍ତି ଡ଼ାକ୍ତର । ବେଂଗାଲୁରୁର ଏହି ୪୬ ବର୍ଷ ବୟସ୍କ ଡ଼ାକ୍ତରଙ୍କ କୌଣସି ‘ଟ୍ରାଭେଲ୍ ହିଷ୍ଟ୍ରି’ ନାହିଁ । ସେ ସଂପୂର୍ଣ୍ଣ ଭାବେ ଟିକାକରଣ ହୋଇଥିଲେ ମଧ୍ୟ ନୂଆ ପ୍ରଜାତି ଭାଇରସ୍ ‘ଓମିକ୍ରନ୍’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ନଭେମ୍ବର ୨୧ ତାରିଖ ଦିନ ତାଙ୍କୁ ଜ୍ୱର ଓ ଦେହ ବିନ୍ଧା ହୋଇଥିଲା । ଜେନୋମିକ୍ ପରୀକ୍ଷଣରୁ ସେ ‘ଓମିକ୍ରନ୍’ ସଂକ୍ରମିତ ଥିବା ଜଣାପଡିଛି । ସେହିଭଳି, ଦ୍ୱିତୀୟ ଆକ୍ରାନ୍ତ ହେଉଛନ୍ତି ଜଣେ ୬୬ ବର୍ଷ ବୟସ୍କ ଦକ୍ଷିଣ ଆଫ୍ରିକା ଅଧିବାସୀ । କୋଭିଡ଼ ନେଗେଟିଭ୍ ରିପୋର୍ଟ ସହ ସେ ଭାରତ ଆସିଥିଲେ । ପରେ, ଟେଷ୍ଟିଂରୁ ସେ ମଧ୍ୟ ‘ଓମିକ୍ରନ୍’ ଆକ୍ରାନ୍ତ ଥିବା ଜଣାପଡିଛି । ପ୍ରଥମ କରି ଭାରତରେ ଦୁଇ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହେବା କୋଭିଡ଼ର ପରିବର୍ତ୍ତିତ ସ୍ୱରୂପ ଭାରତରେ ପଦାର୍ପଣ କରି ସାରିଥିବା ସୂଚନା ଦେଉଛି ।
ସାର୍ସ କୋଭିଡ଼ ଭୂତାଣୁର ଜେନୋମିକ୍ ରୂପାନ୍ତରଣକୁ ଗଭୀର ଭାବେ ଅନୁଧ୍ୟାନ କରୁଥିବା ୨୮ଟି ଜେନୋମିକ୍ ଲାବୋରୋଟୋରୀର ଏକ କନ୍ସୋର୍ଟିଅମ୍ ‘ଇନସାକଗ୍’ ନୂଆ ଭୂତାଣୁ କିଭଳି ଭାବେ ନିଜ ସ୍ୱରୂପ ବଦଳାଉଛି ଓ ସଂକ୍ରମଣ ବଢାଉଛି ତାହା ଅନୁଧ୍ୟାନ କରିବା ସହ ଏହାର ମୁକାବିଲା ପାଇଁ ସମ୍ଭାବ୍ୟ ସ୍ୱାସ୍ଥ୍ୟଗତ ପଦକ୍ଷେପ କଣ ହେବା ଆବଶ୍ୟକ ସେସଂପର୍କରେ ପରାମର୍ଶ ଦେଉଛି । ଦେଶରୁ ଦୁଇ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦୃଷ୍ଟିରୁ ଏହି ନୂଆ ପ୍ରଜାତି କୋଭିଡ଼ ଭୂତାଣୁର ମୁକାବିଲା ପାଇଁ ଟିକାକରଣ ହୋଇ ନଥିବା ‘ହାଇ ରିସ୍କ୍’ ଶ୍ରେଣୀକୁ ତୁରନ୍ତ ଟିକାକରଣ କରାଯିିବାକୁ ଏବଂ ଦୁଇ ଡୋଜ୍ କୋଭିଡ଼ ଟିକା ନେଇ ସାରିଥିବା ୪୦ ବର୍ଷ ଓ ଅଧିକ ବୟସ୍କଙ୍କୁ ‘ବୁଷ୍ଟର୍ ଡୋଜ୍’ ଦେବା ବ୍ୟବସ୍ଥା କରାଯିବାକୁ କନ୍ସୋରଟିଅମ୍ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି ।
କନ୍ସୋରଟିଅମ୍ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଟିକାକରଣ କାର୍ଯ୍ୟ ଦୃତ ଗତିରେ ଚାଲି ଥିଲେ ମଧ୍ୟ ଯେଉଁ ଭ୍ୟାକ୍ସିନ୍ ବ୍ୟବହାର ହେଉଛି ତାହାଦ୍ୱାରା ଯଥେଷ୍ଟ ପରିମାଣରେ ଆଂଟିବଡ଼ି ସୃଷ୍ଟି ହେଉ ନଥିବାରୁ ‘ଓମିକ୍ରନ୍’ ପ୍ରଜାତିକୁ ତାହା ରୋକିବାରେ ସକ୍ଷମ ହେବ ନାହିଁ । ତେଣୁ, ୪୦ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ‘ବୁଷ୍ଟର୍ ଡୋଜ୍’ ଦେବାକୁ ସରକାର ବିଚାର କରିବା ଆବଶ୍ୟକ । ଯେଉଁମାନେ ‘ହାଇ-ରିସ୍କ୍’ ଓ ‘ହାଇ-ଏକ୍ସପୋଜର୍’ ଶ୍ରେଣୀର ସେମାନଙ୍କ ପ୍ରାଥମିକତା ଭିତ୍ତିରେ ‘ବୁଷ୍ଟର୍ ଡୋଜ୍’ ଦିଆଯିବାର ଆବଶ୍ୟକତା ଉପରେ କନ୍ସୋର୍ଟିଅମ୍ ଗୁରୁତ୍ୱ ଦେଇଛି । ‘ଓମିକ୍ରନ୍’ ଆକ୍ରାନ୍ତଙ୍କୁ ତୁରନ୍ତ ଚିହ୍ନଟ କରିବା ଏକ କଠିନ ବ୍ୟାପାର । ଜେନୋମିକ୍ ସର୍ଭେଲାନ୍ସ ମାଧ୍ୟମରେ ଏହି ଭୂତାଣୁ ଚିହ୍ନଟ କରାଯାଉଛି । ତେଣୁ, ଭୂତାଣୁ ଚିହ୍ନଟ ସହ ଯେଉଁ ସବୁ ରାଷ୍ଟ୍ର ‘ଓମିକ୍ରନ୍’ ସଂକ୍ରମଣ ଦ୍ୱାରା ପ୍ରଭାବିତ ଅଛନ୍ତି ସେସବୁ ରାଷ୍ଟ୍ରକୁ ଯିବା ଓ ଆସିବା ଲୋକଙ୍କୁ କଡ଼ାକଡ ଯାଂଚ ଓ ଟେଷ୍ଟିଂ କରାଯିବା, ସେମାନଙ୍କ ସଂସ୍ପର୍ଶରେ ଆସି ଥିବା ଲୋକଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ସେମାନଙ୍କର ମଧ୍ୟ ଟେଷ୍ଟିଂ ହେବା ଏବଂ ଦେଶରେ କୋଭିଡ଼ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବାକୁ କନ୍ସୋର୍ଟିଅମ୍ ସରକାରଙ୍କୁ ପରାମର୍ଶ ଦେଇଛି ।
ଆମେରିକା ଓ ବ୍ରିଟେନରେ ବିଭିନ୍ନ ବୟସ ବର୍ଗଙ୍କୁ ‘ବୁଷ୍ଟର୍ ଡୋଜ୍’ ମିଳିଲାଣି । ଭାରତରେ ଦୁଇ ଡୋଜ୍ ଟିକା ନେଇ ସାରି ଥିବା ବ୍ୟକ୍ତିବିଶେଷଙ୍କୁ ‘ବୁଷ୍ଟର ଡୋଜ୍’ ଦିଆଯିବାକୁ ସରକାରଙ୍କ ଉପରେ ଚାପ ରହିଛି । ତେବେ, ସରକାର ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ସଂପୂର୍ଣ୍ଣ ଭାବେ ଟିକାକରଣ ହୋଇଥିବା ବୟସ୍କ ଲୋକଙ୍କୁ ଅଧିକ ସୁରକ୍ଷିତ ରଖିବା ସକାଶେ ‘ବୁଷ୍ଟର୍ ଡୋଜ୍’ ଦିଆଯିବା ନିତାନ୍ତ ଆବଶ୍ୟକ ବୋଲି ଆମେରିକାର ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନି ଫାଉସି ମତ ଦେଇଛନ୍ତି । ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ‘ଓମିକ୍ରନ୍’ ଭୂତାଣୁ ପୁନଃ ସଂକ୍ରମଣ କରିବାକୁ ସକ୍ଷମ ଥିବା ପ୍ରମାଣ ଦକ୍ଷିଣ ଆଫ୍ରିକାରେ ଏହାର ବ୍ୟାପୃତି ମିଳିଛି ବୋଲି ‘ଇନସାକଗ୍’ ତାହାର ସାପ୍ତାହିକ ବୁଲେଟିନ୍ ରେ ଦର୍ଶାଇ ଥିବାରୁ କେନ୍ଦ୍ର ସରକାର ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ସଂପୂର୍ଣ୍ଣ ଟିକାକରଣ ହୋଇଥିବା ବୟସ୍କ ବ୍ୟକ୍ତିଙ୍କୁ ‘ବୁଷ୍ଟର ଡୋଜ୍’ ଦେବା ଦିଗରେ ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ବିଶେଷଜ୍ଞ ମହଲରେ ମତପ୍ରକାଶ ପାଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS