ୟୁପି ନିର୍ବାଚନ ଫଳାଫଳ ବିରୋଧୀଙ୍କ ପାଇଁ ମାର୍ଗଦର୍ଶକ ହେବ ?
ପ୍ରସାଦ ରାଓ
ଡ଼ିସେମ୍ବର ୦୬
୨୦୨୨ ଆରମ୍ଭରେ ପଂଜାବ, ୟୁପି ସମେତ ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଶାସକ ବିଜେପି ତାହାର ପଇଁତରା ବଦଳାଇଛି । ବର୍ଷେ ତଳେ କୌଣସି ପକ୍ଷଙ୍କ ସହ ପରାମର୍ଶ ନକରି ଦେଶରେ ଆଇନରେ ପରିଣତ କରିଥିବା ତିନି କୃଷି ଆଇନ ବିରୋଧୀ ଓ ଚାଷୀ ସଂଗଠନଙ୍କ ଲମ୍ବା ଲଢେଇ ପରେ ପ୍ରତ୍ୟାହାର କରିଛି । ଚାଷୀ ସଂଗଠନଙ୍କ ଅନ୍ୟାନ୍ୟ ଦାବି ଉପରେ ଆଲୋଚନା କରିବାକୁ କମିଟି ଗଠନ ପ୍ରସ୍ତାବ ଦେଇଛି । କମିଟିରେ ଚାଷୀ ସଂଗଠନଙ୍କ ପ୍ରତିନିଧ୍ୱତ୍ୱ ରହିବ ବୋଲି ସରକାର ଘୋଷଣା କରିବା ସହ ଚାଷୀ ସଂଗଠନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି ନେବାକୁ ଆହ୍ୱାନ ଦେଇ ଦଳ ଓ ସରକାର ନିଜ ସ୍ଥିତି ସୁଧାରିବାକୁ ପ୍ରୟାସ କରୁଛନ୍ତି । କେନ୍ଦ୍ର ସରକାରଙ୍କ ସାଲିସ ପ୍ରସ୍ତାବ ପରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ୍) ମଧ୍ୟ ସରକାରଙ୍କ ପ୍ରତି ସାମାନ୍ୟ କୋହଳ ମନୋଭାବ ଆପଣାଇ ଥିବା ୪ ତାରିଖ ଅନୁଷ୍ଠିତ ଚାଷୀ ସଂଗଠନଙ୍କ ମିଳିତ ବୈଠକରୁ ସୂଚନା ମିଳୁଛି ।
କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ସରକାର ଆଇଗତ ମାନ୍ୟତା ଦେବା ଏବଂ ଅନ୍ୟାନ୍ୟ ଦାବିକୁ ନେଇ ଆନ୍ଦୋଳନକାରୀ ଚାଷୀ ସଂଗଠନମାନେ ଡ଼ିସେମ୍ବର ୪ ତାରିଖ ପୂର୍ବରୁ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରୁଥିଲେ । ସରକାର ଏସବୁ ଦାବି ମାନି ନେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଯୁକ୍ତ କିଶାନ ମୋର୍ଚ୍ଚା ଘୋଷଣା କରିଥିଲା । ତେବେ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଜଣେ ବରିଷ୍ଠ ଚାଷୀ ନେତାଙ୍କ ସହ କଥାବାର୍ତ୍ତା କରିବା ପରେ ଏସକେଏମ୍ ନେତାମାନେ କୋହଳ ମନୋଭାବ ପ୍ରଦର୍ଶନ କରି ଏମଏସପି ଓ ଅନ୍ୟାନ୍ୟ ଦାବି ଉପରେ ସରକାରଙ୍କ ସହ ଆଲୋଚନା ପାଇଁ ୫ ଜଣିଆ କମିଟି ଗଠନ କରିଛନ୍ତି । ଦାବି ପୂରଣ କରିବାକୁ ସରକାର ଲିଖିତ ପ୍ରତିଶ୍ରୁତି ଦେଲେ ସେମାନେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇ ପାରନ୍ତି ବୋଲି ବିଶ୍ୱାସ କରାଯାଉଛି । ସଂଯୁକ୍ତ କିଶାନ ମୋର୍ଚ୍ଚାର ପରବର୍ତ୍ତୀ ବୈଠକ ମଂଗଳବାର (୭ ତାରିଖ) ଧାର୍ଯ୍ୟ ହୋଇଥିବାରୁ ଆନ୍ଦୋଳନର ପ୍ରତ୍ୟାହାର ନେଇ ସେଦିନ କିଛି ବଡ଼ ଘୋଷଣା ହୋଇପାରେ ବୋଲି ସରକାର ବିଶ୍ୱାସ ରଖିଛନ୍ତି ।
ବିଜେପି ହଠାତ୍ ପଇଁତରା ବଦଳାଇବାର କାରଣ ବିଭିନ୍ନ ରାଜ୍ୟର ହୋଇଥିବା ଲୋକସଭା ଓ ବିଧାନସଭା ଉପ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ବୋଲି କୁହାଯାଉଛି । ସରକାର ତିନି କୃଷି ଆଇନ ପ୍ରତ୍ୟାହାର କରି ନେଇ ଚାଷୀଙ୍କ ଅନ୍ୟ ସବୁ ଦାବି ଉପରେ ଆଲୋଚନା ପାଇଁ ରାଜି ହୋଇଯିବା ପଛରେ ଚାଷୀଙ୍କ ପ୍ରତି ସେମାନଙ୍କ ଦରଦ ନୁହେଁ, ୟୁପି, ପଂଜାବରେ ନିର୍ବାଚନ ଜିତିବାର ଏକ ରଣନୀତି କହିବା ଭୁଲ ହେବ ନାହିଁ । କାରଣ, ଆନ୍ଦୋଳନରେ ସାମିଲ ଥିବା ଅଧିକାଂଶ ରାଜ୍ୟର ଚାଷୀ ଓ ତାହାର ନେତା ଜାଠ୍ ସଂପ୍ରଦାୟର ଏବଂ ସେମାନଙ୍କ ଭୋଟ ନିର୍ବାଚନ ଫଳାଫଳକୁ ପ୍ରଭାବିତା କରିବା ନିଶ୍ଚିତ । ତେଣୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି କୃଷି ଆଇନ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିଷ୍ପତ୍ତି ଘୋଷଣା କରିବାକୁ ଶିଖ୍ ସଂପ୍ରଦାୟ ଗୁରୁ ନାନକ ଦେବଙ୍କ ଜନ୍ମ ଜୟନ୍ତୀକୁ ବାଛିଲେ । ଶିଖ୍ ସଂପ୍ରଦାୟ ‘ପ୍ରକାଶ ପର୍ବ’ ପାଳନ କରିବା ଅବସରରେ ନଭେମ୍ବର ୧୯ ତାରିଖ ସକାଳୁ ସକାଳୁ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ସମଗ୍ର ଦେଶକୁ ବିସ୍ମିତ କରିଥିଲା । କେବଳ ଘୋଷଣା ନୁହେଁ, ସରକାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଧ୍ୟ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିରେ ମୋହର ଲଗାଇ ଦେଲେ ।
ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୨୯ରେ ଆରମ୍ଭ ହେଲା । ସେହି ଦିନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସଂସଦର ଉଭୟ ଗୃହରେ ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ୍ ଆଗତ କରାଇ ବିରୋଧୀଙ୍କ ବିତର୍କ ଦାବିକୁ ଅଗ୍ରାହ୍ୟ କରିବା ସହ ମୌଖିକ ଭୋଟରେ ପାରିତ କରାଇ ନେଲେ । ୩୦ ତାରିଖ ଦିନ ସେଥିରେ ରାଷ୍ଟ୍ରପତିଙ୍କ ମୋହର ଲାଗିବା ପରେ ୨୦୨୦ ସେପ୍ଟେମ୍ବରରେ ଆଇନରେ ପରିଣତ ହୋଇଥିବା ତିନି କୃଷି ଆଇନ ଅକାମୀ ହୋଇଗଲା । ଚାଷୀଙ୍କୁ ସନ୍ତୁଷ୍ଟ କରି ପଂଜାବ, ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିରୋଧୀଙ୍କୁ ଶକ୍ତିହୀନ କରିବା ଏବଂ ଚାଷୀଙ୍କ ବିଶ୍ୱାସ ଜିତିବା ମାଧ୍ୟମରେ ଦେଶର ସର୍ବାଧିକ ସଂଖ୍ୟକ ଲୋକସଭା ଆସନ ଥିବା ଯୁପିକୁ ଲଗାତର ଦ୍ୱିତୀୟ ଥର ପାଇଁ ଦଖଲ କରିବା ହେଉଛି ବିଜେପିର ରଣନୀତି ।
ଗଲା ଏକ ବର୍ଷ ହେଲା ଶାସକ ବିଜେପି ଯେଉଁ ଚାଷୀ ସଂଗଠନଙ୍କୁ ‘ଦେଶ ବିରୋଧୀ’ ଏବଂ ‘ଖାଲିସ୍ତାନୀ’ ଆତଙ୍କବାଦୀ ବୋଲି ଆକ୍ଷେପ କରୁଥିଲା ଏବଂ ଆନ୍ଦୋଳନକୁ ଦମନ କରିବା ପାଇଁ ଦମନମୂଳକ କାର୍ଯ୍ୟାନୁଷ୍ଠାନର ଆଶ୍ରା ନେଇ ଥିଲା ସେହି ଦଳର ନେତୃତ୍ୱ ଏବେ ତିନି କୃଷି ଆଇନ ପ୍ରତ୍ୟାହାର କରିନେବା ସହ ଚାଷୀଙ୍କ ଅନ୍ୟ ସମସ୍ତ ଦାବିକୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପ୍ରସ୍ତାବ ରଖିବା ଆନ୍ଦୋଳନ ଓ ଗଣତନ୍ତ୍ରର ବଡ଼ ବିଜୟ କୁହାଯାଇପାରେ । କୃଷି ଆଇନ ପ୍ରତ୍ୟାହାର ପରେ ଦିଲ୍ଲୀର ବଭିନ୍ନ ସୀମାନ୍ତରେ ବର୍ଷେରୁ ଅଧିକ ସମୟ ହେଲା ପ୍ରତିକୂଳ ପରିସ୍ଥିତିରେ ଡ଼େରା ପକାଇ ରହି ଥିବା ଆନ୍ଦୋଳନକାରୀମାନେ ନିଜ ନିଜ ଘରକୁ ଫେରିବାକୁ ବ୍ୟଗ୍ର । ତେଣୁ, ସରକାର ଏମଏସପିକୁ ତୁରନ୍ତ ଆଇନର ମାନ୍ୟତା ନଦେଇ ସମୟ ଗଡାଇ ନେଲେ ବିବତ୍ତି ଟଳି ଯିବ । ଥରେ ସେମାନଙ୍କୁ ଲିଖିତ ହେଉ ବା ମୌଖିକ ପ୍ରତିଶ୍ରୁତି ଦେଇ ଘରକୁ ପଠାଇ ଦେଲେ ବିରୋଧୀଙ୍କ ଅଂଟା ଭାଂଗି ଯିବ । ଏହା ହେଉଛି ମୋଦୀ-ଶାହାଙ୍କ ରଣନୀତି ।
ସଂଯୁକ୍ତ କିଶାନ ମୋର୍ଚ୍ଚା କେନ୍ଦ୍ର ସରକାରଙ୍କ ଏହି ପଇଁତରାକୁ ବୁଝୁଛି । ତେବେ, ଅଧିକାଂଶ ଚାଷୀ ନେତା ଆଲୋଚନା ମାଧ୍ୟମରେ ସମାଧାନ ଓ ଆନ୍ଦୋଳନର ପରିସମାପ୍ତି ଚାହୁଁ ଥିବାରୁ ସଂଯୁକ୍ତ କିଶାନ ମୋର୍ଚ୍ଚାର ଟାଣପଣ ମଧ୍ୟ କିଛି । ସରକାରଙ୍କ ସହ ଆଲୋଚନା ପାଇଁ ୪ ତାରିଖ ବୈଠକରେ ବିଭିନ୍ନ ଚାଷୀ ସଂଗଠନର ନେତାଙ୍କୁ ନେଇ ଏକ ୫ ଜଣିଆ କମିଟି ଗଠନ ହୋଇଛି । କମିଟିରେ ସ୍ଥାନ ପାଇଥିବା ଚାଷୀ ନେତା ବଲବୀର ସିଂହ ରାଜେୱାଲ, ଅଶୋକ ଧାୱଲେ, ଶିବ କୁମାର କାକା, ଗୁରୁନାମ ସିଂହ ଚାଦୁନି ଓ ୟୁଧବୀର ସିଂହ ଏମଏସପିକୁ ଆଇନଗତ ଗ୍ୟାରେଂଟି, ଆନ୍ଦୋଳନ ସମୟରେ ମୃତ୍ୟୁ ମୁଖରେ ପଡିଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ସେମାନଙ୍କ ପରିବାରରୁ ଜଣକୁ ସରକାରୀ ନିଯୁକ୍ତି, ଆନ୍ଦୋଳନ ସମୟରେ ଚାଷୀ ନେତାଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର, ଲକ୍ଷ୍ମୀପୁର ଖେରି ଚାଷୀ ହତ୍ୟା ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରଭୃତି ଦାବିକୁ ନେଇ ସରକାରଙ୍କ ସହ ଆଲୋଚନା କରିବେ । ଦାବି ସବୁ ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଏସକେଏମ୍ ପୂର୍ବରୁ କହୁଥିଲା । ଏବେ କହୁଛି, ଦାବି ପୂରଣ ନେଇ ସରକାରଙ୍କ ଆଡୁ ଲିଖିତ ପ୍ରତିଶ୍ରୁତି ମିଳିଲେ ଆନ୍ଦୋଳନ ପ୍ରତ୍ୟାହାର କଥା ବିଚାର କରାଯିବ । ଏହା ହେଉଛି ପରିବର୍ତ୍ତିତ ପରିସ୍ଥିତି ।
ନଭେମ୍ବର ୧୯ ତାରିଖ ପରେ କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନରେ ଆସି ଥିବା ଟ୍ୱିଷ୍ଟ୍ ସାଧାରଣ ଜନତା ବୁଝୁଛନ୍ତି । ବିରୋଧୀ ଦଳମାନେ ବୁଝିପାରୁ ନାହାନ୍ତି କହିବା ମୁର୍ଖାମୀ ହେବ । ପରିବର୍ତ୍ତିତ ପରିସ୍ଥିତିରେ ସେମାନେ ଅଧିକ ସତର୍କ ଓ ଦାୟିତ୍ୱ ସଂପନ୍ନ ହେବାର ଆବଶ୍ୟକତା ଥିବା ବେଳେ ଯେଭଳି ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତ୍ୟାକ୍ଷେପରେ ମାତିଛନ୍ତି ତାହା ଶାସକ ଦଳକୁ ଫାଇଦାରେ ରଖୁଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହେବାକୁ ଥିବା ବିଧାନସଭା ନିର୍ବାଚନଗୁଡିକ ସେମି ଫାଇନାଲ କୁହାଯାଇପାରେ । ବିଶେଷକରି, ୟୁପି ନିର୍ବାଚନ ଭାରତୀୟ ରାଜନୀତିର ମୋଡ଼ ବଦଳାଇବାର ଶକ୍ତି ରଖିଛି । ରାଜ୍ୟର ୪୦୩ ବିଧାନସଭା ଆସନ ମଧ୍ୟରୁ ୩୦୪ଟି ସଂପ୍ରତି ବିଜେପି କବ୍ଜାରେ ରହିଛି । ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଥିବା ସମାଜବାଦୀ ପାର୍ଟିର ବିଧାୟକ ସଂଖ୍ୟା ମାତ୍ର ୪୯ ଥିବା ସମୟରେ ବିଧାନସଭାରେ ମାୟାବତୀଙ୍କ ବିଏସପି ବିଧାୟକଙ୍କ ସଂଖ୍ୟା ହେଉଛି ୧୮ । କଂଗ୍ରେସର ମାତ୍ର ୭ ବିଧାୟକ ଥିବା ବେଳେ ଅନ୍ୟାନ୍ୟଙ୍କ ହାତରେ ରହିଛି ୨୫ ବିଧାନସଭା ଆସନ ।
୨୦୧୭ରେ କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ହାତରେ କଂଗ୍ରେସର ମଂଗ ଥିଲା । ସମାଜବାଦୀ ପାର୍ଟି ସହ ବୁଝାମଣା ହୋଇଥିଲା । ଦୁଇ ଦଳ ମିଳିତ ଭାବେ ବିଜେପି ସହ ମୁକାବିଲା କରି ଥିଲେ ମଧ୍ୟ ରୋକି ପାରି ନଥିଲେ । ୨୦୧୭ ନିର୍ବାଚନ ସମୟରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ୟୁପି ମୁଖ୍ୟମନ୍ତ୍ରୀ ଥିଲେ । ସରକାର ବିରୋଧୀ ଜନମତ ଯୋଗୁଁ ବିଜେପିକୁ ପ୍ରତିହତ କରି ହେଲା ନାହିଁ ବୋଲି କଂଗ୍ରେସ ଅଭିଯୋଗ କରୁଛି । ସେହିଭଳି, କଂଗ୍ରେସ ସହ କାମ କରିବା ଅଭିଜ୍ଞତା ଜଟିଳ ଓ ନିଷ୍ଫଳ ବୋଲି ଏବେ ଏସପି ନେତା ଅଖିଳେଶ କହୁଛନ୍ତି । କଂଗ୍ରେସ ଓ ସମାଜବାଦୀ ପାର୍ଟି ୨୦୨୨ ୟୁପି ନିର୍ବାଚନରେ ଅଲଗା ଅଲଗା ଲଢିବା ନିଶ୍ଚିତ ହେଲାଣି । ୟୁପିର ଅନ୍ୟତମ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ମୁଖ୍ୟା ମାୟାବତୀ ମଧ୍ୟ ଏକାକୀ ନିର୍ବାଚନ ଲଢିବେ କହି କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍ କରିବା ଆରମ୍ଭ କରିସାରିଛନ୍ତି । ଅବଶ୍ୟ କଂଗ୍ରେସ ପାଇଁ ଏତିକି ସୁଖଦ ଖବର ହେଉଛି, ୨୦୨୨ ନିର୍ବାଚନରେ ରାହୁଲ ନୁହନ୍ତି, ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ମଂଗ ଧରିଛନ୍ତି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହେବାକୁ ଥିବା ୨୦୨୨ ସେମି ଫାଇନାଲ (ୟୁପି ବିଧାନସଭା ନିର୍ବାଚନ)ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମାତ୍ ଦେବା ସବୁ ବିରୋଧୀ ଦଳଙ୍କ ଏକକ ଲକ୍ଷ୍ୟ ଥିବା ବେଳେ ସମସ୍ତେ ଏକା ଏକା ନିର୍ବାଚନ ଲଢିବାକୁ ଘୋଷଣା କରିବା ଏବଂ ପରସ୍ପରକୁ ଟାର୍ଗେଟ୍ କରିବା କି ପ୍ରକାର ରାଜନୀତି (?), ତାହା ସାଧାରଣ ଲୋକଙ୍କ ବୁଝିବା ବାହାରେ । ବିରୋଧୀ ଜାଣିଶୁଣି ନିଜ ଗୋଡରେ କୁରାଢୀ ମାରୁ ନାହାନ୍ତି ତ (?) ବୋଲି ପ୍ରଶ୍ନ ହେଉଥିବା ବେଳେ ଏହା ବିରୋଧୀ ଦଳ ନେତୃବର୍ଗଙ୍କ ଅହଂକାର ରାଜନୀତିର ପ୍ରତିଫଳନ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି । ଅପରପକ୍ଷରେ, ୨୦୧୭ରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାର ଚଳାଇ ଥିବା ବିଜେପି ୨୦୨୨ରେ ମଧ୍ୟ ଦଳକୁ ଦ୍ୱତୀୟ ଥର ପାଇଁ କ୍ଷମତାସୀନ କରିବା ପାଇଁ ଉଦ୍ୟମ ଜାରି ରଖିଛି । ତିନି କୃଷି ଆଇନ ପ୍ରତ୍ୟାହାର ଓ ଚାଷୀଙ୍କ ସହ ଆଲୋଚନା ମାଧ୍ୟମରେ ଅନ୍ୟ ସବୁ ଦାବିର ସମାଧାନ ଦିଗରେ ଦଳ ନିଜ ପାରଂପରିକ ନୀତିରୁ ବାହାରକୁ ଯାଇ କାର୍ଯ୍ୟ କରୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ସଂପୂର୍ଣ୍ଣ ଆସ୍ଥା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ପ୍ରମୁଖ ବରିଷ୍ଠ ନେତାମାନେ ଘନଘନ ୟୁପି ଗସ୍ତ କରୁଛନ୍ତି ।
ପୂର୍ବାଂଚଳ ଏକ୍ସପ୍ରେସୱେ ଭଳି ବଡ଼ ବଡ଼ ପ୍ରକଳ୍ପର ଲୋକାର୍ପଣ କରାଯିବା ସହ ଯୋଗୀ ସରକାରରେ ୟୁପି ଏକ ଅପରାଧ-ଶୂନ୍ୟ ରାଜ୍ୟ ହୋଇଥିବା ଏବଂ ବିକାଶ ପଥରେ ଆଗଉ ଥିବା ନେଇ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି । ବିରୋଧୀ ପରସ୍ପର ବିରୋଧରେ ଲଢେଇରେ ମାତିଲେ କେବଳ ୟୁପି, ପଂଜାବ ନୁହେଁ; ୨୦୨୨ ଓ ୨୦୨୩ରେ ହେବାକୁ ଥିବା ସମସ୍ତ ବିଧାନସଭା ନିର୍ବାଚନରେ ବିଜେପିର ଗଡ଼ ଦଖଲ ହେବ ଏବଂ ୨୦୨୪ ସାଧାରଣ ନିର୍ବାଚନରେ ତୃତୀୟ ଥର ପାଇଁ ମୋଦୀ ସରକାର କେନ୍ଦ୍ରରେ କ୍ଷମତା ଦଖଲ କରିବେ, ଏହା ହେଉଛି ବିଜେପିର ରଣନୀତି । ତେଣୁ, ବିରୋଧୀଙ୍କ ଭିତରେ ଫାଟକୁ ଅଧିକ ଗଭୀର କରିବା ପାଇଁ ବିଜେପି ନେତା ଓ ମୁଖପାତ୍ରମାନେ ଅହରହ ଉଦ୍ୟମ କରୁଛନ୍ତି । ଯୋଗୀ ସରକାର ଲକ୍ଷ୍ମୀପୁର ଖେରି ଘଟଣାରେ ‘ବ୍ୟାକ୍ ଫୁଟ୍’ରେ ଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଗିରଫ କରି ଜେଲକୁ ପଠାଇ ଥିବାରୁ ରାଜ୍ୟରେ ଆଇନର ଶାସନ ଚାଲିଛି ବୋଲି ଦାବି କରିବାକୁ ପଛାଉ ନାହାନ୍ତି ।
ଲକ୍ଷ୍ମୀପୁର ଖେରି ଚାଷୀ ହତ୍ୟା ଘଟଣାରେ ଏଆଇସିସି ସାଧାରଣ ସଂପାଦିକା ପ୍ରୟଙ୍କା ଗାନ୍ଧୀ ଭଦ୍ରାଙ୍କ ପ୍ରୋ-ଆକ୍ଟିଭ୍’ ଭୂମିକା ଓ ପରବର୍ତ୍ତୀ ସମୟରେ ‘ନ୍ୟାୟ ଯାତ୍ରା’ ରାଜ୍ୟର ବିଭିନ୍ନ ବର୍ଗ, ବିଶେଷକରି ମହିଳା ଓ ଯୁବ ଭୋଟରଙ୍କୁ ପ୍ରଭାବିତ କରୁଥିବା ଏବଂ ତାଙ୍କ ସଭାରେ ଭିଡ଼ ହେଉଥିବା କଂଗ୍ରେସ ପାଇଁ ବଡ଼ ଉପଲବ୍ଧୀ ହୋଇଛି । ପ୍ରିୟଙ୍କାଙ୍କ ପ୍ରତି ଭୋଟରଙ୍କ ମଧ୍ୟରେ ଆଶାତୀତ ଆକର୍ଷଣ ଏବଂ ଭୋଟରଙ୍କୁ ଦିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ପ୍ରତିଶ୍ରୁତି କଂଗ୍ରେସକୁ ନିର୍ବାଚନ ବୈତରଣୀ ପାରି ହେବାରେ ସହାୟକ ହେବ ବୋଲି କଂଗ୍ରେସ ନେତୃବର୍ଗ ଆଶା କରୁଥିବା ବେଳେ ସମାଜବାଦୀ ପାର୍ଟି ସଂଖ୍ୟାଲଘୁ ଭୋଟରଙ୍କୁ ସନ୍ତୁଷ୍ଟ କରିବା ପଇର୍ତରା ଆପଣାଇଛି । ‘ବେହେନ୍ ଜୀ’ ଭାବେ ପରିଚିତ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଉଭୟ କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍ କରି ୟୁପି ନିର୍ବାଚନ ଲଢିବା ରଣନୀତି ପ୍ରସ୍ତୁତ କରିଛନ୍ତି । ବିରୋଧୀ ଦଳମାନେ ବିଜେପ ବିରୋଧରେ ମିଳିତ ଭାବେ ଲଢିବେ କଣ, ପରସ୍ପରକୁ ଟାର୍ଗେଟ୍ କରି ନିର୍ବାଚନ ମଇଦାନରେ ପାଦ ଥାପି ଥିବାରୁ ବିଜେପି ଏକପ୍ରକାର ନିଶ୍ଚିନ୍ତ ଥିବା ଦେଖିବାକୁ ମିଳୁଛି ।
ଇତିମଧ୍ୟରେ, ୨୦୨୧ ବିଧାନସଭା ନିର୍ବାଚନରେ ପଶ୍ଚିମ ବଂଗ ବିଜେପିକୁ ଧୂଳ ଚଟାଇ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ଯେଉଁ ବିରୋଧୀ ଏକତା ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ପରିହାସର ବିଷୟ ହେଲାଣି । କାରଣ, ଯେଉଁ ମମତା ତାଙ୍କ ପଶ୍ଚିମ ବଂଗ ବିଜୟ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର ଓ ଅନ୍ୟ ବିରୋଧୀ ରାଜନୈତିକ ଦଳ ନେତାଙ୍କୁ ଭେଟି ୨୦୨୪ରେ ବିଜେପିକୁ ସାମ୍ନା କରିବା ପାଇଁ ଏକ ବିଜେପି-ବିରୋଧୀ ମଂଚ ଗଠନର ପ୍ରୟାସ ଆରମ୍ଭ ଆରମ୍ଭ କରିଥିଲେ ସେ ଏବେ କଂଗ୍ରେସର ବଡ଼ ସମାଲୋଚକ । ଦିଲ୍ଲୀ ଗଲେ ସୋନିଆଙ୍କ ଭେଟିବା ଜରୁରୀ ନୁହେଁ କହୁଛନ୍ତି । ରାହୁଲ, ପ୍ରିୟଙ୍କାଙ୍କୁ ‘ଅପରିପକ୍ୱ’ ବୋଲି ଆକ୍ଷେପ କରି ସୋନିଆଙ୍କ ନେତୃତ୍ୱରେ ପରିଚାଳିତ ‘ୟୁପିଏ’ର ଅସ୍ତତ୍ୱକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ତାଙ୍କ ପରାର୍ଶଦାତା ପ୍ରଶାନ୍ତ କିଶୋର କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ଥିବା କହି ସୋନିଆଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କଲେଣି ।
ଅବଶ୍ୟ କଂଗ୍ରେସ ଗାନ୍ଧୀ ପରିବାର ସପକ୍ଷବାଦୀ ନେତାମାନେ ମମତାଙ୍କ ମନ୍ତବ୍ୟକୁ ‘ପାଗଳାମୀ’ କହି ଏଡାଇ ଦେଲେଣି । କଂଗ୍ରେସ ନେତୃତ୍ୱ ପ୍ରତି ଉଠି ଥିବା ପ୍ରଶ୍ନକୁ ହାଲକା କକରିବା ପ୍ରୟାସ କଲେଣି । ତେବେ, କଂଗ୍ରେସ ଭିତରେ ଥାଇ ଦଳର ନେତୃତ୍ୱ ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ‘ଜି-୨୩’ ଗୋଷ୍ଠୀ ଗାନ୍ଧର ପରିବାକୁ ଟାର୍ଗେଟ୍ କରିବାର କୌଣସି ସୁଯୋଗ ହାତଛଡା କରୁନଥିବା ଲକ୍ଷ୍ୟ କରାଯାଉଛି । ନିକଟରେ, ବରିଷ୍ଠ କଂଗ୍ରସ ନେତା ଗୁଲାମ ନବୀ ଆଜାଦ ଗାନ୍ଧୀ ପରିବାର ସଂପର୍କରେ ଦେଇଥିବା ଏକ ମନ୍ତବ୍ୟ ଦଳ ଭିତରେ ଥିବା ନେତୃତ୍ୱ କନ୍ଦଳକୁ ଅଧିକ ସ୍ପଷ୍ଟ କରିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ଦଳର ସ୍ୱାର୍ଥ ପାଇଁ ‘ନା’ ଶବ୍ଦ ଶୁଣିବାକୁ ପ୍ରସ୍ତୁତ ଥିଲେ । ଏବେ କିନ୍ତୁ, ତାହା ହେଉ ନାହିଁ । ‘ନା’ କହୁଥିବା ନେତାଙ୍କୁ ‘ଦଳ ବିରୋଧୀ’ ବା ‘ବିଦ୍ରୋହୀ’ କୁହାଯାଉଛି ବୋଲି ଗୁଲାମ ନବୀ ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଥିବା ଖବର ପ୍ରକାଶିତ ହୋଇଛି ।
କଂଗ୍ରେସ ଭିତରେ ଓ ବାହାରେ ନେତୃତ୍ୱକୁ ନେଇ ବିବାଦ ଭିତରେ ଥିବା ବେଳେ ‘ବିରୋଧୀ ଏକତା’ ଉଦ୍ୟମ ଗଜୁରିବା ପୂର୍ବରୁ ଝାଉଁଳିବା ଅବସ୍ଥାକୁ ଆସି ଗଲାଣି । ଦେଶରେ ବିଜେପିକୁ କ୍ଷମତାଚ୍ୟୁତ କରି ନ ପାରିଲେ ବି ଏକ ରାଜନେଅତିକ ସନ୍ତୁଳନ ଆସିଲେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହୋଇପାରିବ ବୋଲି ଯେଉଁମାନେ ଆଶା କରୁଥିଲେ ସେମାନେ ଏବେ ବିରୋଧୀଙ୍କ ହାବଭାବ ଦେଖି ନିରାଶ । ଚାଷୀ ଆନ୍ଦୋଳନ ବୁଝାମଣା ସ୍ଥିତିକୁ ଆସି ଯିବା ପରେ ବିରୋଧୀଙ୍କ ଶକ୍ତିକ୍ଷୟ ହେବା ସହ ବିଜେପି ଅଧିକ ନିରଙ୍କୁଶ ହେବା ନିଶ୍ଚିତ ହୋଇଛି । ଏଭଳି ସ୍ଥିତିରେ ୟୁପି ନିର୍ବାଚନ ଫଳାଫଳ ହିଁ ବିରୋଧୀଙ୍କୁ ମାର୍ଗଦର୍ଶକ ହୋଇ ପାରିବ ବୋଲି କହିବା ଛଡା ଆଉ କଣ ବା କହି ହେବ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS