ବିଜେପି ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ, ‘ନିଜେ ବଦଳିଯାଅ, ନହେଲେ ବଦଳାଇ ଦିଆଯିବ..’
ପ୍ରସାଦ ରାଓ
ନୂଆଦିଲ୍ଲୀ
ଡ଼ିସେମ୍ବର ୦୭
ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି । ବିରୋଧୀ ସଂସଦର ଉଭୟ ଗୃହରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ନାକେଦମ୍ କରି ରଖିଛନ୍ତି । ଏଭଳି ଅବସ୍ଥାରେ ଶାସକ ଦଳ ସାଂସଦମାନେ ଗୃହରେ ଅନୁପସ୍ଥିତ ରହୁଥିବା ବା ଗୃହରେ ଯୋଗ ଦେବାରେ ଅନିୟମିତତା ଦେଖାଉ ଥିବା ଗ୍ରହଣୀୟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏଠାରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ଚେତାବନୀ ଦେଇଛନ୍ତି । ‘ନିଜେ ନିଜକୁ ବଦଳାଅ, ନହେଲେ ସମୟକ୍ରମେ ପରିବତ୍ ର୍ତନ କରିବାକୁ ପଡ଼ିବ’ ବୋଲି ସେ ଦଳୀୟ ସାଂସଦଙ୍କ ସତର୍କ କରାଇଛନ୍ତି । ଦଳର ସାଂସଦ ଓ ମନ୍ତ୍ରୀମାନେ ଶୃଙ୍ଖଳିତ ହେବା ସହ ନିୟମିତ ଭାବେ ସଂସଦ ଅଧିବେଶନରେ ଉପସ୍ଥିତ ରହିବାକୁ ଓ ଅଯଥା ମନ୍ତବ୍ୟ ଦେବାରୁ ଦୂରେଇ ରହିବାକୁ ବାରମ୍ବାର ତାଗିଦ କରାଯିବା ସତ୍ତ୍ୱେ ସେମାନେ ପିଲାଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ଚରମବାଣୀ ଶୁଣାଇ ଥିବା ଜଣାପଡିଛି । ଆଜିର ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟେଲ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରମୁଖ ବରିଷ୍ଠ ମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଉପସ୍ଥିତ ଥିଲେ । ନଭେମ୍ବର ୨୯ରୁ ଆରମ୍ଭ ହୋଇଥିବା ସଂସଦର ଏହି ଶୀତ ଅଧିବେଶନର ପ୍ରଥମ ଦିନ ସରକାର ବିରୋଧୀଙ୍କୁ ବିତର୍କ ପାଇଁ ସୁଯୋଗ ନଦେଇ ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ସଂପର୍କିତ ବିଲ୍ ମୌଖିକ ଭୋଟରେ ଗୃହୀତ କରାଇ ନେଲେ । ସେହିଦିନ, ସଂସଦର ବିଗତ ମୌସୁମୀ ଅଧିବେଶନର ଶେଷ ଦିବସ, ଅର୍ଥାତ ଅଗଷ୍ଟ ୧୧ ତାରିଖ ଦିନ ରାଜ୍ୟସଭାରେ ପ୍ରବଳ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ୧୨ ଜଣ ବିରୋଧୀ ଦଳ ସାଂସଦଙ୍କୁ ଶୀତ ଅଧିବେଶନ ସରିବା ପର୍ଯ୍ୟନ୍ତ ଗୃହରୁ ନିଲମ୍ନ କରାଗଲା । ପୂର୍ବ ଅଧିବେଶନର ବିଶୃଙ୍ଖଳା ପାଇଁ ଚଳିତ ଅଧିବେଶନରେ ବିରୋଧୀ ସାଂସଦଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯିବା ଅଗଣତାନ୍ତ୍ରିକ ଓ ପାଲ୍ୟାମେଂଟାରୀ ବ୍ୟବସ୍ଥାର ପରିପନ୍ଥୀ କହି ବିରୋଧୀ ସଂସଦର ଉଭୟ ଗୃହକୁ ଏକ ସପ୍ତାହ ହେଲା ଅଚଳ ରଖିଛନ୍ତି । ଇତିମଧ୍ୟରେ, ନାଗାଲ୍ୟାଣ୍ଡରେ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଉଗ୍ରପନ୍ଥୀ ସନ୍ଦେହରେ ୧୪ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ସରକାର ସଂସଦରେ ବିରୋଧୀଙ୍କ ଆଡୁ ତୀବ୍ର ଆକ୍ରୋଶର ସାମ୍ନା କରୁଛନ୍ତି । ସରକାର ତିନି ନୂଆ କୃଷି ଆଇନ ପ୍ରତ୍ୟାହାର କରି ନେଇଥିଲେ ମଧ୍ୟ ଏମଏସପିକୁ ଆଇନଗତ ମାନ୍ୟତା ସମେତ ଅନ୍ୟାନ୍ୟ ଦାବି ଉପସ୍ଥାପନ କରାଯାଇ ଚାଷୀ ସଂଗଠନ ଓ ବିରୋଧୀ ଦଳଙ୍କ ପକ୍ଷରୁ ସରକାରଙ୍କୁ ଚାପରେ ରଖା ଯାଇଛି । ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଶୀତ ଅଧିବେଶନ ବାରମ୍ବାର ମୁଲତବୀ ରହୁଛି । ଡ଼ିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନର ଆଜି ସୁଦ୍ଧା ଏଭଳି ହାଲ୍ ଥିବା ବେଳେ ବିଜେପି ସାଂସଦମାନେ ଗୃହରେ ଅନୁପସ୍ଥିତ ରହୁ ଥିବାରୁ ବା ଗୃହରେ ଯୋଗ ଦେବାରେ ଅନିୟମିତା ପ୍ରଦର୍ଶନ କରୁଥିବାରୁ ସଂସଦୀୟ ଦଳର ନେତା ଥିବା ପ୍ରଧାନମନ୍ତ୍ରୀ ନିଜ ଦଳ ସାଂସଦଙ୍କୁ ‘ଆଚରଣ ନ ବଦଳାଇଲେ ବଦଳି ଯିବ’ ବୋଲି ଚେତାବନୀ ଦେବାକୁ ବାଧ୍ୟ ହୋଇଥିବା ଜଣାପଡିଛି । ଆସନ୍ତା ଫେବୃୟାରୀ ବା ମାର୍ଚ୍ଚରେ ପଂଜାବ, ୟୁପି ସମେତ ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଶାସକ ଦଳ ସେଥିପାଇଁ ଜୋରଦାର ପ୍ରସ୍ତୁତି ଚଳାଇ ଥିବା ବେଳେ ସଂସଦରେ ବିରାଧୀ ସରକାରଙ୍କୁ ନାକେଦମ୍ କରି ରଖିବା ଏବଂ ବିଜେପି ସାଂସଦମାନେ ସରକାରଙ୍କ ପଛରେ ଠିଆ ହେବା ବଦଳରେ ଗୃହରୁ ଅନୁପସ୍ଥିତ ରହିବା ବା ନିୟମିତ ଭାବେ ଗୃହରେ ଯୋଗ ନଦେବା ପ୍ରଧାନମନ୍ତ୍ରୀଙ୍କୁ କ୍ଷୁବ୍ଧ କରିଥିବା ଏଥିରୁ ଅନୁମାନ କରି ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS